Unknown

 

 

 

 

 

 

 

 

ଲେବାନନ୍‍ର ମହାନ୍ ଲେଖକ

ଖଲିଲ୍ ଜିବ୍ରାଁଙ୍କ

ବିଦ୍ରୋହୀ ଆତ୍ମା

ଅନୁବାଦ

ଚିତ୍ତରଞ୍ଜନ ଦାସ

 

 

 

 

ଲେମାନନ୍‍ର ପ୍ରସିଦ୍ଧ ଲେଖକ

ଖଲିଲ୍‍ ଜିବ୍ରାଁ

 

ଯାହାଙ୍କ ଅମର ଲେଖା ପୃଥିବୀର ପ୍ରାୟ ଚାଳିଶଟି ଭାଷାରେ ରୂପାନ୍ତରିତ ହୋଇଛି ।

 

ପ୍ରକାଶକୀୟ

 

ଚିତ୍ତଭାଇଙ୍କର ‘ଅନାବନା ରଚନା’ ର ପ୍ରକାଶ, ‘ଶିଳା ଓ ଶାଳଗ୍ରାମ’ ର ପୁନର୍ମୁଦ୍ରଣ ପରେ ଏବେ ତାଙ୍କରି ଦ୍ୱାରା ଅନୂଦିତ ଖଲିଲ୍‍ ଜିବ୍ରାଁଙ୍କ ରଚନା ‘ବିଦ୍ରୋହୀ ଆତ୍ମା’ ର ପୁନର୍ମୁଦ୍ରଣ ପଥିକ ପ୍ରକାଶନୀ ସଂପନ୍ନ କରିଛି । ଏଇ ତିନୋଟି ବହିର ପ୍ରକାଶ ଓ ପୁନର୍ମୁଦ୍ରଣ କରି ଯେଉଁ ଖୁସି....ସେଥିରେ କେତେ ଅନୁଭୂତି, ସମ୍ପର୍କ ଓ ସମ୍ଭାବନା ନିହିତ ହୋଇ ରହିଛି ।

 

‘ବିଦ୍ରୋହୀ ଆତ୍ମା’ର ଲେଖା ଓ ଲେଖକଙ୍କ ବିଷୟରେ ଅନୁବାଦକଙ୍କ ବକ୍ତବ୍ୟ ପ୍ରକାଶ ପାଇଛି । ‘ଅନାବନା ରଚନା’, ‘ଶିଳା ଓ ଶାଳଗ୍ରାମ’ ର ପ୍ରକାଶ ଓ ପରିବେଷଣ କରି ପାଠକ ମହଲରୁ ଯେଉଁ ଶ୍ରଦ୍ଧା ଓ ଉତ୍ସାହ ପାଉଛୁ, ‘ବିଦ୍ରୋହୀ ଆତ୍ମା’ କୁ ସେମାନଙ୍କ ପାଖରେ ପହଞ୍ଚାଇବା ଅବସରରେ ସେମାନଙ୍କୁ ଆମର ଗଭୀର କୃତଜ୍ଞତା ଜଣାଉଛୁ । ଆଶା, ‘ବିଦ୍ରୋହୀ ଆତ୍ମା’ ଆହୁରି ପାଠକଗୋଷ୍ଠୀ ସୃଷ୍ଟି କରି ଆଦୃତ ହେବ । ପାଠକ ବଂଧୁମାନଙ୍କୁ ଅନୁରୋଧ, ଅଧ୍ୟୟନ ପରେ ପଥିକ ପ୍ରକାଶନୀ ବିଷୟରେ ନିଜର ଠିକଣା ସହ ଅଭିମତ ଜଣାଇବେ ଯାହା ଆମ ନିଜକୁ ସଜାଡ଼ିବାରେ ଏବଂ ଆପଣମାନଙ୍କ ସହ ସଂପର୍କ ଯୋଡ଼ିବାରେ ସହାୟକ ହେବ ।

 

ଚିତ୍ତଭାଇଙ୍କ ପ୍ରେରଣା ଦ୍ୱାରା ପ୍ରକାଶନର ଧାରାଟି ଅକ୍ଷୁର୍ଣ୍ଣ ରହିଛି । ତାଙ୍କ ପାଖରେ ଆମେ ଚିରଋଣୀ ।

 

ଭୁବନେଶ୍ୱର

ପ୍ରକାଶକ

ବ୍ୟକ୍ତିଗତ ଟେଲିଫୋନ୍‍ : (୦୬୭୪) ୫୮୩୪୦୭

ମଇ ୧୯୯୯

 

ଖଲିଲ୍ ଜିବ୍ରାଁ

(୧୮୮୩-୧୯୩୧)

 

ପ୍ରାୟ ପଚାଶ ବର୍ଷ ତଳର କଥା । ଗୋଟାଏ ବହି ଲେବାନନ୍ ଦେଶକୁ ଏକାବେଳେକେ ଦୋହଲାଇ ଦେଇଥିଲା । ସରକାରଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ବହିଟି ବିରୁଦ୍ଧରେ ଏକସ୍ୱରରେ ଗର୍ଜନ କରି ଉଠିଲେ । ରାସ୍ତାର ଛକମାନଙ୍କରେ ଗଦା ଗଦା କରି ବହିଟିକୁ ପୋଡ଼ିଦିଆଗଲା । ଲେଖକ ଖଲିଲ୍ ଜିବ୍ରାଁ ଅପରାଧୀ ଧର୍ମଦ୍ରୋହୀ ସାବ୍ୟସ୍ତ ହୋଇ ଦେଶରୁ ବିତାଡ଼ିତ ହେଲେ ।

 

ଏହି ବହିଟି ହେଉଛି Spirits Rebellious. ଏହା ଆଗରୁ ଜିବ୍ରାଁଙ୍କର ଅନେକ ଲେଖା ଲେବାନନ୍‍ର ନାନା ପତ୍ରପତ୍ରିକାରେ ବାହାରିଥିଲା । ପ୍ରଥମ ଲେଖାରୁ ହିଁ ଜିବ୍ରାଁ ସାହିତ୍ୟଗଗନରେ ଏକ ନୂଆ ନିଆଁ ନେଇ ଉଲ୍‍କାପରି ଉଦିତ ହୋଇଥିଲେ । ସମାଜ ଓ ଶାସନର ସ୍ୱେଚ୍ଛାଚାର ବିରୁଦ୍ଧରେ ତାଙ୍କର କଲମ ମୂଳରୁ ହିଁ ସଜାଗ ଓ ସଚଳ ହୋଇଉଠିଥିଲା । ଅକ୍ଷର ମଧ୍ୟରେ ଦେଶର ନିତ୍ୟ-ଜୀବନ କଥା କହିଉଠିଲା । ଲେଖକର ଚିନ୍ତା ଶତ ତକ୍ଷକର ଦଂଶନରେ ଲେବାନନ୍‍ର ରାଜଗାଦୀ ଓ ଧର୍ମଗାଦୀ ଉଭୟକୁ ଦୋହଲାଇ ଦେଲା । Sprits Rebellious ଏହି ଦଂଶନର ପରପକ୍ୱ ପରିଣତି ।

 

ଇସ୍ରାଏଲ୍ ଦେଶର ଉତ୍ତରକୁ ଲେବାନନ୍ ଦେଶ । ଏହି ଦେଶର ବିରୁଠ୍ ସହରରେ ଜିବ୍ରାଁଙ୍କର ଜନ୍ମ । ବାଲ୍ୟକାଳରୁ ଯେପରି ସେ ମଣିଷ ଓ ଭଗବାନଙ୍କୁ ନେଇ ନାନା ସ୍ୱପ୍ନ ଦେଖୁଥିଲେ-। ଜନ୍ମରୁ ବୋଧହୁଏ ତାଙ୍କର ମନକୁ କିଏ ସୃଷ୍ଟିକର୍ତ୍ତା ପରମ-ମନର ବିଦ୍ରୋହୀ ଭଙ୍ଗାଗଢ଼ା କଳ୍ପନା ସହିତ ମିଳାଇ ଗୁନ୍ଥି ଦେଇଥିଲା ।

 

ଜିବ୍ରାଁଙ୍କର ଶ୍ରେଷ୍ଠ କୃତି ହେଉଚି The Prophet. ପୃଥିବୀର ପ୍ରାୟ ଚାଳିଶିଟି ଭାଷାରେ ଏହାର ଅନୁବାଦ ହୋଇ ସାରିଚି । ଜିବ୍ରାଁଙ୍କର କଲମ ବିଶ୍ୱଦରବାରରେ ଆରବୀ ସାହିତ୍ୟର ସ୍ଥାନକୁ ଦୃଢ଼ କରି ଦେଇଚି । ଲେବାନନ୍‍ର ଅନେକ ଲେଖକ ଓ କବି ଏବେ ସୁଦ୍ଧା ତାଙ୍କର ଲେଖନଶୈଳୀକୁ ଅନୁକରଣ କରି ଚାଲିଚନ୍ତି ।

 

ସ୍ୱଭାବତଃ ଜିବ୍ରାଁ ଜଣେ ସଂବୁଦ୍ଧ ଧର୍ମପୁରୁଷ । ଜଗତର ଯେକୌଣସି ଧର୍ମଗୁରୁଙ୍କ ସହିତ ତାଙ୍କର ତୁଲ୍ୟମୂଲ୍ୟ ବିଚାର କରାଯାଇପାରେ । କିନ୍ତୁ ତାଙ୍କର ଧର୍ମ ଧୂଳିରୁ ସ୍ୱର୍ଗ ଗଢ଼ିବାର ଧର୍ମ । ମଣିଷ ଅନ୍ୟାୟ ସହିବ ନାହିଁ । ମଣିଷ ମଣିଆ ବଳଦ ପରି ମାନି ନେବ ନାହିଁ । ଆପଣା ଭିତରର କସ୍ତୁରୀବାସକୁ ଚିହ୍ନି ସେ ଗୌରବମୟ ହେବ, ଏହି ହେଉଚି ଜିବ୍ରାଁଙ୍କର ବାଣୀ ।

 

ପଚାଶ ବର୍ଷ ତଳେ ଯେଉଁ କବିକୁ ଲେବାନନ୍ ନିର୍ବାସିତ କରିଦେଇଥିଲା, ପୁଣି ଥରେ ସେହି କବିଙ୍କୁ ସେ ତ୍ରାଣକର୍ତ୍ତା ଧର୍ମଗୁରୁ ହିସାବରେ ଦେଶକୁ ବରଣ କରି ଆଣିଲା । ତାଙ୍କର ମୃତଦେହର ଶୋଭାଯାତ୍ରାରେ ଜାତିଧର୍ମ ନିର୍ବିଶେଷରେ ସମସ୍ତ ବିରୁଠ୍ ସହର ଆସି ସମବେତ ହୋଇଥିଲା । ଅନେକେ ତାଙ୍କୁ ଏ ଯୁଗର ଦାନ୍ତେ ବୋଲି କହନ୍ତି, କେହି ପୁଣି ରବୀନ୍ଦ୍ରନାଥଙ୍କ ସହିତ ତୁଳନା କରିଚନ୍ତି । କିନ୍ତୁ ପ୍ରତ୍ୟେକ ଲେବାନନ୍‍ବାସୀ ପାଇଁ ସେ ସର୍ବୋପରି ଜଣେ ପରମ ବନ୍ଧୁ ।

 

ଅଢ଼େଇ ବର୍ଷ ତଳେ ଏହି ଅମର କବିଙ୍କର ସମାଧି-ମନ୍ଦିର ଦେଖିବା ଲାଗି ଲେବାନନରେ ଦୁଇଦିନ ଅଟକି ଯାଇଥିଲି । ରାଜଧାନୀ ବିରୁଠ୍ ସହରରେ ଅନେକ ବଡ଼ କୋଠା ତିଆରି ହେଲାଣି । ରାସ୍ତା କଡ଼ରେ ମଟର ମାଳ ମାଳ ଠିଆ ହୋଇଚି । ପାରିସ୍ ସହରର ବିଳସିତ ଜୀବନର ଅନୁକରଣରେ ଏଠି ମଧ୍ୟ ଚମତ୍କାର ବିନୋଦନର ମଜଲିସ୍ ବସିଚି । ତଥାପି ଲେବାନନରେ ମଳିନ ଜୀବନର ଦାରିଦ୍ର୍ୟ ଏପର୍ଯ୍ୟନ୍ତ ରହିଚି । ଆଜି ମଧ୍ୟ ଲେବାନନରେ ଅନେକ ପିଲା ଥଣ୍ତାରୁ ରକ୍ଷା ପାଇବା ଲାଗି ଶୁଖିଲା ଛଣର ଜୋତା ମାଡ଼ି ବଡ଼ଲୋକର ମୋଟ ବୋହି ବୁଲୁଚନ୍ତି । ସେଦିନ ପୁଣି ଭାରି ଥଣ୍ତା, ଉପକଣ୍ଠର ଉଚ୍ଚ ପାହାଡ଼ ଉପରେ ବରଫ ଅସରାର ଧୁମ୍ ଲାଗିଥାଏ । ସଂସାରରେ ସମ୍ପଦ ବଢ଼ିଚି, ବିଳାସ ଓ ବିଳାସୀ ବଢ଼ିଚନ୍ତି, ତଥାପି ଦାରିଦ୍ର୍ୟ ଘୁଞ୍ଚିଲା ନାହିଁ, ତଥାପି ଭୋକ ଉପାସର ରାତି ପାହି ନାହିଁ । ତଥାପି ନାନା ନିଷେଧ ଓ ନିୟମର ହିତୈଷୀ ଦୈତ୍ୟ ମଣିଷର ତୋଟିକୁ ସବୁଠିଁ ଚିପି ଧରିଛି ।

 

କବି ଓ ଲେଖକର ମନରେ ହିଁ ପ୍ରଥମେ ନୂଆ ଯୁଗର ନିଆଁ କୁହୁଳେ । କବି ଖଲିଲ୍‍ ଜିବ୍ରାଁ ସେହି ନିଆଁ ବହନ କରି ଲେବାନନରେ ଜନ୍ମଗ୍ରହଣ କରିଥିଲେ ।

 

ଚମ୍ପତିମୁଣ୍ତା

–ଅନୁବାଦକ

୧୬\୫\୫୬

 

Image

 

ଶ୍ରୀମତୀ ରୋଜ୍ ହାନୀ

 

ପୁରୁଷ ନାରୀକୁ ଭଲ ପାଏ, ତାକୁ ଜୀବନସଙ୍ଗିନୀ କରି ଘରକୁ ଆଣେ; କଠିନ ପରିଶ୍ରମ କରି, ନିଜର ରକ୍ତ ଓ ଜୀବନ ଦେଇ ସେ ନିଜର ସମସ୍ତ ଉପାର୍ଜନ କେଡ଼େ ଆନନ୍ଦରେ ସେଇ ନାରୀ ହାତରେ ଅଜାଡ଼ିଦିଏ । କିନ୍ତୁ ଧୀରେ ଧୀରେ ଯେତେବେଳେ ତା’ର ଚେତା ଆସେ, ଯେତେବେଳେ ସେ ଜାଣିପାରେ ଯେ ଯେଉଁ ନାରୀର ହୃଦୟଟିକୁ ଆପଣାର କରିବାକୁ ସେ ଏତେ ଚେଷ୍ଟାକରୁଚି, ସେହି ନାରୀ ସ୍ୱେଚ୍ଛାରେ ଓ ନିଷ୍ଠା ସହକାରେ ଆପଣାର ହୃଦୟକୁ ଆଉ ଜଣେ ପୁରୁଷ ପାଖରେ ବିକି ଦେଇ ସାରିଛି, ତା’ରି ପାଖରେ ସେ ଅଗାଧ ପ୍ରେମରେ ନିଜର ଗୋପନ ଅନ୍ତର ଖୋଲି ଦେଇଛି; ସେତେବେଳେ ସେହି ପୁରୁଷଠାରୁ ଆଉ ବଡ଼ ଅଭାଗା ଜଗତରେ କିଏ ଅଛି ?

 

ପ୍ରଥମ ଯୌବନର ଚପଳତାରେ ନାରୀ କୌଣସି ବିଷୟକୁ ଗଭୀର କରି ଭାବି ନ ଥାଏ-। ପ୍ରଥମ ସ୍ୱାମୀ ଘରକୁ ଯାଇ ସେ ଜଣେ ଅପରିଚିତ ପୁରୁଷକୁ ସାଥୀ କରି ପାଏ । ପୁରୁଷ ତା’ ମନ ନେବା ପାଇଁ କେତେ ସୁନା ରୂପାର ଅଳଙ୍କାର, କେତେ ଉପହାର ଆଣି ଥୁଏ, ତା’ର ପାଦତଳେ ନାନାପ୍ରକାର ଆମୋଦ ପ୍ରମୋଦର ଚାଙ୍ଗୁଡ଼ି ଅଜାଡ଼ିଦିଏ; କିନ୍ତୁ ତଥାପି ତା’ର ଆତ୍ମାର ପିପାସା ସେ ଶାନ୍ତ କରିପାରେ ନାହିଁ । ଭଗବାନ ନିଜ ହାତରେ ପୁରୁଷର ଆଖି ଭିତରୁ ନାରୀର ହୃଦୟ ଭିତରେ ଯେଉଁ ସୁରାର ସ୍ୱର୍ଗୀୟ ରସ ଅଜାଡ଼ି ଦିଅନ୍ତ, ପୁରୁଷ ଯଦି ସେଇ ରସ ଦେଇ ନାରୀକୁ ସନ୍ତୁଷ୍ଟ କରି ନ ପାରେ, ତେବେ ତା’ ଠାରୁ ବଳି ଅଭାଗିନୀ ଆଉ ସଂସାରରେ କିଏ ଅଛି ?

 

ପିଲାଟି ଦିନରୁ ରସିଦ୍ ନମାନ୍ ମୋର ବେଶ୍ ଜଣାଶୁଣା । ତା’ର ଘର ଲୋବାନନ୍, ବିରୁଠ୍ ସହରରେ ଜନ୍ମ ହୋଇ ସେଇଠି ମଣିଷ ହୋଇଛି । ଖୁବ୍ ପୁରୁଣା ଖାନଦାନି ଘର, ଏବେ ବି ସବୁ ପୁରୁଣା ସାଆନ୍ତିଆ କାଇଦାମାନ ଅଖୁଣ ରହିଛି । ଅଜା ପଣଅଜାଙ୍କ ନବାବୀ ଚାଲିଚଳଣ ବିଷୟରେ ରସିଦ୍‍ଠାରୁ ଅନେକ ଗପ ମୁଁ ଶୁଣିଛି । ନିଜର ଦୈନଦିନ ଜୀବନରେ ବି ରସିଦ୍ ଏହିପରି ଅନେକ କାଇଦା ମାନି ଚଳୁଥିଲା ।

 

ରସିଦ୍ ନମାନ୍ ଲୋକଟିର ହୃଦୟଟି ବେଶ୍ ସରଳ ଓ ଉଦାର, କିନ୍ତୁ ସିରିଆ ଦେଶର ଅନେକ ଲୋକଙ୍କ ପରି ବାସ୍ତବ ଜୀବନ ଭୁଲି ଉପରେ ଭାସି ବୁଲିବାର ବଡ଼ ବଦଭ୍ୟାସ ତାର ଥିଲା-। ନିଜର ଅସଲ ମନ କଣ ଚାହୁଛି, ସିଆଡ଼େ ମୋଟେ କାନ ନ ଦେଇ, ଆଖପାଖର ପଚିଶଜଣଙ୍କୁ କିପରି ଖୁସି କରିବାକୁ ହେବ, ଏଇକଥାହିଁ ସେ ବେଶି ଭାବୁଥିଲା । ବାହାରକୁ ତାରିଫ ଦିଶୁଥିବା ନାନା ମଉଜ ମଜଲିସରେ ମାତି ସେ ନିଜ ଜୀବନର ବହୁମୂଲ୍ୟ ସମ୍ପଦଗୁଡ଼ିକ ପ୍ରତି ଏକାବେଳେକେ ଅନ୍ଧ ହୋଇ ଯାଇଥିଲା । ନାନା ପ୍ରକାରର ଅଳସ ଓ ଅଚିର ମନୋବାସନା ଚରିତାର୍ଥ କରିବାକୁ ପାଗଳ ପରି ହୋଇ ସେ ଆପଣା ପ୍ରକୃତିର ସହଜ ଓ ସ୍ୱାଭାବିକ ନିର୍ଦ୍ଦେଶ ଶୁଣି ପାରିଲା ନାହିଁ-। ମୋହାନ୍ଧ ମଣିଷଙ୍କ ପରି ହଠାତ୍ କାହାକୁ ଅତ୍ୟଧିକ ଭଲ ପାଇ ବା କାହା ଉପରେ ଅତ୍ୟଧିକ ବିରକ୍ତ ହୋଇ ପଛରେ ପସ୍ତେଇ ହେବାଟା ଯେପରି ରସିଦ୍‍ର ସ୍ୱଭାବରେ ପଡ଼ିଯାଇଥିଲା-। ତେଣୁ କ୍ଷମା ବା ଶ୍ରଦ୍ଧା ପ୍ରଭୃତି ଦେବଗୁଣ ଶିଖିବା ପରିବର୍ତ୍ତରେ ସେ ସବୁବେଳେ ଲଜ୍ଜା ଓ ଉପହାସରେ ଘାଣ୍ଟି ହୋଇ ମରୁଥିଲା ।

 

ଏହିପରି ଏକ ହଠାତ୍ ପ୍ରବୃତ୍ତିର ବଶବର୍ତ୍ତୀ ହୋଇ ରସିଦ୍ ନମାନ୍ ରୋଜ୍‍ ହାନୀକୁ ନିଜର ଜୀବନସାଥି କରି ଘରକୁ ଆଣିଲା । କିନ୍ତୁ ସ୍ତ୍ରୀ ପୁରୁଷର ଯେଉଁ ପ୍ରେମର ପରସ୍ପର ମିଳନରେ ଧରାସ୍ୱର୍ଗର ସୃଷ୍ଟି ହୁଏ, ରସିଦ୍ ସେ ପ୍ରେମର ବହୁତ ପଛରେ ପଡ଼ିଥିଲା ।

 

ଅନେକ ଦିନ ବିଦେଶରେ ରହିବା ପରେ ମୁଁ ବିରୁଠ୍‍କୁ ଫେରିଥାଏ । ଦିନେ ରସିଦ୍ ନମାନ୍‍ର ଘରକୁ ଯାଇ ତାକୁ ଦେଖି ଆସିବାକୁ ଠିକ୍ କଲି । ଯାଇ ଦେଖିଲି, ସେ ଏକାବେଳକେ ଶେତା ପଡ଼ିଗଲାଣି, କେବଳ ହାଡ଼ ଦୁଇଖଣ୍ତ ଲଡ଼ଲଡ଼ ହେଉଛି । ଏକ ସ୍ପଷ୍ଟ ଅସନ୍ତୋଷର ଭୂତ ତାର ମୁଖର ପ୍ରସନ୍ନତାକୁ ଗ୍ରାସ କରିବସିଛି; ନୀରସ ଦୁଃଖପୂର୍ଣ୍ଣ ଆଖି ଦୁଇଟା ତଳୁ ତା’ର ଭଙ୍ଗାମନ ଓ ବ୍ୟଥିତ ହୃଦୟ ସଙ୍ଗେ ସଙ୍ଗେ ଧରା ପଡ଼ିଯାଉଛି । ତା’ର ଏପରି ଶୋଚନୀୟ ଦଶାର କାରଣ କଣ ହୋଇଥିବ ବୋଲି ମନେ ମନେ ଭାବିଲି । ଶେଷକୁ କୁତୂହଳୀ ହୋଇ ରସିଦ୍‍କୁ ପଚାରିଲି, “ତୋର ଅବସ୍ଥା ଏମିତି କାହିଁକି ହେଲାଣି ? ତୋ’ର ସେ ମୁହଁଫଟା ହସ, ପିଲାବେଳର ସେ ସରସ ମୁହଁ କୁଆଡ଼େ ଗଲା ? କେହି ବନ୍ଧୁ ବାନ୍ଧବ ମରିଯାଇଛନ୍ତି କି ? ଦିନଯାକ ମିହନତ କରି ଯେଉଁ ସୁନାମୁଣ୍ତାମାନ ତୁ ଜମାଇଥିଲୁ, ରାତିରେ ସିନ୍ଧି କରି ତାକୁ କିଏ ଲୁଟି ନେଇନାହିଁ ତ ? ତୁ ମୋର କେଡ଼େ ବିଶ୍ୱାସୀ ସାଙ୍ଗ, ସତ କହ, ତୋର ମନ ଏପରି ମରିଯାଇଛି କାହିଁକି– ଦେହ ଏପରି ଦୁର୍ବଳ ହୋଇଯାଇଛି କାହିଁକି ?”

 

ନିରାଶ ଆଖିଦୁଇଟିକୁ ଜୁଳୁ ଜୁଳୁ କରି ସେ ମୋ ଆଡ଼କୁ ଅନାଇଲା, ସତେ ଯେପରି କେଉଁ ପାସୋରା ଅତୀତର ସୁଖ କଳ୍ପନାଗୁଡ଼ିକ ତା’ ମନ ଭିତରେ ହଠାତ୍ ମୂର୍ତ୍ତିମନ୍ତ ହୋଇ ଉଠିଲା-! ଅତି ଦୁଃଖୀ ମନଟାକୁ ଖୋଲି ଦେଇ ଧୀରେ ଧୀରେ ସେ କହିଲା,– “ଗୋଟାଏ ବନ୍ଧୁ ହରାଇଲେ ଆଉ ଦଶ ଜଣ ବନ୍ଧୁଙ୍କର ମେଳରେ ମଣିଷ ସବୁ ଦୁଃଖ ଭୁଲିଯାଏ; ସୁନାମୁଣ୍ତା ଚୋରି ହୋଇଗଲେ କେତେ ରକମର ସାନ୍ତ୍ୱନା ଦେଇ ମଣିଷ ଆପଣାକୁ ବୋଧ କରିଦିଏ; ତା’ର ବଳ ବହପ ଓ ଉଚ୍ଚ ଆଶା ଥିବାତକ ସେ କୌଣସି ବିପଦରେ ହଟିଯାଏ ନାହିଁ । କିନ୍ତୁ ମନର ଶାନ୍ତି ଚାଲିଗଲେ ମଣିଷ ଆଉ କୋଉଠି ଯାଇ ଆଶ୍ରୟ ନେବ, କଣ ଭରାଇ ସେ ଶୂନ୍ୟମନକୁ ପୁଣି ସରସ କରି ପାରିବ-? କୋଉ ଦେବତା ମହାପୁରୁଷ ନିଜର ମନଟାକୁ ଜୟ କରି ପାରିବ ? ମୃତ୍ୟୁ ଆସି ଦୁଆରରେ ଧକ୍କା ଦେଲେ ମନର ସନ୍ତାପ ଆରମ୍ଭ ହେବ; କିନ୍ତୁ ଦିନକୁ ଦିନ ପୁଣି ମହାଜୀବନର କୋମଳ ଆଦର ସ୍ପର୍ଶ ପାଇଲେ ପୁଣି ମନର ସତେଜ ଆନନ୍ଦ ଫେରି ଆସିବ ।

 

“ଭାଗ୍ୟ ଚଡ଼କ ପରି ଆସେ, ହଠାତ୍ ସବୁ ଓଲଟପାଲଟ କରି ଦିଏ । କରାଳ ଆଖିଦୁଇଟା ବିସ୍ତାର କରି ସେ ଜୀବନକୁ ଗ୍ରାସ କରି ପକାଏ । ଠିକ୍ ତଣ୍ଟିରୁ କରି ଜାବୁଡ଼ି ଧରି ମଣିଷକୁ ବୁଲାଇ ବୁଲାଇ ସେ ମାଟି ଉପରେ ପିଟିଦିଏ, ବିପନ୍ନ ଜୀବନ ଉପରେ ତା’ର ଚାମୁଣ୍ତା ନାଚ ଆରମ୍ଭ ହୋଇଯାଏ । ସବୁ ତର୍ଜନ ବିନାଶନ ଶେଷ କରି ଶେଷରେ ବିଦ୍ରୁପ କରି ସେ ବିଦାୟ ହୋଇଯାଏ । ପୁଣି ମଣିଷ ଉପରେ ତା’ର କୃପାସଞ୍ଚାର ହୁଏ, ମଣିଷର ଭାଗ୍ୟକୁ ପୁଣି ସୁଖୋଜ୍ଜ୍ୱଳ କରି ଦେଇ ସେ ମଣିଷଠାରୁ କ୍ଷମା ମାଗିନିଏ । ଲକ୍ଷ୍ମୀସମ୍ପତ୍ତିର ଦକ୍ଷିଣ ହାତ ପ୍ରସାରି ଦେଇ ସେ ମଣିଷକୁ ଉପରକୁ ଉଠାଏ, ମହାଆଶାର ମାଦକ ସଙ୍ଗୀତରେ ସବୁ ଦୁଃଖ ଦୁର୍ଭାବନା ଭୁଲାଇଦିଏ ସେ । ପୁଣି ମଣିଷ ଭିତରେ ନୂତନ ବିଶ୍ୱାସ ଓ ଭରସାର ଆସ୍ଫାଳନ ଜାଗିଉଠେ । ମଣିଷର ଭାଗ୍ୟ ପୋଷା ପକ୍ଷୀଟି ପରି; ମଣିଷ ତାକୁ କେତେ ଶ୍ରଦ୍ଧା କରେ– ଅନ୍ତରର ସମସ୍ତ ଦେଇ ସେ ତାକୁ ଆହାର ଦିଏ । ମଣିଷର ହୃଦୟରେ ତା’ର ପଞ୍ଜୁରୀ ଗଢ଼ା ହୁଏ, ଆତ୍ମା ଭିତରେ ବସା ବନ୍ଧା ହୁଏ । ନିତି ସେ କେତେ ମୁଗ୍‍ଧ ଆବେଦନର ମମତା ଦେଇ ପକ୍ଷୀଟିକୁ ଭଲ ପାଏ; କିନ୍ତୁ ହାୟ, ହଠାତ୍ ଦିନେ ସବୁ ଅଧା ରଖି ପଞ୍ଜୁରୀ କାଟି ଚଢ଼େଇ ଉଡ଼ି ପଳାଏ, ଡେଣାର ବେଗକୁ ଆଉ ମଣିଷର ଆଖି ପାଏନାହିଁ । ପୁଣି ସେ ତଳକୁ ଖସି ଆଉ କେଉଁ ପଞ୍ଜୁରୀରେ ବସା ବାନ୍ଧେ, କିନ୍ତୁ ହରାଇଲା ମଣିଷର ହାତ ଆଉ ଭରିପାରେ ନାହିଁ । ମଣିଷର ଆଉ ଚାରା କ’ଣ ? ଏତେ ଧୈର୍ଯ୍ୟ ଓ କାନ୍ଦିବାର ଶକ୍ତି ତା’ର କେଉଁଠୁ ଆସିବ ? କିପରି ପୁଣି ସେ ତା’ର ଆଶା ଓ ସ୍ୱପ୍ନ ନେଇ ଆଉ ଥରେ ଦମ୍ଭ ଧରି ଠିଆ ହେବ ? ଦୁନିଆରେ କୋଉ ଶକ୍ତି ଅଛି, ଯେ କି ତା’ର ତପ୍ତ ସନ୍ତାପକୁ ଶାନ୍ତ କରିପାରିବ ?”

 

ଅଣନିଶ୍ୱାସୀ ହୋଇ କଥାଗୁଡ଼ାକୁ ଯେତେବେଳେ ସେ ଯେକୌଣସି ମତେ ଶେଷ କଲା, ଦେଖିଲି, ତାର ସମସ୍ତ ମନକୁ ଯେପରି କେଉଁ ଦୁଃଖର ଅଦୃଶ୍ୟ ଛାୟା ଗିଳି ବସିଛି । ମରୁପ୍ରାନ୍ତରର ଅସହାୟ ଗୁଳ୍ମକାଣ୍ତଟି ପରି ସେ ଯେପରି ପବନର ଘାତ ପ୍ରତିଘାତରେ ଦୋହଲି ପଡ଼ୁଛି । ହଠାତ୍ ସମ୍ମୁଖକୁ ହାତ ବଢ଼ାଇ ଯେପରି ସେ କାହାକୁ ଛିଣ୍ତାଇ ବିଦାରି ଦେବାକୁ ଚାହିଲା । ତାପସନ୍ତପ ତମ୍ବା ରଙ୍ଗର ମୁଖମଣ୍ତଳ ଉପରେ ତାର ଆଖିର ଡୋଳା ଦୁଇଟା ହଠାତ୍ ବଡ଼ ହୋଇଗଲା । ଗୋଟାଏ ଅଦୃଶ୍ୟ ରାକ୍ଷସର କବଳରୁ ବଞ୍ଚିବାକୁ ଚେଷ୍ଟା କରି ତାର ସମସ୍ତ ଶରୀର ଯେପରି ଏକାବେଳକେ କମ୍ପିଉଠିଲା । ତାପରେ ସେ ମୋ ଆଡ଼କୁ କଟମଟ କରି ଅନାଇ ରହିଲା । କିନ୍ତୁ ହଠାତ୍ ଏ କି ପରିବର୍ତ୍ତନ ? ସେ ଭୟଙ୍କର ମୂର୍ତ୍ତି ଗଲା କୁଆଡ଼େ ? ଦୁଃଖ ଓ ଯନ୍ତ୍ରଣାରେ ସନ୍ତପ୍ତ, ଭଗ୍ନମନ ଓ ବିକଳ ହୋଇ ପୁଣି ସେ କହିବାକୁ ଲାଗିଲା, “ଯେଉଁ ନାରୀକୁ ମୁଁ ଦାରିଦ୍ର୍ୟକୁ ଉଦ୍ଧାର କରି ସୁଖ ସମ୍ପଦର ରାଣୀ କରି ରଖିଲି, ନିଜର ସବୁ ଗନ୍ତାଘର ତା’ ଲାଗି ଖୋଲିଦେଇ ଯାହା ଲାଗି ମୁଁ ଝୀନ ପାଟ, ମଣିମୁକ୍ତା ଓ ଯାନବାହନ ଖଞ୍ଜିଦେଲି, ଯେଉଁ ନାରୀର ପ୍ରେମରେ ପଡ଼ି ମୁଁ ସବୁ ସ୍ନେହ ଅଜାଡ଼ି ଦେବା ଲାଗି ଟିକିଏ ହେଲେ ଆଗପଛ ଭାବିଲି ନାହିଁ, ସେଇ ନାରୀ– ଯାହାର ଯଥାର୍ଥ ଜୀବନସଙ୍ଗୀ ଓ ବିଶ୍ୱସ୍ତ ସ୍ୱାମୀ ହେବା ମୋର ଏକମାତ୍ର ଚିନ୍ତା ହୋଇଥିଲା– ମୋତେ ହତାଶ ଓ ବଞ୍ଚିତ କରି ଆଉ ଜଣେ ପୁରୁଷର ପ୍ରେମରେ ପାଗଳ ହୋଇ ଚାଲିଗଲା । ସେଇ ନିଃସ୍ୱ ଦରିଦ୍ର ଇତର ପାଖରେ ପଡ଼ି ରହି ଲଜ୍ଜା ଓ ଉପହାସର ତୁଚ୍ଛ ଜୀବନ ବଞ୍ଚିବାକୁ ସେ ଏତେ ଟିକିଏ ଫେରି ଭାବିଲା ନାହିଁ । ଏଇ ହୃଦୟର ପଞ୍ଜୁରୀ ଭିତରେ, ଏଇ ଆତ୍ମାର ସଯତ୍ନ ନୀଡ଼ରେ ଯେଉଁ ପକ୍ଷୀଟି ମୁଁ ପୋଷିଥିଲି, ସେଇ ପଞ୍ଜୁରୀ କାଟି ସେ ଆଉ ଗୋଟାଏ ପଞ୍ଜୁରୀ ଆଦରି ରହିଲା । ମୋର ସ୍ନେହନିବେଦନର ନନ୍ଦନକାନନରେ ଯାହାକୁ ଦିନେ ଚନ୍ଦ୍ରମୁଖୀ ପରି କରି ରଖିଥିଲି, ସେ ଆଜି ଗୋଟାଏ ରାକ୍ଷସୀ ପାଲଟି ଯାଇଛି, ଅନ୍ଧାର ନର୍କ ଭିତରକୁ ଗୋଡ଼ ଖସାଇ ସେ ଯେପରି ନିଜ ପାପର ପ୍ରାୟଶ୍ଚିତ୍ତ କରିବାକୁ ଯାଇଛି । ଆଉ ମୁଁ ସେ ନାରୀର ଅପରାଧର ଫଳ ଭୋଗ କରିବାକୁ ଏଇ ନୀରସ ପୃଥିବୀରେ ପଡ଼ିରହିଛି !”

 

ଆପଣା ଲଜ୍ଜାରୁ ନିଜକୁ ବଞ୍ଚାଇବାକୁ ଯାଇ ସେ ଦୁଇ ହାତରେ ମୁହଁଟାକୁ ଆବୋରି ଧରି ଚୁପ୍‍ଚାପ୍‍ ବସିରହିଲା । ପୁଣି ଗୋଟାଏ ଦୀର୍ଘନିଶ୍ୱାସ ପକାଇ ଆରମ୍ଭ କଲା, “ଆଉ ମୋର କିଛି କହିବାକୁ ନାହିଁ, ଆଉ ମୋତେ କିଛି ପଚାର ନାହିଁ । ଏ ନିଠୁର ଦୁର୍ଭାଗ୍ୟର ସନ୍ତାପ ଜାଳି ମୁଁ ଆଉ ରୋଦନ-ଚିତ୍କାର କରି ପାରିବି ନାହିଁ । ଚୁପ୍ ହୋଇ ଦଗ୍‍ଧ ହେବା ବରଂ ତା’ଠାରୁ ଢେର ଭଲ । ହୁଏ ତ ଦୁଃଖର ଭାର ବଢ଼ି ବଢ଼ି ଦିନେ ମୋର ସମସ୍ତ ମନକୁ ପାଷାଣ କରିଦେବ, ହୁଏ ତ ସେତେବେଳେ ମୁଁ ଶାନ୍ତି ପାଇବି ।’’

 

ରସିଦ୍‍ର କଥା ଶୁଣି ଆଉ ଲୁହ ସମ୍ଭାଳି ହେଲା ନାହିଁ, କୃପାକାତର ହୃଦୟ ନେଇ ମୁଁ ତା’ଠାରୁ ବିଦାୟ ନେଲି । ତା’ର କ୍ଷତର ଜ୍ୱାଳା ଶାନ୍ତ କରିବାକୁ ମୋର କୌଣସି ଭାଷା ନ ଥିଲା । ତା’ର ଅନ୍ଧାର ଘରେ ଆଲୋକର ରେଖା ସଞ୍ଚାର କରିବାଲାଗି ମୁଁ କୌଣସି ବୁଦ୍ଧି ପାଇଲି ନାହିଁ ।

Image

 

ଦ୍ୱିତୀୟ ଭାଗ

 

ପୁଣି କିଛି ଦିନ ପରେ ହଠାତ୍ ଶ୍ରୀମତୀ ରୋଜ୍ ହାନୀଙ୍କ ସହିତ ସାକ୍ଷାତ ହେଲା । ଗୋଟିଏ ଛୋଟ କୁଡ଼ିଆ ଚାରିପାଖରେ କେତୋଟି ଫୁଲଗଛ ଲଗା ହୋଇଥାଏ । ରସିଦ୍‍ଠାରୁ ସେ ଆଗରୁ ମୋର ପରିଚୟ ପାଇଚନ୍ତି । ସେଇ ରସିଦ୍‍ର ଜୀବନକୁ ସେ ନିଜ ଗୋଡ଼ରେ ଦଳି ଦେଇ ମହାକାଳର ତୀକ୍ଷ୍‍ଣ ନଖ ତଳେ ଅସହାୟ କରି ପକାଇ ଆସିଛନ୍ତି । ତାଙ୍କର ସ୍ନିଗ୍ଧ ସୁନ୍ଦର ଆଖି ଦୁଇଟିକୁ ଅନାଇଲି, ଅତି ସୁନିଷ୍ଠ ତାଙ୍କର ମିଠା କଣ୍ଠସ୍ୱର ଶୁଣି ହଠାତ୍ ଭାବିଲି, “ଏଇ ସେଇ ନାରୀ-? ଯାହାର କୁତ୍ସିତ ଆତ୍ମା ଓ ଘାତୁକୀ ହୃଦୟ ଆପଣାର ସ୍ୱାମୀକୁ ବିକଳ କରି ତ୍ୟାଗ କରି ଆସିଛି-? ଯାହାକୁ ସୁନ୍ଦର କପୋତୀ ବେଶ ଧରିଥିବା ସର୍ପିଣୀ ବୋଲି ଭାବି ମୁଁ କେତେ କଣ କଦର୍ଯ୍ୟ ଚିନ୍ତା କରି ପକାଇଥିଲି । “ ପୁଣି ମନକୁ ମନ କହିଲି, “ଏଇ ସୁନ୍ଦରୀ ରମଣୀ ରସିଦ୍ ନମାନ୍‍ର ଜୀବନରେ କଳା ବୋଳି ଦେଇ ଆସିଛି ? ନାନା ଗୋପନ ଦୁଃଖ ଓ ଗଭୀର କଷଣଭୋଗରୁ ହିଁ ଅସଲ ସୌନ୍ଦର୍ଯ୍ୟର ଉଦ୍ଭବ ହୋଇଥାଏ, ଏ କଥା କିଏ ନ ଜାଣେ ? ଯେଉଁ ସୁନ୍ଦର ଚନ୍ଦ୍ରମା କବିକଳ୍ପନାରେ ହଂସର ଡେଣା ଲଗାଇଦିଏ, ତାକୁଇ ଦେଖିଲେ କ୍ଷିପ୍ତ ସମୁଦ୍ର ଭୟଙ୍କର ଗର୍ଜନରେ ପ୍ରଚଣ୍ତ ହୋଇ ମାତି ଉଠେ ନାହିଁ କି ?”

 

ଦୁହେଁଯାକ ଆସନ ଗ୍ରହଣ କଲୁ । ଶ୍ରୀମତୀ ହାନୀ ବୋଧହୁଏ ପୂର୍ବରୁ ମୋର ସମସ୍ତ ମନର କଥା ଜାଣି ସାରିଥିଲେ । ମୋତେ ଅଧିକ ଅଡ଼ୁଆରେ ପକାଇବା ବୋଧହୁଏ ତାଙ୍କର ଉଦ୍ଦେଶ୍ୟ ନ ଥିଲା । ହାତ ଉପରେ ମୁଖ ଭରା ଦେଇ ବୀଣାକଣ୍ଠରେ ସେ ଆରମ୍ଭ କଲେ, “ଆପଣଙ୍କ ସଙ୍ଗେ ଆଜି ପ୍ରଥମ ସାକ୍ଷାତ ହେଲା, କିନ୍ତୁ ଆପଣଙ୍କ ମନର ସମସ୍ତ କଥା ମୁଁ ଲୋକଙ୍କଠାରୁ ଶୁଣିସାରିଛି, ଆପଣ ଅତ୍ୟନ୍ତ କରୁଣାପରାୟଣ ଓ ଲାଞ୍ଛିତା ନାରୀ ପ୍ରତି ସହାନୁଭୂତି ରଖନ୍ତି ବୋଲି ସମସ୍ତେ ମୋତେ କହିଛନ୍ତି । ନାରୀ ହୃଦୟର ସମସ୍ତ ଗୁପ୍ତଘରର ଖବର ଆପଣ ଜାଣନ୍ତି, ତା’ର କାମନାବାସନାଗୁଡ଼ିକୁ ଶ୍ରଦ୍ଧା କରନ୍ତି । ସେଥିଲାଗି ଆଜି ମୁଁ ଆପଣଙ୍କ ପାଖରେ ମୋର ଅନ୍ତର ଖୋଲି ଦେଉଛି । ଆପଣ ଜାଣନ୍ତୁ ଯେ ରୋଜ୍ ହାନୀ ଜୀବନରେ କେବେହେଲେ ବିଶ୍ୱାସଘାତକତା କରିନାହିଁ ।

 

ଅଠର ବର୍ଷ ବୟସରେ ମୋତେ ରସିଦ୍ ନମାନ୍‍ଙ୍କ ସହିତ ଗୁନ୍ଥି ଦିଆ ଯାଇଥିଲା । ସେତେବେଳେ ତାଙ୍କୁ ଚାଳିଶ ବର୍ଷ । ସମସ୍ତେ କହନ୍ତି, ସେ କୁଆଡ଼େ ମୋର ପ୍ରେମରେ ପଡ଼ିଯାଇଥିଲେ ଓ ସେଥିଲାଗି ମୋତେ ବିବାହ କଲେ । ତାଙ୍କର ଅତୁଲ୍ୟ ମଣିମହଲକୁ ମୁଁ ରାଣୀ ହୋଇ ଆସିଲି, କେତେ ଦାସଦାସୀ ମୋ’ ଲାଗି ଖଞ୍ଜା ହେଲେ, ମୋର ବେଶଭୂଷା ପାଇଁ କେତେ ପୋଷାକ, କେତେ ହୀରାନୀଳା ଆସି ଗଦା ହେଲା । ପରିବାରରେ ଓ ବନ୍ଧୁଗହଣରେ ମୋତେ ଦୁର୍ମୂଲ୍ୟ କରି ସଜାଇବାଲାଗି ଯେପରି ତାଙ୍କର ଆଉ ତର ସହୁ ନ ଥିଲା । ସମସ୍ତେ ଯେତେବେଳେ ମୋର ସାଜସଜ୍ଜା ଦେଖି ଚକିତ ଅବାକ୍ ହୋଇ ରହୁଥିଲେ, ସେତେବେଳେ ସତେ ଅବା ତାଙ୍କର ମନ କୁଣ୍ଢେ ମୋଟ ହୋଇଯାଉଥିଲା ! ସ୍ତ୍ରୀ ସମାଜରେ ମୋର ପ୍ରଶଂସା ଶୁଣିଲେ ସେ ଗର୍ବରେ ମୁହଁ ଫୁଲାଇ ଦେଉଥିଲେ । କିନ୍ତୁ ଯେତେବେଳେ ଲୋକେ ମୋତେ ଦେଖି ରସିଦ୍‍ର ପାଳିତା କନ୍ୟା ବୋଲି ସନ୍ଦେହ କରୁଥିଲେ, ସେ ଯେପରି ସେସବୁ ଫୁସ୍‍ଫାସକୁ କାନ ଦେଇ ନ ଥିଲେ । କେହି କେହି କହୁଥିଲେ, ‘ଯୁବା ବୟସରେ ବିବାହ କରିଥିଲେ ରସିଦ୍‍ର ପୁଅ ଝିଅ ରୋଜ୍ ହାନୀଠାରୁ ବଡ଼ ବଡ଼ ହୋଇ ଯାଆନ୍ତେଣି ।’

 

ଏସବୁ ଯେତେବେଳେ ଘଟିଲା, ସେତେବେଳେ ମୁଁ ଯୌବନର ଭୋଳା ସ୍ୱପ୍ନରେ ଭାସୁଥିଲି । ସେତେବେଳେ ଭଗବାନ ମୋ ଭିତରେ ପ୍ରେମର ଶିଖା ଜଳାଇ ନ ଥିଲେ, ମୋ’ ଭିତରେ ପ୍ରେମର ମଞ୍ଜି ପାକଳ ହୋଇ ନ ଥିଲା । ଚକଚକ ପୋଷାକ ଓ ରାଜମହଲ ପରି ଘର ପାଇପାରିଲେ ମଣିଷର ସୁଖ ଲାଗି ଆଉ କିଛି ଦରକାର ନାହିଁ, ସେତେବେଳେ ମୁଁ ଏଇ କଥା ଭାବୁଥିଲି । କିଶୋର ବୟସର ସେ ସ୍ୱପ୍ନ ଯେମିତି ତୁଟିଲା, ହଠାତ୍ ଯେପରି ମୋର ହୃଦୟ ଭିତରେ ମୁଁ ତୀବ୍ର ଅଗ୍ନିଶିଖାର ଦହନ ଜ୍ୱାଳା ଅନୁଭବ କଲି, ମୋରି ଆତ୍ମାଭିତର ଦେଇ କେଉଁ ପରମ ଦେବତାର ମହାକ୍ଷୁଧା ଗର୍ଜ୍ଜନ କରି ଉଠିଲା, ମୁଁ ଏକାବେଳକେ ଅଶାନ୍ତ ଅସ୍ଥିର ହୋଇ ପଡ଼ିଲି । ଆଖି ମେଲି ଅନାଇଲି, ମୋର ଡେଣା ଦୁଇଟା ଯେପରି ଉଦ୍ଦାମ ବେଗରେ ପ୍ରେମର ମହାଗଗନକୁ ଉଡ଼ିଯିବାକୁ ଆକୁଳ ହୋଇ ଉଠୁଛି, କିନ୍ତୁ ସମାଜର ନିୟମ ବନ୍ଧନ ମୋର ସମସ୍ତ ଅଭିଳାଷକୁ କମ୍ପାଇ ଦେଇ ମୋତେ ଗୋଟାଏ ଦଲକାରେ ପୁଣି ତଳେ ଆଣି କଚାଡ଼ି ଦେଉଛି । ହାୟ, ଆଇନକାନୁନର କୌଣସି ଅର୍ଥ ବୁଝିପାରିବା ଆଗରୁ କି ଦୁର୍ଯୋଗରେ ଜଣେ ପୁରୁଷ ସହିତ ମୋର ଦେହକୁ ବାନ୍ଧି ଦିଆଗଲା । ପୁରୁଷର ଗୌରବ ବା ସମ୍ମାନ ବଢ଼ାଇଲେ ନାରୀର ସୁଖ ଓ ଶାନ୍ତି ଆସିପାରେ ନାହିଁ, ପୁରୁଷର ଦୟା ଦାକ୍ଷିଣ୍ୟ ଓ ଶ୍ରଦ୍ଧାଦ୍ୱାରା ନାରୀର ହୃଦୟ ଶୀତଳ ହୋଇପାରେ ନାହିଁ । ଯେଉଁ ପ୍ରେମଶକ୍ତି ଆପଣା ଡୋରରେ ଦୁହିଁଙ୍କ ହୃଦୟର ଶ୍ରଦ୍ଧା ଓ ପ୍ରେମକୁ ଏକାଠି ମିଳାଇଦିଏ, ଯାହା ଭଗବତ୍‍ମୁଖର ଗୋଟିଏ ବାଣୀ ପରି ସେମାନଙ୍କୁ ଗୋଟିଏ କରି ଗଢ଼ିଦିଏ, କେବଳ ସେଇ ପ୍ରେମହିଁ ନାରୀକୁ ଶାନ୍ତି ଦେଇ ପାରେ । ସବୁ କଥା ବୁଝିବାର ବୁଦ୍ଧି ହୋଇଗଲା ପରେ ମୁଁ ନିଜକୁ ରସିଦ୍ ନମାନ୍‍ଙ୍କ ଘରେ ଜଣେ କଏଦୀ ବୋଲି ମନେ କରିବାକୁ ଲାଗିଲି, ସତେ ଯେପରି ଗୋଟାଏ ଚୋର ତା’ର ଦାନାଗଣ୍ତାକ ଚୋରି କରି ଅନ୍ଧାର ରାତିର ଆଢ଼ୁଆଳରେ ମୁହଁ ଲୁଚାଇ ରହିଛି । ତାଙ୍କ ସହିତ ବାସ କରିବାର ପ୍ରତ୍ୟେକ ଦଣ୍ତ ଯେପରି ଗୋଟିଏ ଗୋଟିଏ କୁଟିଳ ମିଥ୍ୟା ହୋଇ ମୋର କପାଳ ଉପରେ ଅଗ୍ନିଗାର ପଡ଼ି ରହିଲା । ତାଙ୍କର ଦୟା ଓ ବଦାନ୍ୟତାର ପ୍ରତିବଦଳରେ ମୁଁ ତାଙ୍କୁ କୌଣସି ପ୍ରକାରେ ମୋର ଅନ୍ତରର ପ୍ରେମ ସମର୍ପଣ କରି ଦେଇ ପାରିଲି ନାହିଁ । ମନକୁ ଅନେକ ପ୍ରକାରେ ମଣାଇବାକୁ ଚେଷ୍ଟା କଲି; କିନ୍ତୁ ପ୍ରେମ ସିନା ମନକୁ ଗଢ଼େ, ମନ କୁଆଡ଼ୁ ପ୍ରେମକୁ ଗଢ଼ିବ ? ଶେଷରେ କେତେ ରାତି ନୀରବରେ ବସି ଭଗବାନଙ୍କୁ ପ୍ରାର୍ଥନା କଲି । ଯାହାର ଜୀବନସଙ୍ଗିନୀ ହେବାଲାଗି ମୋର ଜନ୍ମ ହୋଇଚି, ତା’ରି ପାଖରେ ନିଜକୁ ସମର୍ପଣ କରି ଦେବା ଲାଗି ଭଗବାନଙ୍କୁ ଡାକି ସାହସ ସଂଗ୍ରହ କରିବାକୁ ଲାଗିଲି ।

 

ମୋର ପ୍ରାର୍ଥନା ତାଙ୍କ କାନରେ ବାଜିଲା ନାହିଁ । ସେଇ ସିନା ଇଚ୍ଛାକଲେ ମଣିଷର ଆତ୍ମାରେ ପ୍ରେମର ଅବତାରଣା କରନ୍ତି, ମଣିଷ କିପରି ଦାବି ବା ଗୁହାରି କରି ଦେବତାର ଦାନକୁ ଛଡ଼ାଇ ଆଣି ପାରିବ ? ଏହିପରି ମନସ୍ତାପରେ ସେଇ ଘରେ ମୋର ଦୁଇଟା ବର୍ଷ କଟିଗଲା । ମୋର ଗହଣାର ଗୁରୁବୋଝ ଦେଖି ସାହି ପଡ଼ିଶା ସିନା ଈର୍ଷା କରୁଥିଲେ, କିନ୍ତୁ ସ୍ୱାଧୀନ ହୋଇ ବୁଲୁଥିବା ବଣର ଚଢ଼େଇଗୁଡ଼ାଙ୍କୁ ଦେଖି ମୋର ଦେହ ଯେପରି ସହିଲା ନାହିଁ । କିଏ ସତେ ଯେପରି ମାଆ କୋଳରୁ ତା’ର ଏକୋଇର ବଳାକୁ ଝିଙ୍କି ନେଇ ଯାଇଛି, ମୋର ଠିକ୍ ସେହି ଦଶା ଆସି ହେଲା । ବ୍ୟଥିତହୃଦୟକୁ ଆଉ କୌଣସିଥିରେ ଲିପ୍ତ କରାଇ ପାରିଲି ନାହିଁ; ମଣିଷଶାସନର ଦୁର୍ବଳ ଶିକାର ପରି ଦିନ ଗଡ଼ାଇବାକୁ ଲାଗିଲି । ଭିତରର କ୍ଷୁଧିତ ଓ ପିପାସିତ ଭଗବାନ ମୋତେ ମରଣମୁହଁକୁ ଟାଣିବାକୁ ଲାଗିଲା ।

 

ଦିନେ ଘନକୃଷ୍ଣ ମେଘଚ୍ଛାୟାରେ ଚାରିଆଡ଼େ ଅନ୍ଧାର ଘୋଟି ଯାଇଥାଏ । ଜୀବନପଥରେ ଏକାକୀ ଚାଲିଯାଉଥିବା ଏକ ଯୁବକର ଆଖିଭିତରେ ହଠାତ୍ ମୁଁ ଯେପରି ଅଗ୍ନିକଣା ଖସି ପଡ଼ୁଥିବାର ଦେଖିଲି । ସେହି ଉଜ୍ଜ୍ୱଳ ଆଲୋକର ଉଦ୍ଦେଶ୍ୟରେ ନୟନ ମୁଦି ଦେଇ କହିବାକୁ ଲାଗିଲି ‘ହେ ମୋର ଆତ୍ମା, ତୋ’ ଭାଗ୍ୟରେ କେବଳ ଅନ୍ଧାର ଗାତର ଦୁଃଖ ଭୋଗ ଲେଖା ରହିଛି, କାହିଁକି ତୁ ଲୋଭାସକ୍ତ ହୋଇ ଆଲୁଅକୁ ହାତ ପତାଉଛୁ ? ’ ହଠାତ୍ କାନଭିତରେ ସ୍ୱର୍ଗର ସଙ୍ଗୀତ ବାଜି ଉଠିଲା, ମୋର ବିସ୍ମିତ ଅନ୍ତର ଯେପରି ନିମେଷକେ ଧୌତପୂତ ହୋଇଗଲା । ନିଜର କାନ ଦୁଇଟି ବନ୍ଦ କରି ମୁଁ କହିବାକୁ ଲାଗିଲି, ‘ହେ ମୋର ଆତ୍ମା, ତୋ’ ଭାଗ୍ୟରେ ନରକର ଚିତ୍କାର ଶୁଣିବାର ଯୋଗ ଅଛି, ଲୋଭୀ ପରି ତୁ କାହିଁକି ସ୍ୱର୍ଗର ସଙ୍ଗୀତ ଆଡ଼କୁ କାନ ଡେରୁଛୁ ? ’ କିଛି ଦେଖିବି ନାହିଁ, କିଛି ଶୁଣିବି ନାହିଁ ବୋଲି ଆଖି କାନ ସବୁ ବନ୍ଦ କରି ଦେଲି, ତଥାପି ଆଖିଆଗରେ ସେହି ଉଦାର ଆଲୋକ ଝଲସି ଉଠିଲା, କାନପାଖରେ ତଥାପି ସେଇ ଅପାର୍ଥିବ ସଂଗୀତସୁଧା ଉତ୍ସରି ଉଠିଲା । ଅକାରଣ ଭୟରେ ସମସ୍ତ ଶରୀର ହଠାତ୍ କମ୍ପି ଉଠୁଥାଏ, ସତେ ଯେପରି ଦୀନ ଭିକାରୀ ବାଦଶାହଙ୍କର ଅନ୍ତଃପୁର ପାଖରେ ହୀରା ଖଣ୍ତେ ପାଇଛି । ତଥାପି ଧରା ହେବାର ଭୟରେ ତାକୁ ହାତରେ ଉଠାଇ ପାରୁନାହିଁ । ଏଣେ ବି ନିଜର ଦାରିଦ୍ର୍ୟ ଦୃଷ୍ଟିରୁ ତାକୁ ସେଇଠି ପକାଇ ଦେଇ ଛାଡ଼ି ଯାଇପାରୁନାହିଁ । ହଠାତ୍ ଅସହାୟଙ୍କ ପରି ମୁଁ ରୋଦନ କରି ଉଠିଲି । ଭିତରେ ଅନନ୍ତ ପିପାସା ସମ୍ମୁଖରେ ହିଂସ୍ରଜନ୍ତୁ ଛକି ରହିଥିବା ଜଳପୂର୍ଣ୍ଣ ଝରଣା-ଆଉ ବିଚଳିତ ଆଶାର ଦୀର୍ଘ ପ୍ରତୀକ୍ଷା କରି କରି ମୋର ସଶଙ୍କ ଶରୀର ଯେପରି ଏକାବେଳେକେ କଚାଡ଼ି ହୋଇ ପଡ଼ୁଥାଏ !”

 

ହଠାତ୍ ରୋଜ୍ ହାନୀ ମୋ ଆଡ଼ୁ ଦୃଷ୍ଟି ଫେରାଇ ନେଲେ । ଅତୀତର ସବୁକଥାଗୁଡ଼ାକ ମନେ ପକାଇ ମୋ ଆଡ଼କୁ ଅନାଇବାକୁ ସେ ଯେପରି ସଲଜ୍ଜ ହୋଇ ଉଠିଲେ । ସେ ପୁଣି ଆରମ୍ଭ କଲେ, “ଯଥାର୍ଥ ଜୀବନରେ ସୁଧାରସ ପାନ କରିବା ପୂର୍ବରୁ ଯେଉଁମାନେ ମହାକାଳରେ ମିଳାଇଯାଆନ୍ତି, ସେମାନେ ନାରୀର କଷଣ ଠିକ୍ ବୁଝିପାରିବେ ନାହିଁ । ବିଶେଷତଃ ବିଧିନିର୍ଦ୍ଦିଷ୍ଟ ହୋଇ ଆପଣାର ସମସ୍ତ ପ୍ରେମ ଜଣେ ପୁରୁଷର ଚରଣତଳେ ଢାଳି ଦେବାକୁ ଚାହୁଥିଲାବେଳେ, ସମାଜର ଶାସନଦ୍ୱାରା ବାଧ୍ୟ ହୋଇ ଯେତେବେଳେ ତାକୁ ଆଉ ଜଣକ ପାଖରେ ଆପଣାର ଦେହ ବିକ୍ରୟ କରିବାକୁ ହୁଏ, ସେତେବେଳେ ତା’ର ମନର କଥା ବୁଝିବା ଲୋକ ସଂସାରରେ କେତେ ଜଣ ଅଛନ୍ତି ? ନାରୀର ରକ୍ତ ଓ ଲହୁ ଦେଇ ଲେଖା ହୋଇଥିବା ଏଇ ଦାରୁଣ କାହାଣୀ ଶୁଣି ପୁରୁଷ କେବଳ ଉପହାସ କରେ, ମାତ୍ର ବୁଝିପାରେ ନାହିଁ । ବୁଝିଲେ ମଧ୍ୟ ସେ ଉପହାସ ବଦଳରେ ଏପରି ଘୃଣା ଓ ଅପବାଦର କର୍କଶ ବାଣ ପ୍ରୟୋଗ କରେ ଯେ ତାହା ନିଆଁପରି ହୋଇ ନାରୀର ହୃଦୟକୁ ଦଗ୍‍ଧ କରିପକାଏ । ଏଇ ବ୍ୟଥାର କାହାଣୀ ନାରୀହୃଦୟର ରଙ୍ଗମଞ୍ଚ ଉପରେ ତାମସୀରାତ୍ରିର ମର୍ମନ୍ତୁଦ ଅଭିନୟ ପରି । ନିଜର ବୁଦ୍ଧି ବିବେକ ଦେଇ ବିବାହର ଐଶ୍ୱରିକ ଅର୍ଥ ବୁଝିବା ଆଗରୁ ତା’ର ସ୍ୱାମୀ ବୋଲି କହି ଜଣେ ପରୁଷ ସହିତ ଯେତେବେଳେ ତା’ର ଦେହକୁ ଗଅଁଠେଇ ଦିଆଯାଏ, ସେତେବେଳେ ତା’ର ଅସଲ ଆତ୍ମାର ଶୁଦ୍ଧ ପ୍ରେମ ଓ ସୌନ୍ଦର୍ଯ୍ୟ ଅପଣା ମନୋନିତ ସ୍ୱାମୀର ଜୀବନ ଚାରିପାଖରେ ଆତୁର ହୋଇ ଆଶ୍ରୟ ଖୋଜିବୁଲେ । ନାରୀ ଭିତରେ ଦୁର୍ବଳତା ଓ ପୁରୁଷ ଭିତରେ ସ୍ୱେଚ୍ଛାଚାରୀ ଶକ୍ତିର ସୃଷ୍ଟି ହେବାଦିନୁଁ ଏଇ ଦାରୁଣ ଦୁଃଖଭୋଗ ନାରୀର କପାଳଲିଖନ ହୋଇରହିଛି । ଦାସତା ଓ ଦୁର୍ବଳ ଉପରେ ଅତିବଳର ଅବିଚାରର ଲୋପ ନ ହେଲା ପର୍ଯ୍ୟନ୍ତ ଆଉ ଏ ଦୁଃଖର ଅନ୍ତ ନାହିଁ । ମଣିଷ ସମାଜର ଦୁର୍ଗନ୍ଧ ନିୟମ ଏବଂ ହୃଦୟର ଶୁଦ୍ଧ କାମନା ଓ ପବିତ୍ର ମନୋରଥ ମଧ୍ୟରେ ଏହା ଏକ ଭୟଙ୍କର ସମର ପରି । କାଲି ଦୁର୍ଦ୍ଦିନରେ ମୁଁ ଏଇ ସମରଭୂମିରେ ପଡ଼ି ଚିତ୍କାର କରୁଥିଲି; କିନ୍ତୁ ଶକ୍ତିର ଶେଷ ପୁଞ୍ଜିତକ ସଂଗ୍ରହ କରି ଆଜି ମୁଁ ମୋର କାତର ବନ୍ଧନକୁ ନିଜେ ଛିଣ୍ତାଇଆସିଛି; ଦୁର୍ବଳତାର ଅଙ୍କୁଶ ଭିତରୁ ଡେଣାକୁ ମୁକ୍ତ କରିଦେଇ ଆଜି ମୁଁ ଅବାଧ ପ୍ରେମର ଗଗନପ୍ରସାର ଭିତରେ ନିଜକୁ ବ୍ୟାପ୍ତ କରିଦେଇଛି ।

 

“ଆଜି ମୁଁ ମୋର ମନର ମଣିଷକୁ ପାଇଛି, ସୃଷ୍ଟିର ଉନ୍ମେଷ ହେବା ଆଗରୁ ଆମେ ଦୁହେଁ ଗୋଟିଏ ଆଲୋକଶିଖା ରୂପରେ ବିଶ୍ୱଧାତାଙ୍କର ହାତରୁ ଛୁଟି ଆସୁଛି । ମୋର ସୁଖଶାନ୍ତିକୁ ଜବରଦସ୍ତି ଛଡ଼ାଇ ନେବ, ଧରଣୀ ତଳେ କାହାରି ଏ ଶକ୍ତି ନାହିଁ, କାରଣ ପ୍ରେମାଶ୍ରିତ ଦୁଇଟି ଆତ୍ମାର ଆଲିଙ୍ଗନ ଭିତରୁ ଏହି ସୁଖର ଉଦୟ ହୋଇଛି । ମନର କଥା ମନ ବୁଝିଛି, ପ୍ରେମର ଆଲୋକରେ ଆମର ଆତ୍ମା ଆଲୋକିତ ହୋଇଛି, ସରଗରୁ ଅଭୟ ବୃଷ୍ଟି ହୋଇଛି । “

 

ତାଙ୍କ କଥାଗୁଡ଼ିକ ଶୁଣି ମୋ’ମନରେ କି ଭାବରାଶିର ସଞ୍ଚାର ହୋଇଥିବ, ହୃଦୟରେ ପଶି ସେଇ କଥା ବୁଝିବାକୁ ସେ ଯେପରି ମୋ ଆଡ଼କୁ ଅନାଇ ରହିଲେ । ମୋ’ରି କଣ୍ଠରୁ ତାଙ୍କରି କାହାଣୀର ପ୍ରତିଧ୍ୱନି ଶୁଣିବାକୁ ସତେ ଅବା ସେ ଅପେକ୍ଷା କରି ବସିଥାନ୍ତି । କିନ୍ତୁ ମୋତେ ନୀରବ ଦେଖି ସେ ପୁଣି ତାଙ୍କ କଥା ଆରମ୍ଭ କଲେ । ପୁରୁଣା ସ୍ମୃତିରେ ତାଙ୍କର ମନଟା ଯେପରି କଟୁ ହୋଇ ଉଠିଥାଏ । ତଥାପି ଆନ୍ତରିକ ନିଷ୍ଠା ଓ ଅଭୟ ସହିତ ସେ କହି ଚାଲିଲେ, “ଲୋକେ ଆପଣଙ୍କୁ କହିଥିବେ ଯେ ରୋଜ୍ ହାନୀ ଗୋଟାଏ କୁଳଟା, ସେ ସ୍ୱାମୀ ସହିତ ବିଶ୍ୱାସଘାତକତା କରିଛି । ଯେଉଁ ସ୍ୱାମୀ ତାକୁ ଖୁସି କରିବାକୁ କେତେ ଆଦର ଆୟୋଜନରେ ରଖିଥିଲା, ସେ ତାକୁ ଧୋକା ଦେଇ ଚାଲିଗଲା । ସେମାନେ କହିଥିବେ ଯେ ରୋଜ୍ ଗୋଟାଏ ବେଶ୍ୟା, ଆପଣାର କୁତ୍ସିତ ହାତରେ ସେ ବିବାହର ପବିତ୍ରମାଳାକୁ ଟିକି ଟିକି କରି ଛିଣ୍ତାଇ ଦେଇଛି ଓ ନରକର କଣ୍ଟକରେ ଆଉ ଗୋଟିଏ ପଚା ମାଳ ଯାଇ ଗୁନ୍ଥିଛି । ପୂଣ୍ୟର ଅଙ୍ଗଭୂଷଣକୁ ଫୋପାଡ଼ି ଦେଇ ପାପ ଓ ଅପବାଦ ପରିଚ୍ଛଦରେ ସେ ଆପଣାକୁ ସଜାଇଛି । ସେମାନେ ଆହୁରି କେତେ କଣ ନିନ୍ଦା କଥା କହିବେ, କାରଣ କୁଳଭୀରୁ ବାପଅଜାଙ୍କର ଭୂତ ଏ ପର୍ଯ୍ୟନ୍ତ ସେମାନଙ୍କୁ ମାଡ଼ି ବସିଛି । ଅବୋଧ୍ୟ ଭାଷାର ପ୍ରତିଧ୍ୱନି କରୁଥିବା ପରିତ୍ୟକ୍ତ ପର୍ବତ ଗୁହା ପରି ସେମାନେ କେବଳ ଶୂନ୍ୟ ଜୀବନ ନେଇ ପଡ଼ିଛନ୍ତି । ସେମାନେ ଭଗବାନଙ୍କର ବିଧାନ ବୁଝନ୍ତି ନାହିଁ, ସଂସ୍ଥାପିତ ଧର୍ମର ଅସଲ ମର୍ମ ଗ୍ରହଣ କରିପାରନ୍ତି ନାହିଁ, ଦୋଷୀ ନିର୍ଦ୍ଦୋଷ ଭିତରେ ପ୍ରଭେଦ ଦେଖିବାର ବୁଦ୍ଧି ସେମାନଙ୍କ ଭିତରେ ନାହିଁ । ଗଭୀର ମର୍ମକୁ ନ ଯାଇ କେବଳ ଉପର ଅର୍ଥରେ ହିଁ ସେମାନେ ସନ୍ତୁଷ୍ଟ ହୋଇଯାନ୍ତି । ସେମାନେ ମୂର୍ଖଙ୍କ ପରି ସବୁ କଥାରେ ନିଜର ମତ ପ୍ରକାଶ କରନ୍ତି, ଅନ୍ଧଙ୍କ ପରି ଫତୁଆ ଦିଅନ୍ତି, ଦୋଷୀ ନିର୍ଦ୍ଦୋଷ ଭଲ ମନ୍ଦ ଭିତରେ ସେମାନେ କୌଣସି ତଫାତ୍ ଦେଖିପାରନ୍ତି ନାହିଁ । ଧିକ୍ ସେମାନଙ୍କୁ ଯେଉଁମାନେ ପଦେ ପଦେ ବିଚାର ଆଉ ଓଜନ କରିବାକୁ ଆସନ୍ତି । କେବଳ ସଂସ୍କାର ଓ ସାମାଜିକ ନିୟମର ଜୋରରେ ରସିଦ୍ ନମାନ୍‍ ମୋତେ ତାଙ୍କର ଶଯ୍ୟାର୍ଥିନୀ କରି ରଖିଥିଲେ, ସେଥିଲାଗି ତାଙ୍କଘରେ ମୁଁ କୁଳଟା ଆଉ ଅସତୀ ହେବାକୁ ବାଧ୍ୟ ହେଲି । ଭଗବାନଙ୍କ ଆଖିରେ ତ ମୁଁ ତାଙ୍କର ପତ୍ନୀ ହୋଇ ନ ଥିଲି । ମୋର ଶରୀରକୁ ସେ ଭୋଗ କରି ପାରିବେ ବୋଲି ତାଙ୍କର ସମ୍ପତ୍ତି ମୋତେ ଭୋଗ କରିବାକୁ ପଡ଼ିଲା । ମୋ’ ଆଖିରେ ଓ ଭଗବାନଙ୍କ ଆଖିରେ ଏହା ବଡ଼ ଅପବିତ୍ର ଓ କୁତ୍ସିତ ଦେଖାଗଲା । କିନ୍ତୁ ଆଜି ମୁଁ ପବିତ୍ର ଓ ସୁନ୍ଦର ହୋଇ ପାରିଚି କାରଣ ପ୍ରେମର ନିୟମ ମୋତେ ବନ୍ଧନମୁକ୍ତ କରିଦେଇଚି । ମୋ ଭିତରୁ ସମସ୍ତ ବିଶ୍ୱାସଘାତକତା ଓ ଦୁଷ୍ଟତା ଦୂର ହୋଇଯାଇଚି, କାରଣ ଉଦର ଭରଣ କରିବା ଓ ପୋଷାକ ପିନ୍ଧିବାଲାଗି ଆପଣାର ଶରୀର ଓ ବୟସକୁ ବିକିବାର ଘୃଣ୍ୟ ବ୍ୟବସାୟରୁ ଆଜି ମୁଁ ବିରତ ହୋଇ ପାରିଚି । ହଁ, ଲୋକେ ମତେ ଯେତେବେଳେ ସତୀ ଆଉ ପତିବ୍ରତା ବୋଲି ଭାବୁଥିଲେ, ସେତେବେଳେ ପ୍ରକୃତରେ ମୁଁ ଅସତୀ ହୋଇ ରହିଥିଲି । କିନ୍ତୁ ଆଜି ଯେତେବେଳେ ମୁଁ ନିର୍ମଳ ହୋଇଗଲି ଓ ମୋର ସମ୍ମାନ ଫେରି ପାଇଲି, ଲୋକେ ମତେ ଓଲଟି ଅସତୀ, ଅଶୁଚୀ ବୋଲି କହୁଚନ୍ତି । କାରଣ ମଣିଷର ଶରୀରକୁ ଦେଖି ମଣିଷ ଭିତରର ଆତ୍ମାର ବିଚାର କରିବାର ବଦଭ୍ୟାସରେ ସେମାନେ ପଡ଼ିଯାଇଛନ୍ତି, ବସ୍ତୁ ସଂସାରର ମାପକାଠି ଦେଇ ଆତ୍ମାକୁ ମାପିବାର ଭୁଲରେ ସେମାନେ ଭ୍ରମିଚନ୍ତି । “

 

ଶ୍ରୀମତୀ ହାନୀ ତାଙ୍କର କଥା ବନ୍ଦ କରି ବାତାୟନ ଆଡ଼କୁ ଅନାଇଲେ । ଡାହାଣ ହାତରେ ସେ ମୋତେ ସହର ଆଡ଼କୁ ସଙ୍କେତ କରି ଦେଖାଇଲେ । ସହରର ପ୍ରତ୍ୟେକ ରାସ୍ତା, ଦୁଆର ଓ ଛାତରେ ସତେ ଅବା ସେ କେବଳ ଅସାଧୁତା ଓ ହୀନତାର ପ୍ରତିଛାଇ ଦେଖିବାକୁ ପାଇଲେ । ତାଙ୍କର କଣ୍ଠସ୍ୱର ଘୃଣା ଓ ଅବମାନନାର ବ୍ୟଞ୍ଜନାରେ କର୍କଶ ହୋଇଗଲା ପରି ଜଣାପଡ଼ିଲା । ସେ ପୁଣି କହିଲେ, “ସେହିସବୁ ସୁନ୍ଦର ନିବାସ ଓ ରମଣୀୟ ଅଟ୍ଟାଳିଗୁଡ଼ିକ ପ୍ରତି ଦୃଷ୍ଟିପାତ କରନ୍ତୁ । ମଣିଷ ସମାଜରେ ଯେଉଁମାନେ ଧନୀ ଓ ପରାକ୍ରମୀ, ସେହିମାନେ ସବୁ ସେଠି ବାସ କରନ୍ତି । ସେହିମାନଙ୍କ ଦୁଆରରେ ରେଶମରେ ବୁଣା ହୋଇଥିବା ପରଦାମାନ ଝୁଲୁଚି, କିନ୍ତୁ ପରଦାଗୁଡ଼ିକର ସେପାଖରେ ଶଠ ଓ କପଟପୂର୍ଣ୍ଣ ଜୀବନ ଆତ୍ମଗୋପନ କରି ରହିଚି । ସୁନା ବାଡ଼ିଆ ହୋଇ ସେ ଘରର ଛାତସବୁ ତିଆରି ହୋଇଚି, କିନ୍ତୁ ସେହି ଛାତର ତଳେ ଖାଲି ଅସତ୍ୟ ଓ ମିଛ ପୂର୍ଣ୍ଣ ହୋଇ ରହିଛି । ଗୌରବାନ୍ୱିତ, କ୍ଷମତାଶାଳୀ ଓ ଭାଗ୍ୟବନ୍ତ ମଣିଷର ଜୀବନ ପ୍ରଚାର କରୁଥିବା ସେହିସବୁ ଅଟ୍ଟାଳିକା ଆଡ଼କୁ ଭଲ କରି ଅନାଇ ଦେଖନ୍ତୁ । କୁତ୍ସିତ ଓ କଦର୍ଯ୍ୟ ଜୀବନକୁ ଗୋପନ କରି ରଖିଥିବା ଗୁମ୍ଫା ଛଡ଼ା ସେସବୁ ଘରକୁ ଆଉ କଣ କୁହାଯାଇ ପାରିବ ? ରଙ୍ଗରଞ୍ଜିତ ଆଖି ଓ ରକ୍ତିମ ଓଠତଳେ ଆଶ୍ରୟ ନେଇ ଲୁଚିଥିବା ଏକ ଦୁର୍ବଳା ନାରୀର ବିଶ୍ୱାସଘାତକତାର ସମାଧିମନ୍ଦିର ଛଡ଼ା ସେସବୁ ଘରକୁ ଆଉ କଣ କୁହାଯାଇପାରେ ? ସୁନାରୂପାର ଚକଚକ ତଳେ ସେହି ଘରର କଣେ କଣେ ପୁରୁଷର ସ୍ୱାର୍ଥପରତାର ନୃଶଂସତା ଲୁଚି ରହିଛି । ଏହି ସବୁ ପ୍ରାସାଦ ଆଜି ଅତି ଗର୍ବ ଓ ସ୍ପର୍ଦ୍ଧାର ସହିତ ପ୍ରାଚୀର ଉତ୍ତୋଳିତ କରି ଠିଆ ହୋଇଚନ୍ତି । କିନ୍ତୁ ସେମାନଙ୍କ ଉପରେ ଆସି ବାଜୁଥିବା ଶଠତା ଓ ପ୍ରବଞ୍ଚନାର ନିଶ୍ୱାସ ଯଦି ସେମାନେ ଅନୁଭବ କରି ପାରୁଥାନ୍ତେ, ତେବେ ସେମାନେ କ୍ଷଣକେ ଭୁଷୁଡ଼ି ପଡ଼ନ୍ତେ, ଖଣ୍ତ ଖଣ୍ତ ହୋଇ ଖସି ପଡ଼ି ମାଟିରେ ଏକାକାର ହୋଇ’ଯାନ୍ତେ । ଏହିସବୁ ଘରକୁ ଅନାଇ ନିତି ଦରିଦ୍ର ମଣିଷ ଆଖି ଲୁହ ଗଡ଼ାଉଥାଏ, କିନ୍ତୁ ତା’ର ଆପଣା ଘରଣୀର ହୃଦୟକୁ ଭରି ରଖିଥିବା ପ୍ରେମ ଓ ମଧୁରତାର କଣାଏ ମାତ୍ର ଯେ ଏସବୁ ପ୍ରାସାଦରେ ବାସ କରୁଥିବା ଲୋକଙ୍କ ହୃଦୟରେ ନାହିଁ, ଏକଥା ଥରେ ସେ ଜାଣିପାରିଲେ ତା’ର ମୁହଁରେ ବିଦ୍ରୁପର ହସ ଫୁଟିଉଠନ୍ତା, ସହରବାସୀଙ୍କର ଦୟନୀୟ ଜୀବନ ଲାଗି ଦୁଃଖ ପ୍ରକାଶ କରି ସେ ତା’ର ଖେତକୁ ଫେରିଯାଆନ୍ତା । “

 

ସେ ମୋର ହାତ ଧରି ଝରକାର ଗୋଟାଏ କଣ ପାଖକୁ ନେଇଗଲେ । ସେଇଠୁ ଦେଖାଯାଉଥିବା ନିବାସ ଓ ଅଟ୍ଟାଳିକାଗୁଡ଼ିକୁ ଅନାଇ ସେ ପୁଣି ଆରମ୍ଭ କଲେ ।

 

“ଆସନ୍ତୁ, ଏହି ସବୁ ଘରେ ବାସ କରୁଥିବା ଲୋକଙ୍କ ଜୀବନର ଗୃହ୍ୟ କଥାମାନ ମୁଁ ଆପଣଙ୍କୁ ଦେଖାଇବି । ଜୀବନରେ ଦିନେ ହେଲେ ଏହିମାନଙ୍କ ପରି ହେବାକୁ ମୁଁ ଇଚ୍ଛା କରି ନାହିଁ-। ଶଙ୍ଖମର୍ମର ଖୁଣ୍ଟ ଓ କାଚ ଝରକା ବସାଇ ତିଆରି ହୋଇଥିବା ସେହି ପ୍ରାସାଦଟିକୁ ଦେଖନ୍ତୁ-। ସେଇଟି ଜଣେ ଧନୀ ଲୋକର ଘର । ତାର ଲୋଭୀ ବାପାଠାରୁ ସେ ସମସ୍ତ ସମ୍ପତ୍ତି ପାଇଥିଲା-। ଶଠତା ଓ ଅସାଧୁତାର ବଜାର ରାସ୍ତାରେ ତା’ର ଜୀବନ ଗଠନର ପାଠଶାଳା ଆରମ୍ଭ ହୋଇଥିଲା-। ବାପ ମଲା ପରେ ସେ ବର୍ତ୍ତମାନ ଅଚଳାଚଳ ସମ୍ପତ୍ତିର ଅଧିକାରୀ ହୋଇ ବସିଛି । ନିତାନ୍ତ କଦର୍ଯ୍ୟ କୁତ୍ସିତ ଭାବେ ପ୍ରଥମ ଯୌବନ ଭୋଗ କରି ସାରିବା ପରେ ଏବେ ତାଙ୍କର ବିବାହ ହୋଇଛି-। ତାଙ୍କର ସ୍ତ୍ରୀ ସୁଲତାନଙ୍କ ଦରବାରର ଜଣେ କର୍ମଚାରୀଙ୍କର କନ୍ୟା, ଏହାଛଡ଼ା ସ୍ତ୍ରୀଙ୍କ ବିଷୟରେ ସେ ଆଉ କିଛି ଜାଣନ୍ତି ନାହିଁ । ବିବାହ ପରେ ପହିଲି କେତେଟା ଦିନର ନିଶା କଟିଗଲା ପରେ ସ୍ତ୍ରୀ ପ୍ରତି ତାଙ୍କର ସବୁ ମମତା ଛାଡ଼ିଗଲା ଓ ରୂପ ବିକି ପଇସା କମାଉଥିବା ବେଶ୍ୟାମାନଙ୍କ ଘରେ ସେ ଆପଣାର କ୍ଷୁଧା ମେଣ୍ଟାଇବାକୁ ଲାଗିଲେ । ମଦ୍ୟପର ନିଃଶେଷିତ ସୁରାପାତ୍ର ପରି ତାଙ୍କର ସ୍ତ୍ରୀ ପ୍ରାସାଦ ଭିତରେ ଏକାକିନୀ ପଡ଼ି ରହିଲେ । କିଛି ଦିନ ଯାଏ ବାଡ଼େଇ କଚାଡ଼ି ହୋଇ ସେ ଖୁବ୍ କାନ୍ଦିଲେ, କିନ୍ତୁ ଗୋଟାଏ ନଷ୍ଟଚରିତ୍ର ସ୍ୱାମୀଠାରୁ ଆପଣା ନୟନର ଲୋତକ ଯେ ଅଧିକ ମୂଲ୍ୟବାନ, ଶେଷରେ ଏକଥା ସେ ଭଲ କରି ବୁଝି ପାରିଲେ । ବର୍ତ୍ତମାନ ସେ ତାଙ୍କର ମନୋମତ ସ୍ୱାମୀ ବାଛି ନେଇ ତାଙ୍କରି ପ୍ରେମମୟ ସେବାରେ ନିଜର ପ୍ରସନ୍ନ ପ୍ରହର କଟାଇ ଦେଉଛନ୍ତି, ଆପଣାର ସମସ୍ତ ପ୍ରେମ ଓ ଅନୁରକ୍ତିର ପୀୟୁଷ ଢାଳି ସେ ତାଙ୍କରି ପାତ୍ରକୁ ପୂର୍ଣ୍ଣ କରୁଛନ୍ତି-

 

ପ୍ରମୋଦ-ଉଦ୍ୟାନ ଘେରା ସେଇ ଯେଉଁ ଘରଟି ଅତି ଆଡ଼ମ୍ବରେ ଠିଆ ହୋଇ ରହିଛି, ତାହାରି ଭିତରର ଜୀବନ କଥା ଶୁଣନ୍ତୁ । ସେଇ ଘରର ପୂର୍ବ ପୁରୁଷମାନେ ଦିନେ ଏଇ ରାଜ୍ୟର ରାଜା ଥିଲେ । କିନ୍ତୁ ଅମିତାଚାର ଓ ଅନ୍ଧ ଆମୋଦର ଅବହେଳାରେ ବର୍ତ୍ତମାନ ପୂର୍ବର ସେ ଧନ ଓ ମାନ ସମ୍ମାନ ଆଉ ନାହିଁ । ଅଳ୍ପ ଦିନତଳେ ସେଇ ଘରେ ବର୍ତ୍ତମାନ ବାସ କରୁଥିବା ଯୁବକଙ୍କର ବିବାହ ହୋଇଥିଲା । ସ୍ତ୍ରୀ ଧନୀ ଘରର ହେଲେ କଣ ହେବ ରୂପରେ ବଡ଼ ଅସୁନ୍ଦର । ବିବାହ ସାରି ଶ୍ୱଶର ଘରର ସମସ୍ତ ସମ୍ପତ୍ତି ହାତକୁ ଆଣିବା ପରେ ସେ ଆଉ ସ୍ତ୍ରୀକୁ ପଚାରିଲେ ନାହିଁ ଏବଂ ଆଉ ଜଣେ ସୁନ୍ଦରୀ ରମଣୀଙ୍କ ରୂପରେ ମୁଗ୍‍ଧ ହୋଇ ତାଙ୍କୁଇ ଭଲ ପାଇଲେ । ଏବେ ତାଙ୍କ ପ୍ରଥମ ସ୍ତ୍ରୀକୁ ଯାଇ ଦେଖନ୍ତୁ, ଦିନରାତି କିପରି ସେ କେବଳ ମୁଖ ଓ କେଶର ପ୍ରସାଧନରେ ବ୍ୟସ୍ତ ଅଛନ୍ତି । ନିତି ନାନା ପ୍ରକାର ମୂଲ୍ୟବାନ୍ ପୋଷାକରେ ମଣ୍ତି ହୋଇ ଯେ ଆଉ କେଉଁ ଯୁବକର ଦୃଷ୍ଟି ଆକର୍ଷଣ କରିବେ ବୋଲି କେତେ ଆଶା କରି ବସିଛନ୍ତି । କିନ୍ତୁ ଆଉ କି ହୁଏ ? ଦର୍ପଣ ଉପରେ କୁତ୍ସିତ ପ୍ରତିବିମ୍ବର ପ୍ରସନ୍ନ ହସଟିକକ ଉପଭୋଗ କରିବା ଛଡ଼ା ତାଙ୍କ ଭାଗ୍ୟରେ ଆଉ କଣ ଅଛି ?

 

ମର୍ମର ମୂର୍ତ୍ତି ସଜା ହୋଇ ରହିଥିବା ସେଇ ଅତିକାୟ କୋଠିର ଭିତର କଥା ଶୁଣିବାକୁ ଚାହାନ୍ତି ? ସେଇ ଘରେ ଜଣେ ସୁନ୍ଦରୀ ରମଣୀ ବାସ କରନ୍ତି, ତାଙ୍କର ସ୍ୱଭାବ ଅତି ଅଦ୍ଭୁତ । ପ୍ରଥମ ସ୍ୱାମୀ ମରିଯିବା ପରେ ସେ ତାଙ୍କର ସମସ୍ତ ସମ୍ପତ୍ତିର ଅଧିକାରିଣୀ ହେଲେ । ତା’ ପରେ ଲୋକାପବାଦରୁ ରକ୍ଷା ପାଇବାକୁ ଜଣେ ଦୁର୍ବଳମନା ଶୀର୍ଣ୍ଣଶରୀର ପୁରୁଷକୁ ଦ୍ୱିତୀୟ ସ୍ୱାମୀ ହିସାବରେ ଗ୍ରହଣ କଲେ । ସେହି ସ୍ୱାମୀର ଦୁଆ ଦେଇ ସେ ସମନ୍ତ ନିନ୍ଦା ଓ କୁତ୍ସାରୁ ଆପଣାକୁ ରକ୍ଷା କରିବାକୁ ଲାଗିଲେ । ବର୍ତ୍ତମାନ ସେ ବେଶ୍ ଆଖି ବୁଜି ମହୁମାଛି ପରି ସୁନ୍ଦର ବଛା ବଛା ଫୁଲରୁ ମଧୁ ପାନ କରିବାରେ ଲାଗିଛନ୍ତି ।

 

ତା’ ସେପାଖକୁ ଯେଉଁ ଘରଟି ଦେଖୁଛନ୍ତି, ସହରର ସବୁଠୁଁ ବଢ଼ିଆ କାରିଗରର ଗଢ଼ା ସେ । ଗୋଟାଏ କୃପଣ ଓ ଲୋଭୀ ଲୋକ ସେ ଘରର ମାଲିକ; ଲୋକଙ୍କର ହାଡ଼ ପର୍ଯ୍ୟନ୍ତ ଶୋଷି ସୁନାମୁଣ୍ତା ଜମା କରିବା ଛଡ଼ା ଜୀବନରେ ସେ ଆଉ କିଛି ଜାଣେ ନାହିଁ । ତା’ର ସ୍ତ୍ରୀ ଅପୂର୍ବ ସୁନ୍ଦରୀ ଓ ସୁଚରିତ୍ରା, କିନ୍ତୁ ସମାଜର ଚିରନ୍ତନ ନିୟମ ଯାହା, ସେହି ବାଲ୍ୟବିବାହର ଦୁର୍ଭାଗ୍ୟ ଯୋଗୁଁ ତାଙ୍କର ସମସ୍ତ ଜୀବନ ବ୍ୟର୍ଥ ହୋଇ ଯାଇଛି । ସଂସାରଜ୍ଞାନ ପାଇବା ଆଗରୁ ତାଙ୍କର ପିତା ତାଙ୍କୁ ତରତର ହୋଇ ବିବାହ ଦେଇଦେଲେ, ଦୂଷିତ ଅସଙ୍ଗତ ବନ୍ଧନର ଜୁଆଳିରେ ତାଙ୍କର ସମସ୍ତ ଜୀବନଟାକୁ ବାନ୍ଧିଦେଲେ, ଅଶାନ୍ତ ଜୀବନ ବଞ୍ଚି ବଞ୍ଚି ବର୍ତ୍ତମାନ ସେ ତାଙ୍କର ସୁନ୍ଦର ରୂପ ହରାଇ ବସିଲେଣି ଓ ନିଜର ଅବରୁଦ୍ଧ ବାସନାକୁ ମୁକୁଳାଇ ଦେବାକୁ ସେ ଆଉ ବାଟ ପାଉନାହାନ୍ତି । ଏହିପରି ଦିନକୁ ଦିନ ଶୀର୍ଣ୍ଣ ହୋଇଯାଇ ସେ ବର୍ତ୍ତମାନ କେବଳ ମରଣକୁ ହିଁ ଅପେକ୍ଷା କରି ବସିଛନ୍ତି । ସେଇ ମରଣ ହୁଏତ ତାଙ୍କୁ ଗୋଟାଏ ଧନଲୋଭୀ ଯଖର କବଳରୁ ରକ୍ଷା କରି ଏ ଦାସତ୍ୱ ଯନ୍ତ୍ରଣା ଅନ୍ତ କରିଦବ । ଏତେ ବଡ଼ ସମ୍ପତ୍ତି ଓ କୁଳମାନର ଅଧିକାରୀ ହେବାକୁ ଏପର୍ଯ୍ୟନ୍ତ କୌଣସି ସନ୍ତାନ ହେଲା ନାହିଁ ବୋଲି ସ୍ୱାମୀଠାରୁ ଅବିରତ ବନ୍ଧ୍ୟା ଓ ଅଲକ୍ଷଣୀ ବୋଲି ତାଙ୍କୁ ଯେଉଁ ଅପବାଦ ଶୁଣିବାକୁ ପଡ଼ୁଛି, ମଲେ ଅବା ସେଇ ଅଭିଶାପରୁ ପରିତ୍ରାଣ ମିଳିବ ।

 

ଉଦ୍ୟାନପରିବେଷ୍ଟିତ ସେଇ ଘରଟି ଜଣେ ଆଦର୍ଶ କବିଙ୍କର ବାସସ୍ଥାନ । ସେ ଏପରି ଗୋଟିଏ ମୂର୍ଖ ସ୍ତ୍ରୀ ଦେଖି ବିବାହ କରିଛନ୍ତି ଯେ ସେ ତାଙ୍କର କବିତାଗୁଡ଼ିକର ଅଗମୂଳ କିଛି ବୁଝି ପାରେ ନାହିଁ ଏବଂ ଓଲଟି ହସରେ ଉଡ଼ାଇ ଦିଏ । କବିଙ୍କର ଏ ଆଡ଼ମ୍ବରଶୂନ୍ୟ ସରଳ ଜୀବନ ସହିତ ସେ ଆପଣାକୁ ଖାପ ଖୁଆଇ ପାରେ ନାହିଁ ବୋଲି ତାଙ୍କୁ କେତେ ଛିଗୁଲେଇ କରି କହେ । ହତାଶ କବି ମୁକ୍ତି ଖୋଜି ଶେଷରେ ଆଉ ଜଣେ ବିବାହିତା ରମଣୀଙ୍କୁ ଭଲ ପାଇବାକୁ ଆରମ୍ଭ କରିଛନ୍ତି । ସେ ତାଙ୍କର ପ୍ରତିଭାର ଖାତିର କରେ, ତାଙ୍କ ହୃଦୟରେ ବାସନାର ଦୀପଶିଖା ଜାଳି ଦେଇ ତାଙ୍କୁ ସେ ନିରନ୍ତର ଉଦ୍‍ବୁଦ୍ଧ କରି ରଖେ, ଆପଣାର ସୌନ୍ଦର୍ଯ୍ୟ ଓ ସମ୍ମୋହିନୀ ଶକ୍ତି ଦ୍ୱାରା ସେ କବିଙ୍କର ଭାବନାରେ ଅପୂର୍ବ ଓ ଅଭୂତ ଭାଷା ଯୋଗାଇଦିଏ । “

 

କିଛି ସମୟ ନୀରବ ରହିବା ପରେ ଶ୍ରୀମତୀ ହାନୀ ବାତାୟନ ଦ୍ୱାରରେ ପଡ଼ିଥିବା ଖଟଟି ଉପରେ ଯାଇ ବସିଲେ, ସତେ ଯେପରି ସହର ମଝିର ଦୂଷିତ ଇତିହାସରେ ତାଙ୍କର ଆତ୍ମା ଅସ୍ଥିର ହୋଇ ଉଠୁଥିଲା ! ସେ ପୁଣି ଧୀରେ ଧୀରେ ଆରମ୍ଭ କଲେ, “ଏଇ ସବୁ ନରକ କୁଣ୍ତରେ ରହିବାକୁ ମୋତେ ବିଷ ପରି ଲାଗିଲା, ଏଇ ସବୁ କବର ଭିତରେ ସେମାନେ ମୋର ଅନ୍ତରଟାକୁ ପୋତିଦେବାକୁ ବସିଥିଲେ । ଆତ୍ମାକୁ ଘୋଡ଼ାଇ ଦେଇ ସେମାନେ କେବଳ ଦେହର ଚର୍ଯ୍ୟା କରି ଜାଣିଥିଲେ, ପ୍ରେମ ଓ ସୌନ୍ଦର୍ଯ୍ୟ ବିଷୟରେ ନିର୍ବୋଧ ଅଜ୍ଞାନ ସେହିମାନଙ୍କ କବଳରୁ ମୁଁ ଆଜି ଆପଣାକୁ ମୁକ୍ତ କରି ବାହାରି ଆସିଛି । ଭଗବାନଙ୍କର ବିଧି ବିଷୟରେ ସେମାନେ ଅତି ଅଜ୍ଞ, ସେହି ଭଗବାନଙ୍କର କରୁଣା ହିଁ ସେମାନଙ୍କୁ ଉଦ୍ଧାର କରିବ । ମୁଁ ତ ନିଜେ ଦିନେ ସେଇମାନଙ୍କ ମଧ୍ୟରେ ଥିଲି, ତେଣୁ ମୁଁ ସେମାନଙ୍କର ବିଚାର କରି ପାରିବି ନାହିଁ । ତଥାପି ସେମାନଙ୍କ ଲାଗି ମୋର ପୂର୍ଣ୍ଣ ସହାନୁଭୂତି ରହିଛି । ମୁଁ ସେମାନଙ୍କୁ ଘୃଣା କରେ ନାହିଁ, ଘୃଣା କରେ ଦୁର୍ବଳତା ଓ ମିଥ୍ୟାର ପାଦ ତଳେ ସେମାନଙ୍କର ଆତ୍ମସମର୍ପଣକୁ । ଯେଉଁମାନଙ୍କର ସମସ୍ତ ଆବରଣ ଓ ଆୟତନ ଭାଙ୍ଗି ମୁଁ ମୁକ୍ତ ହୋଇ ଆସିଛି, ସେହିମାନଙ୍କର ଅସଲ ରୂପଟା ଆପଣଙ୍କୁ ଦେଖାଇଦେବା ଲାଗି ଏତେଗୁଡ଼ାଏ କଥା କହିଲି । ସେମାନଙ୍କର ସଙ୍ଗ ଛାଡ଼ି ମୁଁ ମନୋମତ ସଙ୍ଗ ପାଇଛି ବୋଲି ଯେଉଁମାନେ ମୋତେ ଭର୍ତ୍ସନା କରୁଛନ୍ତି, ଆପଣଙ୍କୁ ସେଇମାନଙ୍କ ଜୀବନର ପରିଚୟ ଦେବାକୁ ମୁଁ କେବଳ ଚେଷ୍ଟା କରିଛି ମାତ୍ର । ସେମାନଙ୍କର ଅନ୍ଧାର ଅତଳରୁ ପରିତ୍ରାଣ ପାଇ ମୁଁ ଆଜି ସ୍ୱଧର୍ମ, ସତ୍ୟ ଓ ସାରନ୍ୟାୟର ଆଲୋକ ଉପରେ ନୟନ ନିବଦ୍ଧ କରି ପାରିଛି । ସେମାନେ ମୋତେ ସମାଜରୁ ଅନ୍ତର କରିଦେଇଛନ୍ତି ବୋଲି ବରଂ ମୁଁ ଖୁବ୍ ଖୁସି ଅଛି । କାରଣ ମୁଁ ଜାଣେ ଯେ ସ୍ୱେଚ୍ଛାଚାର ଓ ଦମନ ବିରୁଦ୍ଧରେ ଯାହାର ସ୍ୱଭାବମୁକ୍ତ ମନ ବିଦ୍ରୋହ କରି ଉଠେ, ମଣିଷ ସମାଜ ତାକୁଇ ଆପଣା ଭିତରୁ ନିର୍ବାସିତ କରି ତଡ଼ିଦିଏ । ନିର୍ବାସିତ ହେବା ଭୟରେ ଯେ ଆଜି ଦାସତ୍ୱରେ ବାନ୍ଧି ହୋଇ ପଡ଼ିଛି; ସ୍ୱାଧୀନତା ବା ସତ୍‍କର୍ତ୍ତବ୍ୟ, କୌଣସି ଦୃଷ୍ଟିରୁ ତାକୁ ମୁକ୍ତ ବୋଲି କୁହାଯାଇ ପାରିବ ନାହିଁ ।

 

ନାନାଜାତି ସୁସ୍ୱାଦୁ ଖାଦ୍ୟଦ୍ରବ୍ୟ ସଜା ହୋଇଥିବା ପରିବେଷଣ ପାତ୍ର ପରି କାଲି ମୁଁ ସମାଜ ଭିତରେ ପଡ଼ିଥିଲି; କ୍ଷୁଧା ମେଣ୍ଟାଇବାର ଦରକାର ନ ପଡ଼ିଲେ ରସିଦ୍ ନମାନ୍ ସେତେବେଳେ ମୋଠାରୁ ଦୂରଛଡ଼ା ହୋଇ ରହୁଥିଲେ । ତଥାପି ଦୁଇଟି ବିନୀତ ସମ୍ମାନିତ ପରିକର ପରି ଆମଠାରୁ ଅନେକ ଦୂରର ଆମର ଦୁଇଟିଯାକ ଆତ୍ମା ଅପେକ୍ଷା କରି ରହିଥିଲା । ଆପଣାର ଦୁର୍ଭାଗ୍ୟ ସଙ୍ଗେ ଗୋଟାଏ ବୁଝାମଣା କରି ରହିବାର ଅନେକ ଚେଷ୍ଟା ମୁଁ କରିଛି । କିନ୍ତୁ ନିର୍ବୋଧ ଯୁଗର ଭୟାନକ ପୁତ୍ତଳିକା ଏଇ ସମାଜବିଧି ଆଗରେ ଶରଣାଗତ ହୋଇ ପଡ଼ି ରହିବାକୁ ଯେପରି ମୋ’ ଭିତରୁ କିଏ ପ୍ରତିବାଦ କରି ଉଠିଛି । ପ୍ରେମଦେବତାର ଆହ୍ୱାନଶଙ୍ଖ ଶୁଣିବାଯାଏ ମୁଁ ଆପଣା ଶୃଙ୍ଖଳର ଦୁର୍ବଳ ସନ୍ତୋଷ ଭିତରେ ନିଜକୁ ବୋଧ ଦେଇ ରଖିଥିଲି; କ୍ରମେ ଅନ୍ତର ଭିତରେ ପଳାଇ ଆସିବାର ଆୟୋଜନ ଆରମ୍ଭ ହେଲା । ଶେଷରେ ସବୁ ଶୃଙ୍ଖଳ ଭାଙ୍ଗି ପଞ୍ଜୁରୀରୁ ଉଡ଼ି ଆସିଥିବା ପକ୍ଷୀଟି ପରି ସମସ୍ତ ମଣିମୁକ୍ତା, ବେଶପରିପାଟୀ ଓ ଦାସୀ ପରିକର ପଛରେ ପକାଇଦେଇ ମୁଁ ରସିଦ୍ ନମାନ୍‍ଙ୍କ ଘରୁ ଚାଲିଆସିଲି । ମୋର ପରାଣପ୍ରିୟ ସହିତ ଜୀବନ କଟାଇବାର ଆକର୍ଷଣ ମୋତେ ସେଠୁ ଟାଣି ନେଇ ଆସିଲା । ମୋର ଏଇ ସାଧୁ କାର୍ଯ୍ୟରେ ସମସ୍ତ ମନ ଯେପରି ପ୍ରସନ୍ନ ହୋଇ ଉଠିଲା । ମୋତେ ଆଉ ବେଶୀ ଦିନ କନ୍ଦାଇବା ବା କଷ୍ଟ ଭୋଗାଇବା ଭଗବାନଙ୍କର ଇଚ୍ଛା ନ ଥିଲା । ରାତିର ଯନ୍ତ୍ରଣାରେ ଛଟପଟ ହୋଇ ନିତି ମୁଁ ସକାଳ ହେବାଲାଗି ପ୍ରାର୍ଥନା କରୁଥିଲି ଓ ସକାଳ ହେଲେ ପୁଣି ଦିନଟା କିପରି ଅତିଶୀଘ୍ର କଟିଯାଉ, ସେଇଥି ଲାଗି ଆତୁର ହୋଇ ଈଶ୍ୱରଙ୍କୁ ଡାକୁଥିଲି । ଗୋଟାଏ ଶୋଚନୀୟ ଦୁର୍ବହ ଜୀବନ ନେଇ ମୁଁ କାନ୍ଦୁଥାଏ, ଈଶ୍ୱର କେବେହେଲେ ଏ କଥା ଚାହୁ ନ ଥିଲେ, କାରଣ ସେଇ ମୋ ଅନ୍ତର ଭିତରେ ସୁଖର ଶାଶ୍ୱତ ବାସନା ଭରିଦେଇଥିଲେ-। ଅନ୍ତରର ସନ୍ତୋଷରେ ହିଁ କେବଳ ତାଙ୍କର ଗୌରବ ସମ୍ଭବ ହୋଇପାରିବ ।

 

ଏଇ ହେଉଚି ମୋର ଜୀବନକାହାଣୀ, ସ୍ୱର୍ଗ ଓ ପୃଥିବୀର ଦରବାରରେ ଏଇ ହେଉଛି ମୋର ଅଭିଯୋଗ । ଲୋକେ ସିନା ମୋ କଥାକୁ ଭୟ କରି କାନ ବନ୍ଦ କରି ଦେଉଛନ୍ତି, ଆପଣାର ବିଦ୍ରୋହୀ ଆତ୍ମାର ନିଶ୍ୱାସ ରୁଦ୍ଧ କରି ଦେଇ ସେମାନେ ସିନା ମ୍ରିୟମାଣ ସମାଜର ଆମୂଳ ବିଲୋପ କରିଦେବାକୁ ବସିଛନ୍ତି; କିନ୍ତୁ ମୁକ୍ତ ମନରେ ମୁଁ ବାରବାର ମୋର କାହାଣୀଟିର ମୁକ୍ତି ଘୋଷଣା କରି ଚାଲିଛି ।

 

ଏହି କୁଟିଳ ବନ୍ଧୁର ପଥ ପାର ହୋଇ ମୁଁ ଆଜି ସୁଖର ଶିଖରଦେଶରେ ଉପନୀତ ହୋଇଛି । ବର୍ତ୍ତମାନ ମୃତ୍ୟୁ ମଧ୍ୟ ଆସିଲେ, ନିର୍ଭୀକ ଓ ଅମ୍ଳାନ ଚିତ୍ତରେ ମୁଁ ଆପଣାକୁ ସେଇ ସ୍ୱର୍ଗର ସିଂହାସନତଳେ ସମର୍ପଣ କରିଦେବାକୁ ପ୍ରସ୍ତୁତ ଅଛି । ଆପଣାର ତୁଷାରଶୁଭ୍ର ନିର୍ମଳ ଅନ୍ତର ଟିକକ ବହନ କରି ମୁଁ ସେହି ମହାବିଚାରର ଦିନକୁ ଚାହିଁ ବସିଛି । ସବୁବେଳେ ଜୀବନର ସବୁ ଘଟଣାରେ ମୁଁ କେବଳ ଭଗବାନଙ୍କର ମଙ୍ଗଳ ଉଦ୍ଦେଶ୍ୟକୁ ମାନିଆସିଛି, ଅନ୍ତରର ଆହ୍ୱାନ ଭିତରେ ମୁଁ କେବଳ ସ୍ୱର୍ଗର ଦେବବାଣୀ ଶୁଣିଆସିଛି । ମୋ ଜୀବନର ଏହି ଏକାଙ୍କଟିକୁ ବିରୁଠ୍‍ର ଲୋକେ ଜୀବନ-ଜିହ୍ୱାର ଅଭିଶାପ ବା ସମାଜର ବ୍ୟାଧି ବୋଲି କହନ୍ତି । କୀଟଦୁଷିତ ଧୂଳିଭିତରୁ ସୂର୍ଯ୍ୟ ଫୁଲ ଫୁଟାଇଲା ପରି ଦିନେ ସେମାନଙ୍କର ହୃଦୟ ଭିତରେ ପ୍ରେମର ନବଜନ୍ମ ହେବ । ଦିନେ ନା ଦିନେ ସେ ଦିନର ପଥିକ ମୋର ସମାଧି ପାଖରେ ଦଣ୍ତେ ଠିଆ ହୋଇ ମୋର କବର ଉପରର ମାଟି ଉଦ୍ଦେଶ୍ୟରେ ମୁଣ୍ତ ନୁଆଁଇ କହିବ, ‘ଭଗବାନଙ୍କର ପବିତ୍ର ପ୍ରେମର ଜବାବ ଦେଇ ଚୁର୍ଣ୍ଣ ମଣିଷସମାଜର ଶୃଙ୍ଖଳ ଛିଡ଼ାଇ ଯାଇଥିବା ରୋଜ୍ ହାନୀଙ୍କର ଆତ୍ମା ଏଇ ସମାଧିତଳେ ଶୋଇଛି । ଖପୁରି ହାଡ଼ ଓ କଣ୍ଟା ପଡ଼ିଥିବା ସଂସାର ଶ୍ମଶାନରେ ଆପଣାର କୃଷ୍ଣ ଛାଇକୁ ଆଦରି ନ ରହି ସେ ସୂର୍ଯ୍ୟମଣ୍ତଳକୁ ନିଜର ମୁଖପ୍ରସାର କରି ଦେଇଥିଲା ।’

 

X X X

 

କବାଟ ଖୋଲି ଜଣେ ଯୁବକ ଘର ଭିତରକୁ ଆସିଲେ । ତାଙ୍କ ଆଖିରେ ଯାଦୁର ଅଗ୍ନିଲହରୀ ଖେଳୁଛି, ଅଧରରେ ପ୍ରସନ୍ନ ହାସ୍ୟ ଫୁଟିଉଠୁଛି । ରୋଜ୍ ହାନୀ ହଠାତ୍ ଉଠିଯାଇ ଯୁବକଟିକୁ ମୋ ସହିତ ପରିଚୟ କରାଇଦେଲେ ଏବଂ ତାଙ୍କ ଆଗରେ ମୋର ଭାରି ପ୍ରଶଂସା କରି କହିଲେ । ଯାହାଙ୍କ ସକାଶେ ରୋଜ୍ ହାନୀ ଜଗତର ସମସ୍ତ ବନ୍ଧା ନିୟମ ଓ ଶୃଙ୍ଖଳା ଅସ୍ୱୀକାର କରି ଆସିଛନ୍ତି, ଏ ଯୁବକ ଜଣକ ସେହି ।

 

ଆମେ ସମସ୍ତେ ଚୁପ୍ ହୋଇ ଗଭୀର ଭାବନାରେ ବୁଡ଼ିଯାଇଥାଉ । ଏଇପରି ମିନିଟ୍‍କ ପର୍ଯ୍ୟନ୍ତ କଟିଗଲା ପରେ ମୁଁ ପାଖାପାଖି ବସିଥିବା ସେ ଦୁଇ ଜଣଙ୍କ ଆଡ଼କୁ ଅନାଇଲି । କି ଅଦୃଷ୍ଟପୂର୍ବ ଦୃଶ୍ୟ ମୁଁ ଦେଖିଲି । ନିମେଷକରେ ଶ୍ରୀମତୀ ହାନୀଙ୍କର ସମସ୍ତ କାହାଣୀ ଦିନର ଆଲୁଅ ପରି ସ୍ପଷ୍ଟ ହୋଇଗଲା । ଜଞ୍ଜିରଲଗା ଆଇନ୍ ଓ ଅଚଳାୟତନକୁ ସହି ନ ପାରିବା ଲୋକମାନଙ୍କୁ ଶାସ୍ତି ଦେଉଥିବା ସମାଜ ବିରୁଦ୍ଧରେ ବିଦ୍ରୋହ କରିବାର ଗୋପନତତ୍ତ୍ୱ ଏକାବେଳେକେ ପରିଷ୍କାର ହୋଇଗଲା । ମୋ ଆଗରେ ସେ ଦୁହିଙ୍କର ସଂଯୁକ୍ତ ସୁନ୍ଦର ଆତ୍ମା ମୋତେ ସ୍ୱର୍ଗର ପରଶ ଦେଇ ଯାଉଥାଏ,– ତାଙ୍କରି ମଝିରେ ଠିଆ ହୋଇ ପ୍ରେମର ଦେବତା ଅଭୟର ପକ୍ଷଚ୍ଛାୟା ପ୍ରସାରଣ କରି ସେମାନଙ୍କୁ ସହସ୍ର ଅପବାଦରୁ ରକ୍ଷା କରୁଥାନ୍ତି । ନିଷ୍ଠା ଓ ପୁଣ୍ୟମୟ ଶ୍ରଦ୍ଧାର ଆଲୋକରେ ଆଲୋକିତ ସେ ଦୁହିଁଙ୍କର ମନ ଯେପରି ପରସ୍ପରକୁ ପୂରାପୂରି ବୁଝିସାରିଥିଲା । ଧର୍ମଦ୍ୱାରା ଅଭିଶପ୍ତ ସମାଜର ଶାସନ ଦ୍ୱାରା ଉତ୍ପୀଡ଼ିତ ଦୁଇଟି ପୁରୁଷ ଓ ସ୍ତ୍ରୀ ଭିତରେ ଏପରି ଆତ୍ମସୁଖର ପରିଚୟ ମୁଁ ଏଇଠି ପ୍ରଥମ ଥର ଲାଗି ପାଇଲି । ପ୍ରେମ ଓ ହୃଦୟ ଆଦାନପ୍ରଦାନର ପୁଣ୍ୟ ସ୍ନେହ-ବେଦୀ ସେଇ ଦରିଦ୍ର କୁଟୀର ଛାଡ଼ି ମୁଁ ସେମାନଙ୍କଠାରୁ ବିଦାୟ ନେଇ ଚାଲିଗଲି । ଶ୍ରୀମତୀ ହାନୀ ଯେଉଁ ଘରଗୁଡ଼ିକର କାହାଣୀ ମୋ ଆଗରେ କହିଥିଲେ, ସେହିସବୁ ଘର ଦେଇ ମୋତେ ଅତିକ୍ରମ କରି ଯିବାକୁ ପଡ଼ିଲା । ଘରଗୁଡ଼ିକ ପାର ହୋଇ ରସିଦ୍ ନମାନ୍‍ଙ୍କର ଦୟନୀୟ ଅବସ୍ଥା କଥା ମୋର ମନେ ପଡ଼ିଗଲା । ମନେ ମନେ ଭାବିବାକୁ ଲାଗିଲି, “ସେ ପ୍ରକୃତରେ ଦୁଃଖରେ ପେଷି ହୋଇ ଯାଉଚନ୍ତି, କିନ୍ତୁ ଶ୍ରୀମତୀ ହାନୀଙ୍କ ନାମରେ ଯେତେ ଅଭିଯୋଗ କଲେ ମଧ୍ୟ ଭଗବାନ କ’ଣ କେବେହେଲେ ତାଙ୍କ କଥା ଶୁଣିବେ ? ନିଜ ଅନ୍ତରର ଅଭିଳାଷ ପୂର୍ଣ୍ଣ କରିବାକୁ ବିବାହିତ ସ୍ୱାମୀକୁ ଛାଡ଼ି ଚାଲିଗଲେ ବୋଲି ସେହି ରମଣୀଙ୍କୁ କିଏ ଦୋଷ ଦେଇ ପାରିବ ? ପ୍ରେମର ସୁଧାରସରେ ନିଜର ହୃଦୟ ହଜାଇ ଦେବା ପୂର୍ବରୁ ନିଜର ଦେହକୁ ବିବାହ ପାଖରେ ବିକି ଦେଇ ବରଂ ସେ ଅଧିକ ଅପରାଧ କରୁ ନ ଥିଲେ କି ? ତାହାହେଲେ ପ୍ରକୃତରେ କିଏ କାହା ଉପରେ ଅବିଚାର କରିଛି ? ଏ କ୍ଷେତ୍ରରେ ପ୍ରକୃତ ଦୋଷୀ କିଏ ?”

 

କିଛି କାଳଯାଏ ନାନାରକମର ଚିନ୍ତା କରିବା ପରେ ପୁଣି ମୁଁ ମନକୁ ମନ କହିଲି, “ଅନେକ ସମୟରେ ନାରୀ ଆପଣାର ଜୀବନସଙ୍ଗୀକୁ ଛାଡ଼ି ଚାଲିଯାଏ, ଧନ ସମ୍ପଦର ପ୍ରଲୋଭନ ତା’ର ଗୋଡ଼ ଖସାଇନିଏ । ଟଙ୍କାପଇସା ଓ ପୋଷାକସଜ୍ଜାର ମୋହରେ ପଡ଼ି ସେ ଅନ୍ଧ ପରି ନିଜର ଲଜ୍ଜାକୁ ନିଜ ଅଣ୍ଟିରେ ଭରି ରଖେ । ଧନୀ ସ୍ୱାମୀର ମୋତିମହଲ ଛାଡ଼ି ଦରିଦ୍ରର କୁଡ଼ିଆ ଆଦରି ଚାଲିଯିବା ଦ୍ୱାରା ଶ୍ରୀମତୀ ହାନୀ କି କପଟତାର ଆଚରଣ କରିଛନ୍ତି ? ଅନେକ ସମୟରେ ଅଜ୍ଞାନତାବଶତଃ ନାରୀ ତା’ର ଆପଣା ସମ୍ମାନ ମୂଳରେ କୁରାଢ଼ି ହାଣି ବସେ, ତା’ର ହୃଦୟରେ ବାସନାର ଦୈତ୍ୟ ଗର୍ଜନ କରିଉଠେ; ସେ ବିରକ୍ତ ହୋଇ ସ୍ୱାମୀକୁ ଛାଡ଼ି ଚାଲିଯାଏ ଓ କାମୁକତାର ବଶ ହୋଇ ଇତର ପୁରୁଷ ପାଖରେ ଯାଇ ଆଶ୍ରୟ ନିଏ । ସର୍ବ ସମକ୍ଷରେ ଆପଣାର ସ୍ୱାଧୀନତା ଘୋଷଣା କରି ମନୋମତ ଜୀବନସାଥୀ ଗ୍ରହଣ କରିବାଦ୍ୱାରା ଶ୍ରୀମତୀ ହାନୀ କୋଉଠି ଦେହପାଖରେ ବଶ୍ୟତା ସ୍ୱୀକାର କରିବାର ଅଜ୍ଞାନତା ଦେଖାଇଲେ ? ଇଚ୍ଛା କରିଥିଲେ ସ୍ୱାମୀଘରେ ରହି ମଧ୍ୟ ଗୋପନରେ ସେ ନିଜର ଦେହସମ୍ଭୋଗ ଚରିତାର୍ଥ କରି ପାରିଥାଆନ୍ତେ । ତାଙ୍କର ସୌନ୍ଦର୍ଯ୍ୟର ଦାସ ଓ ପ୍ରେମର ପରିକର ହେବାକୁ ସହରରେ ତ ଅନେକ ବୁଲା ମଧୁପ ଥିଲେ । ଶ୍ରୀମତୀ ହାନୀ କେତେ କଷ୍ଟ ନ ସହିଚନ୍ତି ? ସୁଖର ଆଶାରେ ଅପେକ୍ଷା କରି ବସି ଯେତେବେଳେ ସୁଖର ସନ୍ଧାନ ପାଇଲେ, ସେ ତାକୁ ଗ୍ରହଣ କରି ସୁଖୀ ହେଲେ । ଏଇ ପରମ ସତ୍ୟକୁ ହିଁ ଏ ଯୁଗର ସମାଜ ସବୁଠାରୁ ବେଶୀ ଅବଜ୍ଞା କରେ । “ତା’ ପରେ ଶୂନ୍ୟ ଭିତରକୁ କଥା କହିଲା ପରି ନିଜକୁ ମୁଁ ପଚାରିଲି, “ସ୍ୱାମୀକୁ ଦୁଃଖ ଓ ଅତୃପ୍ତ ଅବସନ୍ନତା ଭିତରେ ପକାଇ ଦେଇ ଆପଣା ସୁଖର ସ୍ଥଳ ବାଛି ନେବାର କି ଅଧିକାର ସ୍ତ୍ରୀର ଅଛି ?” ଭିତରୁ କିଏ ଯେପରି ଏହି କଥାରେ ଯୋଡ଼ ଦେଲା, “ସ୍ତ୍ରୀର ପ୍ରେମ-ସମର୍ଥନ ପାଇବାକୁ ଅକିଞ୍ଚନ ହୋଇ ମଧ୍ୟ ଜବରଦସ୍ତି ସ୍ତ୍ରୀଠାରୁ ଆନୁଗତ୍ୟ ଆଦାୟ କରିବାଲାଗି ପୁରୁଷର ବି କି ଅଧିକାର ଅଛି ?”

 

X X X

 

ବାଟଯାକ ଶ୍ରୀମତୀ ହାନୀଙ୍କର କଥାଗୁଡ଼ାକ କାନରେ ଦୁମ୍ ଦୁମ୍ ବାଜୁଥାଏ । ସୂର୍ଯ୍ୟ ବୁଡ଼ିଲା ବେଳକୁ ମୁଁ ସହରର ସରହଦ ପାଖରେ ପହଞ୍ଚି ଯାଇଥିଲି । ସନ୍ଧ୍ୟାର ପ୍ରାନ୍ତର କ୍ରମେ ନୀରବ ହୋଇ ଯାଉଥାଏ, ପକ୍ଷୀମାନେ ସନ୍ଧ୍ୟାର ବିଦାୟସ୍ତବ ଆରମ୍ଭ କରି ଦେଇଥାନ୍ତି । ମୁଁ ଥମକି ଘଡ଼ିଏ କାଳ ଠିଆ ହୋଇରହିଲି; ତା’ପରେ ଦୀର୍ଘନିଃଶ୍ୱାସ ପକାଇ କହିବାକୁ ଲାଗିଲି, “ମୁକ୍ତି ଦେବତାର ଦରବାର ସଭାରେ ମୁକ୍ତ ବନାନୀ ଆଜି ହାୱାରେ ମାତିଗଲେଣି, ସୂର୍ଯ୍ୟକିରଣ ଓ ଚନ୍ଦ୍ରାଲୋକ ସେମାନଙ୍କୁ କେଉଁ ମୁକ୍ତିର ବିଚରଣ-ବିଳାସରେ ନିମଗ୍ନ କରି ରଖିଛି । ମୁକ୍ତିର କାନରେ ସଙ୍ଗୀତ ଭରି ଦେଇ ଏଇ ପକ୍ଷୀଗୁଡ଼ିକ ଝରଣାର ତାଳେ ତାଳେ ପକ୍ଷ ହଲାଇ ନାଚିବାକୁ ଆରମ୍ଭ କରିଦେଲେଣି । ଆଜି ସନ୍ଧ୍ୟାର ସବୁ ଫୁଲ ମୁକ୍ତ ଗଗନର ଅଙ୍ଗନରେ ସମସ୍ତ ସୁଗନ୍ଧ ଢାଳିଦେଲେଣି ଓ କାଲି ପ୍ରତ୍ୟୁଷ ଲାଗି ମୁକ୍ତିର ଆଖି ଭିତରେ ଫୁଟିଉଠିବାକୁ ଅପେକ୍ଷା କରି ବସିଲେଣି ।

 

ପୃଥିବୀର ଯାବତୀୟ ପଦାର୍ଥ ବିଶ୍ୱର ବିଧାନରଜ୍ଜୁରେ ଗୁନ୍ଥା ହୋଇଛି, ସେଇ ପ୍ରାକୃତିକ ବିଧାନରୁ ମୁକ୍ତିର ଗୌରବ ଓ ଆନନ୍ଦ ସତତ ନିଃସାରିତ ହେଉଛି । କିନ୍ତୁ ନିଜର ସଂକୀର୍ଣ୍ଣ ଜଗତର ଶାସନ ଦ୍ୱାରା ଈଶ୍ୱରଙ୍କ ଦତ୍ତ ଆତ୍ମାକୁ ଘୋଡ଼ାଇ ରଖି ଦୁର୍ଭାଗ୍ୟ ମଣିଷ ସେହି ଗୌରବର ଅଧିକାରୀ ହୋଇ ପାରୁନାହିଁ । ଆଇନର ଅଚଳାୟତନ ଭିତରେ ସେ ନିଜକୁ ବାନ୍ଧି ପକାଇଛି । ନିଜର ଅଜସ୍ର କାମନାବାସନାକୁ ସଙ୍କୁଚିତ କରି ସେ ନିଜ ଲାଗି ଏକ ସଂକୀର୍ଣ୍ଣ ଦୁଃଖଦ କାରାଗାର ସୃଷ୍ଟି କରିଛି । ନିଜ ହାତରେ ଗାଡ଼ ଖୋଳି ଅନ୍ତରର ଅନନ୍ତ ଆଶା ଓ ଆକାଙ୍‍କ୍ଷାକୁ ସେ ପୋତି ମାରି ପକାଇଛି । ପ୍ରାଣର ଭାଷା ମାନି ଯେଉଁ ମଣିଷ ନିଜକୁ ସମାଜରୁ ଅପସରାଇ ନେଉଛି ଓ ସମାଜର ଶାସନକୁ ଅସ୍ୱୀକାର କରୁଛି, ସମାଜର ମଣିଷ ବିଦ୍ରୋହୀ ଅପରାଧୀ ବୋଲି କହି ତାକୁ ନିର୍ବାସନ ଶାସ୍ତି ଦେବାକୁ ଧାଇଁ ଯାଉଛି । ଜଗତ ଭାଙ୍ଗି ଖଣ୍ତ ଖଣ୍ତ ହୋଇଗଲା ପର୍ଯ୍ୟନ୍ତ କଣ ମଣିଷ ଏହିପରି ନିଜ ଚାରିପାଖରେ କାରାଗାର ତିଆରି କରି ରଖିଥିବ ? ନା ସେ କାଳକ୍ରମେ ପ୍ରାଣର କଥା ବୁଝି ଆତ୍ମାଲାଗି ଆତ୍ମମୟ ଜୀବନ ବିତାଇ ଶିଖିବ ? ମଣିଷ କଣ ଚିରକାଳ ତଳକୁ ଓ ପଛକୁ ଅନାଇ ଏହି ଧୂଳିକୁ ଧରି ପଡ଼ି ରହିଥିବ ? ଚିରଦିନ କଣ ସେ ମଡ଼ାମୁଣ୍ତ ଓ କଣ୍ଟକଭରା ଜୀବନଶ୍ମଶାନରେ ନିଜର କୃଷ୍ଣଛାଇ ଦେଖି ପଳାଇଯାଉଥିବ ? ନୟନକୁ ଉନ୍ନତ କରି ସେ କଣ ଆଲୋକମୟ ସବିତା-ଶାସନ କୁ ବରଣ କରି ନେବ ନାହିଁ ?”

Image

 

ଶ୍ମଶାନର ଚିତ୍କାର

 

ଦରବାରକୁ ବିଜେ କରି ଅମୀର୍ ପାଟ ଆସନଟି ଗ୍ରହଣ କଲେ । ସିଂହାସନର ଦୁଇ ପାଖରେ ରାଇଜଯାକର ସୁଧୀସଭା ବସିଛି । ଖଣ୍ତା ଆଉ ବର୍ଚ୍ଛାର ସାଜ ପକାଇ ରକ୍ଷୀମାନେ ଖାଡ଼ା ନଜରରେ ଠିଆ ହୋଇଚନ୍ତି । ସେଦିନର ବିଚାର ଦେଖିବାକୁ ଯେଉଁମାନେ ଆସିଥିଲେ, ଅମୀର୍‍ ଆସିବାବେଳକୁ ସମସ୍ତେ ଠିଆ ହୋଇ ଅଭିବାଦନ ଜଣାଇଲେ । ଅମୀର୍‍ଙ୍କର ଆଖିରୁ ନିଆଁବାଣ ବାହାରି ଯେପରି ସମସ୍ତଙ୍କୁ ଭୟାଭିଭୂତ କରି ରଖିଚି ।

 

ଦରବାର ଘଣ୍ଟି ବାଜିଉଠିଲା; ବିଚାରର ବେଳ ଆସି ପହଞ୍ଚିଲା । ହଠାତ୍ ଅମୀର୍‍ ହାତ ଟେକି ଗମ୍ଭୀରଭାବେ ଆଦେଶ ଦେଲେ, ଆଜିକାର ଆସାମୀମାନଙ୍କୁ ଜଣ ଜଣ କରି ହାଜିର କରାଅ ଏବଂ ସେମାନଙ୍କ ନାଁ ରେ ଯେଉଁ ଅଭିଯୋଗମାନ ଅଛି, ସେସବୁ ମୋ’ ଆଗରେ ପେସ୍ କର ।

 

ମଣିଷଖିଆ ବାଘ ପାଟି ଆଁ କଲା ପରି ତତ୍‍କ୍ଷଣାତ୍ କରାଗାରର ମୁଦା କବାଟ ଖୋଲିଗଲା । ସେଇ ପାତାଳତଳର ଅନ୍ଧାର ଗର୍ତ୍ତ ଭିତରୁ ଜଞ୍ଜିର ଝଣ୍ ଝଣ୍ ହେବାର ଶବ୍ଦ ଶୁଣାଗଲା । ତା’ ସଙ୍ଗକୁ ପୁଣି ବନ୍ଦୀମାନଙ୍କର ଚିତ୍କାର । ଦରବାର ଗୋଟାକଯାକ ମଣିଷ ଆଖି ଟେକି ଅନାଇ ରହିଥାନ୍ତି । ମରଣର ଶିକାର ପରି ପ୍ରଥମ କଏଦିଟିକୁ ନରକ ଭିତରୁ ଫିଟାଇ ଦିଆଗଲା । ଦି’ ପାଖରେ ଦି’ ଜଣ ରଖୁଆଳି ସୈନ୍ୟ ଥାଇ ଜଣେ ଯୁବକକୁ ଅମୀର୍‍ଙ୍କ ସାମନାକୁ ଅଣାଗଲା । ତା’ର ହାତ ଦୁଇଟି ପଛପଟରେ ବେଡ଼ିପଡିଛି । ଯୁବକର ସଙ୍କଳ୍ପଦୃଢ଼ ମୁଖମଣ୍ତଳରୁ ତା’ର ସାଧୁ ଉଦ୍ଦେଶ୍ୟ ଓ ହୃଦୟର ବଳର ଯଥେଷ୍ଟ ପରିଚୟ ମିଳୁଥାଏ । ଦରବାର ମଝିରେ ତାକୁ ଆଣି ଠିଆ କରାଇ ଦେଇ ରକ୍ଷୀ ଦୁଇଜଣ ଦି’ ପାହୁଣ୍ତ ପଛକୁ ଘୁଞ୍ଚି ଠିଆହେଲେ । କଟମଟ ଆଖି କରି ଅମୀର୍‍ ଗର୍ଜନ କରି ଉଠିଲେ, “ଦରବାରରେ ଠିଆ ହୋଇ ବି ତ ଏ ଲୋକଟାର କମ୍ ଦମ୍ଭ ନୁହେଁ । ଇଏ କି ଦୋଷ କରିଛି ?” ଜଣେ ଦରବାରୀ ଉଠି କହିଲା, “ଧର୍ମାବତାର, ଏ ଜଣେ ଖୁଣୀ ଆସାମୀ । ଅମୀର୍‍ଙ୍କର ଜଣେ କର୍ମଚାରୀ ରାଜକାର୍ଯ୍ୟରେ କାଲି ଗାଁରେ ବୁଲୁଥିଲାବେଳେ ଆସାମୀ ତାଙ୍କୁ ହତ୍ୟା କରିଚି । ଲହୁଲଗା ଖଣ୍ତା ସମେତ ଆମର ସୈନ୍ୟମାନେ ତାକୁ ଗିରଫ କରି ଆଣିଛନ୍ତି-। “ଆଖି କଟମଟ କରି ଅମୀର୍‍ ଆଦେଶ କଲେ, “ଆସାମୀକୁ କଏଦୀଖାନାକୁ ନେଇଯାଇ ଅନ୍ଧାର ଘରେ ଜବର କରି ବେଡ଼ି ଦେଇ ରଖ । କାଲି ସକାଳେ ତା ନିଜ ଖଣ୍ତାରେ ତା’ର ମୁଣ୍ତ କାଟ କରି ଲାଶ୍‍ଟାକୁ ବଣ ଭିତରେ ଫୋପାଡ଼ି ଦିଅ । ତା’ର ମାଂସରେ ବଣଜନ୍ତୁଙ୍କର ପେଟ ପୂରୁ ଓ ଶବର ଦୁର୍ଗନ୍ଧ ପବନରେ ଭାସି ଭାସି ତା’ରି ପରିବାର ଓ ସ୍ୱଜନମାନଙ୍କ ନାକରେ ଯାଇ ପଶୁ-।’’ ଅମୀର୍‍ଙ୍କର ଘୋଷଣା ପରେ କଏଦୀକୁ ବନ୍ଦୀଶାଳାକୁ ଫେରାଇ ନିଆଗଲା । ଯୌବନ-ଢଳଢ଼ଳ ଏଇ ଯୁବକଟିକୁ ଦେଖି ସେଦିନ ଦୁଃଖରେ ସମସ୍ତଙ୍କର ଆଖି ନଇଁଗଲା ।

 

କିଛି ସମୟ ପରେ ସୈନ୍ୟମାନେ ଦୁଇ ନମ୍ବର ଆସାମୀକୁ ଆଣି ହାଜର କରାଇଲେ । ଆସାମୀ ଜଣେ ସ୍ତ୍ରୀ ଲୋକ– ଦେହରେ ଶୀର୍ଣ୍ଣ ସୌନ୍ଦର୍ଯ୍ୟର ପ୍ରତିଛାପ । ତା’ର ମୁହଁ ଉପରେ ଉତ୍ପୀଡ଼ନ ଓ ହତାଶାର ପାଣ୍ତୁର ଚିହ୍ନମାନ ଅତି ସ୍ପଷ୍ଟ ହୋଇଉଠୁଥାଏ । ଆଖି ପତା ଦୁଇଟା ଲୁହରେ ଫଉଲି ଫୁଲି ଯାଇଥାଏ, ଦାରୁଣ ଦୁଃଖ ଭାରରେ ମୁଣ୍ତଟା ଯେପରି ଆଗକୁ ଝୁଲି ପଡ଼ିଥାଏ । ତାର ଗୋଡ଼ରୁ ତାଳୁଯାଏ ଆଖି ପକାଇ ଅମୀର୍‍ କହିଲେ, “ଏ ମାଇପିଟିର ଦେହରୁ ପଳେ ମାଂସ ବି ଖୋଜିଲେ ମିଳିବ ନାହିଁ-ଠିଆ ହେଲାବେଳକୁ ଗୋଟାଏ ମୁର୍ଦ୍ଦାରର ଛାଇ ପରି ଦେଖାଯାଉଚି । ଏ ପୁଣି କି ଦୋଷ କରିଛି ?” ସୈନ୍ୟଙ୍କ ଭିତରୁ ଜଣେ କହିଲା, “ହଜୁର, ଏ ଗୋଟାଏ କୁଳଟା । କାଲି ରାତିରେ ତା’ର ସ୍ୱାମୀ ଦେଖିଲାବେଳକୁ ସେ ଯାଇ ଆଉ ଜଣକ ପାଖରେ ଶୋଇଥିଲା । ଇତର ଲୋକଟା ଖସି ପଳାଇଯିବା ପରେ ସ୍ୱାମୀ ୟାକୁ ଅଦାଲତରେ ଆଣି ହାଜର କରାଇଛି ।’’ ମାଇପିଟିର ଶୁଖିଲା ମୁହଁ ଉପରେ ଥରେ ଆଖି ବୁଲାଇ ଦେଇ ଅମୀର୍‍ ଆଦେଶ ଦେଲେ, “ୟାକୁ ଅନ୍ଧାର ଘରକୁ ନେଇ ଯାଇ ରାତିଯାକ ମୁନିଆ କଣ୍ଟାର ବିଛଣା ଉପରେ ଶୁଆଇ ରଖ, ନିଜ ପାପ ଦୋଷରୁ ଯେଉଁ ଆଶ୍ରୟକୁ ସେ ଦୂଷିତ କରିଛି, ତା’ରି କଥା ଯେପରି ସେ ଭଲ କରି ହେଜୁଥାଉ । ମଦ ଭିତରେ ଜାନୁଆର୍‍ର ପିତ୍ତ ମିଶାଇ ତାକୁ ପିଆଇ ଦିଅ, କାଲିକାର ମିଠା ଚୁମ୍ବନଗୁଡ଼ାକୁ ଯେପରି ସେ ଭଲ କରି ମନେ ପକାଉଥାଉ । କାଲି ସକାଳୁ ତାକୁ ଲଙ୍ଗଳା କରି ସହର ବାହାରକୁ ନେଇଯାଅ ଓ ଢିମା ପକାଇ ପକାଇ ମାରିପକାଅ । ତା’ର କଅଁଳ ମାଂସରେ ହେଟାଙ୍କର ପେଟ ଶାନ୍ତ ହେଉ, ତାର ହାଡ଼ରେ ପୋକ ପଡ଼ିଯାଉ । “ସ୍ତ୍ରୀଲୋକଟିକୁ କଏଦୀଘର ଭିତରକୁ ନିଆ ହେଲାବେଳେ ସମସ୍ତଙ୍କର ବିସ୍ମିତ ଆଖି ଯେପରି ଆହା ଆହା କରି ଉଠୁଥାଏ । ସମସ୍ତେ ଅମୀରଙ୍କ ବିଚିତ୍ର ବିଚାରରେ ଚକିତ ହୋଇ ଅଭାଗୀକୁ ମନେ ମନେ କୃପା କରୁଥାନ୍ତି । ତା’ ପରେ ସୈନ୍ୟମାନେ ତୃତୀୟ ଆସାମୀକୁ ନେଇ ଆସିଲେ । ଲୋକଟିର ଗୋଡ଼ ଟଳଟଳ ହେଉଥାଏ, ପୁଷ ପବନରେ ସୋରିଷ କିଆରୀର ଗଛ ପରି ସେ ଗୋଟାସୁଦ୍ଧା କମ୍ପୁଥାଏ । ମନେ ହେଉଥାଏ, ଯେପରି ସେ ଅତି ଦରିଦ୍ର ଓ ଦୟନୀୟ, ତା’ର ଶରୀରରେ ଯେପରି ମୋଟେ ବଳ ନାହିଁ । ଘୃଣାରେ ନାକ ଟେକି ଅମୀର କହିଲେ, “ଜୀଅନ୍ତା ମଣିଷଙ୍କ ସଭାକୁ ଏଇ ମଇଳା ମଲାଟା ଆସିଲା କୋଉଠୁ-? ଏ କି ଦୋଷ କରିଛି ?” ଜଣେ ରକ୍ଷୀ ଜଣାଇଲା, “ହଜୁର, ଇଏ ଗୋଟାଏ ଚୋର, କାଲି ମଠ ଭିତରେ ପଶି ମହାପ୍ରଭୁଙ୍କର ବାସନକୁସନ ଚୋରି କରିଛି । ଦେଉଳର ପୂଜାରୀମାନେ ତା’ର ଲୁଗାତଳୁ ବାସନତକ ବାହାର କରିଛନ୍ତି ଓ ତାକୁ ପୁଲିସକୁ ଦେଇ ଦେଇଚନ୍ତି ।’’

 

ଖଣ୍ତି ଚଢ଼େଇ ଉପରକୁ ଛଞ୍ଚାଣ ଆଖି ପକାଇଲା ପରି ଅମୀର ତାକୁ ଦେଖୁ ଦେଖୁ ଆଦେଶ ଦେଲେ, “ଆଜି ରାତିଟା ଇଏ ଜେଲ ଭିତରେ ବନ୍ଧା ହୋଇ ପଡ଼ିଥାଉ । ସକାଳ ହେଲେ ୟାକୁ ଗୋଟାଏ ଉଚ୍ଚ ଗଛରେ ନେଇ ଟାଙ୍ଗିଦିଅ । ସେଇ ଅଧାଶୂନ୍ୟରେ ସେ ସଢ଼ି ପଚି ମରୁ, ତା’ର ଦେହ ଚିନା ଚିନା କରି ପବନରେ ମିଳାଇଯାଉ ।’’ ଅବିରଙ୍କ ପରି କଏଦୀଟି ଯାଉଥିଲାବେଳେ ଲୋକେ ନିଜ ନିଜ ଭିତରେ ଫୁସଫାସ୍ ହେଉଥାନ୍ତି, “ଲୋକଟା ଦିହରେ ତ ଏତେ ଟିକିଏ ଜୋର ନାହିଁ । ମଠର ବାସନ ଚୋରି କରିବାକୁ ୟା’ ଭିତରେ ଏତେ ବଳ ଆସିଲା କୁଆଡ଼ୁ ?”

 

ବିଚାର ସରିଲା, ଦରବାର ଭାଙ୍ଗିଲା; ଗୁଣୀ, ପଣ୍ତିତ, ସୈନ୍ୟସାମନ୍ତଙ୍କ ଗହଣରେ ଅମୀର୍‍ ପହଡ଼ ଭିତରକୁ ଗଲେ । ଦେଖିବା ଲୋକେ ବି ଯିଏ ଯୁଆଡ଼େ ଭାଜି ଚାଲିଗଲେ । କଏଦୀମାନଙ୍କର ବିକଳ ଚିତ୍କାର ଛଡ଼ା ଦରବାରଠି ଆଉ କୌଣସି ସୋର ଶବ୍ଦ ଶୁଣାଗଲା ନାହିଁ । ଏସବୁ ଘଟଣା ଘଟିଯାଉଥିବା ବେଳେ ମୁଁ ଚଳନ୍ତା ଭୂତଙ୍କ ଆଗରେ ଖାଲି ଦର୍ପଣ ପରି ଠିଆ ହୋଇଥାଏ । ମଣିଷ ମଣିଷ ଲାଗି ଯୋଉ ଆଇନ୍ ତିଆରି କରିଛି, ଯାହାକୁ ମଣିଷ ଧର୍ମବିଚାର ବୋଲି ନିତି କହିଆସୁଛି, ଜୀବନର ଏଇପରି ନାନା ନିଗୁଢ଼ ପ୍ରଶ୍ନ ଭିତରେ ମୁଁ ଏକାବେଳେକେ ମଗ୍ନ ହୋଇ ଯାଇଥିଲି । ଭାବିଲି, ଏଇ ନିୟମରେ କଣ ସୃଷ୍ଟିସାରା ଚଳୁଚି ? ଏପରି ସଂସାରର ଅର୍ଥ ବା କଅଣ ? କଳାମେଘ ତଳର ଦିଗ୍‍ବଳୟରେଖା ପରି ମୋର ସମସ୍ତ ବୋଧଶକ୍ତି ଯେପରି କୁଆଡ଼େ ଅଦୃଶ୍ୟ ହୋଇଗଲା । ବାଟରେ ଆସୁ ଆସୁ ଭାବିଲି, “ମାଟିରୁ ଜୀବନ ନେଇ ଗଛପତର ବଞ୍ଚିଛି, ମେଣ୍ଢା ଗଛପତର ଖାଇ ବଞ୍ଚିଛି, ହେଟା ପୁଣି ମେଣ୍ଢାର ମାଉଁସ ଖାଉଚି, ଷଣ୍ଢ ହେଟାକୁ ମାରୁଚି ପୁଣି ସିଂହ ସେଇ ଷଣ୍ଢକୁ ଗୋଟାସୁଦ୍ଧା ଗିଳିପକାଉଚି, ତେବେ ବି ସିଂହ ଯମହାତରୁ ବର୍ତ୍ତି ପାରୁନାହିଁ । ଯମକୁ ଟପିଗଲା ଭଳି ଏପରି କୌଣସି ଶକ୍ତି କଣ ଏ ବ୍ରହ୍ମାଣ୍ତରେ ଅଛି, ଯାହା କି ସମସ୍ତ ନୃଶଂସତାକୁ ଦଳି ଦେଇ ସତ୍ୟ ଓ ନ୍ୟାୟର ସୃଷ୍ଟି ପ୍ରତିଷ୍ଠା କରି ପାରିବ ? ଜଗତରେ ଯାହା କିଛି ଅସୁନ୍ଦର ଆଉ କୁତ୍ସିତ, ସବୁଗୁଡ଼ିକୁ ସୁନ୍ଦର କରି ପାରିବାର ଯାଦୁ ଶକ୍ତି କେଉଁଠି ଅଛି ? ଜୀବନର ସମସ୍ତ ଉପାଦାନକୁ ହାତମୁଠାରେ ରଖି, ସମୁଦ୍ର ସହସ୍ର ଝରଣାସ୍ରୋତକୁ ବରଣ କରି ନେଲା ପରି ସମସ୍ତଙ୍କୁ ବୁକୁ ଉପରକୁ ଟାଣି ନେବାର ବିରାଟ ଭରସା ଆଜି କାହିଁ ? ଯାହାର ପ୍ରାଣ ଗଲା ଓ ଯେ ପ୍ରାଣ ନେଲା, ଯେଉଁ ପୁରୁଷ ବା ସ୍ତ୍ରୀ ପାପପ୍ରଣୟ କଲା, ଯାହାର ଚୋରି ହେଲା ବା ଯିଏ ଚୋରି କଲା, ଏ ସମସ୍ତଙ୍କୁ ଏକାଠି ଗିରଫ କରି ନେଇ ଅମୀର୍‍ର ଦରବାରଠାରୁ ଆହୁରି ବଡ଼ ଏକ ମହାବିଚାରାଳୟରେ ସେମାନଙ୍କର ବିଚାର କରିବାର କ୍ଷମତା କାହାର ଅଛି ?”

 

ତା’ ଆର ଦିନ ସକାଳେ ମୁଁ ସହର ଛାଡ଼ି ପଡ଼ିଆ ଆଡ଼େ ଅନେକ ଦୂର ବୁଲି ଚାଲିଗଲି । ନିର୍ଜନତା ସେଠି ଆତ୍ମା ଆଗରେ ମନର ଚିରାଭିଳାଷକୁ ଚିହ୍ନାଇ ଦେଇ ଯାଏ, ମୁକ୍ତ ଶୁଦ୍ଧ ଆକାଶ ସେଠି ସଂକୀର୍ଣ୍ଣ ସହରଜୀବନର ହତାଶା ପୋକଗୁଡ଼ାକୁ ମାରି ପକାଏ । ପର୍ବତ କଡ଼କୁ ପହଞ୍ଚି ଦେଖିଲି ଦୂରରେ ପଲ ପଲ ହୋଇ କାଉ ଚଞ୍ଚାଣ ଉଡ଼ୁଚନ୍ତି । ସେମାନଙ୍କର କଣ୍ଠର କର୍କଶତା ଓ ଡ଼େଣାର ଫଡ଼ ଫଡ଼ ଶବ୍ଦରେ ଆକାଶଯାକ କମ୍ପିଉଠୁଚି । ଆଗକୁ ଯାଇ ଦେଖିଲି ଗୋଟାଏ ମଣିଷର ଶବ ଗଛଡ଼ାଳରେ ଝୁଲୁଛି; ସେ ପାଖରେ ଗଦାଏ ପଥର ଭିତରେ ଜଣେ ନଗ୍ନ ରମଣୀ ମରି ପଡ଼ିଚି ଏବଂ ଜଣେ ଯୁବକର କବନ୍ଧ ମୂର୍ତ୍ତିଟା ଖଣ୍ତେ ଦୂରରେ ଗଡ଼ୁଚି– ରକ୍ତଭିଜା ମାଟି ଲଗା ହୋଇ ମୁଣ୍ତଟା ବି ତା’ ପାଖରେ ପଡ଼ିଚି । ଏ ବୀଭତ୍ସ ଦୃଶ୍ୟ ଆଗରେ ମୋର ଆଖି ଯେପରି ଅନ୍ଧ ହୋଇଗଲା; ଦାରୁଣ ଦୁଃଖର କଳା ପରଦାଟିଏ ପଡ଼ି ଯେପରି ପତା ଦୁଇଟାକୁ ଜବରଦସ୍ତି ବନ୍ଦ କରିଦେଲା । କେବଳ ସେଇ ମଲା ଶରୀରମାନଙ୍କ କୁଦ ଉପରେ ନାଚୁଥିବା ଯମର ଭୂତ ଛଡ଼ା ମୁଁ ଆଉ କୁଆଡ଼େ କିଛି ଦେଖି ପାରିଲି ନାହିଁ । ଚାରିଆଡ଼େ କେବଳ ଏଇ ଜୀବନନାଶର ବିକଟ ଚିତ୍କାର-। ମଣିଷଗଢ଼ା ଆଇନବହିର ଏଇ ଶିକାରମାନଙ୍କ ଶବ ଉପରେ କାଉଶାଗୁଣାଙ୍କର ଡାକ ଛଡ଼ା ମୁଁ ଆଉ କିଛି ଶୁଣି ପାରିଲି ନାହିଁ । କାଲି ଯେଉଁ ତିନି ଜଣ ଜୀବନର କୋଳରେ ହସି ଖେଳି ଦିନ କଟାଉଥିଲେ, ମଣିଷଗଢ଼ା ସମାଜର ନିୟମ ଅମାନ୍ୟ କରିବାରୁ ସେମାନଙ୍କୁ ଆଜି ମୃତ୍ୟୁର କବଳରେ ପଡ଼ିବାକୁ ହେଲା । ଜଣେ ମଣିଷ ଆଉ ଜଣେ ମଣିଷକୁ ମାରିଲେ ସମାଜ ତାକୁ ଖୁଣୀ ବୋଲି କହୁଛି । କିନ୍ତୁ ଏ ଅମୀର୍‍ ଯେତେବେଳେ ମଣିଷ ମାରୁଛନ୍ତି; ତାକୁ ଅନ୍ୟାୟ ବୋଲି କହିବାକୁ ଆଉ କେହି ନାହିଁ । ପ୍ରଜାଙ୍କ ଭିତରୁ କେହି ମଠରେ ପଶି ଚୋରି କଲେ ସମସ୍ତେ ତାକୁ ଚୋର ବୋଲି କହୁଚନ୍ତି, କିନ୍ତୁ ଅମୀର୍‍ ତାର ଜୀବନ ହରଣ କରିନେଲେ, ପାଟି ଫିଟାଇବାକୁ କେହି ନାହିଁ-। ଜଣେ ସାଧାରଣ ସ୍ତ୍ରୀ ସ୍ୱାମୀକୁ ଛାଡ଼ି ଚାଲିଗଲେ ସମସ୍ତେ ତାକୁ କୁଳଟା ବୋଲି କହୁଚନ୍ତି । କିନ୍ତୁ ଅମୀର୍‍ ଯେତେବେଳେ ତାକୁ ଲଙ୍ଗଳା କରାଇ ରାସ୍ତା ମଝିରେ ଚଲାଇ କରି ନେଇ ଶେଷରେ ପଥର ଫୋପାଡ଼ି ମରାଉଚନ୍ତି, ସେତେବେଳେ ଅମୀର୍‍ଙ୍କୁ ସମସ୍ତେ ବାହାବା କରୁଚନ୍ତି । ରକ୍ତପାତ କରିବା ଯଦି ମହାପାପ, ତେବେ ଅମୀର୍‍ଙ୍କ ବେଳକୁ କାହିଁକି ତାହା ପୁଣ୍ୟ ହୋଇଯିବ ? ପରଧନ ଚୋରି କରିବା ଯଦି ଅପରାଧ ହେଲା, ତେବେ ଜଣକର ଜୀବନ ନେବାଟାକୁ ସାଧୁବୋଲି କହି ହେବ କିପରି ? ନିଜ ସ୍ୱାମୀ ପାଖରେ ଅସତ୍ୟ ହେଲେ ଯଦି ସମସ୍ତେ ସ୍ତ୍ରୀକୁ କୁଳଟା ବୋଲି କହନ୍ତି, ତେବେ ଜୀଅନ୍ତା ମଣିଷଙ୍କୁ ଢେଲା ଫୋପାଡ଼ି ମରା ହେଉଥିବା ବେଳେ ସେଇମାନେ ଖୁସୀ ହୋଇ ଦେଖୁଚନ୍ତି କିପରି ? ପାପର ଶାସ୍ତି ଦେବାଲାଗି ଅଧିକ ପାପ କରି ଆମେ କେତେଦିନଯାଏ ତାକୁ ଆଇନ୍ ବୋଲି କହୁଥିବା ? ଦେଶରୁ ବ୍ୟଭିଚାର ଲୋପ କରିବା ନାଁରେ କେତେଦିନଯାଏ ଦେଶରେ ବିକଟ ବ୍ୟଭିଚାରମାନ ଚାଲିଥିବ ? ଅପରାଧ ଲୋପ କରିବାକୁ ମହାପରାଧମାନ କରି କେତେଦିନଯାଏ ଆମେ ନ୍ୟାୟବିଚାରର ଢମ ଦେଖାଉଥିବା ? ଅମୀର୍‍ ନିଜେ କହନ୍ତୁ, ଦିନେ ହେଲେ ସେ କଣ ତାଙ୍କର କୌଣସି ଶତ୍ରୁର ପ୍ରାଣ ନେଇ ନାହାନ୍ତି ? ସେ କଣ ଦୁର୍ବଳ ପ୍ରଜାମାନଙ୍କର ଧନସମ୍ପଦ ଲୁଟ କରି ନେଇନାହାନ୍ତି ? ସେ କଣ କେବେହେଲେ ପର ସ୍ତ୍ରୀ ଉପରେ ଅତ୍ୟାଚାର କରିନାହାନ୍ତି ? ଖୁଣୀ ଆସାମୀକୁ ମାରିଥିବା ଚୋରକୁ ଫାଶୀ ଦେଇଥିବା, କୁଳଟା ସ୍ତ୍ରୀକୁ ଢେଲା ମାରିଥିବା ଅମୀର୍‍ଙ୍କୁ ତଥାପି କଣ ପୁଣ୍ୟବାନ୍ ବୋଲି କୁହାଯିବ ? ଚୋରଟିକୁ ଯେଉଁମାନେ ଗଛରେ ଟାଙ୍ଗି ଦେଇ ଆସିଲେ, ସେମାନେ କଣ ଗୋଟିଏ ଗୋଟିଏ ସାଧୁ ନା ଚୋର ? ସେମାନେ ସମସ୍ତେ କଣ ସରଗରୁ ଖସି ପଡ଼ିଛନ୍ତି ? ଏଇ ଖୁଣିର ବେକରେ ଯେଉଁମାନେ ଚୋଟ ବସାଇଲେ, ସେମାନେ କଣ ଏକାବେଳେକେ ଭଗବାନଙ୍କର ଦୂତ ? ସେଇ ସୈନ୍ୟମାନେ କଣ ଜୀବନ ସାରା ରକ୍ତପାତ କରି ନିଜକୁ କଳୁଷିତ କରିନାହନ୍ତି ? କୁଳଟା ସ୍ତ୍ରୀ ଲୋକଟିକୁ ଯେଉଁମାନେ ପଥର ଫୋପାଡ଼ି ମାରିଲେ, ସେମାନେ କଣ ସମସ୍ତେ ସନ୍ନ୍ୟାସୀ, ସିଧା ନିଜ ନିଜର ଧର୍ମମଠରୁ ଉଠି ଆସିଥିଲେ ? ମୁର୍ଖ ଶାସନ ଆଇନର ଆଶ୍ରୟରେ ବଢ଼ି ସେମାନେ କଣ ବୀଭତ୍ସ ଅତ୍ୟାଚାର କରିବାରେ ଅସୁରର ଆନନ୍ଦ ପାଇ ନାହାନ୍ତି ? ଆଇନା ବା କୋଉ କଷଟିପଥର, କୋଉ ଦିନ ସେ ସୂର୍ଯ୍ୟ ସଙ୍ଗରେ ମଞ୍ଚ ଭୂବନକୁ ଓହ୍ଲାଇ ଆସିଥିଲା ? କୋଉ ସଚ୍ଚା ମଣିଷଟା ଭଗବାନଙ୍କୁ ଦେଖିଛି, ତାଙ୍କର ମତି ଓ ମତଲବକୁ ଠିକ୍ କରି ଜାଣିଚି ? କୋଉ ସଂସାରରେ କୋଉ ଯୁଗରେ ସତକୁ ସତ ଦେବଦୂତମାନେ ମର୍ତ୍ତ୍ୟରେ ଜନ୍ମ ହୋଇ ପ୍ରଚାର କରିଥିଲେ ଯେ ଦୁର୍ବଳକୁ ଜୀବନର ଆନନ୍ଦରୁ ବଞ୍ଚିତ କର, ଖରଶାଣ ଖଣ୍ତାରେ ଦେଶଦ୍ରୋହୀର ମୁଣ୍ତ ଉଡ଼ାଇ ସାଫ୍ କରି ଦିଅ, ଦୋଷ କରିବା ଲୋକକୁ ଲୁହା ଶାସନର ନିୟମରେ ଏକାଥରେ ପାତାଳକୁ ଚାପି ଦିଅ ?

 

ମନେ ମନେ ଏଇପରି ଗୋଟାଏ ଯନ୍ତ୍ରଣାର ଝଡ଼ ଚାଲିଥାଏ । ହଠାତ୍ ଘାସ ଉପରେ କାହାର ପାଦ ଶବ୍ଦ ଶୁଣି ପାରିଲି । ନିଘା କରି ଦେଖିଲି ଯୁବତୀ ଜଣେ ଏଇଆଡ଼କୁ ଆସୁଛି । ଅତି ସାବଧାନରେ ଚାରିଆଡ଼କୁ ଅନାଇ ତିନୋଟି ଶବ ପଡ଼ିଥିବା ସେଇ ଜାଗାରେ ସେ ଆସି ପହଞ୍ଚିଲା । ମୁଣ୍ତକଟା ଯୁବକଟି ଉପରେ ପ୍ରଥମେ ତା’ର ଆଖି ପଡ଼ିଲା । କାନ୍ଦି କାନ୍ଦି ସେ ସେଇଠି ଆଣ୍ଠୁମାଡ଼ି କଚାଡ଼ି ହୋଇ ପଡ଼ିଲା ଏବଂ ଥର ଥର ବାହୁ ଭିତରେ ମୁର୍ଦ୍ଦାର ଦେହଟାକୁ ଆଦରରେ ଜଡ଼ାଇ ଧରିଲା । ତା’ର ଆଖିରୁ ଲୁହଧାର ବୋହି ଯାଉଥାଏ, ଯୁବକଟିର ରକ୍ତବୋଳା କୁଞ୍ଚିତ କେଶ ଭିତରେ ଆପଣାର କଅଁଳ ଆଙ୍ଗୁଠିଗୁଡ଼ିକ ବୁଲାଉ ବୁଲାଉ ତା’ର ଭଗ୍ନ ହୃଦୟର ପ୍ରତ୍ୟେକ ତନ୍ତ୍ରୀ ଭିତରୁ ଯେପରି ଅତି ବିକଳ ରୋଦନ ଫାଟି ବାହାରି ଆସୁଥାଏ । ଆଉ ସେ ସହି ପାରିଲା ନାହିଁ । ମୁର୍ଦ୍ଦାରଟାକୁ ଗୋଟାଏ ଗାତ ଭିତରକୁ ଆଣି, କଟା ମୁଣ୍ତଟିକୁ ଠିକ୍ ଜାଗାରେ ଯୋଡ଼ି ସମସ୍ତ ଶରୀରକୁ ମାଟି ଦେଇ ଘୋଡ଼ାଇ ଦେଲା ଏବଂ ଯେଉଁ ଖଡ଼୍‍ଗରେ ଯୁବକଟିର ମୁଣ୍ତ କାଟ ହୋଇଥିଲା ସେହି ଖଡ଼୍‍ଗଟିକୁ କବର ଉପରେ ପୋତି ଦେଇ ଆସିଲା ।

 

ଯୁବତୀଟି ଠିକ୍ ଚାଲିଯିବାକୁ ବସିଛି, ମୁଁ ତା’ ପାଖରେ ଯାଇ ଠିଆ ହେଲି । ମୋତେ ଦେଖି ସେ ଗୋଟାସୁଦ୍ଧା ଥରୁଥାଏ, ଆଖି ଦୁଇଟା ଲୁହରେ ଝୁଲି ପଡ଼ିଥାଏ । ଗୋଟାଏ ଦୀର୍ଘନିଶ୍ୱାସ ପକାଇ ସେ କହିଲା, ‘ତୁମ ଖୁସି ହେଉଛି ତ ମତେ ଅମୀର୍‍ ପାଖରେ ଧରେଇ ଦିଅ, ଅତ୍ୟାଚାରୀ ହାତରୁ ମୋର ଜୀବନ ଯିଏ ରକ୍ଷା କରିଚି ତାରି ପଛେ ପଛେ ମୁଁ ବି ଚାଲିଯିବାକୁ ନିଜର ଭାଗ୍ୟ ପରି ମଣିବି । ବାଘ ଭାଲୁଙ୍କ ମୁହଁରେ ତାଙ୍କୁ ଛାଡ଼ି ଦେଇ ଚାଲିଯିବାଠାରୁ ମରିଯିବା ଢେର ଭଲ ।’ ମୁଁ ଅଭୟ ଦେଇ କହିଲି, ‘ଭଉଣୀ ! କିଛି ଭୟ ନାହିଁ । ତୁମେ ଆସିବା ଆଗରୁ ମୁଁ ମଧ୍ୟ ଯୁବକ ଲାଗି ଦୁଃଖ ପ୍ରକାଶ କରିଛି । କିନ୍ତୁ ସେ କିପରି ତୁମର ଇଜ୍ଜତ ବଞ୍ଚାଇଲା ସବୁ କଥା ଖୋଲି କରି ମୋ ଆଗରେ କହ ।’ କଥା ଢୋକି ଢୋକି ସେ କହିବାକୁ ଲାଗିଲା, “ଅମୀର୍‍ଙ୍କର ଜଣେ ପିଆଦା ଆମ ଘରକୁ ଖଜଣା ମାଗି ଆସିଥିଲା । ମୋ ଉପରେ ନଜର ପଡ଼ିଲା କ୍ଷଣି ଯେମିତି ସେ ହେଟା ପରି ଫୁଲି ଉଠିଲା । ବାପ ଉପରେ କୁଆଡ଼ୁ କଣ ଯୋଡ଼ିଯୋଡ଼ି ଏତେ ଖଜଣା ଭିଡ଼ି ଦେଲା ଯେ ତାକୁ ଶୋଧ କରିବାକୁ ଗୋଟିଏ ବଡ଼ ଲୋକର ବି ସାଧ୍ୟ ନ ଥାନ୍ତା । ବାପ ବା କୋଉଠୁ ଏତେ ପଇସା ଆଣନ୍ତା । ସେଉଠୁ ଖଜଣା ବଦଳରେ ବନ୍ଧକ ସ୍ୱରୂପ ମତେ ଅମୀର୍‍ଙ୍କ ପାଖକୁ ନେଇଯିବାକୁ କହି ସେ ମୋତେ ଗିରଫ କଲା । ମୁଁ କେତେ ନିକୁଟି ହୋଇ ଛାଡ଼ି ଦେବାକୁ କହିଲି, କିନ୍ତୁ ସେ ପଥରଟା ଟିକିଏ ହେଲେ ଶୁଣିଲା ନାହିଁ । ଶେଷକୁ ଭରସା ନ ପାଇ ମୁଁ ଡକା ପାରି କାନ୍ଦିବାକୁ ଲାଗିଲି । ଏଇ ଯୁବକଟି ଦଉଡ଼ି ଆସି ପିଆଦା ହାତରୁ ମୋତେ ବଞ୍ଚାଇଲା । ପିଆଦା ତାକୁ ମାରିବାକୁ ଯାଉଥିବାବେଳେ ସେ ଆମ ଘର କାନ୍ଥରେ ଝୁଲୁଥିବା ଗୋଟିଏ ଖଣ୍ତା ନେଇ ପିଆଦାକୁ ହାଣି ଦେଲା । ଡରୁଆ ଦୋଷୀ ପରି ଦଉଡ଼ି ପଳାଇ ନ ଯାଇ ସେଇ ମଲା ପିଆଦା ପାଖରେ ସେ ଠିଆ ହୋଇ ରହିଲା । ଶେଷରେ ଅମୀର୍‍ଙ୍କର ଲୋକ ଆସି ତାକୁ ବାନ୍ଧି ନେଇଗଲେ ।’’

 

କିଛିକ୍ଷଣ ପରେ ମୁଁ ଦେଖିଲି ଗୋଟିଏ ଯୁବକ ସେଇଠାକୁ ଆସିଲା । ସ୍ତ୍ରୀ ଲୋକଟିର ଶବ ପାଖକୁ ଯାଇ ହାତରେ ଥିବା ଚାଦରଟିରେ ତାର ଲଙ୍ଗଳା ଦେହକୁ ସେ ଅତି ଯତ୍ନରେ ଘୋଡ଼ାଇ ଦେଲା । ତାପରେ ଅଣ୍ଟାରୁ ଛୁରାଟିଏ ବାହାର କରି ସେଇଠି ଗୋଟିଏ ଗାତ ଖୋଳିଲା ଓ ଯୁବତୀଟିକୁ ନେଇ ତାରି ଭିତରେ ଶୁଆଇଦେଲା । କବର ଉପରେ ମାଟି ଦେଉ ଦେଉ ତା’ ଆଖିରୁ ଧାର ଧାର ଲୁହ ଗଡ଼ିଯାଉଥାଏ । କବରର କାମ ସାରି ସେ କେତେଗୁଡ଼ିଏ ଫୁଲ ତୋଳି ଆଣି ତାରି ଉପରେ ରଖିଦେଲା । ତା’ପରେ ଯିବାକୁ ବସିଛି ମୁଁ ତାକୁ ଡାକି ପଚାରିଲି, “ଏ ପତିତା ତୁମର କଣ ହୁଏ ? ତାର ନଗ୍ନ ଶରୀରକୁ ହିଂସ୍ରଜନ୍ତୁମାନଙ୍କ ମୁହଁରୁ ବଞ୍ଚାଇବାକୁ ତୁମେ ନିଜର ଜୀବନ ବିପନ୍ନ କରି ଏଠାକୁ ଆସିଲ କାହିଁକି ?” ମୋ ଆଡ଼କୁ ସେ କଟମଟ ହୋଇ ଅନାଇଥାଏ, ତାର ଦୁଇ ଆଖିରୁ କେତେ ଦୁଃଖର କାହାଣୀ ଅଜାଡ଼ି ହୋଇ ପଡ଼ୁଥାଏ । ସେ କହିବାକୁ ଲାଗିଲା, ‘ମୋରି ପ୍ରେମରେ ପାଗଳ ହୋଇ ସେ ଆଜି ପଥର ମାଡ଼ ଖାଇ ମଲା । ପିଲାଟି ଦିନରୁ ଆମେ ଦୁହିଙ୍କୁ ଦୁହେଁ ଅତି ଭଲ ପାଉଥିଲୁ । ପ୍ରେମଦେବତାର ସରଳ ପୂଜାରୀ ପରି ଅତି ଆନନ୍ଦରେ ଆମେ ଏକାଠିଁ ବଢ଼ି ଆସିଥିଲୁ । ସେଇ ଦେବତା ହିଁ ଆମର ଆତ୍ମାକୁ ଯୁଗଳ କରି ଆବୋରି ଧରିଥିଲା । ଦିନେ ମୁଁ ସହରରେ ନ ଥାଏ, ହଠାତ୍ ଆସି ଶୁଣିଲି ଯେ ତାର ବାପା ଜବରଦସ୍ତି କରି ଆଉ ଜଣେ ଲୋକ ସହିତ ତା’ର ବାହାଘର କରିଦେଇଛି । ସେଇଦିନଠୁଁ ମୋର ସମସ୍ତ ଜୀବନ ଖାଲି ଆନ୍ଦୋଳିତ ହେବାକୁ ଲାଗିଲା । ଜୀବନର ଦିନଗୁଡ଼ାକ ଯେପରି ଏକ ଅନ୍ଧାର ରାତି ପରି ମନେ ହେଲା । ମନେ ମନେ ଶାନ୍ତ ହେବାକୁ ଅନେକ ଭାବିଲି, କିନ୍ତୁ ହୃଦୟ ଥୟ ଧରି ପାରିଲା ନାହିଁ । ଶେଷରେ ଲୁଚିକରି ଦିନେ ତାକୁ ଦେଖିବାକୁ ଗଲି । ଖାଲି ତାର କମନୀୟ ଆଖି ଦିଓଟି ଦେଖିବି, ତାର କମ୍ର କଣ୍ଠରୁ ପଦେ କଥା ଶୁଣିବି, ଏହାଛଡ଼ା ମୋର ଆଉ ଅନ୍ୟ କୌଣସି ଇଚ୍ଛା ନ ଥିଲା । ତାଙ୍କ ଘରେ ଯାଇ ଦେଖିଲି, ସେ ଆପଣା ଭାଗ୍ୟକୁ ନିନ୍ଦି ଏକୁଟିଆ ବସି କାନ୍ଦୁଛି । ତା’ ପାଖରେ ଯାଇ ବସିଲି । ଦୁହେଁ ଚୁପ୍‍ ରହି ଦୁହିଁଙ୍କ ମନର କଥା ଶୁଣୁଥିଲୁ, କାହାରି ମନରେ ଏତେ ଟିକିଏ ପାପର ଭାବନା ନ ଥିଲା । ଏମିତି ଘଣ୍ଟାଏ କାଳ ଯିବା ପରେ ତାର ସ୍ୱାମୀ ଆସି ପହଞ୍ଚିଲା । ମୁଁ ତାକୁ ଧୈର୍ଯ୍ୟ ଧରିବାକୁ ସତର୍କ କରିଦେଲି, ତଥାପି ସେ ଦିହାତରେ ସ୍ତ୍ରୀଙ୍କୁ ଦାଣ୍ତକୁ ଘୋଷାରି ନେଇ କହିବାକୁ ଲାଗିଲା “ଗାଁ’ ଲୋକେ ଦେଖ ହେ, ମୋ ଗୁଣମତୀ ଭାରିଯା ଆଉ ତାର ପ୍ରେମିକ ପୁରୁଷକୁ ଦେଖ । ସାଈ ଲୋକେ ଚାରିଆଡ଼ୁ ଦଉଡ଼ି ଆସିଲେ, ପୋଲିସ ଆସି ତାକୁ ଅମୀର୍‍ଙ୍କ ହାଜତକୁ ଧରି ନେଇଗଲେ । କିନ୍ତୁ ମୋର କିଛି ଅନିଷ୍ଟ କଲେ ନାହିଁ । ବାପର ଭୁଲ ପାଇଁ ଅନ୍ଧ ଆଇନ ନାରୀକୁ ଶାସ୍ତି ଦେଲା ଓ ପୁରୁଷକୁ ଛାଡ଼ିଦେଲା ।’’

 

ଏତକ କହି ଯୁବକଟି ଚାଲିଗଲା ପରେ ମୁଁ ସେଇଠି ଠିଆ ହୋଇ ଭାବୁଥାଏ । ଗଛରେ ଟଙ୍ଗା ହୋଇଥିବା ଚୋରର ମଲା ଦେହଟା ପବନର ଝଲକାରେ ଥରକୁ ଥର ଦୋହଲି ଯାଉଥାଏ । ଘଣ୍ଟାକ ପରେ ଜଣେ ସ୍ତ୍ରୀ ଲୋକ ସେଠି ପହଞ୍ଚିଲା । ତା’ ମୁହଁରେ ଟୋପାଏ ହେଲେ ରକ୍ତ ନ ଥାଏ-। ଟଙ୍ଗା ହୋଇଥିବା ମଣିଷ ପାଖରେ ଠିଆ ହୋଇ ସେ ହାତଯୋଡ଼ି ପ୍ରାର୍ଥନା କରିବାକୁ ଲାଗିଲା-। ପ୍ରାଣପଣେ ଗଛ ଉପରକୁ ଉଠି ଦାନ୍ତରେ କାମୁଡ଼ି ଦଉଡ଼ିଟିକୁ କାଟିବା ପରେ ମୁର୍ଦାରଟା ଓଦା ଲୁଗାଟା ପରି ଦୁଲକିନା ତଳେ ପଡ଼ିଗଲା । ସ୍ତ୍ରୀ ଲୋକଟି ତଳକୁ ଓହ୍ଲାଇ ଆସି କବରଟିଏ ଖୋଳି ଅନ୍ୟ ଦୁଇ ଜଣଙ୍କ ପାଖରେ ତାକୁ ସମାଧି ଦେଇ ଆସିଲା । ଦି’ ଖଣ୍ତ କାଠିରେ କ୍ରସ୍‍ପରି କରି କବରର ମୁଣ୍ତ ଆଡ଼କୁ ଥୋଇ ଦେଲା । ଠିକ୍ ସହରକୁ ଫେରିଯିବାକୁ ବସିଛି, ମୁଁ ତାକୁ ଡାକି ପଚାରିଲି, “ତୁମେ କାହିଁକି ଚୋରଟିକୁ କବର ଦେବାକୁ ଆସିଥିଲ ?” ମୋ’ ଆଡ଼କୁ କରୁଣ ଦୃଷ୍ଟି ରଖି ସେ କହିଲା, “ସେ ମୋର ସ୍ୱାମୀ, ଜୀବନସାଥୀ; ମୋର ପାଞ୍ଚୋଟି ଉପାସିଆ ଦରଖିଆ ପିଲାଙ୍କର ବାପା ସେ । ବଡ଼ ପୁଅଟିକୁ ଆଠ ବର୍ଷ, ସାନଟି ଆଜିଯାଏ କୋଡ଼ରେ ଅଛି । ମୋର ସ୍ୱାମୀ କେବେହେଲେ ଚୋରି କରିନାହାନ୍ତି । ମଠରେ ହଳିଆ ଖଟି ମହନ୍ତ ଓ ବାବାଜୀମାନେ ଯାହା ଦେଉଥିଲେ, ସେଇଥିରେ ଆମେ ସାତ ପ୍ରାଣୀ ପୋଷି ହେଉଥିଲୁ । ପିଲାଟି ଦିନୁ ସେ ସେଇଠି ମୁହଁମାଡ଼ି ଖଟିଥିଲେ, କିନ୍ତୁ ବୁଢ଼ାଦିନେ ବଳ ନ ପାଇବାରୁ ତାକୁ ଗୋସେଇଁମାନେ କାମରୁ ତଡ଼ିଦେଲେ ଓ ପୁଅ ବଡ଼ହେଲେ ସେଠି ରଖେଇଦେବାକୁ କହିଲେ । ଭଗବାନଙ୍କ ରାଣ ପକାଇ ସେ କେତେ ନେହୁରା ହୋଇ କହିଲା, କିନ୍ତୁ ତା’ କଥା କାହାରି ପ୍ରାଣରେ ବାଜିଲା ନାହିଁ । ବୁଢ଼ା ବା ତା’ର ପାଞ୍ଚ ପାଞ୍ଚଟା ଭୋକିଲା ଛୁଆଙ୍କ ମୁହଁକୁ କେହି ଚାହିଁଲେ ନାହିଁ । ସହରଯାକ ବୁଲି ବୁଲି ବି ତାକୁ ଆଉ କେହି କାମ ଦେଲେ ନାହିଁ । ଦେହରେ ଜୋର ନ ଥିଲେ ବଡ଼ ଲୋକ ଚାକିରି ଦିଅନ୍ତେ କୁଆଡ଼ୁ ? ଶେଷକୁ ରାସ୍ତାକଡ଼ ଧୂଳି ଉପରେ ବସି ସେ ହାତ ପତାଇ ସମସ୍ତଙ୍କୁ ଭିକ ମାଗିଲା, ଉପାସ ଓ ଅପମାନର ଯନ୍ତ୍ରଣାର ଜୀବନରଣରେ ହାରିଯିବାର କାହାଣୀ ଘୋଷି ଘୋଷି ସେ ଭିକ ମାଗିଲା । ତଥାପି କେହି ତାକୁ ପଇସାଟିଏ ଦେଲେ ନାହିଁ, ଓଲଟି ଅଳସୁଆ କୋଢ଼ି ବୋଲି ନାକ ଟେକି ଚାଲିଗଲେ । ଦିନେ ରାତିରେ ପିଲାଗୁଡ଼ାକ ଭୋକରେ ଆଉଟି ପାଉଟି ହେଉଥାନ୍ତି, ସାନ ପୁଅଟା ମୋର ଶୁଖିଲା ଥନରୁ ଟୋପାଏ କ୍ଷୀର ପାଇବ ବୋଲି କି ବିକଳ ହେଉଥାଏ । ସ୍ୱାମୀ ଆଉ ସହି ପାରିଲା ନାହିଁ । ତା ଭିତରେ ଦୈତ୍ୟ ଗର୍ଜନ କରି ଉଠିଲା । ସେଇ ରାତିରେ ସେ ଘରୁ ବାହାରି ଚାଲିଗଲା । ମଠ ବାଡ଼ିରେ ପଶି ସେ ମାଣେ ହେବ ଗହମ ଚୋରିକରି ନେଇଆସିଲା । ଠିକ୍ ଚାଲି ଆସିଲା ବେଳକୁ ମହନ୍ତମାନଙ୍କର ନିଦ ଭାଙ୍ଗିଗଲା । ସମସ୍ତେ ତାକୁ ଧରି ମନଇଚ୍ଛା ମାଡ଼ ମାରିଲେ-। ସକାଳେ ଅମୀର୍‍ଙ୍କ ପାଖକୁ ଧରିଆଣି ଠାକୁରଙ୍କର ସୁନା ବାସନ ଚୋରି କରିବାକୁ ମଠରେ ପଶିଥିଲା ବୋଲି କହିଲେ । ସେଇଠୁ ତାକୁ ଜେଲକୁ ନିଆଗଲା ଓ ତା ଆରଦିନ ଫାଶୀରେ ଲଟକାଇ ଦିଆଗଲା । ନିଜର ମେହନତରେ ଯୋଉ ଫସଲ ସେ ଉପୁଜାଇଥିଲା, ସେଇ ମାଣକରେ ଉପାସୀ ଛୁଆଙ୍କୁ ବୋଧ କରିବାକୁ ଗଲା ବୋଲି ଅମୀର ତାକୁ ମାରି ତା’ର ମାଉଁସକୁ କାଉ, ଶାଗୁଣାଙ୍କୁ ଖାଇବାକୁ ଦେଲେ ।’’ ଏତକ କହି ସ୍ତ୍ରୀ ଲୋକଟି ସେଠୁ ଚାଲିଗଲା-। ସମସ୍ତ ଦୁଃଖର ବୋଝ ନେଇ ମୁଁ ସେଇଠି ଠିଆ ହୋଇ ରହିଲି ।

 

କବର ତିନୋଟି ପାଖରେ ମୁଁ ନିସ୍ତବ୍‍ଧ ହୋଇ ଠିଆ ହୋଇ ରହିଲି । ନାନା ଭାବନାରେ ହୃଦୟ ରୋଦନ କରୁଥିଲେ ମଧ୍ୟ ମୋର ସମସ୍ତ ଭାଷାକୁ ଯେପରି କିଏ ଏକାବେଳେକେ ରୁଦ୍ଧ କରି ଦେଲା । ନିର୍ବାକ୍ ହୋଇ ଠିଆ ହୋଇଥାଏ, ନୟନର ନୀରଧାର ଭାଷାର ସରିତ ଛୁଟାଇ ଆତ୍ମାର କରୁଣ କଥା କହି ଯାଉଥାଏ । କୌଣସି ଜିନିଷ ଚୁପ୍‍ କରି ବସି ଚିନ୍ତା କରିବାକୁ ଯେପରି ସମସ୍ତ ମନ ବିଦ୍ରୋହ କରି ଉଠିଲା; ଅନ୍ଧାର ଭିତରେ ଅନ୍ତରର ଫୁଲ ଫୁଟି ପାରନ୍ତା କିପରି ? ତାମସୀ ରାତ୍ରିର ମହା ଶୂନ୍ୟଗର୍ଭରେ ସେ ନିଜର ସୁଗନ୍ଧ ବିତରଣ କରନ୍ତା କିପରି ? ଅତ୍ୟାଚାରର ହତଭାଗ୍ୟ ଶିକାର ତିନୋଟି ଯେଉଁ ମାଟି ତଳେ ଶୋଇଥିଲେ, ସେଇ ମାଟିର ପ୍ରତ୍ୟେକ ଅଣୁ ବିଷାଦ-ବ୍ୟଥିତ କ୍ରନ୍ଦନରେ ଯେପରି ମୋର କାନ ଫଟାଇ ପକାଇଲେ । ଅନ୍ତର ଭିତରୁ ସହସ୍ର ଭାଷା ଯେପରି ଉଜାଣି ଜୁଆର ପରି ମାଡ଼ି ଆସିଲା । ମୁଁ ପୁଣି ନୀରବ ହୋଇ ଠିଆ ହେଲି, କିନ୍ତୁ ମଣିଷ ଯଦି ନୀରବତାର ପ୍ରକାଶମନ୍ତ୍ର ବୁଝୁଥାନ୍ତା, ଅରଣ୍ୟର କୁସୁମରାଶି ପରି ଭଗବାନଙ୍କର ଅତି ପାରୁଶରେ ତା’ର ଆସ୍ଥାନ ସଜା ହେଉଥାଆନ୍ତା । ମୋର ଅଶ୍ୱସ୍ତ ଆତ୍ମାର ଜ୍ୱଳନ୍ତ ଶିଖା ଯଦି ଏଇ ତରୁଶ୍ରେଣୀର ଦେହ ସ୍ପର୍ଶ କରିଥାନ୍ତା, ତେବେ ସେମାନେ ନିଶ୍ଚୟ ବିଦ୍ରୋହୀ ସେନା ସାଜି ନିଜର ଡାଳପତ୍ରର ଆଘାତରେ ଅମୀର୍‍ ସହିତ ଯୁଦ୍ଧ କରିବାକୁ ଛୁଟି ଯାଇଥାନ୍ତେ, ନିଶ୍ଚୟ ସେମାନେ ମଠ ବାଡ଼ି ସହିତ ମହନ୍ତ ବବାଜୀମାନଙ୍କର ମୁଣ୍ତ ଛତୁ କରାଇ ଦେଇଥାନ୍ତେ । ମୁଁ ସେଇଠି ବକା ପରି ଠିଆ ହୋଇଥାଏ– ମୋର ହୃଦୟର ସଞ୍ଚୟକୋଷରୁ କରୁଣାର ମଧୁର ଭାବନା ଓ ବିଷାଦର ସମସ୍ତ କରୁଣ ଭାବନା ସେଇ ତିନୋଟି ସମାଧି ଉପରେ ଅଜାଡ଼ି ହୋଇ ପଡ଼ୁଥାଏ । ଅବଳାର ସମ୍ମାନ ରକ୍ଷା କରିବାକୁ ଯେଉଁ ଯୁବକ କ୍ରୂର ମଣିଷର ଆକ୍ରମଣ ଆଗକୁ ଡେଇଁ ପଡ଼ିଥିଲା, ନିଜର ଅସୀମ ସାହସର ପୁରସ୍କାର ସ୍ୱରୂପ ଯାହାକୁ ଫାଶୀ ଦିଆଗଲା ଏବଂ ଲୋଭ, କାମ ଓ ବ୍ୟଭିଚାର ହାତରେ ପ୍ରାଣ ଦେବା ଆଗରୁ ଯେଉଁ ଯୁବତୀର ହୃଦୟରେ ବିମଳ ପ୍ରେମର ଶିଖା ହୁ ହୁ ଜଳୁଥିଲା, ଏଠି ସେହି ତିନୋଟି ପବିତ୍ର ଆତ୍ମାର ସମାଧି ଦିଆହୋଇଛି । ମରଣ ପର୍ଯ୍ୟନ୍ତ ସେ ଆପଣାର ପ୍ରେମର ଦୀପ ଜଳାଇ ରଖିଥିଲା । ମହନ୍ତର ପ୍ରାଣାନ୍ତ କାମ ଖଟି ଖଟି ନିଜ ପିଲାଙ୍କ ପାଇଁ ଦାନା ଗଣ୍ତାଏ ମାଗିଲାବେଳେ ଯାହାର ଆତ୍ମା ଉପରେ ପାହାର ଦିଆଗଲା, ସେହି ଦଳିତର ପ୍ରାଣ ଏଠି ମାଟିତଳେ ଶୋଇ ରହିଚି । ବାରଦ୍ୱାରେ ଭିକମାଗି ବୁଲିଲେ କି କେହି ତା’ କଥା ଶୁଣିଲେ ନାହିଁ ।

 

କିନ୍ତୁ ଶେଷରେ ଯେତେବେଳେ ନିଜ ଝାଳବୁହା ଅର୍ଜିଲା ଧନରୁ ମାଣେ ଆଣିବାକୁ ସେ ମନ ବଳାଇଲା, ସେତେବେଳେ ତାକୁ ଧରି ନିଆଗଲା, ଢେଲା ମାଡ଼ରେ ତା’ର ଜୀବନ ନିଆଗଲା । ତାର ଦୁଃଖିନୀ ବିଧବା ସ୍ୱାମୀର କବର ଉପରେ ଯେଉଁ କ୍ରସ୍ ପୋତି ଦେଇଗଲା, ହୁଏତ ସେଇ ଏଇ କଷଣରାତିର ସାକ୍ଷୀ ହୋଇ ରହିଲା । ଯୀଶୁଖ୍ରୀଷ୍ଟଙ୍କର ଧର୍ମ ନାମରେ ଯେଉଁମାନେ ମଣିଷର ତଣ୍ଟି କାଟୁଚନ୍ତି ଓ ଦୁର୍ବଳର ରକ୍ତ ପିଉଚନ୍ତି, ସେଇମାନଙ୍କ ବିରୁଦ୍ଧରେ ଯେପରି ଜବାବ ଦେବାକୁ ଏଇ କ୍ରସ୍ ଅପେକ୍ଷା କରି ରହିଲା ।

 

ପଶ୍ଚିମ ଚକ୍ରବାଳରେ ସୂର୍ଯ୍ୟ ବୁଡ଼ିଗଲେ । ଧରଣୀର ଦୈନ୍ୟ ଓ ମଣିଷର ଭୀରୁ ଆତ୍ମସମର୍ପଣରେ ବ୍ୟଥିତ ହୋଇ ଆଲୁଅ ଆଖି ବୁଜିଦେଲା । ନୀରବତାର ସକଳ ଗ୍ରନ୍ଥିକୁ ଅବଗୁଣ୍ଠନ କରି ପୁଣି ସେଇ ସନ୍ଧ୍ୟା ଯେପରି ମୃତ ପୃଥିବୀର ସମସ୍ତ ଶରୀର ଆଚ୍ଛାଦିତ କରିଦେଲା-। ମୁଁ ସେଇ ସମାଧି ଆଡ଼କୁ ହାତ ବଢ଼ାଇ ସରଗକୁ ଅନାଇ ଡାକି ଉଠିଲି, “ହେ ମୂର୍ତ୍ତିମାନ ସାହସ, ଏଇଠି ତୁମର ମଙ୍ଗଳ ଖଡ଼୍‍ଗ ମାଟିତଳେ ପୋତି ହୋଇ ପଡ଼ିଛି; ହେ ପ୍ରେମର ଦେବତା-! ଏଇଠି ତୁମର ଫୁଲରାଶି ଅଗ୍ନିଜ୍ୱାଳାରେ ମଉଳି ଯାଇଛି, ହେ ଖ୍ରୀଷ୍ଟ ଭଗବାନ । ରାତ୍ରିର ଅନ୍ଧାର ଗର୍ଭରେ ଏଇଠି ତୁମର କ୍ରସ୍ ହାହାକାର କରି ଉଠୁଛି !”

Image

 

ଧର୍ମଦ୍ରୋହୀ ଖଲିଲ୍‍

 

ଉତ୍ତର ଲେବାନନ୍‍ର ସେଇ ଛୋଟ ଏକୁଟିଆ ଗାଁଆଟିର ଲୋକେ ସେଖ ଆବାସଙ୍କୁ ରାଜା ପୁଅ ପରି ଖାତିର କରୁଥିଲେ । ଦରିଦ୍ର କୁଡ଼ିଆ କେତୋଟି ମଝିରେ ତାଙ୍କର କୋଠାଟି ରୁଗ୍‍ଣ ବାମନ ମେଳରେ ଭୀମକାୟ ରାକ୍ଷସ ପରି ଦେଖାଯାଉଥିଲା । ଗାଁଆସାରା ଲୋକେ ଦୁଃଖ ଗଞ୍ଜଣାରେ ଘାଣ୍ଟି ହେଉଥିଲାବେଳେ ଆବାସଙ୍କ ଘରେ ମଉଜ ମଜଲିସରେ ସୁଅ ଚାଲିଥିଲା । ଲୋକେ ତାଙ୍କ କଥାକୁ ମେଣ୍ଢାପଲ ପରି ମାନୁଥିଲେ । ସତେ ଯେମିତି ଦେବୀ ସରସ୍ୱତୀ ତାଙ୍କୁ ନିଜର ବରପୁତ୍ର ଓ ପ୍ରତିନିଧି କରି ପଠାଇଛନ୍ତି । ଆବାସ ଯେତେବେଳେ ରାଗି ଯାଉଥିଲେ ସେତେବେଳେ ସମସ୍ତେ ଭୟରେ ଥରଥର ହେଉଥିଲେ ଓ ଶୀତ ହାଓଆର ପାଚିଲା ପତର ପରି କିଏ କୁଆଡ଼େ ଛିନଛତ୍ର ହୋଇ ପଳାଉଥିଲେ । କାହାକୁ ସେ ଚାପୁଡ଼ା ଉଞ୍ଚାଇଲେ ଯଦି କିଏ ମୁହଁ ହଲାଇ ବା ବୁଲାଇ ଦେଉଥିଲା ବା ଚେହେଙ୍କି କରି ପଦେ କଥା କହୁଥିଲା, ତେବେ ତାକୁ ଦ୍ରୋହୀ ବୋଲି କଠିନ ଶାସ୍ତି ମିଳୁଥିଲା । ଆବାସ କାହାକୁ ହସି କରି କଥା କହିଲେ ଗାଁବାଲା ସମସ୍ତେ ତାକୁ ପରମ ଭାଗ୍ୟବାନ ବୋଲି ମଣୁଥିଲେ । ଦୁର୍ବଳ ବୋଲି ଯେ ଲୋକମାନେ ସେଖ ଆବାସକୁ ଏତେ ଅନୁସରଣ କରୁଥିଲେ ତାହା ନୁହେଁ, ସେମାନଙ୍କର ଦାରିଦ୍ର୍ୟ ହିଁ ସେମାନଙ୍କୁ ରାତ୍ରିଦିନ ଏହିପରି ଅପମାନ ସହିବାକୁ ବାଧ୍ୟ କରୁଥିଲା । ଗାଁଆର ଯାବତ ଜମିବାଡ଼ି ଜାଗାଜୁଗୁତି, ଏପରିକି ଘରଡ଼ିହ ଚୁଲିମୁଣ୍ତ ପର୍ଯ୍ୟନ୍ତ ସବୁ ଆବାସଙ୍କର ପୈତୃକ ସମ୍ପତ୍ତି ହୋଇ ରହିଥିଲା ।

 

ସେଖଙ୍କର ତତ୍ତ୍ୱାବଧାନରେ ଜମିର ଚାଷ, ବୁଣାବୁଣି ଓ ଫସଲ ଅମଳ ସବୁ ହେଉଥିଲା-। ଆବାସ ଚାଷୀମାନଙ୍କଠାରୁ ନାକଯାଏ ଖଟଣୀ ଆଦାୟ କରି ଆବାଦରୁ କାଣିଚାଏ ଦେଇ ସେମାନଙ୍କୁ ଭଣ୍ତାର ଦେଉଥିଲେ । ସେଇ କେତେ ପାହିଲି ଗହମରେ ଚାଷୀମାନଙ୍କର ପେଟକୁ ପୂରା ମୁଠା ଦାନା ମିଳିବ କୁଆଡ଼ୁ ?

 

ଫସଲ ଅମଳ ହେବା ପୂର୍ବରୁ ବେଳେ ବେଳେ ଚାଷୀଙ୍କର ବଣା ଖାଲି ଗଡ଼ୁଥିଲା । କେତେ କାନ୍ଦି ନେହୁରା ହୋଇ ସେମାନେ ଗଉଣିଏ, ଦୁଇ ଗଉଣି ଗହମ କରଜ କରି ନେଉଥିଲେ; ଏଇ ମହାଜନୀରେ ଦୁଇଗୁଣା ଲାଭ କରିବେ ଭାବି ସେଖ ଆବାସ କୁଣ୍ଢେ ମୋଟ ହୋଇ ଯାଉଥିଲେ । କରଜ ସୁଝି ନ ପାରି ଅନେକ ପ୍ରଜା ଜୀବନସାରା ତାଙ୍କର ଖାତକ ହୋଇ ରହୁଥିଲେ ଓ ନିଜ ପୁଅ ନାତିଙ୍କ ମୁଣ୍ତରେ ଦେଣାର ବୋଝ ଲଦି ଦେଇ ମରୁଥିଲେ । ତଥାପି ସେଖ ଆବାସ ବିରକ୍ତ ଓ କ୍ରୁଦ୍ଧ ହେବେ ବୋଲି ସେମାନେ ଦିନ ରାତି ଡରି ହରି ଚଳୁଥିଲେ ଏବଂ ଦଣ୍ତେ ତାଙ୍କର କୃପାର ପାତ୍ର ହେବା ଲାଗି ଜୀବନସାରା ଚେଷ୍ଟା କରି ଧନ୍ଦି ହେଉଥିଲେ ।

 

ସେ ବର୍ଷ ଶୀତ ଋତୁରେ ଭାରି ବରଫ ଓ ତୋଫାନ ଆସିଲା । କିଆରୀ ପାଟରେ କେବଳ ଥୁଣ୍ଟା ଗଛ ଛଡ଼ା ଆଉ କିଛି ବାକି ରହିଲା ନାହିଁ । ଜୀବନହୀନ ମଲା ଗହୀରରେ କେବଳ ସେଇଗୁଡ଼ାକ ଭୂତ ପରି ଠିଆ ହୋଇ ରହିଥିଲେ ।

 

ନୂଆ ଫସଲରେ ସେଖଙ୍କର ଅମାର ଭର୍ତ୍ତି କରି ଦେଇ ଏବଂ ଦ୍ରାକ୍ଷାରସରେ ତାଙ୍କର ସବୁ ପାତ୍ର ପୂର୍ଣ୍ଣ କରି ଚାଷୀଏ ଯେଝା ଘରକୁ ବାହୁଡ଼ିଗଲେ । ନିଆଁ ଉହ୍ମେଇ ଚାରିପାଖରେ ବସି ଦୁର୍ବହ ଜୀବନର ଅଳସ ପହରଗୁଡ଼ାକୁ କଟାଇ ଦେବା ଛଡ଼ା ସେମାନଙ୍କୁ ଅନ୍ୟ ବୁଦ୍ଧି ଜୁଟିଲା ନାହିଁ । ଆଗ କାଳର ସୁଖ ସମୟ ଓ ଏବର ଅଭାବ ଦୁଃଖ ବିଷୟରେ ଅଗମୂଳ ଏକାଠି କରି ନାନା ଗପରେ ସେମାନଙ୍କର ସମୟ ବେଶ୍ କଟିଯାଉଥିଲା ।

 

ରୌଦ୍ରଧୂସର ଆକାଶ ଭିତରେ ପୁରୁଣା ବର୍ଷଟି ମିଳାଇ ଯାଇଥାଏ । ସେଦିନ ବର୍ଷର ଶେଷ ଦିନ; ବିଶ୍ୱସିଂହାସନରେ ନୂଆ ବର୍ଷର ଅଭିଷେକ କରାଇବା ଲାଗି ରାତି ସଜବାଜ ହେଉଥାଏ, ହଠାତ୍ ଭୀଷଣ ବରଫ ବୃଷ୍ଟି ଆରମ୍ଭ ହୋଇ ଝଡ଼ ତୋଫାନ ମାଡ଼ି ଆସିଲା । ପର୍ବତଶିଖରରୁ ସମତଳ ପଡ଼ିଆଯାଏ ଝଡ଼ରେ କମ୍ପି ଉଠିଲା ଓ ପବନ ଗଦାମଦା ବରଫକୁ ଉପତ୍ୟକାର ଗହ୍ୱର ଭିତରକୁ ଉଡ଼ାଇ ନେଇଗଲା ।

 

ତୋଫାନରେ ଗଛଗୁଡ଼ାକ ମାତାଲଙ୍କ ପରି ହେଉଥାନ୍ତି, ଫସଲ କିଆରିଗୁଡ଼ାକ ବରଫରେ ପୋତି ହୋଇଯାଇ ଧଳା ଦେଖାଯାଉଥାଏ । ମୃତ୍ୟୁ ଦେବତା ତା’ରି ଉପରେ ଯେପରି କେତେ ଗାର ପକାଇ ପୁଣି ଲିଭାଇ ଦେଇଥାଏ । ପର୍ବତ ତଳ ଗାଁ ଗଣ୍ତାର ଦୁଇ ପାଖରେ କୁହୁଡ଼ି ଘୋଟି ଯାଇଥାଏ । ନିର୍ମମ ପ୍ରକୃତିର ଖର ନିଶ୍ୱାସରେ ଦରିଦ୍ର କୁଡ଼ିଆର ଜୀର୍ଣ୍ଣ ବତୀଗୁଡ଼ିକ କେତେବେଳୁ ଲିଭି ଯାଇଥାନ୍ତି ।

 

ପ୍ରକୃତିର ଏ ବିପର୍ଯ୍ୟୟ ଦେଖି ଚାଷୀକୁଳ ପ୍ରମାଦ ଗଣିଲେ । ଗୋରୁ ଗାଈ ଗୁହାଳ ଭିତରେ ସେମିତି ବନ୍ଧା ହୋଇ ପଡ଼ିଥାନ୍ତି, କୁକୁରଗୁଡ଼ାକ ଗୋହିରୀ କନ୍ଦି ଦେଖି ଗୁଞ୍ଜି ହୋଇ ଯାଇଥାନ୍ତି । ପାହାଡ଼ ଖୋଲର ଉପତ୍ୟକା ଭିତରୁ ଝଡ଼ ତୋଫାନର ଗର୍ଜନ ଗାଁଆଯାଏ ଶୁଭୁଥାଏ । ଗଲା ବର୍ଷଟା ଚାଲିଯାଉଛି ବୋଲି ପ୍ରକୃତି ହଠାତ୍ କ୍ରୁଦ୍ଧ ହୋଇ ଉଠିଛି କି ? ବରଫ ଝଡ଼ର ମାରଣ ବାଣରେ ନିରୀହ ଚାଷୀମାନଙ୍କର ପ୍ରାଣ ନେଇ ସେ କଣ ପ୍ରତିଶୋଧ ନେବାକୁ ଆସିଛି କି ?

 

ଏଇ ଭୟାବହ ରାତିର ଅନ୍ଧକାରରେ ‘ଡିଏର୍ ଖିଜାୟା’ ଗାଁରୁ ସେଖ ଆବାସଙ୍କ ଗାଁଆକୁ ପଡ଼ିଥିବା ରାସ୍ତାର ନାନା ମୋଡ଼ବାଙ୍କ ଦେଇ ଜଣେ ଯୁବକ ବାଟ ଚାଲି ଆସୁଥିଲା । ହାତଗୋଡ଼ଗୁଡ଼ାକ ଶୀତରେ କୋଇ ମାରି ଗଲାଣି, ଦେହର ପରାଶ ସଙ୍ଗେ ସଙ୍ଗେ ପେଟ ଭିତରର ଭୋକ ତାକୁ ଏକାବେଳେକେ ମଲାଙ୍କ ପରି କରି ଦେଇଥାଏ । ପିନ୍ଧିଥିବା ମଇଳା ଲୁଗାଖଣ୍ତକ ବରଫ ବାଲୁବାଲୁ ହୋଇଥାଏ । ସତେ ଅବା ମଲାପୂର୍ବରୁ ଚାଦରରେ କିଏ ତା’ର ଦେହକୁ ଘୋଡ଼ାଇ ଦେଇ ଯାଇଛି । ଅତି କଷ୍ଟରେ ପହୁଣ୍ତକୁ ପହୁଣ୍ତ ପକାଇ ପବନମୁହାଁ ହୋଇ ସେ ଚାଲିଥାଏ । ଶେଷରେ ଆଉ ଚାଲି ନ ପାରି କାହାଠାରୁ ସାହାଯ୍ୟ ପାଇବ ବୋଲି ସେ ଦଣ୍ତେ ଠିଆ ହୋଇ ରହିଲା । ଶୀତରେ ଶରୀର ଗୋଟାକ ଥରିଯାଉଥାଏ । ହତାଶା ଓ ଦୁଃଖ ଭିତରେ ତା’ର ଆଶା ଅତି କ୍ଷୀଣ ହୋଇ ଯାଇଥାଏ । ସତେ ଯେପରି କେଉଁ ଡେଣାଛିଣ୍ତା ଚଢ଼େଇ ଝରଣାରେ ପଡ଼ି ଯାଇ ସୁଅମୁହଁର ମଳମଳିରେ ତଳକୁ ଦବି ଦବି ଚାଲିଯାଉଛି ।

 

ଏମିତି ପଡ଼ି ଉଠି ଧାଇଁ ଧାଇଁ କେତେବେଳେ ତା’ର ରକ୍ତ ଜମାଟ ବାନ୍ଧି ଯୁବକଟି ସନ୍ନିପାତ ହୋଇ ପଡ଼ିଗଲା । ଶେଷଥର ପାଇଁ ଚେଷ୍ଟା କରି ଗୋଟାଏ ବିକଳ ଚିତ୍କାର ତାର ମୁଖ ଭିତରୁ ବାହାରି ଆସିଲା । ମରଣମୁହଁରେ ଗ୍ରାସ ହୋଇ ପଡ଼ିବା ଆଗରୁ ତାର ସମସ୍ତ ଆତ୍ମା ଯେପରି ଚିତ୍କାର କରି ଉଠିଲା । ମଣିଷ ସମାଜଦ୍ୱାରା ପ୍ରପୀଡ଼ିତ ଓ କ୍ରୂର ପ୍ରକୃତିର କବଳିତ ମ୍ରିୟମାଣ ଯୁବକର ସେଇ ବିକଳ ଶେଷ ଚିତ୍କାର– ପ୍ରାଣମୟ ଅସ୍ତିତ୍ୱର ସ୍ନେହମୟ ବାଣୀ ସେ ଅରଣ୍ୟରୋଦନ ପରି ଶୂନ୍ୟରେ ମିଳାଇଗଲା ।

 

–୨–

 

ଗାଆଁଟିର ଉତ୍ତର ପାରୁଶରେ ତୋଫାନ ପବନର ସେଇ ଗହୀର ମଝିରେ ରାଚେଲ୍ ବୋଲି ଜଣେ ସ୍ତ୍ରୀଲୋକର କୁଡ଼ିଆଘର ଖଣ୍ତେ । ତା’ର ଝିଅ ମିରିଅମ୍ ଏବେ ବି ଅଠର ପାର ହୋଇନାହିଁ । ଛଅ ବର୍ଷ ତଳେ ତା’ର ସ୍ୱାମୀ ସମାନ୍ ରାମିକୁ କିଏ ଖୁନ୍ କରି ଦେଇଥିଲା, କିନ୍ତୁ ଗରିବ ବୋଲି ରାଜ୍ୟର ରାଜା ସେ ଖୁଣୀକୁ ଧରିବାକୁ ଚେଷ୍ଟା କଲେ ନାହିଁ ।

 

ଲେବାନନ୍‍ର ସବୁ ବିଧବାଙ୍କ ପରି ରାଚେଲ୍‍କୁ ମଧ୍ୟ ଖୁବ୍ ଖଟି ପରିଶ୍ରମ କରିବାକୁ ପଡ଼ୁଥିଲା । ଫସଲକଟା ମାସ ହେଲେ ସେ ବିଲରେ ବୁଲି ବୁଲି ଚାଷୀମାନେ ଛାଡ଼ିଯାଇଥିବା କେଣ୍ତାମାନ ଗୋଟାଇ ଆଣୁଥିଲା । ଫଳ ପାଚିବାର ଦିନ ଆସିଲେ ତୋଟାକୁ ଯାଇ ଗଛପଡ଼ିଲା ଫଳ କେଇଟା ବି ସାଉଁଟି ଆଣିବାକୁ ଛାଡ଼ୁ ନ ଥିଲା । ଶୀତଦିନରେ ପଶମର ସୂତା କାଟି ପୋଷାକ ତିଆରି କରୁଥିଲା ଓ ସେସବୁ ବିକି ଟଙ୍କାଏ ମସାଏ ବା ସେରେ ମାଣେ ତା’ର ଉପାର୍ଜନ ହେଉଥିଲା-। ସୁନ୍ଦରୀ ଝିଅ ମିରିଅମ୍ ମଧ୍ୟ ସବୁବେଳେ ବୁଢ଼ୀ ମା’ର ପାଖେ ପାଖେ ରହି ତା’ର କାମରେ ସାହାଯ୍ୟ କରୁଥିଲା ।

 

ସେଇ ଭୀଷଣ ଝଡ଼ ରାତିରେ ମା’ଝିଅ ଦୁହେଁ ଉହ୍ମେଇ ଜାଳି ବସିଥାନ୍ତି । ଘରଯାକ କୁହୁଡ଼ି ଘୋଟି ନିଆଁରେ ଆଉ ତାତ ନ ଥାଏ, ନିଆଁ ରଡ଼ ସବୁ ପାଉଁଶ ଭିତରେ ପୋତି ହୋଇ ଯାଇଥାଏ । ବିଦୀର୍ଣ୍ଣ ହୃଦୟ ଭିତରେ ଆଶାର ରେଖା ଆଙ୍କି ଦେବାର ପ୍ରାର୍ଥନା ପରି କ୍ଷୀଣ ଦୀପଟିର ପୀତ ଆଲୋକରେ ଅନ୍ଧକାରର ବକ୍ଷ ଆଲୋକିତ ହୋଇ ଉଠିଥାଏ ।

 

ରାତି ଅଧ ହୋଇଗଲାଣି, ଭୁବନ ଗୋଟାକର ପିଟା ପବନ ଯେପରି ସେମାନଙ୍କ କାନରେ ବାଡ଼େଇ ହୋଇ ଯାଉଚି । ମିରିଅମ୍ ବେଳେ ବେଳେ ଉଠିଯାଇ ଜଳାକବାଟି ବାଟେ ଆଚ୍ଛନ୍ନ ଆକାଶକୁ ଚାହିଁ ଦେଖୁଛି, ବାରବାର ପ୍ରଳୟ ପବନରେ ତ୍ରସ୍ତ ହୋଇ ପୁଣି ଆସି ବସୁଛି ।

 

ହଠାତ୍ ଯେପରି କଣ ଗୋଟାଏ ହୋଇ ତା’ର ତନ୍ଦ୍ରା ଭାଙ୍ଗିଗଲା । ସେ ଠିଆ ହୋଇ ପଡ଼ି ମାଆକୁ କହିଲା, “ବୋଉ, ଶୁଣିଲୁ, କିଏ ଯେମିତି କୋଉଠୁ ବିକଳ ହୋଇ ଡାକିଲା ?” ମା’ ଘଡ଼ିଏ କାନ ଡେରି କହିଲା “ନା, କୁଆଡ଼େ ତ କିଛି ନାହିଁ, ଖାଲି ପବନଟା ଗର୍ଜନ କରି ଉଠୁଛି ।’’ କିନ୍ତୁ ମିରିଅମ୍ ସେଥିରେ ବୋଧ ହୋଇପାରିଲା ନାହିଁ । “ନା ବୋଉ, ଆକାଶରେ ବଜ୍ରନିର୍ଘୋଷ ଠାରୁ ଆହୁରି ଗମ୍ଭୀର, ଝଡ଼ର କ୍ରନ୍ଦନ ଠାରୁ ଆହୁରି ମର୍ମନ୍ତୁଦ ଯେପରି କାହାର କଣ୍ଠସ୍ୱର ମୋ’ କାନରେ ଆସି ବାଜିଲା !”

Unknown

 

କବାଟ ଫିଟାଇ ସେ ଘଡ଼ିଏ ବାହାରେ ଯାଇ ଠିଆ ହେଲା ଓ ଏଣେ ତେଣେ ଅନାଇବାକୁ ଲାଗିଲା । ହଠାତ୍ ଚିତ୍‍କାର କରିଉଠିଲା, ‘ମୁଁ ପୁଣି ଥରେ ଶୁଣିବାକୁ ପାଇଲି, ବୋଉ-!” ରାଚେଲ ତରତର ହୋଇ କବାଟ ଫିଟାଇ ଦଉଡ଼ିଗଲା ଓ କାନ ଡେରି କହିଲା, “ହଁ, ମୁଁ ବି ଶୁଣିପାରୁଛି; ଚାଲ୍ ଯାଇ ଦେଖିବା ।’’

 

ଶୀତରୁ ରକ୍ଷା ପାଇବାକୁ ବେଶ୍ ଲମ୍ବା ଗୋଟାଏ କିଛି ପିନ୍ଧି ପକାଇ ସେ ଧୀରେ ଧୀରେ କବାଟ ଫିଟାଇ ବାହାରକୁ ଗଲା । ମିରିଅମ୍ ସେମିତି କବାଟ ଧରି ଠିଆ ହୋଇଥାଏ, ପବନରେ ତା’ର ବାଳଗୁଡ଼ାକ ଫୁର ଫୁର ଉଡ଼ୁଥାଏ ।

 

ବରଫ ଭିତରେ କଷ୍ଟେ ମଷ୍ଟେ କିଛି ଦୂର ଗଲା ପରେ ରାଚେଲ୍ ଠିଆ ହୋଇ ବଡ଼ ପାଟିରେ କହିଲା, “କିଏ ଡାକୁଚି, କୋଉଠି ଡାକୁଚି ?” କୁଆଡ଼ୁ କିଛି ଜବାବ ନାହିଁ । ସେ ବାର ବାର ସେମିତି ପାଟି କରି ଡାକିଲା, କିନ୍ତୁ ଘଡ଼ଘଡ଼ିର ଗର୍ଜନ ଛଡ଼ା ଆଉ କିଛି ଶୁଣାଗଲା ନାହିଁ । ସାହସ ବାନ୍ଧି ସେ ଆଗକୁ ଯାଉଥାଏ, ଚାରିଆଡ଼କୁ ଅନାଇ ଦେଖୁଥାଏ । ଏମିତି କିଛି ସମୟ ପରେ ବରଫ ଉପରେ ସେ କାହାର ପାଦ ଚିହ୍ନ ଦେଖିବାକୁ ପାଇଲା । ଶଙ୍କି ଶଙ୍କି ସେ ପାଦଚିହ୍ନ ବାରି ବାରି ଯାଉ ଯାଉ ଦେଖିଲା ବରଫ ଉପରେ ଗୋଟାଏ ମଣିଷ ଶରୀର ପଡ଼ି ରହିଚି– ଠିକ ଧୋବ ଫରଫର ଲୁଗା ଉପରେ କଳା ଦାଗ ପରି । ତା’ ପାଖକୁ ଯାଇ ନଇଁପଡ଼ି ଦେଖିଲା ଏବେ ବି ପ୍ରାଣ ଯାଇ ନାହିଁ-। ଛାତି ଅତି ଧିମେଇ ଧିମେଇ ଚାଲୁଚି । କୁଡ଼ିଆଆଡ଼କୁ ମୁହଁ ବୁଲାଇ ରାଚେଲ୍ କହିଲା, “ମିରିଅମ୍, ଦଉଡ଼ିଆ, ମୁଁ ତାକୁ ପାଇଚି । “ଭୟ ଓ ଜାଡ଼ରେ ଥରି ଥରି ମିରିଅମ୍ ମାଆର ପାଦ ଚିହ୍ନ ବାରି ଦଉଡ଼ି ଆସିଲା । ସେଠି ପହଞ୍ଚି ଯୁବକଟିକୁ ଏପରି ମଲାଙ୍କ ପରି ପଡ଼ିଥିବାର ଦେଖି ସେ ଆଉ ତା କାନ୍ଦ ସମ୍ଭାଳି ପାରିଲା ନାହିଁ । ମାଆ ତାକୁ ବୋଧ ଦେଇ କହିଲା, “ଭୟ ନାହିଁ, ଏବେ ବି ପ୍ରାଣବାୟୁ ଯାଇ ନାହିଁ । ତା’ର ପୋଷାକର କାନି ଧରି ଉଠା, ତାକୁ ଆମ ଘରକୁ ନେଇଯିବା ।’’

 

ଦୁହେଁ ଯୁବକଟିକୁ ଉଠାଇ ସେହି ବରଫ ତୋଫାନ ପାର ହୋଇ କୁଡ଼ିଆରେ ଆସି ପହଞ୍ଚିଲେ ଓ ଘର ଭିତରେ ନିଆଁ ଉହ୍ମେଇ ପାଖରେ ତାକୁ ଶୁଆଇଦେଲେ । ରାଚେଲ୍‍ ଯୁବକଟିର ହାତଗୋଡ଼ ଘଷି ଦେଉଥାଏ ଓ ମିରିଅମ୍ ନିଜର ପଣତ କାନିରେ ତା’ର ଓଦା ବାଳ ପୋଛି ପକାଉଥାଏ । ଏମିତି କିଛି ସମୟ ପରେ ଯୁବକଟିର ଚେତା ଆସିଲା । ଆଖିପତା କମ୍ପାଇ କମ୍ପାଇ ସେ ଗୋଟିଏ ଦୀର୍ଘନିଃଶ୍ୱାସ ପକାଇଲା, ଏହି ନିଃଶ୍ୱାସ ଦୁଇଟି କରୁଣାସିକ୍ତ ନାରୀ ହୃଦୟରେ ଯେପରି କେତେ ଆଶା ଭରାଇ ଦେଇଗଲା । ସେମାନେ ତା’ର ଜୋତା ଖୋଲିଦେଲେ, ତା’ର କଳା ପୋଷାକ ବଦଳାଇ ଦେଲେ । ମିରିଅମ୍ ମାଆ ଆଡ଼କୁ ଚାହିଁ କହିଲା, “ବୋଉ, ତାଙ୍କ ପୋଷାକ ଦେଖିଲୁଣି ? ଏ ପୋଷାକ ତ ସନ୍ନ୍ୟାସୀମାନେ ପିନ୍ଧନ୍ତି ।’’ ଉହ୍ମେଇରେ ଶୁଖିଲା କାଠ ପକାଉ ପକାଉ ରାଚେଲ୍‍ ସବ୍ୟସ୍ତଭାବେ ଅନାଇ ଉତ୍ତର ଦେଲା, “ସନ୍ନ୍ୟାସୀ କାହିଁକି ଏ ଘୋର ଭୀଷଣ ରାତିରେ ପଦାକୁ ବାହାରିଥାନ୍ତେ ।’’ ମିରିଅମ ପୁଣି ପଚାରିଲା, “ସନ୍ନ୍ୟାସୀମାନେ ତ ଦାଢ଼ି ଲଗାଇଥାନ୍ତି, ୟାଙ୍କର ମୁହଁରେ ତ ଦାଢ଼ି ନ ଥିଲା ।’’ ରାଚେଲ୍ ତାର ମାତୃସୁଲଭ ସକରୁଣ ନୟନରେ ଯୁବକଟି ଆଡ଼କୁ ଅନାଇଲା, ତାପରେ ମିରିଅମ୍‍କୁ କହିଲା, “ସାଧୁ ହେଉ କି ସନ୍ନ୍ୟାସୀ ହେଉ, ଚୋର ହେଉ କି ତସ୍କର ହେଉ, ସେଥିରେ ଆମର ଯାଏ ଆସେ କଣ ? ତୁ ଆଗ ତା’ର ଗୋଡ଼ଟା ନିକ କରି ପୋଛି ଦେଲୁ । “ସିନ୍ଦୁକରୁ ଗୋଟିଏ ମଦବୋତଲ କାଢ଼ି ରାଚେଲ୍ ମାଟି ତାଟିଆଟିରେ କିଛି ମଦ ଅଜାଡ଼ି ରଖିଲା । ମିରିଅମ୍ ଯୁବକର ମୁଣ୍ତକୁ ଟେକି ଧରିଲା ଓ ମାଆ ତାକୁ ସେତକ ପିଆଇ ଦେଲା । ସେତକ ପେଟକୁ ଗଲାରୁ ଯୁବକଟି ଆଖି ଫିଟାଇ ଚାହିଁଲା । ଏହି କରୁଣାମୟୀ ଆଶ୍ରୟଦାତ୍ରୀମାନଙ୍କ ଆଡ଼କୁ ଅନାଉ ଅନାଉ କୃତଜ୍ଞତାରେ ତା’ର ଆଖିରୁ ଲୋତକଧାର ବହିଗଲା । ମରଣର ତୀକ୍ଷ୍‍ଣ ନଖ ଭିତରୁ ଉଦ୍ଧାର ପାଇ ଯେପରି ସେ ଜୀବନର ସୁକୋମଳ ସ୍ପର୍ଶ ଅଙ୍ଗେ ଅଙ୍ଗେ ଅନୁଭବ କରୁଥିଲା । ଆଶା ଶେଷର ଆଶାରେ ଯେପରି ତା’ର ଆଖି ସମୁଜ୍ଜ୍ୱଳ ହୋଇଉଠିଲା ! ମୁଣ୍ତ ନୁଆଁଇ ଥର ଥର ହୋଇ ସେ କହିଲା, “ଭଗବାନ୍ ତୁମ ଦୁହିଙ୍କର ମଙ୍ଗଳ କରନ୍ତୁ ।’’ ରାଚେଲ୍‍ ନିଜର ହାତ ତା’ର କାନ୍ଧପାଖରେ ରଖି କହିଲା, “ଚୁପ୍, ମୋ ବାପ ! ଦେହରେ ବଳ ନ ଆସିଲା ଯାଏ ବର୍ତ୍ତମାନ ଆଉ ଗପସପ କର ନାହିଁ ।’’ ମିରିଅମ୍ ବି ଉତ୍ତର ଦେଲା, “ଭାଇ, ତକିଆରେ ମୁଣ୍ତ ଦେଇ ଶୋଇପଡ଼, ଆମେ ତୁମକୁ ଉହ୍ମେଇ ପାଖକୁ ଶୁଆଇ ଦେଉଛୁ ।’’ ରାଚେଲ୍ ପୁଣି ଆଉ ତାଟିଆଏ ମଦ ତାକୁ ପିଇବାକୁ ଦେଲା ଓ ଝୁଅକୁ ଚାହିଁ କହିଲା, ‘‘ନିଆଁ ଉପରେ ତା’ର ଲୁଗାପଟା ଟାଙ୍ଗି ଦେ, ଚଞ୍ଚଳ ଶୁଖିଯିବ ।’’ ମାଆର କହିବା ଅନୁସାରେ ଭିଜା ଲୁଗାପଟାଗୁଡ଼ିକ ଶୁଖାଇ ଦେଇ ମିରିଅମ୍ ଫେରିଆସି ଅତି ସକରୁଣ ନୟନରେ ଯୁବକଟି ଆଡ଼କୁ ଅନାଇଲା, ସତେ ଅବା ଅନ୍ତରର ସମସ୍ତ ଉଷ୍ଣତା ଅଜାଡ଼ି ଦେଇ ଯୁବକଟିକୁ ସେ ସତେଜ କରିଦେବାକୁ ପ୍ରସ୍ତୁତ ଥିଲା । ରାଚେଲ୍ କିଛି ତରକାରୀ ଓ ଶୁଖିଲା ଫଳ ସହିତ ଦୁଇ ଖଣ୍ତ ରୁଟି ନେଇ ଆସିଲା । ଠିକ୍ ମାଆଟି ପରି ପାଖରେ ବସି ନିଜ ହାତରେ ତାକୁ ଖୁଆଇଦେଲା । ଏଥର ବଳ ପାଇ ଯୁବକଟି ମସିଣା ଉପରେ ଉଠି ବସିଲା । ନିଆଁ ଧାସ ପଡ଼ି ତା’ର ମୁହଁଟାଯାକ ଚକଚକ କରୁଥାଏ । ହଠାତ୍ ଯେପରି ତା’ର ଆଖି ଦୁଇଟା ଦୀପ୍ତିମାନ୍ ହୋଇଉଠିଲା । ସେ ଧୀରେ ଧୀରେ କହିବାକୁ ଲାଗିଲା, “ଆଜି ରାତି ଆକାଶର ତୋଫାନ ପରି ସବୁ ମଣିଷର ଅନ୍ତର ଭିତରେ ଦୟା ଓ ନିଷ୍ଠୁରତା ଭିତରେ ନିତି ଯୁଦ୍ଧ ଲାଗିଛି । କିନ୍ତୁ ଶେଷରେ ଦୟାର ହିଁ ଜୟ ହେବ, କାରଣ ଦୟା ହେଉଛି ଦେବଦତ୍ତ ଗୁଣ । ସକାଳର ଆଲୁଅ ପଡ଼ିବା ସଙ୍ଗେ ସଙ୍ଗେ ଆଜିକାର ଭୟାବହ ରାତି କୁଆଡ଼େ ମିଳାଇଯିବ ।’’ ଦଣ୍ତକଲାଗି ନୀରବ ରହି ପୁଣି ସେ ଆରମ୍ଭ କଲା, “ସେଇ ମଣିଷ ମୋତେ ଅସହାୟ ଅବସ୍ଥାରେ ଦାଣ୍ତକୁ ବାହାର କରି ଦେଇଥିଲା, ସେଇ ମଣିଷ ପୁଣି ମୋତେ ମରଣମୁହଁରୁ ଉଦ୍ଧାର କଲା । ମଣିଷ କେଡ଼େ ନିର୍ମମ, ସେଇ ପୁଣି କେଡ଼େ ଦୟାଶୀଳ !” ଏତିକିବେଳେ ରାଚେଲ୍ ପଚାରିଲା, “ଆଚ୍ଛା, ଏ ଅନ୍ଧାର ବାଆବତାସ ରାତିରେ ଜନ୍ତୁଜୁନ୍ତା ଯାଇ ଗାତରେ ପଶୁଛନ୍ତି, ତୁମେ କାହିଁକି ମଠ ଛାଡ଼ି ବାହାରକୁ ଆସିଥିଲ ?”

 

ନୟନର ଲୋତକକୁ ହୃଦୟର ଗଭୀରରେ ସାଇତି ରଖିବାକୁ ଯୁବକଟି ଆଖି ବୁଜି କହିଲା, “ଜନ୍ତୁଙ୍କର ଗାତ କି ଗୁମ୍ଫା ଅଛି, ଆକାଶର ପକ୍ଷୀ ଲାଗି ବୃକ୍ଷ ଶାଖାର ନୀଡ଼ ରହିଛି, କିନ୍ତୁ ମଣିଷ ପାଇଁ ମୁଣ୍ତ ଗୁଞ୍ଜିବାର ଥାନ ନାହିଁ ।’’ ରାଚେଲ୍ କଥାର ଖିଅ ଧରି କହିଲା, “ହଁ, ନିଜେ ଯୀଶୁଖ୍ରୀଷ୍ଟ ମଧ୍ୟ ଆପଣା ବିଷୟରେ ଠିକ୍ ସେହି କଥା କହିଛନ୍ତି ।’’ ଯୁବକ ପୁଣି ଆରମ୍ଭ କଲା, “ଆଜିକାର ଏ ମିଥ୍ୟା, କପଟତା ଓ ନଷ୍ଟଜୀବନର ଯୁଗରେ ଯିଏ ଭଗବାନ ଓ ସତ୍ୟ ପଥରେ ଯିବ, ତାକୁ ଏ ଦଶା ଭୋଗିବାକୁ ହିଁ ହେବ ।’’

 

କିଛି ସମୟ ଭାବି ଭାବି ରାଚେଲ୍ କହିଲା, “କିନ୍ତୁ ମଠରେ ତ କେତେ ଘର ଭର୍ତ୍ତି ହୋଇଛି, ସିନ୍ଦୁକ ସିନ୍ଦୁକ ସୁନା ଥୁଆ ହୋଇଚି । ମଠର ଗୁହାଳରେ କେତେ ଗାଈ ମେଣ୍ଢା ଖାଇ ପିଇ ବଢ଼ୁଚନ୍ତି । ଦୁଃସମୟ ରାତିଟାରେ ତୁମେ ଏଭଳି ସ୍ଥାନ ଛାଡ଼ି ପଦାକୁ କାହିଁକି ବାହାରିଲ ?” ଦୀର୍ଘନିଶ୍ୱାସ ପକାଇ ଯୁବକ କହିଲା, “ସେ ମଠକୁ ମୁଁ ହାଡ଼େ ହାଡ଼େ ଘୃଣା କରେ, ସେଇଥିଲାଗି ସେଠୁ ବାହାରି ଚାଲିଆସିଛି ।’’ ରାଚେଲ୍ ପୁଣି କହିଲା, “ମଠର ସନ୍ନ୍ୟାସୀ ତ ଠିକ୍ ଯୁଦ୍ଧ ଭୂଇଁର ସୌନ୍ୟସାମନ୍ତଙ୍କ ପରି; ସେଠି ଏତେଟିକିଏ ଆଇନ୍ ଭାଙ୍ଗିଲେ ଦଣ୍ତେ ଚଳିପାରିବ ନାହିଁ । ମୁଁ ଶୁଣିଚି ଯେ ପ୍ରଥମେ ମନ ଭିତରୁ ସବୁ ଲୋଭ ଓ ବାସନା ଅନ୍ତର କରି ସାରିଲେ ଯାଇ ମଠରେ ରହିବାର ଅନୁମତି ମିଳିବ । ଅବଶ୍ୟ ବଡ଼ ମହନ୍ତ ଭଲ ଲୋକ ହୋଇଥିଲେ ତେବେ କାହାକୁ ଅନୁଚିତ କାର୍ଯ୍ୟ କରିବାକୁ ବାଧ୍ୟ କରନ୍ତି ନାହିଁ । ଏ ବରଫ ଓ ତୋଫାନ ଭିତରେ ଘରୁ ଗୋଡ଼ କାଢ଼ିବାକୁ ‘ଦିଏର୍ ଖିଜାୟା’ ମଠ ମହନ୍ତଙ୍କର କିପରି ସତ ବଳିଲା ?” ଯୁବକ ଉତ୍ତର ଦେଲା, “ଅନ୍ଧ, ଅଶିକ୍ଷିତ, ବିଚାରଶୂନ୍ୟ ଓ ମୂକ ହୋଇ ନ ପାରିଲେ ମହନ୍ତଙ୍କ ମତରେ କେହି ସନ୍ନ୍ୟାସୀ ହୋଇପାରିବ ନାହିଁ । ମୋର ତ ପୁଣି ନିଜର ସ୍ୱାଧୀନ ବିଚାର ଅଛି, ମଣିଷ ହିସାବରେ ମୋର ତ ଦେଖିବା, ଶୁଣିବା ଓ ଅନୁଭବ କରିବାର ଶକ୍ତି ଅଛି; ମୁଁ ସେ ମଠରେ କିପରି ରହି ପାରନ୍ତି ?”

 

ହଠାତ୍ ଗୋଟାଏ ଗୋପନ ରହସ୍ୟର ସୁତ୍ର ଖୋଜିପାଇଲା ପରି ମା ଝୁଅ ଦୁହେଁ ଯୁବକଟି ଆଡ଼କୁ ଅନାଇ ରହିଲେ । ରାଚେଲ୍ କହିଲା, “କିନ୍ତୁ ଅନ୍ଧାର ରାତିରେ ମୁହଁକୁ ମୁହଁ ଦିଶୁନାହିଁ, ତୋଫାନ ପବନରେ କାନ ବଧିର ହୋଇଯାଉଛି; ଯାହାର ଦେଖିବାର ଓ ଶୁଣିବାର ଶକ୍ତି ଅଛି, ସେ କଣ ଏପରି ରାତିରେ ଘରୁ ଗୋଡ଼ କାଢ଼ିବାକୁ ଯିବ ?” ଯୁବକ ଧୀରେ ଧୀରେ ଉତ୍ତର ଦେଲା, “ମୋତେ ମଠରୁ ତଡ଼ି ଦିଆହୋଇଛି ।’’ ମାଆ ଓ ଝିଅ ଦୁହେଁ ଆଶ୍ଚର୍ଯ୍ୟ ହୋଇ କହିଲେ, “ତଡ଼ି ଦିଆ ହୋଇଛି ?”

 

ଯୁବକ ଆଖି ଟେକି ଚାହିଁଲା । ମାଆ ଝୁଅଙ୍କର ଏତେ ଶ୍ରଦ୍ଧା ଓ ସହାନୁଭୂତି କାଳେ ହଠାତ୍ ଘୃଣା ଓ ଅନାଦରରେ ପରିଣତ ହୋଇଯିବ, ଏଇ ଭୟରେ ସେ ସତ କଥାଟା କହିଦେଇଚି ବୋଲି ମନେ ମନେ ଦୁଃଖିତ ହେଲା । କିନ୍ତୁ ଅନାଇ ଦେଖିଲା, ସେମାନଙ୍କ ଆଖିରେ ପୂର୍ବ ପରି ସେଇ କରୁଣାର ଜ୍ୟୋତି ଝଲମଲ କରୁଛି, ସବୁ ଘଟଣା ଭଲ କରି ଜାଣିବାକୁ ସେମାନଙ୍କ ସତୃଷ୍ଣ ଚକ୍ଷୁ ଯେପରି ଅପେକ୍ଷା କରି ରହିଛି । ଏ ଦୃଶ୍ୟ ଦେଖି ଯୁବକର କଣ୍ଠ ଦ୍ରବିଗଲା । ସେ ପୁଣି ଆରମ୍ଭ କଲା, “ହଁ, ମଠରୁ ସେମାନେ ମୋତେ ତଡ଼ି ଦେଇଛନ୍ତି, ମୁଁ ନିଜ ହାତରେ ନିଜ ପାଇଁ ଗାତ ଖୋଳି ପାରିଲି ନାହିଁ, କାରଣ ମିଛ ଓ ଚୋରି ଦେଖି ଦେଖି ମୁଁ ଦିନକୁ ଦିନ ଅଧୈର୍ଯ୍ୟ ହୋଇ ପଡ଼ିଲି । ଅଜ୍ଞତା ଓ ଅଶିକ୍ଷା ହାତରେ ଆପଣାକୁ ଜଳାଞ୍ଜଳି ଦେଇଥିବା ଲୋକଙ୍କର ଦୟାର ପାତ୍ର ହୋଇ ପଡ଼ି ରହିବାକୁ ମୁଁ ଅପମାନ ବୋଧ କଲି ବୋଲି ମୋତେ ସେମାନେ ମଠରୁ ତଡ଼ିଦେଲେ । ସେ ଆରାମ ଅୟସରେ ବୋଝାଇ ଘରେ ମୁଁ ଶାନ୍ତି ପାଇ ପାରିଲି ନାହିଁ । ଦରିଦ୍ର ପ୍ରଜାଙ୍କର ଅର୍ଜିଲା ଧନରେ ସେହିସବୁ ସୁଦୃଶ୍ୟ ଘରମାନ ତୋଳା ହୋଇଛି, ଏହି କଥା ମୋର ହୃଦୟକୁ ଛୁଞ୍ଚି ଫୋଡ଼ିଲା ପରି ଲାଗିଲା । ଏହି କାରଣରୁ ମୋତେ ସେଠାରୁ ତଡ଼ି ଦିଆଗଲା । ବାପା ମାଆ ଛେଉଣ୍ତ ପିଲାଙ୍କର ଲୁହରେ ସେକା ହୋଇଥିବା ରୁଟିକୁ ମୁଁ ହଜମ କରିପାରିଲି ନାହିଁ । ସୁନାରୂପା ଓ ଧାନ ରବି ବଦଳରେ ସରଳବିଶ୍ୱାସୀ ନିରୀହ ଲୋକମାନଙ୍କୁ ବିକା ହେଉଥିବା ପ୍ରାର୍ଥନା ମୋ’ ଜିଭରେ ଲେଉଟିଲା ନାହିଁ । ଯେଉଁସବୁ ଯୋଗ୍ୟତା ଗୁଣରୁ ମଣିଷକୁ ସନ୍ନ୍ୟାସୀ ବୋଲି କୁହାଯାଏ, ସେହିସବୁ ଯୋଗ୍ୟତାର କଥା ଏହି କପଟ ସନ୍ୟାସୀମାନଙ୍କୁ ମନେ କରାଇଦେବା ଦୋଷରେ ମୋତେ ମଠରୁ ତଡ଼ି ଦିଆଗଲା ।’’

 

ରାଚେଲ୍ ଓ ମିରିଅମ୍ ଯୁବକ ଆଡ଼କୁ ଚାହିଁ ତାରି କଥା ଭାବିବାରେ ନିମଗ୍ନ ହୋଇଯାଇ ଥାଆନ୍ତି । ସେମାନେ ପଚାରିଲେ, ‘ତୁମର ବାପାମାଆ ଅଛନ୍ତି ?’ ସେ ଉତ୍ତର ଦେଲା, “ମୋର ବାପାମାଆ ନାହାନ୍ତି, ସଂସାରରେ ମୋର ଘର ବୋଲି କିଛି ନାହିଁ ।’’ ରାଚେଲ୍ ଦୁଃଖରେ ନିଶ୍ୱାସ ମାରିଲା । ନିଜ ଆଖିର ଶ୍ରଦ୍ଧାନତ ଲୁହକୁ ଲୁଚାଇବାକୁ ମିରିଅମ୍ କାନ୍ଥ ଆଡ଼କୁ ମୁହଁ ବୁଲାଇଦେଲା ।

 

ଭିକ୍ଷାତୁର ପାଖୁଡ଼ା ଉପରେ ସକାଳର ଶିଶିର ବିନ୍ଦୁ ପଡ଼ିଲେ ବାସି ଫୁଲ ପୁଣି ଜୀବନ ପାଇ ଉଠେ । ମାଆଝୁଅ ଦୁଇ ଜଣଙ୍କର ସ୍ନେହ ଓ ମମତାରେ ଯୁବକର ବ୍ୟଗ୍ର ହୃଦୟ ସେହିପରି ପୁଣି ଜୀବନ୍ତ ହୋଇ ଉଠିଲା । ଶତ୍ରୁକବଳରୁ ତାକୁ ଉଦ୍ଧାର କରି ଆଣିଥିବା ମୁକ୍ତିଦାତାମାନଙ୍କୁ ଚାହିଁ ଦେଖିଲା ପରି ସେ ସେମାନଙ୍କ ଉପରେ ବାର ବାର ଦୃଷ୍ଟିପାତ କରି କହିଲା, “ସାତ ବରଷରେ ମୁଁ ବାପାମାଆଙ୍କୁ ହରାଇଛି । ଆମ ଗାଁର ପାଦ୍ରୀ ସଦୟ ହୋଇ ଡିଏର୍‍ ଖିଜାୟା ମଠରେ ନେଇ ମୋତେ ରଖିଦେଇ ଆସିଥିଲେ । ମଠର ସନ୍ନ୍ୟାସୀମାନେ ଖୁବ୍ ଖୁସି ହୋଇ ମୋତେ ମଠରେ ରଖିଲେ ଓ ମୋ’ ଉପରେ ଗାଈ ମେଣ୍ଢା ଜଗିବାର ଭାର ଦେଲେ । ସବୁଦିନ ମୁଁ ସେମାନଙ୍କୁ ଚରାଇବାକୁ ନେଇ ଯାଉଥିଲି । ମୋର ପନ୍ଦର ବର୍ଷ ବୟସରେ ସେମାନେ ମୋତେ କଳା ପୋଷାକ ପିନ୍ଧାଇ ଗୀର୍ଜାକୁ ନେଇଗଲେ । ସେଠି ବଡ଼ ପାଦ୍ରୀ ମୋତେ ସମ୍ବୋଧନ କରି କହିଲେ, ‘ପରମେଶ୍ୱର ଓ ସନ୍ଥଗୋଷ୍ଠୀଙ୍କ ନାମରେ ଶପଥ କରି କହ, ଆଜିଠାରୁ ନିଷ୍ପାପ ହୋଇ ନିରାଡ଼ମ୍ବର ଓ ଅନୁଗତ ଜୀବନ ଯାପନ କରିବ ।’ ମୁଁ ଠିକ୍ ଠିକ୍ ଶପଥ ନେଲା ପରି ସବୁ କହିଗଲି । କିନ୍ତୁ ସେ କଥାର ପ୍ରକୃତ ଅର୍ଥ ସେତେବେଳେ ମୁଁ କିଛି ଜାଣି ନ ଥିଲି । ନିରାଡ଼ମ୍ବର, ପୂଣ୍ୟମୟ ଓ ଅନୁଗତ ଜୀବନ କହିଲେ ବଡ଼ ପାଦ୍ରୀ ନିଜେ ଯେ କଣ ବୁଝୁଥିଲେ, ତାହା ମୋତେ ଜଣା ନ ଥିଲା ।

 

ମୋର ଜନ୍ମ ନାମ ହେଉଛି ଖଲିଲ୍, କିନ୍ତୁ ସେହି ଦିନଠାରୁ ମଠର ସମସ୍ତେ ମୋତେ ଭାଇ ମୋବାରକ୍ ବୋଲି ଡାକିବାକୁ ଆରମ୍ଭ କଲେ । କିନ୍ତୁ ପ୍ରକୃତରେ ଭାଇ ପରି ବ୍ୟବହାର ମୁଁ କାହାରିଠାରୁ ପାଇଲି ନାହିଁ । ମଠରେ ସବୁଦିନେ ରାଜାଘରର ଭୋଜୀ ବସୁଥିଲା, ଦାମୀ ଦାମୀ ମଦ ନିତି ବରାଦ ଦିଆ ହୋଇ ଆସୁଥିଲା;– ଆଉ ମୁଁ ? ଶୁଖିଲା ପରିବା ଆଉ ପାଣିର ତରକାରୀ । ମୋର ଆଖି ଲୋତକରେ ଭରିଯାଉଥିଲା । ତାଙ୍କ ଲାଗି ତୁଳିତଳ୍ପ ପଡ଼ୁଥିବା ବେଳେ ମୋ ଭାଗ୍ୟରେ ଅନ୍ଧାର କାଲୁଆ ଘରର ପଥର ଢିପିଛଡ଼ା ଆଉ କିଛି ନ ଥିଲା । ବେଳେ ବେଳେ ଆପଣା ମନକୁ ପଚାରୁଥାଏ, ‘କୋଉ ଦିନ ଯାଇ ମୁଁ ସନ୍ନ୍ୟାସୀ ହେବି ? କୋଉ ଦିନ ମୁଁ ପାଦ୍ରୀମାନଙ୍କ ପରି ସୁଖ ଉପଭୋଗ କରିପାରିବି ? ଆଜି ଯେ ସେମାନଙ୍କର ମଣୋହିରେ ଲାଗୁଥିବା ଭୋଜନ ସାମଗ୍ରୀ ଓ ମଦ ଆଡ଼କୁ ମୁଁ ବିକଳାଙ୍କ ପରି ଚାହିଁ ରହୁଛି, ଏ ଦୁର୍ଦ୍ଦଶା ମୋର କୋଉ ଦିନ ଯିବ ? ଆଜି ଯେ ସେମାନଙ୍କ ଭୟରେ ମୁଁ ରାତିଦିନ ଥରୁଛି, ଏ ଦୁଃଖ କେବେ ସରିବ ?’ କିନ୍ତୁ ମୋର ଆଶା ସେହି ଆଶା ହିଁ ହୋଇ ରହିଲା, ମୁଁ ସେହି ତିମିରରେ ପଡ଼ିରହିଲି । ଓଲଟି ଗୋରୁ କରିବା ଛଡ଼ା ପଥର ବୋହିବା, ଗାତ ଖୋଳିବା କାମ ମଧ୍ୟ ମୋତେ ଦିଆଗଲା । ମୋ ପରିଶ୍ରମର ମୂଲ ସ୍ୱରୂପ ମିଳୁଥିବା କେତେ ଖଣ୍ତ ରୁଟି ଖାଇ ମୁଁ ଯେକୌଣସି ପ୍ରକାରେ ବଞ୍ଚି ରହିଥାଏ, ଆଉ କୁଆଡ଼େ ପଳାଇବାକୁ ଆଶ୍ରା ପାଉ ନ ଥାଏ, ଏଣେ ପାଦ୍ରୀମାନଙ୍କର ଯାବତୀୟ କାର୍ଯ୍ୟରେ ମୋର ହାଡ଼ ଜଳି ଯାଉଥାଏ । ସେମାନେ ଏକାବେଳେକେ ମୋର ମୁଣ୍ତ ଖରାପ କରି ଦେଇଥାନ୍ତି । ମୁଁ କେବଳ ଭାବୁଥାଏ, ସାରା ସଂସାରଟା ଖାଲି ଦୁଃଖ କଷଣରେ ପୂରିଛି, କେବଳ ମଠରେ ରହିଲେ ହିଁ ପରିତ୍ରାଣ ପାଇବାର ସମ୍ଭାବନା ଅଛି । କିନ୍ତୁ ସେମାନେ ଭୋଗ କରୁଥିବା ଶସ୍ୟସମ୍ପଦ ଓ ଧନରତ୍ନ ଯେ କାହାର ଭୋକ ମାରି ଅଣାଯାଉଛି,ଏଇ କଥା ମନେ ପକାଇବା କ୍ଷଣି ମୁଁ ଯେ ସେ ପାପଧନ ଖାଇବାର ଅପରାଧୀ ହେଉନାହିଁ, ଏଥିଲାଗି ଆପଣାକୁ ଭାଗ୍ୟବାନ ମନେ କରୁଥିଲି ।

 

ସିଧା ହୋଇ ବସି ଖଲିଲ୍ ବିସ୍ମିତ ହୋଇ ଚାରିଆଡ଼କୁ ଅନାଇଲା, ସେଇ କୁଡ଼ିଆଘର ସମ୍ମୁଖରେ ଠିଆ ହୋଇଥିବା ଅତି ସୁନ୍ଦର ସାମଗ୍ରୀଟିଏ ତା’ ଆଖିଆଗରେ ପଡ଼ିଗଲା । ରାଚେଲ୍ ଓ ମିରିଅମ୍ ଚୁପ୍ ହୋଇ ବସିଥାନ୍ତି । ସେ ପୁଣି ଆରମ୍ଭ କଲା, “ପିତୃହରା କରି ଭଗବାନ୍ ମୋତେ ଅସହାୟ ଅବସ୍ଥାରେ ମଠକୁ ପଠାଇ ଦେଇଥିଲେ, କିନ୍ତୁ ସେଇ ଗହନ ଅରଣ୍ୟ ଭିତରେ ଅନ୍ଧ ପରି ଚାଲି ନିଜକୁ ମୁଁ ଆପନ୍ନ କରିଦିଏ, ଏହା ମଧ୍ୟ ଭଗବାନଙ୍କର ଇଚ୍ଛା ନ ଥିଲା । ଜୀବନଟା ସାରା ଏହିପରି ଦାସବୃତ୍ତି କରି କଟିଯାଉ, ଏହା ସେ ଚାହାନ୍ତେ କିପରି ? ସେ ମୋର ଆଖି କାନ ଫିଟାଇଦେଲେ । ମୁଁ ଆଲୋକଠାବର ସନ୍ଧାନ ପାଇଲି, କାନ ଡେରି ସତ୍ୟର ଆହ୍ୱାନ ଶୁଣିବାକୁ ପାଇଲି ।’’

 

ହଠାତ୍ ଅଚେତନ ଭାବରେ ରାଚେଲ୍ କହି ଉଠିଲା, “ସୂର୍ଯ୍ୟ ଛଡ଼ା ଆଉ କି ଆଲୁଅ କୋଉଠି ଅଛି ? ସତ୍ୟକୁ ବୁଝି ପାରିବାର ବୁଦ୍ଧି ମଣିଷ ଭିତରେ କୁଆଡ଼ୁ ଆସିବ ?” ଖଲିଲ୍ ଉତ୍ତର ଦେଲା, “ଏହି ଅନ୍ତର ଭିତରୁ ଯେଉଁ ଆଲୋକ ଉଦ୍ଭାସିତ ହୋଇଉଠେ, ତାହା ହିଁ ପ୍ରକୃତ ଆଲୋକ; ସେହି ଆଲୋକପାତରେ ଆତ୍ମା ହୃଦୟର ସମସ୍ତ ଗୋପନ କଥା ଜାଣିପାରେ, ସେହି ଆଲୋକ ହିଁ ଜୀବନରେ ସୁଖ ଓ ସନ୍ତୋଷ ଭରିଦିଏ । ସତ୍ୟ ଏହି ତାରାମଣ୍ତଳ ପରି, ରାତ୍ରିର ତାମସ ଆକାଶରୁ ହିଁ କେବଳ ଏହି ସତ୍ୟର ପ୍ରକାଶ ହୁଏ । ଜଗତର ଅନ୍ୟାନ୍ୟ ସୁନ୍ଦର ଜିନିଷ ପରି, ଯେଉଁମାନେ ପ୍ରଥମେ ମିଥ୍ୟା ଓ କପଟତାର କର୍କଶ ଆଘାତ ଅନୁଭବ କରନ୍ତି, ସତ୍ୟର ଉଦୟ କେବଳ ସେହିମାନଙ୍କ ହୃଦୟରେ ସମ୍ଭବ ହୋଇଥାଏ । ସତ୍ୟ ସେହି ଗଭୀର କରୁଣାର ପ୍ରତିମୂର୍ତ୍ତି ଯାହା ଆମକୁ ଦୈନନ୍ଦିନ ଜୀବନରେ ସନ୍ତୁଷ୍ଟ ରହି ସଂସାରରେ ସମସୁଖର ଭାଗୀ ହେବାକୁ ଶିଖାଇ ଦିଏ-।’’

 

ରାଚେଲ୍ ପୁଣି କହିଲା, “ଅନେକ ମଣିଷ କଣ ନିଜର ମନୋମତ ଉତ୍ତମ ପଥରେ ଚାଲୁନାହାନ୍ତି ? ମଣିଷକୁ ଶ୍ରଦ୍ଧା ଓ ସହାନୁଭୂତି ଦେଖାଇବା ଯେ ଭଗବାନଙ୍କର ନିୟମ, ଅନେକେ କଣ ଏପରି ବିଶ୍ୱାସ ରଖିନାହାନ୍ତି ? କିନ୍ତୁ ତେବେ ବି ସେମାନଙ୍କର ଜୀବନରେ ସୁଖ ନାହିଁ; ମଲାଯାଏ ସେମାନେ କେବଳ ଦୁଃଖରେ ହିଁ ଘାଣ୍ଟି ହେଉଛନ୍ତି ।’’ ଖଲିଲ୍ ପୁଣି ଉତ୍ତର ଦେଲା, “ଯେଉଁ ଶିକ୍ଷା ଓ ଯେଉଁ ବିଶ୍ୱାସ ମଣିଷକୁ ଜୀବନସାରା ଖାଲି କଷଣ ଭୋଗାଏ ସେହି ଶିକ୍ଷା ଓ ସେହି ବିଶ୍ୱାସକୁ ଶତ ଧିକ୍; ଯେଉଁ ଉତ୍ତମ ଜୀବନ ମଣିଷକୁ କେବଳ ଦୁଃଖୀ ଓ ହତାଶ କରି ରଖେ, ସେ ଜୀବନ ମିଥ୍ୟା; କାରଣ ନିଜର ଜୀବନକୁ ସୁଖମୟ କରିବା ହିଁ ଏ ସଂସାରରେ ମନୁଷ୍ୟର ପ୍ରଥମ କର୍ତ୍ତବ୍ୟ । ଏଇ ସୁଖର ସନ୍ଦେଶ ସବୁଆଡ଼େ ବହିନେବା ହିଁ ତା’ର ପ୍ରଥମ ଧର୍ମ । ଏହି ଜୀବନକୁ ଯେ ବୈକୁଣ୍ଠ ସମାନ କରି ନ ପାରିଲା, ତାର ବୈକୁଣ୍ଠର ଆଶା ବୃଥା । ମଣିଷ ନିର୍ବାସନ ଦଣ୍ତ ପାଇଁ ଏ ସଂସାରକୁ ଆସିନାହିଁ । ପବିତ୍ର ଓ ଶାଶତ୍ୱ ଆତ୍ମାର ପୂଜା କରି ଜୀବନର ସୌନ୍ଦର୍ଯ୍ୟ ମଧ୍ୟ ଦେଇ ଆପଣା ଭିତରର ଗୁପ୍ତ ଶକ୍ତିମାନଙ୍କର ବିକାଶ କରି ଶିଖିବାକୁ ଭଗବାନଙ୍କ ରାଜ୍ୟର ନିର୍ଦ୍ଦୋଷ ସୃଷ୍ଟିରୂପେ ମଣିଷ ଏ ଜଗତରେ ଜନ୍ମଲାଭ କରିଛି । ମହାପୁରୁଷ ଖ୍ରୀଷ୍ଟଭଗବାନଙ୍କଠାରୁ ମୁଁ ଏହି ଶିକ୍ଷା ପାଇଛି । ମୋର ଅନ୍ତର ଭିତରୁ ଏହି ଆଲୋକ ଉଦ୍ଭାସି ଉଠି ମଠର ସମସ୍ତ ଅନ୍ଧାର ତଳି ପାଖରେ ମୋର ଆଖି ଫିଟାଇ ଦେଇଥିଲା ଓ ମୋର ଜୀବନ ବିଷୟରେ ମୋତେ ସତର୍କ କରି ଦେଇଥିଲା । ଭୋକଜ୍ୱାଳାରେ ଅସ୍ଥିର ଛଟପଟ ହୋଇ ଗଛତଳେ ଏକାକୀ ବସି ଲୁହ ଗଡ଼ାଉଥିବା ବେଳେ ସମ୍ମୁଖରେ ପ୍ରସାରିତ ଉପତ୍ୟକା ଓ ପ୍ରାନ୍ତରର ସୌନ୍ଦର୍ଯ୍ୟ ମୋତେ ଏହି ଗଭୀର ଗୋପନ ବାଣୀ ଶୁଣାଇ ଦେଇ ଯାଇଥିଲା ।

 

ପ୍ରତ୍ୟେକ ଧର୍ମପୀଠ ଏହି ଧର୍ମର ପ୍ରଚାର କରନ୍ତୁ, ଏହା ହିଁ ଭଗବାନଙ୍କର ଇଚ୍ଛା । ଯୀଶୁଖ୍ରୀଷ୍ଟ ଏହି ଧର୍ମହିଁ ପ୍ରଚାର କରିଥିଲେ । ଦିନେ ସତ୍ୟର ଏହି ମାଦକିତ ସୌନ୍ଦର୍ଯ୍ୟରେ ମୋର ସମସ୍ତ ଅନ୍ତର ହଠାତ୍ ସମ୍ମୁଗ୍‍ଧ ହୋଇ ଉଠିଲା । ସନ୍ନ୍ୟାସୀମାନେ ଉଦ୍ୟାନ ଭିତରେ ବସିଥିବା ବେଳେ ମୁଁ ଅଟଳ ସାହସରେ ମୁହେଁ ମୁହେଁ ସେମାନଙ୍କର ଅପକାର୍ଯ୍ୟମାନଙ୍କର ସମାଲୋଚନା କରି ବସିଲି । ମୁଁ କହିଲି, ‘ଅଙ୍ଗର ଝାଳ ଓ ଅନ୍ତରର ଲୋତକରେ ତିଆରି ହୋଇଥିବା ରୁଟି ଛଡ଼ାଇ ଆଣି କାହିଁକି ଆପଣମାନେ ତା’ରି ପରିଶ୍ରମର ଧନରେ ଅୟସ କରିବାରେ ଲାଗିଛନ୍ତି ? ଭାଷାହୀନ ବିଦ୍ୟାହୀନ ଲୋକସମାଜର ଦୂରରେ ରହି ଆପଣମାନେ କାହିଁକି ନିର୍ମୂଳୀଲତା ପରି ବଢ଼ୁଛନ୍ତି ? କାହିଁକି ଆପଣମାନେ ଦେଶର ସେବା କରୁନାହାନ୍ତି ? ବିବେକୀ ଓ ସୁବୁଦ୍ଧି ସେବକ ହିସାବରେ ଯୀଶୁଖ୍ରୀଷ୍ଟ ଆପଣମାନଙ୍କୁ ଏ କୁଟିଳ ହିଂସ୍ର ପୃଥିବୀକୁ ପଠାଇଛନ୍ତି; ଅଥଚ କାହିଁକି ଆପଣମାନେ ମେଣ୍ଢାପଲରେ ଗୋଟିଏ ଗୋଟିଏ ବାଘ ସାଜି ବସିଛନ୍ତି ? ମନୁଷ୍ୟସମାଜ ଓ ସୃଷ୍ଟିକର୍ତ୍ତା ଭଗବାନଙ୍କୁ କାହିଁକି ଆପଣମାନେ ଏଡ଼ିଦେଇ ପଳାଇ ଯାଉଛନ୍ତି ? ସଂସାରର ସାଧାରଣ ଲୋକଙ୍କ ଅପେକ୍ଷା ଯଦି ଆପଣମାନେ ବେଶି ଉଚ୍ଚରେ ଅଛନ୍ତି, ତେବେ ସେମାନଙ୍କ ଭିତରକୁ ଯାଇ ସେମାନଙ୍କୁ ଉପରକୁ ଉଠାଇବା ଆପଣମାନଙ୍କର କର୍ତ୍ତବ୍ୟ ନୁହେଁ କି ? ଅବା ଯଦି ସେମାନେ ଉଚ୍ଚରେ ଅଛନ୍ତି ବୋଲି ମନେ କରୁଥାନ୍ତି, ତେବେ ସେମାନଙ୍କଠାରୁ ଶିଖିବାର ଆଗ୍ରହ ଆପଣମାନଙ୍କର କାହିଁ ? ଦରିଦ୍ର ପରି ଜୀବନ ଯାପନ କରିବାକୁ ଆପଣମାନେ ଯେଉଁ ଶପଥ ନେଇଛନ୍ତି, ତାକୁ ଏତେ ଶୀଘ୍ର ଭୁଲି ଯାଇ ବିଳାସ ବ୍ୟସନରେ ବୁଡ଼ିଯାଉଛନ୍ତି କିପରି ? ଭଗବାନଙ୍କର ଆଗରେ ଶପଥ ଗ୍ରହଣ କରି ସବୁ ଧର୍ମର ବିପରୀତ ଆଚରଣ କରିବାର ସାହସ କିପରି ଆପଣମାନଙ୍କର ହେଉଛି ? ହୃଦୟ ଭିତରେ କାମନା ଓ ଲାଳସାକୁ ସ୍ତୂପ କରି ରଖି କୋଉ ମୁହଁରେ ଆପଣମାନେ ପୁଣ୍ୟପଥର ବ୍ରତ ଗ୍ରହଣ କରୁଛନ୍ତି ? ଆପଣା ଶରୀରର ପ୍ରବୃତ୍ତିଗୁଡ଼ିକୁ ମାରିବାର ଛଳନା କରି ଆପଣମାନେ କେବଳ ଆତ୍ମାକୁ ହିଁ ନାଶ କରି ଦେଉଛନ୍ତି । ବାହାରରେ ତ ଭାରି ସଂସାରର ମାୟା ଛାଡ଼ିଛନ୍ତି, କିନ୍ତୁ ଭିତରେ ଲୋଭ ପୂର୍ଣ୍ଣ ହୋଇ ରହିଛି । ଲୋକେ ଆପଣମାନଙ୍କୁ ଧର୍ମାତ୍ମା ପୁରୁଷ ଭାବରେ ବିଶ୍ୱାସ କରୁଛନ୍ତି, କିନ୍ତୁ ନିପଟ ବଳଦଙ୍କ ପରି ଜ୍ଞାନ ଓ ବିଦ୍ୟା ସବୁ ଛାଡ଼ି ଆପଣମାନେ ବେଶ କଅଁଳିଆ ଶାଗୁଆ ଘାସ ଚରିବାରେ ଲାଗିଛନ୍ତି । ମଠର ସମସ୍ତ ଜମି ଦରିଦ୍ର ପ୍ରଜାମାନଙ୍କୁ ଫେରାଇ ଦିଅନ୍ତୁ, ତାଙ୍କଠାରୁ ଲୁଟି କରି ଅଣାଯାଇଥିବା ସୁନାରୂପା ସେମାନଙ୍କୁ ଦେଇ ଦିଅନ୍ତୁ । ଏପରି ସନ୍ନ୍ୟାସର ନିର୍ବାସନ ଛାଡ଼ି ଆମକୁ ଦୁର୍ବଳ ଜନସାଧାରଣଙ୍କର ସେବା କରିବାକୁ ହେବ । କାରଣ ଆମର ସବୁ ଶକ୍ତି ପଛରେ ସେହି ଦୁର୍ବଳର ପରିଶ୍ରମ ନିହିତ ରହିଛି, ଆଜିର ମ୍ରିୟମାଣ ଜାତି ଆମରି ସେବାଦ୍ୱାରା ସ୍ୱର୍ଗର କରୁଣା ଓ ସ୍ୱାଧୀନ ଜୀବନରେ ପୁଣି ଥରେ ହସିଉଠୁ ।

 

ଆପଣମାନଙ୍କର ଏହି ମଠର ଆରାମ ଅୟସ ଓ ନିଶ୍ଚିନ୍ତ ଶାନ୍ତି ଅପେକ୍ଷା ଲୋକଙ୍କର ଲୋତକଧାରା ଭିତରେ ଅଧିକ ସୌନ୍ଦର୍ଯ୍ୟ ରହିଛି, ସେଇଠି ଯଥାର୍ଥରେ ଭଗବାନ ଅଛନ୍ତି । ଏହି ମଠର ବିଚ୍ଛିନ୍ନ ଜୀବନର ପୁଣ୍ୟ ଅର୍ଜନ ଅପେକ୍ଷା ଯେଉଁ ଶ୍ରଦ୍ଧା ଓ ସହାନୁଭୂତି ଟିକକରେ ପଡ଼ୋଶୀର ହୃଦୟ ତରଳି ଯାଇ ପାରେ, ତାହା ଅଧିକ ଗୌରବମୟ । ଅସହାୟ ଅପରାଧୀ ବା କୁଳଟାନାରୀ ପ୍ରତି ଆହା ବୋଲି ପଦେ କରୁଣାବ୍ୟଞ୍ଜକ କଥା କହିଲେ ତାହା ଆମେ ଏଠି ଘୋଷି ହେଉଥିବା ଶୂନ୍ୟ ପ୍ରାର୍ଥନା ଅପେକ୍ଷା ଅଧିକ ନିର୍ମଳତାର ପରିଚୟ ଦିଏ ।

 

ଏଇଠି ଖଲିଲ୍ ଦୀର୍ଘ ନିଶ୍ୱାସ ପକାଇଲା । ତାପରେ ରାଚେଲ୍ ଓ ମିରିଅମ୍‍ଙ୍କ ଆଡ଼କୁ ଅନାଇ କହିଲା, “ମୋର ଏସବୁ କଥା ଶୁଣି ସନ୍ନ୍ୟାସୀମାନେ ପ୍ରଥମେ ବଡ଼ ଇତସ୍ତତଃ ହୋଇଗଲେ; ଜଣେ ଯୁବକ ଯେ କେବେ ସେମାନଙ୍କ ସମ୍ମୁଖରେ ଠିଆ ହୋଇ ଏସବୁ କଥା କହିବାର ଦୁଃସାହସ କରିପାରେ ଏହା ସେମାନେ କଳ୍ପନା ହିଁ କରି ନ ଥିଲେ । ମୋର କଥାତକ ସରିବା ପରେ ରାଗରେ ତମ ତମ ହୋଇ ଜଣେ ସନ୍ନ୍ୟାସୀ ମୋ ଆଗକୁ ଆସି କହିଲେ, ‘ଏଡ଼େ ସାହସ ? ଆମ ଆଗରେ ଏଭଳି କଥା ?’ ଆଉ ଜଣେ ଖତେଇ ହେଲା ପରି କହିଲେ, ‘ଗୋରୁମେଣ୍ଢାଙ୍କ ଖୁଆଡ଼ରେ ରହି ଏହିସବୁ କଥା ଶିଖିଚୁ, ନା ?’ ଆଉ ଜଣେ ଲାଲ ଆଖି ଦେଖାଇ କହିଲେ, ‘ପାପୀ, ଧର୍ମଦ୍ରୋହୀ, ଅପେକ୍ଷା କର, ତୋର ଉଚିତ ଶାସ୍ତି ମିଳିବାକୁ ବେଶି ଡେରି ହେବ ନାହିଁ । ‘ ଗୋଟାଏ କୁଷ୍ଠରୋଗୀ ପାଖରୁ ନାକ ଟେକି ପଳାଇଗଲା ପରି ସମସ୍ତେ ସେଠାରୁ ଚାଲିଗଲେ ଓ ମଠର ସର୍ବାଧୀଶଙ୍କ ପାଖରେ ନାଲିଶ କଲେ । ଠିକ୍ ସନ୍ଧ୍ୟାବେଳକୁ ମୋତେ ସମନ କରାଗଲା । ଏଥର ମୁଁ ପଟାଏ ପାଇବି ବୋଲି ସନ୍ନ୍ୟାସୀମାନେ ଭାରି ଖୁସୀ ହେଉଥାନ୍ତି । ମୋତେ ପ୍ରଥମେ ବେତମାଡ଼ ହୋଇ ତା’ପରେ ଚାଳିଶ ଦିନ ଚାଳିଶ ରାତି ଅଟକ କରି ରଖାଯିବାର ରାୟ ଶୁଣିଲା ପରେ ସେମାନଙ୍କର ଆନନ୍ଦ ଯେପରି ମୁହଁ ଉପରେ ଉଚ୍ଛୁଳି ପଡ଼ୁଥାଏ । ମୋତେ ଗୋଟାଏ ଅନ୍ଧାର ଗମ୍ଭୀରା ଭିତରେ ବନ୍ଦ କରି ଦିଆଗଲା । ତା’ ଭିତରେ ରହି ମୁଁ ଦିନରାତି କିଛି ଜାଣିପାରିଲି ନାହିଁ । ମୋର ଚାରିଆଡ଼େ ଖାଲି ପୋକଗୁଡ଼ାକ ସାଲୁ ସାଲୁ ହେଉଥାଆନ୍ତି । ମଝିରେ ମଝିରେ ସେମାନେ କେବଳ ଖଣ୍ତେ ରୁଟି ଓ ଗିଲାସେ କଡ଼ୁଆ ପାଣି ରଖି ଦେଇ ଯାଉଥିଲା ବେଳେ ମୁଁ ପାଦର ଶବ୍ଦ ଶୁଣୁଥାଏ ।

 

ଜେଲରୁ ବାହାରିବା ବେଳକୁ ମୁଁ ଖୁବ୍ ଦୁର୍ବଳ ହୋଇଗଲି । ଦେହଟାଜାକ ଶେତା ପଡ଼ିଯାଇଥାଏ । ସନ୍ନ୍ୟାସୀମାନେ ଭାବିଲେ ଶାସ୍ତି ପାଇ ମୁଁ ସାବାଡ଼ ହୋଇଯାଇଛି ଓ ଆଉ କେବେ ସେପରି ଚିନ୍ତାମାନ କରିବାର ସାହସ କରିବି ନାହିଁ । ସେମାନେ ଭାବିଲେ ମୋତେ ଭୋକ ଶୋଷରେ ଶୁଖାଇ ସେମାନେ ମୋ ଅନ୍ତର ଭିତରୁ ଈଶ୍ୱରଙ୍କର କରୁଣାର ପଥ ରୁନ୍ଧି ଦେଇଛନ୍ତି । ଚାଳିଶ ଦିନ ଯାପି ସେହି ନିର୍ଜନ କାରାଗାରରେ କିପରି ଯେ ଏହି ସନ୍ନ୍ୟାସୀମାନଙ୍କର ସଦ୍‍ଦୃଷ୍ଟି ଆସିବ ଓ ସେମାନେ ଈଶ୍ୱରଙ୍କର ସଚ୍ଚା ସନ୍ଦେଶ ଶୁଣିପାରିବେ, ଏଥିଲାଗି ଏକ ଉପାୟ ଖୋଜିବାରେ ମୁଁ ବ୍ୟସ୍ତ ଥିଲି । କିନ୍ତୁ ସେ ଭାବନାଦ୍ୱାରା କୌଣସି ଫଳ ହେଲା ନାହିଁ । ଯୁଗଯୁଗ ଧରି ସେମାନଙ୍କ ଆଖି ଉପରେ ଯେଉଁ ମୋଟା ପରଳ ମାଡ଼ି ଯାଇଛି ତାକୁ ଏଡ଼େ ଚଞ୍ଚଳ ଚିରି ବାହାରି କରି ଦେଇ ହେବ କିପରି ? ବହୁ ଦିନରୁ ଅଶିକ୍ଷା ଓ ଅଜ୍ଞାନତାର ବୋଳ ବସି ସେମାନଙ୍କର କାନ ବନ୍ଦ ହୋଇ ଯାଇଛି; କଅଁଳ ଆଙ୍ଗୁଠି ଛୁଆଁଇ ସେ ବୋଳକୁ ସଫା କରି ହେବ କିପରି ?”

 

ପୁଣି କିଛିକ୍ଷଣ ସମସ୍ତେ ଚୁପ୍‍ଚାପ୍ ବସି ରହିଲେ । ମିରିଅମ୍ ତା’ର ମାଆ ଆଡ଼କୁ ଅନାଇଲା, ସେ ସତେ ଅବା ପଦେ କଥା କହିବାର ଅନୁମତି ମାଗୁଥିଲା । ସେ ପଚାରିଲା, “ଏଭଳି ଦୁର୍ଯୋଗ ରାତିରେ ସେମାନେ ଆପଣଙ୍କୁ ମଠରୁ ତଡ଼ିଦେବା ଆଗରୁ ଆପଣ ଆଉ ଥରେ ସେମାନଙ୍କ ସହିତ କଥାବାର୍ତ୍ତା ହେଲେ ନାହିଁ କାହିଁକି ? ଶତ୍ରୁ ପ୍ରତି ମଧ୍ୟ କଣ ସଦୟ ହେବା ଉଚିତ ନୁହେଁ ?”

 

ଖଲିଲ୍ ଉତ୍ତର ଦେଲା, “ଆଜି ସନ୍ଧ୍ୟାବେଳେ ହଠାତ୍ ବଜ୍ର ବିଦ୍ୟୁତରେ ଆକାଶ ଗର୍ଜନ କରି ଉଠିଲା । ସନ୍ନ୍ୟାସୀମାନେ ନିଆଁ ଚାରିପାଖରେ ବସି ଉଷୁମ ଟାଣୁଥାନ୍ତି, ସେମାନଙ୍କ ଭିତରେ କେତେ ଖୁସି ଗପ ପଡ଼ିଥାଏ । ଠିକ୍ ଏତିକିବେଳେ ମୁଁ ସେମାନଙ୍କ ଦଳରୁ ଉଠି ଚାଲିଗଲି । ମୋତେ ଏକୁଟିଆ ଯିବାର ଦେଖି ସେମାନେ ମୋ ବିଷୟରେ ଥଟ୍ଟା ତାମସା ଆରମ୍ଭ କରିଦେଲେ । ମୁଁ ସେତେବେଳେ ବାଇବେଲ ପଢ଼ୁଥାଏ; ଯୀଶୁଖ୍ରୀଷ୍ଟଙ୍କର ସୁମହାନ୍ ବାଣୀଗୁଡ଼ିକର କଳ୍ପନାରେ ମୁଁ ଉନ୍ନତ୍ତ ରାତ୍ରି ଆକାଶର ଗର୍ଜନ ଏକାବେଳେକେ ଭୁଲିଯାଇଥିଲି । ସେହି ସମୟରେ ସେମାନେ ନାନା ପରିହାସ କରି ମୋ’ ପାଖରେ ପହଞ୍ଚିଲେ । ଝରକା ବାଟେ ବାହାରକୁ ଅନାଇ ମୁଁ ନିଜକୁ ସଂଯତ କରିନେଲି ଓ ସେମାନଙ୍କ କଥାରେ କାନ ଦେଲିନାହିଁ । ମୁଁ ଚୁପ୍ ରହିବାରୁ ହସ ତାମସା ଓ ତୀକ୍ଷ୍‍ଣ ପରିହାସରୁ କୌଣସି ମଜା ନ ପାଇ ସେମାନେ ମୋ’ ଉପରେ କ୍ରୁଦ୍ଧ ହୋଇ ଉଠିଲେ । ଜଣେ କହିଲେ, ‘କଣ ବସି ପଢ଼ୁଚୁ ? ସତେ ଯେମିତି ସମାଜକୁ ଓଲଟାଇ ପକାଇବ !’ ତାଙ୍କର କଥା ଶୁଣି ମୁଁ ଯେଉଁ ପୃଷ୍ଠା ମେଲାଇଥିଲି, ସେହି ପୃଷ୍ଠାରୁ ତାଙ୍କୁ ପଢ଼ି ଶୁଣାଇଲି, ‘କେତେ ଜଣ ଫରାସୀ ଓ ସାଦୁସୀ (ବିଧର୍ମୀ)ଙ୍କୁ ଦୀକ୍ଷା ନେବାକୁ ଆସିଥିବାର ଦେଖି ସେ କହିଲେ– ହେ ବିଷଧର ଭୁଜଙ୍ଗର ଦଳ, ଭଗବାନଙ୍କର ଅଭିଶାପ ଆଗରୁ ପଳାଇବାର ବୁଦ୍ଧି କିଏ ତୁମ୍ଭମାନଙ୍କୁ ଦେଲା ? ପ୍ରଥମେ ଅନୁତାପ କର । ନିଜକୁ ଆବ୍ରାହାମଙ୍କର ସନ୍ତାନ ବୋଲି କହି ନିଶ୍ଚିନ୍ତ ହୋଇ ବସିଲେ କଦାପି ନିସ୍ତାର ପାଇବ ନାହିଁ । ମୋଠାରୁ ଶୁଣି ରଖ, ଭଗବାନ୍ ଇଚ୍ଛା କଲେ ଏହି ପଥରଗଦାରୁ ଆବ୍ରାହମଙ୍କ ଲାଗି ଗଣ୍ତା ଗଣ୍ତା ପୁଅ ତିଆରି କରି ଥୋଇଦେବେ । ଏବେ ବି କୁର୍‍ହାଡ଼ୀ ଗଛ ମୂଳରେ ଡେରା ହୋଇ ଥୁଆ ହୋଇଛି । ଯେଉଁ ଗଛ ଭଲ ଫଳ ଫଳାଇ ନ ପାରିବ, ଭଗବାନଙ୍କ ଆଦେଶରେ ମୂଳରୁ ହଣାଯାଇ ତାକୁ ନିଆଁରେ ପକାଇ ଦିଆଯିବ ।’

 

ମହତ୍ମା ଜନ୍‍ଙ୍କର ଏହି ପ୍ରକରଣଟି ପଢ଼ୁଥିବାବେଳେ ସନ୍ନ୍ୟାସୀମାନେ ନିଶ୍ଚଳ ହୋଇ ବସିଥାନ୍ତି, ସତେ ଅବା କୌଣସି ଅଦୃଶ୍ୟ ଐଶୀ ଶକ୍ତି ସେମାନଙ୍କର କୁଟିଳ ପ୍ରକୃତିର ତଣ୍ଟି ଚିପି ଧରିଥାଏ । କିନ୍ତୁ ଘଡ଼ିକ ପରେ ପୁଣି ଆଣ୍ଟ ବାନ୍ଧି ସେମାନେ ପରିହାସ ଆରମ୍ଭ କରିଦେଲେ । ଜଣେ କହିଲେ, ‘ଆମେ ତାକୁ ଅନେକ ଥର ପଢ଼ିଚୁ । ଗାଈଜଗା ଚାକରଠାରୁ ଧର୍ମଶାସ୍ତ୍ର ଶୁଣିବା ଆମର ଦରକାର ନାହିଁ ।’

 

ମୁଁ ଆଉ ସହି ନ ପାରି କହିଲି, ‘ଏ ସବୁ ପଢ଼ି ଏହାର ଅର୍ଥ ଯଦି ଆପଣମାନେ ବୁଝିଥାନ୍ତେ, ତେବେ ଗାଆଁର ଦରିଦ୍ର ଲୋକମାନେ ଶୀତରେ ବା ଉପାସରେ ମରୁ ନ ଥାନ୍ତେ ।’ ମୋ’ର କଥା ସରୁ ନ ସରୁଣୁ ଜଣେ ସନ୍ନ୍ୟାସୀ ଉଠି ଆସି ମୋତେ ଚଟକଣାଟାଏ ପକାଇଦେଲେ, ସତେ ଅବା ମୁଁ ତାଙ୍କର ଅପମାନ କରି ପକାଇଲି । ତା’ପରେ ଅତ୍ୟାଚାରର ଆଉ ବାଡ଼ବତା ରହିଲା ନାହିଁ । କିଏ ଗୋଇଠାଏ ପକାଇଲା, କିଏ ବହିଟା ମୋ’ଠାରୁ ଛଡ଼ାଇନେଲା; ଆଉ ଜଣେ ଯାଇ ସର୍ବାଧୀଶଙ୍କୁ ଡାକି ଆଣିଲା । ସର୍ବାଧୀଶ ରାଗରେ କମ୍ପି କମ୍ପି ଦଉଡ଼ିଆସିଲେ । ଆଦେଶ ହେଲା, ‘ଏ ବିଦ୍ରୋହୀଟାକୁ ଧରି ଏହି ପବିତ୍ର ସ୍ଥାନରୁ ଧକ୍କା ଦେଇ ବାହାର କରିଦିଅ, ସେ ଝଡ଼ତୋଫାନରେ ପଡ଼ି ଅମାନିଆ ହେବାର ଆଚ୍ଛା କରି ଫଳ ପାଉ । ପ୍ରକୃତିର ଦୁର୍ବିପାକ ଭିତରେ ଭଗବାନ୍ ତାକୁ ଉଚିତ ଶାସ୍ତି ଦିଅନ୍ତୁ । ତା’ ପରେ ସମସ୍ତେ ହାତ ଧୋଇ ତା’ର ପରିଚ୍ଛଦରେ ଲାଗିଥିବା ଧର୍ମଦ୍ରୋହର ପାପରୁ ନିଜକୁ ମୁକ୍ତ କରିଦିଅ । ଯଦି ସେ କ୍ଷମା ମାଗି ପୁଣି ଶରଣ ନେବାକୁ ଆସେ, ତାକୁ ଯେପରି କେହି କବାଟ ଫିଟାଇ ନ ଦିଅନ୍ତି । ଯେତେ ପଞ୍ଜୁରୀରେ ଆଣି ରଖିଲେ ନାଗସାପ କଣ କପୋତପକ୍ଷୀ ହୋଇ ପାରିବ ? ନିଜ ବଗିଚାରେ ଯେତେ ଯତ୍ନ କରି ଲଗାଇଲେ ମଧ୍ୟ ଆମ୍ବଡ଼ାରୁ କୋଉଠି ଆମ୍ବ ଫଳିଲାଣି ?’

 

ତାଙ୍କର ଆଦେଶ ଅନୁସାରେ ମତେ ସମସ୍ତେ ଘୋଷାରି ଆଣି ବାହାରକୁ ବାହାର କରିଦେଲେ । ନାନା ବିଦ୍ରୁପ କରି କବାଟ କିଳି ଦେଲାବେଳେ ଜଣେ କହିଲେ, ‘କାଲି ଗୋରୁ ଘୁଷୁରିଙ୍କ ଉପରେ ରାଜା ହୋଇ ରହିଥିଲୁ, ଆଜି ତୋ’ର ରାଜପଣ ସୁଖ ସରିଗଲା । ହେ ଧର୍ମପ୍ରଚାରକ ମହୋଦୟ, ଏଥର ହେଟାଙ୍କର ରାଜା ହୋଇ ତାଙ୍କୁ କୋରଡ଼ ଭିତରେ ରହିବାର ବିଦ୍ୟା ଶିଖାଇବୁ ଯା ।’

 

ଖଲିଲ୍‍ ଦୀର୍ଘନିଶ୍ୱାସ ପକାଇ ନିଆଁ ଆଡ଼କୁ ଅନାଇଲା । ନିଜର ମିଠା କଣ୍ଠରେ କରୁଣ ମୁଖଭଙ୍ଗୀ କରି ସେ କହିବାକୁ ଲାଗିଲା, “ଏହିପରି ଭାବରେ ମୁଁ ମଠରୁ ଗୋଡ଼ କାଢ଼ିଲି, ଏହିପରି ମଠ ସନ୍ନ୍ୟାସୀମାନେ ମୋତେ ମରଣମୁହଁକୁ ପେଲିଦେଲେ । ରାତିଯାକ ନିଜର ଜୀବନ ରଖିବାକୁ କେତେ ସଂଗ୍ରାମ କଲି । ତୋଫାନ ପବନରେ ମୋର ପୋଷାକ ଚିରିଚାରି ହୋଇଗଲା, ବରଫଭିତରେ ମୋର ଗୋଡ଼ ଲାଖି ଯିବା ପରି ଲାଗିଲା । ଆଉ ଚାଲି ନ ପାରି ମୁଁ ପଡ଼ିଗଲି ଏ ସାହାଯ୍ୟ ଲାଗି ବିକଳ ହୋଇ ଚିତ୍କାର କରି ଉଠିଲି । କେବଳ ମରଣ ଛଡ଼ା ବୋଧହୁଏ ମୋ ଡାକ ଶୁଣିବାକୁ ଆଉ କେହି ନ ଥିଲେ । କିନ୍ତୁ ସର୍ବଜ୍ଞ ଓ ବିଶ୍ୱଚକ୍ଷୁ ଭଗବାନ୍ ମୋ ଡାକ ଶୁଣିଲେ । ଜୀବନର ଗୋପନ ତତ୍ତ୍ୱଟି ପାଇବା ଆଗରୁ ମୋର ମୃତ୍ୟୁ ହୋଇଯାଉ, ଏହା ବୋଧହୁଏ ଭଗବାନଙ୍କର ଉଦ୍ଦେଶ୍ୟ ନଥିଲା । ତେଣୁ ମରଣର କରାଳ ଗର୍ଭରୁ ମୋର ଜୀବନ ରକ୍ଷା କରିବାକୁ ସେ ଆପଣ ଦୁହିଁଙ୍କୁ ପଠାଇଦେଲେ ।’’

 

ରାଚେଲ୍ ଓ ମିରିଅମ୍ ସତେ ଅବା ଖଲିଲ୍‍ର ଆତ୍ମାର କଥା ବୁଝି ପାରୁଥିଲେ, ସେମାନେ ମଧ୍ୟ ସମାନ ଆବେଗରେ ତା’ର କଥା ଅନୁଭବ କରିଯାଉଥିଲେ ! ରାଚେଲ୍‍ର ଆଖିରୁ ଲୁହଧାର ବହିଯାଉଥାଏ । ସେ ହାତ ବଢ଼ାଇ ଅତି ଧୀରେ ଖଲିଲ୍‍ର ହସ୍ତ ସ୍ପର୍ଶ କଲା ଓ କହିଲା, “ସତ୍ୟର ବୀର ସୈନିକ ହିସାବରେ ଭଗବାନ ଯାହାକୁ ପୃଥିବୀକୁ ପଠାଇଛନ୍ତି; ସେହି ଭଗବାନଙ୍କର ତୋଫାନ ଓ ବରଫ ତା’ର କଣ କରିପାରିବ ?” ମିରିଅମ୍ କହିଲା, ‘ଆଜିର ତୋଫାନରେ କେତେ ଫୁଲ ଛାରଖାର ହୋଇଯାଉଛି, କିନ୍ତୁ ମଞ୍ଜିର କିଏ କଣ କରିବ ? କୁହୁଡ଼ିରୁ ବଞ୍ଚାଇ ରଖିବା ଲାଗି ବରଫ ଆଜି ସେମାନଙ୍କୁ ଉଷ୍ମ ଶଯ୍ୟାରେ ଆବୃତ କରି ରଖିଦେଉଛି ।’’

 

ଏହିସବୁ ଉତ୍ସାହବାଣୀ ଶୁଣି ଖଲିଲ୍‍ର ମୁଖ ଉଜ୍ୱଳ ହୋଇଉଠିଲା । ସେ କହିଲା, “ସନ୍ୟାସୀଙ୍କ ପରି ଆପଣମାନେ ଯଦି ମୋତେ ଧର୍ମଦ୍ରୋହୀ ପାପୀ ବୋଲି ବିଚାରୁ ନ ଥାନ୍ତି, ତେବେ ମୁଁ ମଠରେ ସହିଥିବା ସବୁ ଅତ୍ୟାଚାରକୁ ଗୋଟାଏ ପୀଡ଼ିତ ଦଳିତଜାତିର ପ୍ରତୀକରୂପେ ଆପଣମାନେ ଗ୍ରହଣ କରିପାରିବେ । ଏ ପର୍ଯ୍ୟନ୍ତ ସେ ଜାତିର ଶିକ୍ଷା ହୋଇନାହିଁ । ଆଜି ରାତିରେ ମରଣର କବଳରେ ପଡ଼ି ମୁଁ ଯେଉଁ ସବୁ ବିପଦ ଭୋଗିଲି, ସେସବୁ ଆଗାମୀ ସତ୍ୟ ଓ ନ୍ୟାୟଯୁଗର ପୂର୍ବବର୍ତ୍ତୀ ବିପ୍ଳବ ପରି । ନାରୀର ଅନ୍ତର ଯେତେବେଳେ ମଣିଷର କଷ୍ଟ ବୁଝେ, ସେତେବେଳେ ମଣିଷର ଭାଗ୍ୟୋଦୟ ହୁଏ । ତା’ରି କରୁଣାରୁ ମଣିଷ ଲାଗି ସ୍ନେହ ଅଜାଡ଼ି ହୋଇପଡ଼େ ।’’

 

ଆଖି ବୁଜି ସେ ତକିଆ ଉପରକୁ ଆଉଜି ପଡ଼ିଲା; ରାଚେଲ୍ ଓ ମିରିଅମ୍ ଅଧିକ କଥା କହି ତାକୁ ବିଚଳିତ କରିବା ଉଚିତ ମନେ କଲେ ନାହିଁ । ଦାରୁଣ ଶୀତରେ ରାତିଯାକ ଅସ୍ତବ୍ୟସ୍ତ ହୋଇ ତା’ର ସମସ୍ତ ଆଖିକୁ ଯେପରି କ୍ଳାନ୍ତି ଗ୍ରାସ କରି ରହିଥିଲା । ବାଟବଣା ପୁଅ ପୁଣି ମାଆକୋଳ ପାଇଲା ପରି ଖଲିଲ୍ ସଙ୍ଗେ ସଙ୍ଗେ ନିଘୋଡ଼ ନିଦରେ ଶୋଇ ପଡ଼ିଲା ।

 

ରାଚେଲ୍ ଓ ମିରିଅମ୍ ନିଜ ନିଜ ବିଛଣା ଉପରୁ ଖଲିଲ୍‍କୁ ଅନାଇ ରହିଲେ; ତା’ର କ୍ଳାନ୍ତକ୍ଳିଷ୍ଟ ମୁଖମଣ୍ତଳ ଯେପରି ସେମାନଙ୍କର ସମସ୍ତ ହୃଦୟକୁ ଆକୃଷ୍ଟ କରି ନେଉଥିଲା । ରାଚେଲ୍ ଚୁପ୍ ଚୁପ୍ କରି କହିଲା, “ତା’ର ଆଖି ଭିତରେ ଗୋଟାଏ ଅଦ୍ଭୁତ ଶକ୍ତି ଲୁଚି ରହିଛି । ନୀରବତା ଭିତରେ ମଧ୍ୟ ମନର ସମସ୍ତ ଅଭିଳାଷକୁ ଉଦ୍ରେକ କରି ସେ ଆଖି ଯେପରି କଥା କହି ଉଠୁଛି ।’’

 

ମିରିଅମ୍ କହିଲା, “ତା’ର ହାତ ଦୁଇଟି ଯୀଶୁଙ୍କର ହାତ ପରି ଦେଖାଯାଉଛି । “ମାଆ ଉତ୍ତର ଦେଲା, “ନାରୀର କୋମଳତା ଓ ପୁରୁଷର ସାହସ, ଦୁଇ ଲକ୍ଷଣ ତା’ର ମୁହଁରେ ଅଛି ।

 

କିଛିକ୍ଷଣ ପରେ ନିଦ୍ରାର ବିହଙ୍ଗପକ୍ଷ ସେମାନଙ୍କୁ ସ୍ୱପ୍ନଜଗତକୁ ଉଡ଼ାଇ ନେଇ ଚାଲିଗଲା; ଉହ୍ମେଇରୁ ନିଆଁ ନିଭି ପାଉଁଶ ହୋଇଗଲା, ଦୀପର କ୍ଷୀଣ ଶିଖାଟି ମିଞ୍ଜି ମିଞ୍ଜି ହୋଇ କେତେବେଳେ ନିଭିଗଲା । ଝଡ଼ର ଝଞ୍ଜାସ ସେମିତି ଚାଲିଥାଏ, ସମାଚ୍ଛନ୍ନ ଆକାଶରୁ ବରଫ ବୃଷ୍ଟି ଅଜାଡ଼ି ହୋଇ ପଡ଼ି ଉନ୍ମତ୍ତ ପବନରେ ଚତୁର୍ଦ୍ଦିଗରେ ପରିକ୍ଷିପ୍ତ ହୋଇ ଯାଉଥାଏ ।

 

-୩-

 

ପାଞ୍ଚଦିନଯାଏ ଏହିପରି ବରଫ ବୃଷ୍ଟି ଚାଲିଲା । ପ୍ରାନ୍ତର ପର୍ବତ ସବୁ ବରଫରେ ଧବଳ ହୋଇଗଲା । ଖଲିଲ୍ ଗାଁକୁ ଯିବାକୁ ୟା ଭିତରେ ତିନି ଥର ବାହାରିଛି, କିନ୍ତୁ ତିନି ଥର ଯାକ ରାଚେଲ୍ ତାକୁ ଅଟକାଇ ରଖିଛି । ଆକଟ କରି କହିଛି, “ବାଆ ବୟାରରେ ଜାଣିଶୁଣି କାହିଁକି ହଟହଟା ହେବାକୁ ଯିବ ? ଆମେ ଦୁଇଜଣ ତ ଖାଉଥାନ୍ତୁ, ତୁମ ଜଣକ ପାଇଁ କି ଅଧିକା ଖରଚ ହୋଇ ଯାଉଛି ? ତୁମେ ଅଛ ବୋଲି କେତେ ଏବେ ବେଶି କାଠ ସରିଯାଉଛି ? ଆମେ ଗରିବ ହେଲେ କଣ ହେଲା, ସବୁ ମଣିଷଙ୍କ ପରି ଆକାଶ ତଳେ ସଂସାରରେ ଘର କରି ରହିଛୁ, ଭଗବାନ ଦୟା କରି ଆମକୁ ମଧ୍ୟ ଦି’ମୁଠା ଖାଇବାକୁ ଦେଉଛନ୍ତି । “

 

ପୁଣି ମିରିଅମ୍‍ର ଶ୍ରଦ୍ଧାନତ ଚାହାଣୀ ଯେପରି ତାକୁ ଚାଲି ନ ଯିବାକୁ ମିନତି କରି କହୁଥିଲା, ତା’ର ଦୀର୍ଘ ନିଶ୍ୱାସ ସବୁ କେତେ ଯୁକ୍ତି ଯୋଡ଼ି ଦେଇ ଖଲିଲ୍‍କୁ ଅଟକାଇ ରଖୁଥିଲା । ଖଲିଲ୍ ଆସିବା ଦିନଠାରୁ ମିରିଅମ୍ ପାଖେ ପାଖେ ଭଗବାନଙ୍କର କଳା ଅନୁଭବ କରୁଥିଲା, ସେହି କଳା ଜୀବନ ଓ ଜ୍ୟୋତି ଅଜାଡ଼ି ଦେଇ ତା’ର ପବିତ୍ର ଅନ୍ତର ଭିତରେ ନୂତନ ପ୍ରେମ ଜାଗରିତ କରି ଦେଉଥିଲା । ସେ ଅନୁଭବ କରୁଥିଲା ଯେପରି ତା’ର ସମସ୍ତ ହୃଦୟଟି ଶ୍ୱେତ ଗୋଲାପ ପରି ଫୁଟିଉଠି ସକାଳର ଶିଶିରସୁଧା ପାନ କରୁଥିଲା ଓ ଅନନ୍ତ ଆକାଶରେ ଆପଣାର ସୁଗନ୍ଧ ବିତରଣ କରୁଥିଲା ।

 

ଅନ୍ତର ଭରି ହଠାତ୍ ଚେଇଁ ଉଠି ପ୍ରାଣକୁ ଅମର୍ତ୍ତ୍ୟ ସଙ୍ଗୀତରେ ଶିଞ୍ଜିତ କରି ଦେଇଥିବା କୋମଳା ବାଳାର ଏହି ନିଗୂଢ଼ ପ୍ରେମଠାରୁ ଜଗତରେ ଅଧିକ ଶୁଦ୍ଧ ଓ ଶାନ୍ତିଦାୟକ ଆଉ କଣ ଥାଇପାରେ ? ସେହି ସଙ୍ଗୀତରେ ତା’ର ଦିବସଗୁଡ଼ିକ କବିର ସ୍ୱପ୍ନ ଓ ରାତ୍ରିଗୁଡ଼ିକ ଋଷିବାକ୍ୟରେ ପରିଣତ ହୋଇଯାଏ । କୁମାରୀ ହୃଦୟର ନୀରବତାକୁ ଚିରନ୍ତନ ପରିଚୟ-ସୁଖରେ ଉନ୍ନତି କରିଦେଉଥିବା ସାହଚର୍ଯ୍ୟଠାରୁ ଜୀବନରେ ଅଧିକ ସୁନ୍ଦର ଓ ଶକ୍ତିଶାଳୀ ଆଉ କଣ ହୋଇପାରେ-? ଏହି ପରିଚୟ ଲାଭରେ ସମସ୍ତ ଅତୀତ ପାଶୋର ଯାଏ ଏବଂ ସନ୍ନିଧ ଭବିଷ୍ୟର ମଧୁର ମଥିତ ଆଶାରେ ହୃଦୟ ଦୀପ୍ତିମୟ ହୋଇଉଠେ ।

 

ପୃଥିବୀର ଅନ୍ୟାନ୍ୟ ଦେଶର ନାରୀ ଅପେକ୍ଷା ସରଳତା ହେଉଛି ଲେବାନନ୍ ନାରୀର ବୈଶିଷ୍ଟ୍ୟ । ପିଲାଦିନରୁ ସେ ଯେପରି ପରିବେଷ୍ଟନୀ ମଧ୍ୟରେ ବଡ଼ ହୁଏ, ତାହା ତାର ଶିକ୍ଷାର ପ୍ରଗତିରେ ଅନେକ ପ୍ରତିବନ୍ଧକ ସୃଷ୍ଟି କରେ । ତଥାପି ଏଇ କାରଣରୁ ହିଁ ସେ ନିଜ ଅନ୍ତରର ପ୍ରବୃତ୍ତି ଓ ରହସ୍ୟମାନ ଉଦ୍‍ଘାଟନ କରି ଦେଖିବାକୁ ନିଜେ ତତ୍ପର ହୋଇଉଠେ । ମାଟିର ବୁକୁ ଚିରି ଆପେ ବହିଯାଉଥିବା ଝରଣାଟି ପରି ଲେବାନୀ ଯୁବତୀ ନିଜର ସ୍ୱାଭାବିକ ମୋଡ଼ ବାଙ୍କ ଦେଇ ଗତି କରେ । କିନ୍ତୁ ସାଗରରେ ପଡ଼ିବାର କୌଣସି ରାସ୍ତା ନ ପାଇ ସେ କେବଳ ଏକ ନିଶ୍ଚଳ ହ୍ରଦ ହୋଇ ରହେ ଓ ଚନ୍ଦ୍ରତାରାର ଦୀପ୍ତ ପ୍ରତିବିମ୍ବକୁ ବକ୍ଷରେ ଧରି ତପସ୍ୟା କରି ବସେ । ମିରିଅମ୍‍ର ହୃଦୟଲତା କିପରି ତା’ର (ଖଲିଲ୍‍ର) ହୃଦୟ ଚାରିପାଖରେ ଗୁଡ଼େଇ ହୋଇ ଯାଉଥିଲା, ଖଲିଲ୍ ତାର ସ୍ପନ୍ଦନ ପ୍ରାଣେ ପ୍ରାଣେ ଅନୁଭବ କରିପାରିଲା । ସେ ଜାଣିପାରିଲା ଯେ ଦୁହିଁଙ୍କର ଅନ୍ତର ଭରି ସେହି ଏକ ଦିବ୍ୟ ଆଲୋକ ଉଦ୍ଭାସିତ ହୋଇ ରହିଛି । ପ୍ରଥମ ଥର ଲାଗି ବୃଷ୍ଟିଦିନର ରଜସ୍ୱଳା ନଦୀ ପରି ତାର ପ୍ରାଣ ପୁଲକିତ ହୋଇଉଠିଲା । କିନ୍ତୁ କିଛିକ୍ଷଣ ପରେ ନିଜର ଅସଂଯତ ମନପାଇଁ ନିଜକୁ ସେ ସାବଧାନ କରିଦେଲା । ସେ ମନେ କରିଥିଲା, ସେଠୁ ଚାଲିଯିବା ପରେ ଅନ୍ତରର ସମସ୍ତ ପରିଚୟ ଭାସିଗଲା ମେଘ ପରି କୁଆଡ଼େ ପାଶୋରଯିବ । ବେଳେ ବେଳେ ସେ ଭାବୁଥିଲା, “ଜୀବନକୁ ଏପରି ନଚାଉଥିବା ଏ ରହସ୍ୟମୟୀ କିଏ ? ଆମକୁ ବନ୍ଧୁର ପଥର ପଥଚାରୀ କରାଇ ଦେଇ ଠିକ୍ ଆଲୋକପାନର ପୁଲକମୁହୂର୍ତ୍ତ ଆଗରୁ ହଠାତ୍ ଏପରି ଅଟକାଇ ଦିଏ କିଏ ? ସବୁ ସମର୍ଥନ ଓ ଉତ୍ସାହ ଦେଇ ଆମକୁ ପର୍ବତ ଉପରଯାଏ ଦଉଡ଼ାଇ ଦେଇ ପୁଣି କିଏ ଆମକୁ ତଳେ ଆଣି କଚାଡ଼ିଦିଏ, ଆମ ଭାଗ୍ୟରେ କେବଳ କାନ୍ଦ ଓ କଷଣ ଲେଖି ଦେଇଯାଏ କିଏ ? ଆଜି ଆପଣାର ପ୍ରେମିକ ପରି ଆଲିଙ୍ଗନ କରି କାଲି ପୁଣି ଶତ୍ରୁ ପରି ଯୁଝିବାକୁ ଆସେ କିଏ ? ଏଇ କଣ ଜୀବନ ? କାଲି ପରା ମୁଁ ମଠରୁ ଶାସ୍ତି ପାଇଥିଲି ? ଅନ୍ତର ଭିତରେ ଭଗବାନ ଜାଗରୂକ କରି ଦେଇଥିବା ସତ୍ୟ ଲାଗି ମୁଁ କେତେ କ୍ଷୁଧା, ପିପାସା, କଷଣ ଓ ଉପହାସ ଅଙ୍ଗେ ନ ଲିଭାଇଲି ! ସତ୍ୟପାଳନରେ ଯେଉଁ ସୁଖଲାଭ ହୁଏ, ତଦ୍ଦ୍ୱାରା ଯେ କେବଳ ଭଗବାନଙ୍କର ଉଦ୍ଦେଶ୍ୟ ପୂରଣ ହୁଏ, ଏ କଥା ପରା ମୁଁ ସନ୍ନ୍ୟାସୀମାନଙ୍କୁ କହିଥିଲି ? ତାହାହେଲେ ଆଜି ହଠାତ୍ ଏ ଭୟ କୋଉଥିପାଇଁ ? ସେହି ଯୁବତୀ କିଶୋରୀର ଆଖିଭିତରୁ ଝରିପଡ଼ୁଥିବା ଆଲୋକ ଦେଖି ମୁଁ କାହିଁକି ଭୟରେ ଆଖି ବୁଜି ପକାଉଛି ? ମୁଁ ମଠରୁ ନିର୍ବାସିତ; ସେ ମଧ୍ୟ ଦରିଦ୍ର; କିନ୍ତୁ ମଣିଷ କଣ ଖାଲି ଦାନା ଖାଇବାର ଜନ୍ତୁ ? ଦୁର୍ଭିକ୍ଷ ଆଉ ସମ୍ପଦ,–ଏମାନେ କେବଳ ଗ୍ରୀଷ୍ମ ଓ ଶୀତକାଳର ସେଇ ଏକ ଗଛପରି ନୁହନ୍ତି କି ? ଆମେ ଦୁହେଁ ଏପରି ଚୁପ୍‍ଚାପ ପରସ୍ପରର ଅନ୍ତର ମିଳାଇ ଦେଇଛୁଁ ଓ ଈଶ୍ୱରଙ୍କର ଆଲୋକମଣ୍ତଳ ଭିତରେ ପାଖକୁ ପାଖ ଲାଗିଆସୁଛୁ, ଏକଥା ଜାଣିଲେ ରାଚେଲ୍ ମନରେ କଣ ଭାବିବ ? ଯୋଉ ଯୁବକର ପ୍ରାଣ ବଞ୍ଚାଇ ସେ ଆପଣା ଘରେ ଆଶ୍ରୟ ଦେଇଛି, ତା’ର ଝିଅ ଉପରେ ସେହି ଯୁବକର ନଜର ପଡ଼ିଛି ବୋଲି ଜାଣିଲେ ସେ କଣ ମନେ କରିବ ? ମଠରୁ ଅଗତ୍ୟା ତଡ଼ା ଖାଇ ଆସି ଗୋଟାଏ ଯୁବକ ଜଣେ ଅବିବାହିତା ଯୁବତୀ ପାଖରେ ରହିବାକୁ ଲାଳାୟିତ ବୋଲି ଜାଣିଲେ ଗାଆଁର ସରଳ ଲୋକମାନେ କଣ କହିବେ ? ସେହିମାନଙ୍କ ସଙ୍ଗରେ ଏକତ୍ର ବାସ କରିବାକୁ ମଠରୁ ଚାଲି ଆସିଥିବା ମଣିଷ ଠିକ୍ ପଞ୍ଜୁରୀ ଭିତରୁ ଆକାଶକୁ ଉଡ଼ିଯାଇଥିବା ଚଢ଼େଇଟି ପରି, ଏକଥା କହିଲେ ମୋ କଥା କିଏ ଶୁଣିବ ? ମୋ କଥା ଜାଣିଲେ ସେଖ ଆବାସ କଣ କହିବେ ? ମୁଁ ମଠରୁ ବାହାରି ଆସିଥିବାର କାରଣ ଜାଣିପାରିଲେ ଗାଆଁର ପାଦ୍ରୀ କଣ ଭାବିବେ ?”

 

ନିଆଁ ପାଖରେ ବସି ଖଲିଲ୍ ଏକମନରେ ଏସବୁ କଥା ଭାବି ଚାଲିଥାଏ, ପ୍ରେମର ପ୍ରତୀକରୂପେ ସେହି ନିଆଁ ତା’ର ମନଭିତରେ ମୂର୍ତ୍ତିମନ୍ତ ହୋଇ ଉଠିଥାଏ । ମଝିରେ ମଝିରେ ମିରିଅମ୍ ଚୋରା ଚାହାଣୀରେ ତା’ର ଆଖିଦୁଇଟାକୁ ଅନାଇ ତା’ର କଳ୍ପନାଗୁଡ଼ାକୁ ବୁଝିବାକୁ ଚେଷ୍ଟା କରୁଥାଏ । ଦୁହେଁ ଚୁପ୍ ହୋଇ ରହିଥିଲେ ମଧ୍ୟ ଖଲିଲ୍‍ର ପ୍ରତ୍ୟେକଟି ଭାବନାର ପ୍ରତିଧ୍ୱନି ମିରିଅମ୍‍ର ଅନ୍ତରରେ ବାଜୁଥାଏ, ସେ ତା’ର ପ୍ରେମର ସ୍ପର୍ଶ ପାଉଥାଏ ।

 

କୁଟୀରର ଯେଉଁ ଗବାକ୍ଷ ପାଖରେ ଠିଆ ହେଲେ ଉପତ୍ୟକାର ଘନ ତୁହିନାଚ୍ଛନ୍ନ ଅରଣ୍ୟ ପର୍ବତମାନ ଆସି ଦୃଷ୍ଟିରେ ପଡ଼େ, ଦିନେ ରାତିରେ ଖଲିଲ୍ ସେଇଠାରେ ଠିଆ ହୋଇଛି, ମିରିଅମ୍ ଆସି ତା’ପାଖରେ ଠିଆ ହେଲା ଓ ଆକାଶ ଆଡ଼କୁ ଅନାଇ ରହିଲା । ଡୋଳା ପିଛୁଳି ଚାରିଆଖିର ମିଳନ ହୋଇଯିବା ସଙ୍ଗେ ସଙ୍ଗେ ଖଲିଲ୍ ଦୀର୍ଘନିଶ୍ୱାସ ପକାଇ ଆଖି ବୁଜିଦେଲା, ସତେ ଅବା କାହାଠାରୁ ପଦେ ଭାଷା ପାଇବାକୁ ସେ ସମସ୍ତ ମନ ଦେଇ ଗଗନମାର୍ଗରେ ଭାସି ବୁଲୁଥିଲା । ନା, ଆଉ ଭାଷାର ଦରକାର ନାହିଁ, ଏହି ନୀରବତା ହିଁ କଥା କହିବ ! କିଛିକ୍ଷଣ ପରେ ପ୍ରଥମେ ମିରିଅମ୍ କହିଲା, “ବରଫ ତରଳି ବାଟ ସଫା ହୋଇଗଲେ ତୁମେ କେଉଁଆଡ଼େ ଯିବ ?” ଖଲିଲ୍ ଚାହିଁ ଦେଖିଲା, ସେମିତି ଆକାଶକୁ ଅନାଇ ଉତ୍ତର ଦେଲା, “ମୋର ସତ୍ୟର ଆହ୍ୱାନ ଓ ଭାଗ୍ୟ ମୋତେ ଯେଉଁଠାକୁ ନେଇଯିବେ, ମୁଁ ସେହିଠାକୁ ଯିବି ।’’ ଏଥିରେ କିନ୍ତୁ ମିରିଅମ୍‍ର ମନର ଦୁଃଖ ଗଲା ନାହିଁ । ସେ ପୁଣି ପଚାରିଲା, “ଆମ ଘରେ ଆମ ପାଖରେ ରହିଲେ କଣ ଖରାପ ହୁଅନ୍ତା ? ତୁମକୁ କଣ କିଏ କୁଆଡ଼େ ଯିବାକୁ ବାଧ୍ୟ କରୁଛି ?” କରୁଣାମଧୁର ଏହି କଥା ପଦକରେ ଦ୍ରବିଯାଇ ଖଲିଲ୍ ନ ମାନିଲା ପରି କହିଲା, “ମଠରୁ ତଡ଼ା ଖାଇ ଆସିଥିବା ଜଣେ ଲୋକକୁ ଗାଁଆଲୋକମାନେ କଣ ରହିବାକୁ ଦେବେ ? ତାଙ୍କ ଆଖିରେ ମୁଁ ଗୋଟାଏ ପାପୀ, ଧର୍ମଦ୍ରୋହୀ, ଭଗବାନ ଓ ମହାତ୍ମାମାନଙ୍କର ଅଭିଶପ୍ତ ମୁଁ । ମୋ ନିଶ୍ୱାସ କିପରି ସେମାନଙ୍କ ଦେହରେ ବାଜିବ-?” ସତ କଥାଟା ଶୁଣି ମନ ଦୁଃଖରେ ମିରିଅମ୍ ଚୁପ୍ ହୋଇ ରହିଲା । ଖଲିଲ୍ ପୁଣି ପରିଷ୍କାର କରି କହିଲା, “ମିରିଅମ୍, ଆମର ଶାସକମାନେ ତ ଏଇ ଗ୍ରାମବାସୀମାନଙ୍କୁ ଯେକୌଣସି ସ୍ୱାଧୀନଚେତା ଲୋକକୁ ଘୃଣା କରିବାକୁ ଶିଖାଇଛନ୍ତି, ଦୂରଗାମୀ ଭାବୁକମାନଙ୍କଠାରୁ ଦୂରଛଡ଼ା ହୋଇ ରହିବାକୁ ପହିଲୁ ସେମାନେ ଶିକ୍ଷା ପାଇ ଆସିଛନ୍ତି । ଯେ ଖାଲି ଅପରକୁ ଅନ୍ଧ ପରି ଅନୁକରଣ କରେ, ଈଶ୍ୱର ତା’ର ପୂଜା ଗ୍ରହଣ କରନ୍ତି ନାହିଁ । ମୁଁ ଏଇ ଗାଆଁରେ ରହି ଲୋକଙ୍କୁ ସେମାନଙ୍କର ଆପଣା ମନୋମତ ଧର୍ମ ଅନୁସରଣ କରିବାକୁ ଉପଦେଶ ଦେଲେ, ଲୋକେ କହିବେ ମୁଁ ଗୋଟାଏ ଧର୍ମଦ୍ରୋହୀ, ଭଗବାନଙ୍କର ପ୍ରତିନିଧି ପାଦ୍ରୀମାନଙ୍କର ଆଜ୍ଞା ଅବଜ୍ଞା କରୁଛି । ସେମାନଙ୍କୁ ଯଦି ମୁଁ ଆପଣାର ବିବେକର ନିର୍ଦ୍ଦେଶ ମାନି ଚଳିବାକୁ କହେ, ତେବେ ସେମାନେ କହିବେ ଯେ ମୁଁ ଗୋଟାଏ ବିପଥଗାମୀ ନଷ୍ଟ ମଣିଷ,– ସ୍ୱର୍ଗ ଓ ମର୍ତ୍ତ୍ୟ ମଝିରେ ଭଗବାନ୍ ସୃଷ୍ଟି କରିଥିବା ଯାଜକମାନଙ୍କୁ ଲୁପ୍ତ କରିଦେବାକୁ କହୁଛି ।’’ ଖଲିଲ୍‍ ପୁଣି ଥରେ ମିରିଅମ୍‍ର ଆଖିଆଡ଼କୁ ଚାହିଁ ରଜତତନ୍ତ୍ରୀର ଶବ୍ଦ ପରି କହି ଚାଲିଲା “କିନ୍ତୁ ମିରିଅମ୍, ଏ ଗାଆଁର ହୁଏତ ଏପରି ଗୋଟାଏ ଯାଦୁକରୀ ଶକ୍ତି ରହିଛି, ଯେ କି ମୋର ସର୍ବାନ୍ତଃକରଣ ଅଧିକାର କରି ରଖିଛି, ସେହି ଦିବ୍ୟ ଶକ୍ତିର ବନ୍ଧନ ଭିତରେ ମୁଁ ଯେପରି ସମସ୍ତ ଦୁଃଖକଷ୍ଟ ଭୁଲିଯାଉଛି । ଏଇ ଗାଆଁରେ ସେଦିନ ମୁଁ ମରିବାକୁ ଯାଉଥିଲି, ଏଇଠି ପୁଣି ଈଶ୍ୱରଙ୍କର କୃପାସ୍ପର୍ଶ ପାଇବାର ସୌଭାଗ୍ୟ ଘଟିଲା । ଏହି ଗ୍ରାମର ମଲା ଘାସ ଉପରେ ଗୋଟିଏ କମନୀୟ ପୁଷ୍ପ ଫୁଟିଉଠିଛି, ତାହାରି ସୌନ୍ଦର୍ଯ୍ୟ ମୋର ମନକୁ ବାନ୍ଧି ରଖୁଛି ! ତାର ସୁଗନ୍ଧରେ ମୋର ଅନ୍ତର ପରିପୂର୍ଣ୍ଣ ହୋଇଉଠୁଛି । ଏଭଳି ଏକ ମହାନ୍ ଫୁଲଟିକୁ ଛାଡ଼ି ଚାଲିଯାଇ ମୁଁ କଣ ଜଗତରେ ମୋର ବିଦ୍ରୋହୀ ମତବାଦମାନ ପ୍ରଚାର କରିବି ? ନା, ଏଇ ଫୁଲଟି ପାଖରେ ବସି ରହି ଗୋଟିଏ ଗାତ ଖୋଳି ମୋର ସମସ୍ତ ସତ୍ୟ ଓ ଚିନ୍ତାଧାରାକୁ କଣ୍ଟକ ସମେତ ପୋତି ପକାଇବି ? ମିରିଅମ୍, କହିଲ ମୁଁ କ’ଣ କରିବି ?” ଖଲିଲ୍‍ର କଥାମାନ ଶୁଣୁଶୁଣୁ ଚପଳ ପବନରେ ପ୍ରତ୍ୟୁଷର ପଦ୍ମ ପରି ମିରିଅମ୍‍ର ସମସ୍ତ ଶରୀର କମ୍ପି ଉଠିଲା । ଆଖିର ଦର୍ପଣ ଉପରେ ଯେପରି ତାର ହୃଦୟ ପ୍ରତିଫଳିତ ହୋଇପଡ଼ିଲା । ରହି ରହି ଉତ୍ତର ଦେଲା, “ଆମେ ଦୁହେଁ ସେହି ରହସ୍ୟମୟ କରୁଣାସାଗରଙ୍କ ହାତରେ ବନ୍ଧା । ତାଙ୍କରି ଇଚ୍ଛା ପୂର୍ଣ୍ଣ ହେଉ ।’’

 

ମୁହୂର୍ତ୍ତକ ମଧ୍ୟରେ ଦୁଇଟିଯାକ ଅନ୍ତର ଏକତ୍ର ହୋଇଗଲେ । ସେମାନଙ୍କର ହୃଦୟ ମଧ୍ୟଦେଇ ଦୁହିଁଙ୍କର ଜୀବନକୁ ସନ୍ଦୀପିତ କରୁଥିବା ଗୋଟିଏ ଆଲୋକଶିଖା ପ୍ରଜ୍ଜ୍ୱଳିତ ହୋଇ ଉଠିଲା ।

 

ସୃଷ୍ଟିର ଆଦିକାଳରୁ ଆମର ଏ ଯୁଗ ପର୍ଯ୍ୟନ୍ତ ପୂର୍ବରୁ ଧନୀ ହୋଇ ରହିଥିବା କେତୋଟି ବଂଶ ଧର୍ମଯାଜକମାନଙ୍କୁ ଆପଣାର କରିନେଇ ଲୋକମାନଙ୍କ ଉପରେ ଶାସନ କରି ଆସୁଛନ୍ତି । ସମାଜର ମର୍ମସ୍ଥଳରେ ଏହା ଏପର୍ଯ୍ୟନ୍ତ ଗୋଟାଏ ସାଂଘାତିକ କଟା ଘା’ପରି ଆଁ କରି ରହିଛି । ସମାଜରୁ ଅଶିକ୍ଷା ଦୂର ନ ହେଲା ପର୍ଯ୍ୟନ୍ତ ଏହାର ଆରୋଗ୍ୟ ଅସମ୍ଭବ ।

 

ପୈତୃକ ଭାଗ୍ୟବଳରେ ଯିଏ ଅଚଳା ସମ୍ପତ୍ତିର ମାଲିକ ହୋଇ ବସିଛି, ସେ ଦରିଦ୍ର ଦୁର୍ବଳ ଜନସାଧାରଣଙ୍କର ଅର୍ଜିଲା ଧନରେ କୋଠା ତିଆରି କରୁଛି । ତେଣେ ସରଳବିଶ୍ୱାସୀ ଭକ୍ତମାନଙ୍କର ଅସ୍ଥି ଓ ସମାଧି ଉପରେ ଧର୍ମପଣ୍ତାଙ୍କର ଦେଉଳ ତୋଳା ହେଉଛି । ରାଜାଘର ପୁଅ ଛପି ଛପି ଦରିଦ୍ରର ହାତ ବାନ୍ଧିଦେଉଛି, ବାବାଜୀ ତାର ଗଣ୍ଠିକାଟି ସମ୍ପତ୍ତି ଲୁଟିନେଉଛି । ରାଜା ମାଲିକ ହୋଇ ଚାଷୀ ଆଡ଼କୁ କଟୁ କଟାକ୍ଷ କରି ଚାହୁଁଛି; ଏଣେ ବାବାଜୀ ଥିରି ଥିରି ହସି ତାକୁ ବୋଧଦେବାକୁ ଯାଉଛି । ବାଘର ଭ୍ରୂକୁଟି ଓ ଗଧିଆର ସାନ୍ତ୍ୱନା, ଦୁଇ କଟାହର ମଝିରେ ପଡ଼ି ସମାଜର ଜୀବନ ଲୁପ୍ତ ହୋଇ ଯାଉଛି । ରାଜା ତେଣେ ଆଇନ୍ କରି ମାଲିକ ବୋଲାଉଛି, ଈଶ୍ୱରଙ୍କର ନାମ ନେଇ ବାବାଜୀ ମଧ୍ୟ ଘୋଡ଼ା ଚଢ଼ି ବସୁଛି; ଦୁହିଁଙ୍କ ଭିତରେ ଚିପି ହୋଇଯାଇ ମଣିଷର ଦେହ ଧୂଳି ହୋଇଯାଉଛି, ତା’ର ଆତ୍ମା ନିଷ୍ଫଳ ହୋଇଯାଉଛି ।

 

ସୂର୍ଯ୍ୟାଲୋକଭରା, ଅଥଚ ଜ୍ଞାନରେ ଦରିଦ୍ର ଏହି ଲେବାନନରେ ଦରିଦ୍ର ଚାଷୀର ରକ୍ତ ଶୋଷିବାକୁ ସାମନ୍ତ ଓ ଧର୍ମଯାଜକମାନେ ବେଶ୍ ମେଣ୍ଟ ବାନ୍ଧିଛନ୍ତି । ରାଜଭୟ ଓ ଧର୍ମଭୟରେ ଆକୁଳ କାତର ହୋଇ ପ୍ରଜା ବର୍ଷ ବର୍ଷ ଧରି ଜମି ଚଷି ଫସଲ ଅମଳ କରି ଆସୁଛି । ଉଚ୍ଚ ପ୍ରାସାଦ ଉପରେ ଠିଆ ହୋଇ ଲେବାନନ୍‍ର ବଡ଼ଲୋକ ସଦମ୍ଭ ଆସ୍ଫାଳନ କରି ଜନସାଧାରଣଙ୍କୁ କହୁଛି, “ସୁଲତାନ ମୋତେ ତୁମମାନଙ୍କର ମାଲିକ କରି ରଖିଛନ୍ତି ।’’ ଦେଉଳ ପିଣ୍ତି ଉପରୁ ଧର୍ମଯାଜକ ବି ଚିତ୍କାର କରୁଛି, “ତୁମ୍ଭମାନଙ୍କ ଆତ୍ମାର ସରଣୀ ଦେଖାଇ ଦେବାକୁ ଭଗବାନ୍ ମୋତେ ଏଠାକୁ ପଠାଇଛନ୍ତି ।’’ କିନ୍ତୁ ଏଡ଼େ ବଡ଼ ଦେଶ ଲେବାନନରେ ଜବାବ ଦେବାକୁ କାହାରି ତୁଣ୍ତରୁ ପଦେ କଥା ବାହାରୁନାହିଁ । ମଲା ମଣିଷ କଥା କହନ୍ତା କୁଆଡ଼ୁ ?

 

ସେଖ ଆବାସ ଭିତରେ ଭିତରେ ଗୀର୍ଜା ମାଲିକମାନଙ୍କ ସଙ୍ଗରେ ବେଶ୍ ବିରାଦରୀ କରି ନେଇଥିଲେ । ମଣିଷର ଜ୍ଞାନଘର ବନ୍ଦ କରି ରଖି ତାକୁ ବେଠି ଲାଗି ମଣ କରାଇବାକୁ ବାବାଜୀମାନେ ସେଖଙ୍କୁ ଖୁବ୍ ସାହାଯ୍ୟ କରୁଥିଲେ ।

 

ସେହି ସନ୍ଧ୍ୟାରେ ଖଲିଲ୍ ଓ ମିରିଅମ୍ ପ୍ରେମର ସିଂହାସନରେ ଅଧିଷ୍ଠିତ ହେବାକୁ ଯାଉଥିବା ବେଳେ ଓ ରାଚେଲ୍ ଅନ୍ତରଭରା ମମତାରେ ଏହି ଦୃଶ୍ୟ ଦେଖୁଥିବାବେଳେ, ଏଣେ ଧର୍ମାଧ୍ୟକ୍ଷ ଇଲିଆସ୍ ସେଖ୍ ଆବାସଙ୍କ ପାଖକୁ ଖବର ପଠାଇଦେଲେ ଯେ ମଠାଧୀଶ ଜଣେ ବିପଥଗାମୀ ଯୁବକକୁ ମଠରୁ ବାହାର କରି ଦେଇଛନ୍ତି ଓ ସେ ସ’ମାନ ରମୀର ବିଧବା ପତ୍ନୀ ରାଚେଲ୍‍ର ଘରେ ଯାଇ ରହିଛି । କେବଳ ଏତିକି ଖବର ଦେଇ ମନ ବୋଧ ନ ହେବାରୁ ଧର୍ମାଧ୍ୟକ୍ଷ ପୁଣି ପଦେ ଯୋଡ଼ି କହିଲେ “ଯୋଉ ରାକ୍ଷସଟାକୁ ସେମାନେ ମଠରୁ ତଡ଼ିଦେଇଛନ୍ତି, ସେ କଣ ଗାଁଆରେ ରହି ଦିନଟାକ ଭିତରେ ଗୋଟାସୁଦ୍ଧା ଦେବତା ହୋଇଗଲା ? ଡିମିରି ଗଛକୁ ଗର ଗର କରି କାଟି ନିଆଁରେ ପକାଇଲେ ବି କଣ ଜଳନ୍ତା କାଠରେ ଫଳ ଫଳିବ ? ଏହି ପଶୁର ଦୈରାତ୍ମ୍ୟରୁ ଗାଆଁକୁ ନିରାପଦ ରଖିବାକୁ ହେଲେ; ଶୀଘ୍ର ତାକୁ ଗାଆଁରୁ ବାହାରି ଯିବାର ଆଦେଶ ଦେବାକୁ ହେବ ।’’ ସେଖ ପଚାରିଲେ, “ଯୁବକଟି ଗାଁରେ ଲୋକଙ୍କ ଉପରେ ଖରାପ ପ୍ରଭାବ ପକାଇବ, ଏକଥା ଆପଣ ଠିକ୍ କରି ଜାଣନ୍ତି ? ଆଚ୍ଛା, ତାକୁ ଆଣି ଆମ ଫଳବଗିଚାରେ ମୂଲିଆ କରି ରଖିଲେ ଭଲ ହୁଅନ୍ତା ନାହିଁ ? ବଗିଚା ଲାଗି ତ ଆମର ଅନେକ ଟାଣୁଆ ଲୋକ ଦରକାର !”

 

ଧର୍ମାଧ୍ୟକ୍ଷ ମନକୁ ନ ପାଇଲା ପରି ମୁହଁଟାକୁ କରିଦେଲେ । ଦାଢ଼ିରେ ହାତ ବୁଲାଉ ବୁଲାଉ କହିଲେ “କାମ କରିବାର ଯୋଗ୍ୟ ହୋଇଥିଲେ ମଠରୁ ତାକୁ ତଡ଼ି ଦେଇଥାନ୍ତେ କାହିଁକି ? ସେହି ମଠର ଜଣେ ଶିଷ୍ୟ କାଲି ରାତିରେ ଆମ ଘରେ ଥିଲା; ସେଇ ମୋତେ କହିଲା ଯେ ସେହି ଯୁବକଟି ସନ୍ନ୍ୟାସୀମାନଙ୍କ ପାଖରେ ଅତି ସାଂଘାତିକ କଥାମାନ ପ୍ରଚାର କରି ମଠାଧୀଶଙ୍କର ଆଇନ୍ ଅମାନ୍ୟ କରିଛି । ଜାଣନ୍ତି ସେ କଣ ସବୁ ପ୍ରଚାର କରୁଥିଲା ? –“ମଠର ଯାହା ଯେତେ ସମ୍ପତ୍ତି, ବାଡ଼ି, ବଗିଚା ଓ ସୁନାରୂପା ଅଛି, ସମସ୍ତ ଗରିବ ଲୋକଙ୍କୁ ବାଣ୍ଟି ଦିଆଯାଉ, ମୂର୍ଖ ଲୋକମାନଙ୍କୁ ଶିକ୍ଷା ଦେବାର ବ୍ୟବସ୍ଥା କରାଯାଉ, କେବଳ ଏହାରି ଦ୍ୱାରା ହିଁ ଭଗବାନ ସନ୍ତୁଷ୍ଟ ହୋଇ ପାରିବେ ।’’

 

ଏଇ କଥାତକ ଶୁଣି ସେଖ ଆବାସ ନିଆଁ ଲାଗିଲା ପରି ହୋଇଗଲେ, ସତେ ଯେମିତି ଶିକାର ଦେଖି ବାଘ ପରି ଡେଇଁପଡ଼ିଲେ । ସଙ୍ଗେ ସଙ୍ଗେ ତିନି ଜଣ ସିପାହୀ ଡାକି ଆଦେଶ ଦେଲେ, “ସ’ମାନ ରମୀର ବିଧବା ପତ୍ନୀ ରାଚେଲ୍‍ର ଘରକୁ ଏଇକ୍ଷଣି ଯିବାକୁ ହେବ । ତା’ର ଘରେ ସନ୍ନ୍ୟାସୀ ବେଶରେ ଗୋଟାଏ ଟୋକା ରହୁଛି । ତାକୁ ବାନ୍ଧି ମୋ’ ପାଖକୁ ନେଇଆସ । ଯଦି ସେ ସ୍ତ୍ରୀଲୋକ କିଛି ବାଧା ଦିଏ, ତେବେ ତାକୁ ମଧ୍ୟ ଚୁଟି ଧରି ଘୋଷାରି ନେଇଆସ । ପାପକୁ ଅଣ୍ଟିରେ ପୂରାଇଥିବା ପାପର ଫଳ ତାକୁ ଭୋଗିବାକୁ ହିଁ ହେବ । “ଜୋ ହଜୁର୍” କହି ସିପାହୀମାନେ ସଙ୍ଗେ ସଙ୍ଗେ ଛୁଟିଗଲେ । ରାଚେଲ୍ ଓ ଖଲିଲ୍‍ଙ୍କୁ କିପରି ଧରଣର ଯୋଗ୍ୟ ଶାସ୍ତି ଦିଆଯିବ, ଏଇକଥା ସେଖ ଓ ଧର୍ମାଧ୍ୟକ୍ଷ ମନ୍ତ୍ରଣା କରି ବସିଲେ ।

 

–୪–

 

ବରଫରେ ଆବୃତ ଦରିଦ୍ର କୁଡ଼ିଆଗୁଡ଼ିକ ଉପରେ କାଳିଅନ୍ଧାର ଘୋଟାଇଦେଇ ରାତି ମାଡ଼ିଆସିଲା; ଦିନର ଅବସାନ ହେଲା । ମୃତ୍ୟୁ ଯନ୍ତ୍ରଣାର ନରକଭୋଗ ପରେ ଆଗାମୀ ଶାଶ୍ୱତ କାଳର ଆଶା ପରି ଆକାଶରେ ତାରାମାନ ଜଳି ଉଠିଲେ । ସବୁରି ଘରେ ଝରକା କବାଟ ପଡ଼ିଗଲା, ଯେଝା ଘରେ ଯିଏ ଦୀପ ଲଗାଇ ଦେଲେ । ଲେବାନନ୍‍ର କୃଷକମାନେ ନିଆଁ ପାଖରେ ଦେହକୁ ଉଷୁମ କରିବାକୁ ବସିଗଲେ । ଖଣ୍ତେ କାଠ ଟେବୁଲ ଉପରେ ରାଚେଲ୍, ମିରିଅମ୍ ଓ ଖଲିଲ୍ ଖାଇବସିଛନ୍ତି, ଏହି ସମୟରେ ହଠାତ୍ କବାଟରେ ଠକ୍ ଠକ୍ ଶବ୍ଦ ଶୁଣାଗଲା ଓ ତିନିଜଣ ଲୋକ ଭିତରକୁ ପଶିଆସିଲେ । ଏସବୁ ଦେଖି ମାଆଝୁଅ ଦୁହେଁ ଭୟରେ କମ୍ପିବାକୁ ଲାଗିଲେ । କିନ୍ତୁ ଖଲିଲ୍ ସେହିପରି ଅବିଚଳିତ ରହିଲା, ସତେ ଅବା ଏହି ଲୋକେ ଆସିବେ ବୋଲି ସେ ଆଗରୁ ଜାଣିଥିଲା । ଜଣେ ସିପାହୀ ଖଲିଲ୍‍ର କାନ୍ଧ ଉପରେ ହାତ ପକାଇ ପଚାରିଲା, “ତୁଇ ମଠରୁ ତଡ଼ାଖାଇ ଆସିଥିଲୁ ?” ଖଲିଲ୍ ଉତ୍ତର ଦେଲା, “ହଁ, ମୁଇଁ ! କାହିଁକି, କଣ ଦରକାର ?” ସିପାହୀଟି କହିଲା “ତୋତେ ଗିରଫ କରିବାକୁ ସେଖ୍ ଆବାସଙ୍କର ଆଦେଶ ଅଛି । ଯଦି ମନା କରୁ ବା ବାଧା ଦେଉ, ତେବେ ମେଣ୍ଢା ପରି ବରଫ ଉପରେ ଟାଣିଟାଣି ନେଇଯିବୁ ।’’

 

ଭୟରେ କଞ୍ଚାପାଣି ହୋଇ ରାଚେଲ୍ ପାଟିକରି ଉଠିଲା, “କାହିଁକି, ସେ ତୁମର କି ଦୋଷ କରିଛି ? ତାକୁ କାହିଁକି ତୁମେ ସବୁ ବାନ୍ଧି ନେଇଯିବ ?” ମାଆଝୁଅ ଦୁହେଁ କାନ୍ଦି କାନ୍ଦି କହିଲେ, “ତୁମେମାନେ ତିନିଜଣକୁ ସେ ଜଣେ, ତାକୁ ଏପରି ଦହଗଞ୍ଜ କରି ନେଲେ କଣ ପୌରୁଷ ଜଣାପଡ଼ିବ ?” ସିପାହୀମାନେ ଗର୍ଜନ କରି ଉଠିଲେ, “ସେଖଙ୍କର ଆଦେଶକୁ ଅମାନ୍ୟ କରିବ, ଏପରି ସାହସ ଏ ଗାଆଁରେ କୋଉ ମାଇପିର ଅଛି ?” ତା’ ପରେ ଜଣେ ସିପାହୀ ଦଉଡ଼ି ବାହାର କରି ଖଲିଲ୍‍ର ହାତ ବାନ୍ଧିବାକୁ ଲାଗିଲା । ଗର୍ବୋନ୍ନତ ବଦନମଣ୍ତଳରେ ଈଷତ୍ ବେଦନାର ହସ ଫୁଟାଇଦେଇ ଖଲିଲ୍ କହିଲା, “ଭାଇମାନେ, ତୁମରିମାନଙ୍କ କଥା ଭାବି ଆଜି ବଡ଼ କଷ୍ଟ ଲାଗୁଛି । ତୁମରି ଶକ୍ତି ଓ ବାହୁ ପରାକ୍ରମକୁ ହାତବାରିସି କରି ଗୋଟାଏ ମଣିଷ ଦୁର୍ବଳ ଉପରେ ଅତ୍ୟାଚାର କରି ଚାଲିଛି । ତୁମେମାନେ ଆଜି ଅଶିକ୍ଷାର କବଳରେ ପଡ଼ିଛ । କାଲି ମୁଁ ତୁମରି ପରି ଜଣେ ସାଧାରଣ ମଣିଷ ଥିଲି, କିନ୍ତୁ ଆଗାମୀ କାଲି ତୁମମାନଙ୍କ ମନ ମଧ୍ୟ ମୋ’ରି ପରି ସ୍ୱାଧୀନ ହୋଇ ଉଠିବ । ଆମ ଭିତରେ ଗୋଟାଏ ପର୍ବତ ସମାନ ବ୍ୟବଧାନ ଠିଆ ହୋଇ ରହିଛି, ସେଇଥିପାଇଁ ମୋ ଡାକ ତୁମ କାନରେ ବାଜୁନାହିଁ, ମୋର ଅସଲରୂପ ତୁମେମାନେ ଦେଖି ପାରୁନାହଁ, ତୁମେମାନେ ନିଜର ଆଖିକାନ ହରାଇ ବସିଛ । ମୁଁ କୌଣସି ବାଧା ଦେଉନାହିଁ, ମୋର ହାତ ବାନ୍ଧି ତୁମେମାନେ ଯାହା ଇଚ୍ଛା ତାହା କରିଯାଅ ।’’ ଖଲିଲ୍‍ର କଥାରେ ସିପାହୀ ତିନିଜଣଙ୍କର ଅନ୍ତର ତରଳିଗଲା, ଖଲିଲ୍‍ର ବାକ୍ୟଗୁଡ଼ିକ ଯେପରି ସେମାନଙ୍କୁ ଏକ ନୂତନ ଭାବରେ ଜଗାଇଦେଲା । କିନ୍ତୁ ସଙ୍ଗେ ସଙ୍ଗେ ସେଖ ଆବାସଙ୍କର ବାକ୍ୟ ମନେ ପଡ଼ି ସେମାନେ ପୁଣି ହୁକୁମ୍ ତାମିଲ କରିବାରେ ଲାଗିପଡ଼ିଲେ । ଖଲିଲ୍‍ର ହାତରେ ବାନ୍ଧି ଏକ ବିବେକଗମ୍ଭୀର ନୀରବତା ଭିତରେ ସେମାନେ ତାକୁ ନେଇ ଚାଲିଗଲେ । ରାଚେଲ୍ ଓ ମିରିଅମ୍ ମଧ୍ୟ ସେମାନଙ୍କ ପଛରେ ଗୋଡ଼ାଇ ଗୋଡ଼ାଇ ସେଖଙ୍କର ଘର ପର୍ଯ୍ୟନ୍ତ ଗଲେ । ସତେ ଅବା ଜେରୁଜେଲମ୍‍ର ସେହି କନ୍ୟା ଦୁଇଟି ଯୀଶୁଖ୍ରୀଷ୍ଟଙ୍କ ପଛେ ପଛେ କାଲ୍‍ଭାରି ପର୍ବତକୁ ଯାଉଛନ୍ତି ।

 

ଖବର ସରବରାହର କୌଣସି ସୁବିଧା ନ ଥିଲେ ମଧ୍ୟ ଗାଆଁର ଚାଷୀମାନଙ୍କ ପାଖରେ ଯେକୌଣସି ଖବର ପହଞ୍ଚିବାକୁ ବେଶି ବିଳମ୍ବ ହୁଏ ନାହିଁ । କାରଣ ସମାଜଠାରୁ ଦୂରରେ ରହି ଆପଣା ଆପଣା ଜୀବନର ଛୋଟ ଛୋଟ ଘଟଣାଗୁଡ଼ିକୁ ଆଲୋଚନା କରିବାଲାଗି ସେମାନେ ସବୁବେଳେ ବ୍ୟଗ୍ର ଓ ତତ୍ପର ହୋଇ ରହିଥାନ୍ତି । ଶୀତ ଦିନରେ ବରଫ ପଡ଼ି ଚାଷଜମି ପୋତି ହୋଇ ପଡ଼େ, ଦେଶଗୋଟାକର ମଣିଷ ସମସ୍ତେ ନିଆଁ ପାଖରେ ବସି ନିଜକୁ ଉଷୁମ କରି ରଖନ୍ତି । ଅନ୍ୟ କୌଣସି କାମ ନ ଥିବାରୁ ଆଖପାଖର କୁଶଳ ଅକୁଶଳ ଜାଣିବା ହିଁ ଚାଷୀମାନଙ୍କର ସବୁଠାରୁ ବଡ଼ କାମ ହୋଇପଡ଼େ ।

 

ଖଲିଲ୍ ଗିରଫ ହେବା ସଙ୍ଗେ ସଙ୍ଗେ ସେ ଖବର ମଧ୍ୟ ବିଜୁଳୀ ପରି ଗାଆଁ ଗାଆଁ ରାଷ୍ଟ୍ର ହୋଇଗଲା । ସେମାନେ ସମସ୍ତେ ସୈନ୍ୟଖୁଆଡ଼ ପରି ସେଖ ଆବାସଙ୍କର ନଅରକୁ ଧାଇଁ ଆସିଲେ । ଖଲିଲ ସେଖଙ୍କ ପ୍ରାସାଦରେ ପହଞ୍ଚିଲା ବେଳକୁ ସେଠି ଜନସମୁଦ୍ର ଘୋ’ ଘୋ’ କରୁଛି । ପିଲା ବୁଢ଼ା, ପୁରୁଷ ସ୍ତ୍ରୀ ସମସ୍ତେ ମଠରୁ ତଡ଼ାଖାଇଥିବା ଏହି ଧର୍ମଦ୍ରୋହୀର ମୁହଁ ଥରେ ଦେଖିବା ପାଇଁ ଠେଲାଠେଲି ହେଉଥାନ୍ତି । ଗ୍ରାମର ନିର୍ମଳ ଆକାଶରେ ଧର୍ମଦ୍ରୋହର ବିଷାକ୍ତ କୀଟ ଭର୍ତ୍ତି କରିବା ପାପରେ ଯୁବକଟିକୁ ସାହାଯ୍ୟ କରିଥିବା ରାଚେଲ୍ ଓ ତା’ର ଝୁଅକୁ ଦେଖିବାକୁ ମଧ୍ୟ ସେମାନଙ୍କର କମ୍ ଆଗ୍ରହ ନଥାଏ ।

 

ଦରବାରର ଘଣ୍ଟା ବାଜିଲା, ସେଖ ବିଚାରର ଆସନରେ ଆସି ବସିଲେ । ତାଙ୍କ ପାଖରେ ଧର୍ମାଧୀଶ ଇଲିଆସ୍ ମଧ୍ୟ ଆସନ ଗ୍ରହଣ କଲେ । ବିରାଟ ଜନତାର ଆଖି ଯାଇ ସେହି ସାହସୀ ଯୁବକ ଉପରେ ନିବିଷ୍ଟ ହୋଇ ରହିଥିଲା । ଖଲିଲ୍‍ର ପଛରେ ଠିଆ ହୋଇ ରାଚେଲ୍ ଓ ମିରିଅମ୍ ଭୟରେ ଥରୁଥାନ୍ତି । କିନ୍ତୁ ସତ୍ୟକୁ ଚିହ୍ନି ଯେ ତା’ରି ଅନୁସରଣ କରିଛି, ଭୟ ସେ ନାରୀର କଣ କରିପାରିବ ? ପ୍ରେମ ନିଜ ହାତରେ ଯାହାକୁ ଜାଗ୍ରତ କରିଦେଇଯାଇଛି, ଇତର ଲୋକେ ତା’ର କଣ କରିବେ ? ସେଖ ଆବାସ ଯୁବକ ଆଡ଼କୁ ଚାହିଁ ଗର୍ଜନ କରି ପଚାରିଲେ, “ହେ ଯୁବକ, ତୋର ନାଁ କଣ ?” ଯୁବକ ଉତ୍ତର ଦେଲା, “ମୋର ନାମ ଖଲିଲ୍ ।’’ ସେଖ ପୁଣି ପଚାରିଲେ, “ତୋ’ର ବାପା ମାଆ କୋଉଠି ଥାଆନ୍ତି, ତୋ’ର ଜନ୍ମ କୋଉଠି ହୋଇଥିଲା ?” ସମବେତ ପ୍ରଜାମାନଙ୍କ ଆଡ଼କୁ ଚାହିଁ ଖଲିଲ୍ ଜବାବ ଦେଲା, “ଦଳିତ ଅତ୍ୟାଚାରିତ ଦରିଦ୍ର ସମସ୍ତେ ମୋର ଜ୍ଞାତି କୁଟୁମ୍ବ, ଏହି ବିରାଟ ଦେଶ ମୋର ଜନ୍ମଭୂମି ।’’

 

ଉପହାସ କଲା ପରି ସେଖ ଆବାସ କହିଲେ, “ଯେଉଁମାନଙ୍କୁ ତୁ ତୋର ଆପଣାର ଲୋକ ବୋଲି କହୁଛୁ, ସେହିମାନେ ହିଁ ତୋର ଶାସ୍ତି ଦାବି କରି ଏଠି ଜମା ହୋଇଛନ୍ତି; ଯେଉଁ ଦେଶକୁ ତୁ ନିଜର ଜନ୍ମଭୂମି ବୋଲି କହୁଛୁ, ସେହି ଦେଶ ହିଁ ତୋତେ ଗ୍ରହଣ କରିବାକୁ ରାଜି ନୁହେଁ-।’’ ଖଲିଲ୍ ଉତ୍ତର ଦେଲା, “ଅଶିକ୍ଷିତ ଜାତି ଚିରକାଳ ତା’ର ଶୁଭାକାଙ୍‍କ୍ଷୀ ସେବକମାନଙ୍କୁ ଧରି ଅତ୍ୟାଚାରୀ ଶାସକ ହାତରେ ସମର୍ପିଦେଇ ଆସିଛି । ଆଉ ସ୍ୱେଚ୍ଛାଚାରୀ ଶାସକ ଯେଉଁ ଦେଶର ରାଜା, ସେହି ଦେଶ ତା’ର ମୁକ୍ତିଦାତାମାନଙ୍କୁ ହିଁ ଘୃଣା କରି ଆସିଛି । କିନ୍ତୁ ରୁଗ୍‍ଣା ମାଆକୁ ଛାଡ଼ି ସନ୍ତାନ କି କାହିଁ ଯାଇପାରେ ? ବିପନ୍ନ ଭାଇଲାଗି ଭାଇର କରୁଣା କେବେହେଲେ ଉଣା ହେଇପାରେ ? ଯେଉଁ ଦରିଦ୍ର ଭାଇମାନେ ଆଜି ମୋତେ ଆପଣଙ୍କ ପାଖକୁ ଧରି ନେଇ ଆସିଛନ୍ତି, କାଲି ସେମାନେ ଆପଣଙ୍କ ପାଖରେ ସର୍ବସ୍ୱ ବିକିଦେଇଛନ୍ତି । ଯେଉଁ ଧରିତ୍ରୀ ମୋତେ ଆଜି ଅସ୍ୱୀକାର କରୁଛି, ସେ ଏବେ ସୁଦ୍ଧା ଲୋଭୀ ସେଚ୍ଛାଚାରୀମାନଙ୍କର ଦୌରାତ୍ମ୍ୟକୁ ସହ୍ୟ କରି ପଡ଼ିରହିଛି ।’’

 

ଯୁବକକୁ ନିରୁତ୍ସାହ କରିଦେଇ ତା’ର କଥା ବନ୍ଦ କରିଦେବାକୁ ସେଖ ହଠାତ୍ ଗୋଟାଏ ଅଟ୍ଟହାସ୍ୟ କରିଉଠିଲେ । ତା’ପରେ ଖଲିଲ୍ ଆଡ଼କୁ ଚାହିଁ କହିଲେ, “ଗାଇଚରା ଟୋକା ଭାବିଚୁ ମଠଠାରୁ ଏଠି ଭଲ ବ୍ୟବହାର ପାଇବୁ ? ଭାବିଛୁ ଗୋଟାଏ ବିଷଧର ସାପକୁ ଆମେ ଏତେ ଟିକିଏ ଦୟା ଦେଖାଇବୁ ?” ଖଲିଲ୍ ଜବାବ ଦେଲା, “ମାନୁଛି ଯେ ମୁଁ ଦିନେ ଗାଈ ଚରାଉଥିଲି, କିନ୍ତୁ କଂସେଇ ତ ନ ଥିଲି ! ନିତି ମୁଁ ଗୋରୁ ଗାଈଙ୍କୁ ଶସ୍ୟଳ ଚରାଭୂଇଁକୁ ନେଇ ଯାଉଥିଲି, ପରିଷ୍କାର ଝରଣା ପାଖକୁ ନେଇ ସେମାନଙ୍କୁ ପାଣି ପିଆଉଥିଲି । ସଞ୍ଜବେଳେ ଗୋଟି ଗୋଟି କରି ସମସ୍ତଙ୍କୁ ବାହୁଡ଼ାଇ ଆଣୁଥିଲି । ତାଙ୍କୁ ତ ଆଉ ମୁଁ ବାଘ ହେଟାଙ୍କ ମୁହଁରେ ଛାଡ଼ିଦେଉ ନ ଥିଲି ! ପଶୁମାନଙ୍କ ପ୍ରତି ମୁଁ ଏହିପରି ବ୍ୟବହାର କରି ଆସିଛି; ମୋ’ରିଠାରୁ ଶିଖି ମଣିଷଙ୍କ ପ୍ରତି ମଧ୍ୟ ଏପରି ବ୍ୟବହାର କରିଥିଲେ ଆପଣ ଅନ୍ତଃପୁରରେ ମଉଜ କରୁଥିବାବେଳେ ଦେଶର ଲୋକେ ଆଜି କୁଡ଼ିଆ ଘରେ ଖାଇବା ବିନା ଛଟପଟ ହେଉ ନ ଥାନ୍ତେ ।’’

 

ସେଖଙ୍କର କପାଳ ଝାଳେଇ ଉଠିଲା ଓ ସେ ରାଗରେ ପାଚିଗଲା ପରି ହୋଇଗଲେ । କିନ୍ତୁ ସେ ଯେ ଖଲିଲ୍‍ର କଥାକୁ ଏତେ ଟିକିଏ ପରବା କରୁନାହାନ୍ତି, ଏଇ ମନୋଭାବ ଦେଖାଇବାକୁ ଅତି ଶାନ୍ତଭାବରେ ଖଲିଲ୍ ଆଡ଼କୁ ଆଙ୍ଗୁଠି ଦେଖାଇ କହିଲେ, “ତୁ ପାପୀ, ତୁ ଧର୍ମଦ୍ରୋହୀ; ତୋର କଥାର ତାମସା ଦେଖିବାକୁ ଏଠିକି କେହି ଆସିନାହାନ୍ତି । ତୁ ଆଜି ଏଠି ଆସାମୀ ଭାବରେ ଠିଆ ହୋଇଛୁ, ତୋ’ର ଜାଣି ରଖିବା ଉଚିତ ଯେ ତୁ ଅମିର୍ ଅମୀନ ସେବାବ୍‍ଙ୍କର ପ୍ରତିନିଧି ଏଇ ଗାଁର ମୁଖ୍ୟଙ୍କ ବିଚାରାଳୟରେ ଠିଆ ହୋଇଛୁ । ପବିତ୍ର ଧର୍ମଗୋଷ୍ଠୀର ପ୍ରତିନିଧିରୂପେ ଗୁରୁ ଇଲିଅସ୍ ମଧ୍ୟ ଏଠି ଉପସ୍ଥିତ ଅଛନ୍ତି, ତାଙ୍କର ଆଇନ୍ ତୁ ଅମାନ୍ୟ କରିଛୁ । ହୁଏ ତ ତୋ ଅପରାଧର କୈଫିୟତ୍ ଦେ, ନତୁବା ଲୋକମାନଙ୍କ ଆଗରେ ଆଣ୍ଠୁମାଡ଼ି ବସ । ଆମେ ତୋତେ କ୍ଷମା କରିଦେବୁ ଓ ପୂର୍ବ ପରି ତୋ’ ଲାଗି ଗାଈ ଚରାଇବା କାମ ଠିକ୍ କରିଦେବୁ ।’’ ଗମ୍ଭୀର ହୋଇ ଖଲିଲ୍ ଜବାବ ଦେଲା, “ଜଣେ ଆସାମୀର ବିଚାର ଆଉ ଜଣେ ଆସାମୀ କରିବ କିପରି ? ଜମେ ନାସ୍ତିକ ପାପୀମାନଙ୍କ ପାଖରେ କି କୈଫିୟତ ଦେବ ?” ତା’ପରେ ଲୋକମାନଙ୍କ ଆଡ଼କୁ ଚାହିଁ କହିଲା, “ଭାଇମାନେ, ଯାହାକୁ ତୁମେ ଜମିର ମାଲିକ ବୋଲି କହି ତା’ର ଅଧୀନରେ ପଡ଼ି ରହିଛ, ସେ ମୋର ବିଚାର କରିବାକୁ ଆଜି ମୋତେ ଏହି କୋଠାଘରେ ଠିଆ କରାଇଛି । ତୁମରିମାନଙ୍କ ବାପଅଜାଙ୍କ ଲୁହ ଅସ୍ଥି ମିଶି ଏ କୋଠାଘର ତିଆରି ହୋଇଛି । ଆପଣମାନଙ୍କର ଧର୍ମଗୁରୁ ମଧ୍ୟ ମୋର ବିଚାର କରିବାକୁ ଆସି ଉପସ୍ଥିତ ହୋଇଛନ୍ତି । ମୋର ଦଣ୍ତବିଧାନ ଦେଖିବାକୁ ଓ କୈଫୟତ୍ ଶୁଣିବାକୁ ଆପଣମାନେ ଚାରିଆଡ଼ୁ ଆସି ଏଠାରେ ରୁଣ୍ତ ହୋଇଛନ୍ତି । ଜଣେ ନଷ୍ଟପକ୍ଷ ଦୁରାଗ୍ରସ୍ତ ପୁଅ ବା ଭାଇକୁ ଦେଖିବେ ବୋଲି ଆପଣମାନେ ଘର ଛାଡ଼ି ଆସିଛନ୍ତି ? ବାଘର ନଖ ଭିତରେ ଶିକାରକୁ ଦେଖିବାକୁ ଆସିଛନ୍ତି । ଜଣେ ଧର୍ମଦ୍ରୋହୀର ବିଚାର ଦେଖିବେ ବୋଲି ଆପଣମାନେ ଆସିଥିଲେ । ମୁଁ ସେହି ଅପରାଧୀ, ମଠରୁ ତଡ଼ା ଖାଇଥିବା ମୁଁ ସେହି ଧର୍ମଦ୍ରୋହୀ । ଝଡ଼ରେ ବିପନ୍ନ ହୋଇ ମୁଁ ଆପଣଙ୍କ ଗାଁରେ ଆଶ୍ରୟ ନେଇଥିଲି । ମୋର ପ୍ରତିବାଦ ଶୁଣି ମୋ ଉପରେ ଦୟା ଦେଖାଇବାକୁ ମୁଁ କହୁନାହିଁ; ଆପଣମାନେ କେବଳ ନ୍ୟାୟ ବିଚାର କରନ୍ତୁ । ଅପରାଧୀ ଆସାମୀକୁ ତ ଇଚ୍ଛା କଲେ ଦୟା ଦେଖାଯାଇପାରେ, କିନ୍ତୁ ଯେ ନିର୍ଦ୍ଦୋଷ, ସେ କେବଳ ନ୍ୟାୟ ବିଚାର ଚାହେ ।

 

ଆପଣମାନେ ହିଁ ମୋର ବିଚାର କରନ୍ତୁ, ଜନଗଣର ବିଚାର ହେଉଛି ଭଗବାନଙ୍କର ବିଚାର । ଆପଣମାନଙ୍କର ସତ୍ ଅନ୍ତର ଜାଗ୍ରତ ହେଉ, ଆପଣମାନେ ମୋର ସବୁ କଥା ଶୁଣି ତା’ପରେ ଦଣ୍ତବିଧାନ କରନ୍ତୁ । ମୋତେ ଧର୍ମଦ୍ରୋହୀ ବୋଲି କୁହାଯାଇଛି, ଏକଥା ଆପଣମାନେ ଶୁଣିଛନ୍ତି । କିନ୍ତୁ ମୁଁ କି ଦୋଷ ବା ପାପ କରିଛି, ତାହା ଆପଣମାନେ ଜାଣିନାହାନ୍ତି । ଆପଣମାନେ ମୋତେ କେବଳ ବନ୍ଧା ହୋଇ ଆସିବାର ଦେଖିଛନ୍ତି । କିନ୍ତୁ ମୋର ଅପରାଧ ଆପଣମାନଙ୍କର ଅବଗତ ହୋଇନାହିଁ । ଏ ବିଚାରାଳୟରେ ଅପରାଧ କହି ଦିଆ ହୁଏନାହିଁ, କେବଳ ଶାସ୍ତି ଦିଆହୁଏ-। ଭାଇମାନେ, ମୁଁ ଆପଣମାନଙ୍କର ଦୁରବସ୍ଥା ବୁଝିଛି,–ସେହି ହେଉଛି ମୋର ଅପରାଧ-। ଆପଣମାନଙ୍କ ବେକରେ ବନ୍ଧା ହୋଇଥିବା ଲୁହା ବେଡ଼ିର ଗୁରୁ ଭାର ମୁଁ ପ୍ରାଣେ ପ୍ରାଣେ ଅନୁଭବ କରିଛି । ଜାତିର ମାଆ ଭଉଣୀମାନଙ୍କ ଦୁର୍ଦ୍ଦଶାରେ ମୁଁ ଦୁଃଖ ପ୍ରକାଶ କରିଛି, ସେଇ ମୋର ଅପରାଧ ! ମୃତ୍ୟୁର କରୁଣ ଛାୟାମିଶା ଜୀବନରସ ପାନ କରୁଥିବା ଆପଣମାନଙ୍କର ଶିଶୁମାନଙ୍କ ପ୍ରତି ମୁଁ ସହାନୁଭୂତି ଦେଖାଇଛି । ମୁଁ ଏଇ ଜାତିର ଜଣେ, ଏଇ ଦେଶର ପାହାଡ଼ ଭୂଇଁରେ ମୋର ବାପଅଜା ବସବାସ କରି ଆସିଛନ୍ତି, ଆଜି ଆପଣମାନଙ୍କୁ ନତ କରି ରଖିଥିବା ଶାସନଦଣ୍ତ ତଳେ ଟିପି ହୋଇ ସେମାନଙ୍କର ଜୀବନ ଯାଇଛି । ଦେଶର ପୀଡ଼ିତ ଆତ୍ମାର ଡାକ ଭଗବାନ ନିଶ୍ଚୟ ଶୁଣିଛନ୍ତି, ମୁଁ ସେଇ ଭଗବାନଙ୍କଠାରେ ଅଟଳ ବିଶ୍ୱାସ ରଖିଛି । ଭଗବାନଙ୍କ ପାଖରେ ଆମ୍ଭମାନଙ୍କୁ ସମାନ କରି ଠିଆ କରାଉଥିବା ଧର୍ମଗ୍ରନ୍ଥରେ ମଧ୍ୟ ମୁଁ ବିଶ୍ୱାସ କରେ । ଆମେ ସମସ୍ତେ ସମାନ, ଭଗବାନଙ୍କର ଆପଣା ଚରଣପାତର ପବିତ୍ର ଭୂମି ଏହି ପୃଥିବୀରେ ଆମେ ସମସ୍ତେ ମୁକ୍ତ; ମୁଁ ଏହି ଧର୍ମର ଶିକ୍ଷାରେ ବିଶ୍ୱାସ କରେ ।

 

ମଠରେ ଗୋରୁ ଚରାଉ ଚରାଉ ଯେତେବେଳେ ମୁଁ ଆପଣମାନେ ସହି ପଡ଼ିଥିବା ଦୁଃଖ ଜୀର୍ଣ୍ଣ ଜୀବନ କଥା ଭାବୁଥିଲି, ସେତିକିବେଳେ ଏଇ ଗାଆଁର କୁଟୀରମାନ ଭେଦ କରି ଏକ କରୁଣ ଆର୍ତ୍ତଧ୍ୱନି ମୋ କାନଭିତରକୁ ଭାସି ଆସିଲା, ସେ କେବଳ ଅତ୍ୟାଚାରିତ ଆତ୍ମାର ମର୍ମନ୍ତୁଦ କ୍ରନ୍ଦନ; ଏହି ଜମି ମାଲିକ ପାଖରେ ବିକା ହୋଇଥିବା ଶରୀର ଭିତରେ ଅବରୁଦ୍ଧ ହୋଇ ରହିଥିବା ଭଗ୍ନ ହୃଦୟର ବିକଳ ଚିତ୍କାର ସେ ! ଦେଖିଲି ମୁଁ ମଠରେ ଅଛି, ଆପଣମାନେ ଜମିରେ ଅଛନ୍ତି; ହଠାତ୍ ଯେପରି ମନେ ହେଲା ସମସ୍ତେ ମେଣ୍ଢାପଲ ପରି ଗୋଟାଏ ହେଟାବାଘ ପଛେ ପଛେ ତା’ର କୋରଡ଼ ଅଭିମୁଖରେ ଚାଲିଛନ୍ତି । ମେଣ୍ଢାଗୁଡ଼ିକୁ ରକ୍ଷା କରିବା ଉଦ୍ଦେଶ୍ୟରେ ମୁଁ ଯେମିତି ରାସ୍ତା ମଝିକୁ ଠିଆ ହୋଇଛି, ସେମିତି ହେଟାବାଘ ମୋତେ କାମୁଡ଼ି ଓଟାରି ଆଣିଲା ଓ ମୁଁ ଚିତ୍କାର କରିବାକୁ ଲାଗିଲି ।

 

ସତ୍ୟଲାଗି ମୁଁ କାରାଗାର, କ୍ଷୁଧା ଓ ତୃଷା ଆନନ୍ଦରେ ବରଣ କରିଛି । ସତ୍ୟ କେବଳ ଶରୀରକୁ ଆଘାତ ଦିଏ । ଆପଣମାନଙ୍କର ଅବରୁଦ୍ଧ ଦୀର୍ଘଶ୍ୱାସଗୁଡ଼ିକୁ ପୁଞ୍ଜୀଭୂତ କରି ଏକ ବିରାଟ ଚିତ୍କାରଦ୍ୱାରା ମଠର କଣ ବିକଣ କମ୍ପାଇଦେଇ ପାରିଛି ବୋଲି ଅତି ଦାରୁଣ କଷଣମାନ ପ୍ରସନ୍ନଭାବେ ସହ୍ୟ କରିପାରିଛି । ମୁଁ କେବେ ଭୟ କରିନାହିଁ, କଦାପି କ୍ଳାନ୍ତ ହୋଇ ପଡ଼ିନାହିଁ, କାରଣ ଆପଣମାନଙ୍କର ଆତୁର କ୍ରନ୍ଦନ ମୋ’ ପ୍ରାଣରେ ପ୍ରତ୍ୟହ ନୂତନ ଶକ୍ତି ଭରି ଦେଇଛି, ମୋର ପ୍ରାଣ ପୂର୍ଣ୍ଣ ହୋଇ ଉଠିଛି । ଆପଣମାନେ ହୁଏତ ମନେ ମନେ ଭାବିବେ, ଆମେ କେତେବେଳେ ସାହାଯ୍ୟ ଲାଗି ଚିତ୍କାର କଲୁ ? କାହାର ଏଡ଼େ ସାହସ ଯେ, ଏ ଦେଶରେ ପାଟି ଫିଟାଇବାକୁ ଯିବ-? କିନ୍ତୁ ଜାଣି ରଖନ୍ତୁ ଭାଇମାନେ, ଆପଣମାନଙ୍କ ଆତ୍ମା ଅହରହ ଚିତ୍କାର କରି ଉଠୁଛି, ପ୍ରତିଦିନ ରାତିରେ ସେ ସାହାଯ୍ୟ ଲାଗି ଆତୁର ହୋଇ ଅନାଇ ରହିଛି, କିନ୍ତୁ ସେ ଚିତ୍କାର ଆପଣମାନେ ଶୁଣିପାରୁ ନାହାନ୍ତି । ଯିଏ ମରିବାକୁ ବସିଲାଣି, ସେ ଆପଣାର ହୃତ୍‍ସ୍ପନ୍ଦନ ଶୁଣି ପାରିବ କୁଆଡ଼ୁ-? ତା’ର ମୃତ୍ୟୁଶଯ୍ୟାର ଆଖପାଖରେ ଥିବା ଲୋକେ ସିନା ଶୁଣି ପାରିବ ? ଚଢ଼େଇର ବେକ କାଟି ଦେଲେ ଯନ୍ତ୍ରଣାରେ ଛଟପଟ ହୋଇ ନିଜର ଅଜ୍ଞାତରେ ତାର ଗଣ୍ତିଟା ନାଚି ଉଠେ, ସେ ନାଚର କାରଣ କେବଳ ଦେଖିବା ଲୋକେ ଜାଣନ୍ତି । କେତେବେଳେ ଆପଣମାନେ ସବୁଠାରୁ ଅଧିକ ଦୁଃଖର ଦୀର୍ଘଶ୍ୱାସ ପକାନ୍ତି ? ସକାଳେ ? ଯେତେବେଳେ ବଞ୍ଚି ରହିବାର ଲାଳସା ଅଳସ ନିଦ୍ରାର ସମସ୍ତ ଆବରଣ ଛିଣ୍ତାଇଦେଇ କ୍ରୀତଦାସ ପରି ଆପଣମାନଙ୍କୁ ଶସ୍ୟକ୍ଷେତ୍ରକୁ ଅଡ଼ାଇ ନେଇଯାଏ-? ଖରାବେଳେ ? –ଯେତେବେଳେ ଦାରୁଣ ତାପରେ ସନ୍ତପ୍ତ ହୋଇ ଆପଣମାନେ ଗଛର ଛାଇ ଖୋଜି ବୁଲୁଥାନ୍ତି ? ସନ୍ଧ୍ୟାବେଳେ ? –ଯେତେବେଳେ ଭୋକରେ ଛଟପଟ ହୋଇ ଆପଣମାନେ ଘରକୁ ବାହୁଡ଼ି ଆସନ୍ତି, ଯେତେବେଳେ ଶୁଖିଲା ରୁଟି ଓ ଖାରିଆ ପାଣି ବଦଳରେ ସାରବାନ୍ ଖାଦ୍ୟ ପାଇବା ଲାଗି ଆପଣମାନେ ବ୍ୟାକୁଳ ହୋଇ ପଡ଼ନ୍ତି ? ରାତିରେ ? –ଯେତେବେଳେ ଫଟା ମଶିଣା ଉପରେ ଆପଣମାନେ ନିଜ ନିଜର କ୍ଲାନ୍ତିଜର୍ଜର ଦେହକୁ ଗଡ଼ାଇ ଦିଅନ୍ତି, ଯେତେବେଳେ ନିଜ ଭିତରେ ମଧ୍ୟ ସେଖଙ୍କର ନିଷ୍ଠୁର ଆଦେଶ କାନ ପାଖରେ ଗର୍ଜନ କରି ଆପଣମାନଙ୍କୁ ସାରା ରାତି ଜଗାଇ ରଖିଥାଏ ?

 

ବରଷଯାକ କେତେବେଳେ ଆପଣମାନଙ୍କର ଦୁଃଖଭୋଗର ଉପଶମ ହୁଏ ? ବସନ୍ତକାଳରେ ? –ଯେତେବେଳେ ପ୍ରକୃତି ଶୋଭାବସନରେ ମଣ୍ତିହୋଇଥିବା ବେଳେ ଆପଣମାନେ ଛିଣ୍ତାକନା ପିନ୍ଧି ତାକୁ ଅଭିନନ୍ଦନ କରିବାକୁ ଯାଆନ୍ତି ? ଗ୍ରୀଷ୍ମ ଋତୁରେ ? –ଯେତେବେଳେ ଖେତର ଗହମ ଅମଳ କରି ଆପଣମାନେ ସେଖଙ୍କର ଅମାର ଭରପୂର କରିଦିଅନ୍ତି ଓ କେବଳ କୁଟା ଘାସ ନିଜ ଭାଗରେ ପଡ଼େ ? ଶରତକାଳରେ ? ଯେତେବେଳେ ସାରାବଗିଚାର ଅଙ୍ଗୁରଫଳ ତୋଳି ଆପଣମାନେ ମଦକାରଖାନା ଭର୍ତ୍ତି କରିଦିଅନ୍ତି ଓ ଆପଣା ଭାଗରେ କଡ଼ୁଆ ଭିନିଗାର୍ ଓ ବଣୁଆ ଫଳ ପାଇ ସନ୍ତୁଷ୍ଟ ହୋଇ ରହନ୍ତି ? ଶୀତଋତୁରେ ? –ଯେତେବେଳେ ଚାରିଆଡ଼ ବରଫରେ ପୋତିହୋଇ ପଡ଼େ, ଆପଣମାନେ କୁଡ଼ିଆ ଭିତରେ ନିଆଁ ଜାଳି ବସନ୍ତି ଏବଂ ଦୁର୍ବଳ ମନ ଛିଡ଼ାଇ ବାହାରି ଆସିବାଲାଗି ମତ୍ତ ଆକାଶ ଆପଣମାନଙ୍କୁ ଆହ୍ୱାନ ଦେଇ ଯାଉଥାଏ ?

 

ଏଇ ହେଉଛି ଦରିଦ୍ରର ଜୀବନ, ଏହି ଜୀବନର ଚିତ୍କାର ମୁଁ ପ୍ରତିଦିନ ଶୁଣି ଆସୁଛି । ଏହି ଚିତ୍କାର ଶୁଣି ସବୁ ଅତ୍ୟାଚାର ବିରୁଦ୍ଧରେ ମୋର ଅନ୍ତର ବିଦ୍ରୋହ କରି ଉଠୁଛି, ମୁଁ ସେମାନଙ୍କୁ ଟିକିଏ ହେଲେ ଶ୍ରଦ୍ଧା କରିପାରୁନାହିଁ । ଆପଣମାନଙ୍କ ପ୍ରତି ସଦୟ ହେବାକୁ କହିବାରୁ ସନ୍ନ୍ୟାସୀମାନେ ମୋତେ ନାସ୍ତିକ କହି ଗାଳିଦେଲେ, ଶେଷରେ ମଠରୁ ମୋତେ ବାହାର କରିଦିଆଗଲା । ଆପଣମାନଙ୍କର ଦୁଃଖରେ ସମଭାଗୀ ହେବାକୁ ମୁଁ ଏହି ଗାଁକୁ ଆସିଥିଲି, ଭାବିଥିଲି, ଆପଣମାନଙ୍କର ଆଖି ଲୁହରେ ନିଜର ଲୁହ ମିଶାଇଦେବି । ଆଜି ମୁଁ ଆପଣମାନଙ୍କର ଶତ୍ରୁର କବଳରେ ପଡ଼ିଛି । ଆଜି ଯେଉଁ ଜମିରେ ଆପଣମାନେ ବେଠି ଖଟୁଛନ୍ତି, ତରବାରୀର ଶାସନଭୟ ଦେଖାଇ ସେହିସବୁ ଜମି ଆପଣମାନଙ୍କର ପିତୃପୁରୁଷମାନଙ୍କଠାରୁ ଛଡ଼ାଇ ନିଆଯାଇଥିଲା, –ଏ କଥା ଆପଣମାନେ ଜାଣନ୍ତି ? ମଠର ସନ୍ନ୍ୟାସୀମାନେ ଠକିଠାକି ସେମାନଙ୍କର ଯାବତୀୟ ବିଲବଗିଚା ଆତ୍ମସାତ୍ କରିନେଇଛନ୍ତି । ସେତେବେଳେ ଧର୍ମର ନିୟମ ତ ସେମାନଙ୍କର ତୁଣ୍ତେ ତୁଣ୍ତେ ଥିଲା । ଧର୍ମାଧ୍ୟକ୍ଷରଙ୍କ ଆଦେଶ ମାନି ରହିବାକୁ ହେବ ବୋଲି ଜମିର ମାଲିକ କୋଉ ଲୋକକୁ ଶିଖାଇନାହାନ୍ତି ? ଭଗବାନଙ୍କର ଆଦେଶ ଥିଲା ମଣିଷ ଆପେ ଖଟି ଆପଣାର ଖାଦ୍ୟସାମଗ୍ରୀ ଉପାର୍ଜନ କରିବ । କିନ୍ତୁ ସେଖ ଆବାସ ଆଜି କଣ କରୁଛନ୍ତି ? ଆମରି ଆୟୁଷର ନିଆଁରେ ସେକା ହୋଇଥିବା ରୁଟି ଓ ଲୁହଗୋଳା ମଦକୁ ଆରାମରେ ବସି ଖାଇବା ଛଡ଼ା ତାଙ୍କର ଆଉ କି କାମ ଅଛି ? ଭଗବାନ କଣ ମାଆପେଟରୁ ତାଙ୍କୁ ଆମଠାରୁ ଭିନ୍ନ କରି ତିଆରି କରିଥିଲେ ? ବା ଆପଣାର ପାପ ହେତୁ ଆମେ ତାଙ୍କର ଦୌଲତ ହୋଇ ରହିଛୁ ? ଯୀଶୁଖ୍ରୀଷ୍ଟ କହିଛନ୍ତି, ‘ଯେମିତି ମୁକ୍ତହସ୍ତରେ ନେଇଛ, ସେମିତି ମୁକ୍ତ ହସ୍ତରେ ଦାନ କରିବାକୁ ହେବ । ସୁନା ରୂପା ଏପରିକି ଖଣ୍ତେ ତମ୍ବାପାତିଆ ମଧ୍ୟ ଗଣ୍ଠରିରେ ଜମା କରି ରଖ ନାହିଁ ।’’ ତେବେ ଗୀର୍ଜାର ଧର୍ମଯାଜକମାନେ କୋଉ ଶିକ୍ଷା ପାଇ ସୁନାରୂପା ବଦଳରେ ଆପଣାର ପ୍ରାର୍ଥନା ବିକ୍ରି କରି ବୁଲୁଛନ୍ତି-? ନିତି ନୀରବ ରାତିରେ ଆପଣମାନେ ପ୍ରାର୍ଥନା କରନ୍ତି, ‘ହେ ଭଗବାନ, ଆମକୁ ଆଜିକାର ଖାଦ୍ୟ ଦିଅ । ‘ନିଜର ଖାଦ୍ୟ ସଂସ୍ଥାନ କରିବା ଲାଗି ଭଗବାନ ସମସ୍ତଙ୍କ ପାଇଁ ଜମି ଦେଇଛନ୍ତି, କିନ୍ତୁ ଏହି ଜମି ଓ ଏହି ଦାନା ଦୁଃଖୀମୁଖରୁ ଛଡ଼ାଇ ନେବା ଲାଗି ଭଗବାନ ଧର୍ମଯାଜକମାନଙ୍କୁ କି ଅଧିକାର ଦେଇଛନ୍ତି ?

 

ଯୁଡ଼ାସ୍ ଟଙ୍କା ଲୋଭରେ ତାଙ୍କର ପ୍ରଭୁଙ୍କୁ ବିକ୍ରି କରି ଦେଇଥିଲେ ବୋଲି ସମସ୍ତେ ତାଙ୍କୁ ଭର୍ତ୍ସନା କରନ୍ତି; କିନ୍ତୁ ଯେଉଁମାନେ ଦିନରାତି ସେହି ପ୍ରଭୁଙ୍କୁ ବିକ୍ରି କରିବାରେ ଲାଗିଛନ୍ତି, ଆପଣମାନେ ସେମାନଙ୍କର ଜୟ କାମନା କରୁନାହାନ୍ତି କି ? ନିଜର ପାପ ଲାଗି ଦାରୁଣ ଅନୁତାପ କରି ଯୁଡ଼ାସ୍ ଆପଣା ଗଳାରେ ଫାଶୀ ଲଟକାଇ ଦେଇଥିଲେ, କିନ୍ତୁ ଏ ଦେଶର ଧର୍ମଯାଜକମାନେ ତ ବେଶ୍ ଅଛନ୍ତି, ଛାତି ଫୁଲାଇ କଥା କହୁଛନ୍ତି, ବଛା ବଛା ପୋଷାକ ପିନ୍ଧି, ଚକ ଚକ ଦାମୀ କ୍ରସ୍ ଝୁଲାଇ ଏମାନେ ବେଶ୍ ଯାଉଛନ୍ତି ଆସୁଛନ୍ତି । ଯୀଶୁଙ୍କୁ ଶ୍ରଦ୍ଧା କରିବା ଲାଗି ଆପଣମାନେ ନିଜ ପିଲାଙ୍କୁ ଶିଖାଉଛନ୍ତି, ଏଣେ ପୁଣି ଈଶ୍ୱରଙ୍କର ଧର୍ମଶିକ୍ଷା ଓ ନୀତିମାନ ଭଙ୍ଗ କରୁଥିବା ଲୋକମାନଙ୍କୁ ମାନିକରି ଚଳିବାକୁ ସେମାନଙ୍କୁ ପ୍ରବର୍ତ୍ତାଉଛନ୍ତି ।

 

ଆପଣମାନଙ୍କର ଅନ୍ତର ଭିତରେ ଈଶ୍ୱରବୋଧ ଜାଗ୍ରତ କରି ରଖିବାକୁ ଯୀଶୁଙ୍କର ଧର୍ମଦୂତମାନଙ୍କୁ ଲୋକଙ୍କର ଢେଲାପଥର ଖାଇ ମରିବାକୁ ହୋଇଥିଲା । କିନ୍ତୁ ଆଜି ପାଦ୍ରୀମାନେ ଆପଣମାନଙ୍କ ଭିତରୁ ସେହି ବୋଧଟି ନଷ୍ଟ କରି ଦେବାର ନିୟତ ଚେଷ୍ଟା କରୁଛନ୍ତି, ଯେପରି କି ସେମାନେ ଆପଣମାନଙ୍କର ଦାନ ଦକ୍ଷିଣାରେ ଚିର ଦିନ ବଡ଼ଲୋକ ହୋଇ ରହିଥିବେ । ଦୁଃଖ କଷଣର ଏ ହୀନମାନ ପଶୁଜୀବନ ବଞ୍ଚିବା ଲାଗି କିଏ ଆପଣମାନଙ୍କୁ ବଶ କରି ରଖିଛି ? ଆମର ପିତୃପୁରୁଷଙ୍କର ହାଡ଼ରେ ଗଢ଼ା ହୋଇଥାବା ସର୍ବଗ୍ରାସୀ କରାଳ ମୂର୍ତ୍ତି ପାଖରେ ମୁଣ୍ତ ନୂଆଁଇବା ଲାଗି କିଏ ଶିଖାଇଛି ? ଭବିଷ୍ୟତ ବଂଶଧର ଲାଗି ଆପଣମାନେ କି ସମ୍ପତ୍ତି ରଖି ଯାଉଛନ୍ତି ?

 

ଆପଣମାନଙ୍କର ଆତ୍ମା ଆଜି ପାଦ୍ରୀମାନଙ୍କର ହାତରେ, ଶରୀର ଯାଇ କ୍ରୁର ଶାସକର ମୁଖ ଭିତରେ । ଜୀବନରେ ମୋର ବୋଲି କହିବାକୁ ଆପଣମାନଙ୍କର କଣ ଅଛି ? ଭାଇମାନେ, ଯେଉଁ ଧର୍ମଯାଜକକୁ ଆପଣମାନେ ଏତେ ଭୟ କରନ୍ତି, ତାକୁ ଭଲ କରି ଚିହ୍ନନ୍ତି ? ସେ ଗୋଟାଏ ବିଶ୍ୱାସଘାତୀ, ଧର୍ମଶାସ୍ତ୍ରର ଭୟ ଦେଖାଇ ସେ ଆପଣମାନଙ୍କଠାରୁ ଲାଞ୍ଚ ନେଇ ବଞ୍ଚେ । ସେ ଗୋଟାଏ ବିରାଡ଼ି ବୈଷ୍ଣବ, ଛାତିରେ ଯୀଶୁଙ୍କର କ୍ରସ୍ ଝୁଲାଇ ସେଇ ‘ଖଡ଼୍‍ଗ’ରେ ଆପଣମାନଙ୍କର ଗୋଛି କାଟୁଥାଏ । ସେ ଗୋଟାଏ ହେଟା, ମେଣ୍ଢାଚମ ପିନ୍ଧି ସେ ବେଶ୍ ସାଧୁବୋଲି ଭଲେଇ ହୁଏ-। ଧର୍ମପୀଠ ଅପେକ୍ଷା ଆପଣାର ପେଟଟିକୁ ସେ ପେଟୁ ବେଶ୍ ଭଲ କରି ଚିହ୍ନେ । ଟଙ୍କାଏ ମସାଏ ଲାଗି ସେ ଲୋଭୀ କୋଶ କୋଶ ଧାଇଁ ବୁଲୁଥାଏ । ବିଧବା ଓ ଅରକ୍ଷିତ ପିଲାଙ୍କର ସମ୍ପତ୍ତି ଚୋରି କରି ସେ ଆପଣା କୋଷ ଭର୍ତ୍ତି କରେ । ଛଞ୍ଚାଣର ଚଞ୍ଚୁ, ବାଘର ନଖ, ବଣୁଆ କୁକୁରର ଦାନ୍ତ, ଅଜଗରର ଚମଡ଼ା, ସବୁ ମିଶାଇ ସେ ଗୋଟିଏ ନବଗୁଞ୍ଜର ପରି ବଢ଼ୁଛି । ତା’ ପାଖରୁ ଧର୍ମଗ୍ରନ୍ଥ ଛଡ଼ାଇ ନିଆଯାଉ, ତାର ପୋଷାକ ଭେକ ଟିକି ଟିକି କରି ଚିରି ଦିଆଯାଉ, ତା’ ହାତରେ ଟଙ୍କାନିଏ ଗୁଞ୍ଜିଦେଇ ପାରିଲେ ଯେତେଯାହା ଅପମାନ ସତ୍ତ୍ୱେ ବି ସେ ନିଲଠା ପରି ତୁମକୁ କ୍ଷମା କରିଦେବ-

 

ତା ଗାଲରେ ଥାପଡ଼ ମାରି ମୁହଁରେ ଛେପ ପକାଇ ତାର ବେକ ଉପରେ ଚାଲିଯାଅ, ତା’ପରେ ନିଜ ଘରେ ଖାଇବା ଲାଗି ତାକୁ ନିମନ୍ତ୍ରଣ କରି ଆଣ । ଦେଖିବ, ସେ ସଙ୍ଗେ ସଙ୍ଗେ ଖୋସଣୀ ଫିଟାଇ ବେଶ୍ ହାକୁଟି ମାରି ତୁମ ସହିତ ଭୋଜନ କରି ଚାଲିଯିବ ।

 

ଯେତେ ଅଭିଶାପ ଦିଅ, ଯେତେ ଉପହାସ କର, ତା’ପରେ ବୋତଲେ ମଦ ଓ ଟୋକେଇଏ ଫଳ ତା’ ଘରକୁ ପଠାଇ ଦିଅ । ତେବେ ତୁମର ସମସ୍ତ ଅପରାଧ ସେ କ୍ଷମା କରିଦେବ । କୌଣସି ସ୍ତ୍ରୀ ଲୋକ ଦେଖିଲେ ସେ ମୁହଁ ବୁଲାଇ କହି ଉଠେ, ‘ହେ ନାରୀ, ମୋ’ ଆଖି ଆଗରୁ ଦୂର ହୋଇଯାଅ’ । ତା’ ପରେ ମନକୁ ମନ କହେ, ‘ଏପରି ପ୍ରଲୋଭନରେ ପଡ଼ିବା ଅପେକ୍ଷା ବିବାହ ବରଂ ଭଲ ।’ ସମାଜର ନରନାରୀଙ୍କୁ ପ୍ରୀତି–ଅଭିସାରରେ ଯିବାର ଦେଖିଲେ ସେ ସ୍ୱର୍ଗ ଆଡ଼କୁ ଅନାଇ କହେ, ‘ସବୁ ଗର୍ବ, ସବୁ ଆଡ଼ମ୍ବର, ସବୁ ଖାଲି ଦି’ ଦିନର ଢମ !’ ଏଣେ ପୁଣି ନିଜ ମନକୁ କହେ, ‘ଜୀବନରେ ଏତେ ଟିକିଏ ଉପଭୋଗ କରି ପାରିଲି ନାହିଁ, ସମାଜର ନିୟମକାନୁନ ସବୁ ଏକାବେଳେକେ ଉଠିଯାଆନ୍ତା କି !’

 

ଧର୍ମଯାଜକ ପ୍ରଚାର କରେ, ‘କୌଣସି ବିଷୟର ବିଚାର କରିବା ଉଚିତ ନୁହେଁ, ତାହାହେଲେ ତୁମର ବିଚାର ଆଉ ଜଣେ କରିବ ।’ କିନ୍ତୁ ତା’ର ଆଚରଣକୁ ଯେଉଁମାନେ ନାପସନ୍ଦ କରନ୍ତି, ସେ ସେମାନଙ୍କର ବିଚାର କରିବାକୁ ଅସ୍ଥିର ହୋଇପଡ଼େ ଓ ମରଣ ପୂର୍ବରୁ ମଧ୍ୟ ସେମାନଙ୍କୁ ନରକକୁ ପଠାଇ ଦିଏ ।

 

କଥା କହିଲାବେଳେ ସେ ସରଗ ଆଡ଼କୁ ଅନାଇଥାଏ ସତ, କିନ୍ତୁ ତାର ଭାବନାଗୁଡ଼ିକ କାଉଚିଆ ସାପ ପରି ୟାର ତାର ଗଣ୍ଠି ଦରାଣ୍ତି ବୁଲୁଥାଏ । ଆପଣଙ୍କୁ ସେ ପ୍ରିୟ ସନ୍ତାନ ବୋଲି ସମ୍ବୋଧନ କରେ, କିନ୍ତୁ ତା’ର ଶୂନ୍ୟ ଅନ୍ତରରେ ତିଳେ ହେଲେ ପିତୃସ୍ନେହ ନ ଥାଏ; ଛୋଟ ପିଲାଟିଏ ଦେଖିଲେ ତା’ର ଏତେ ଟିକିଏ ବି ହରଷ ହୁଏ ନାହିଁ । ଶିଶୁଟିଏ ଦେଖିଲେ ସେ କେବେହେଲେ କୋଳରେ ଟେକିନିଏ ନାହିଁ ।

 

ମୁଣ୍ତ ହଲାଇ ସେ ସଭିଙ୍କୁ କହୁଥାଏ, ‘କେତେ ଦିନ ପାଇଁ ଏ ସଂସାରକୁ ଆସିଛେଁ ଯେ ସଂସାରର ସାମଗ୍ରୀଗୁଡ଼ାକ ନେଇ ପଡ଼ି ରହିଥିବା ।’ କିନ୍ତୁ ଟିକିଏ ଭଲ କରି ଦେଖିଲେ ଜାଣିବେ ସେ କିପରି କୀଟସମାନ ସଂସାର ଆବୋରି ପଡ଼ି ରହିଛି, କାଲିକାର ସୁଖକୁ ଝୁରି ଚଞ୍ଚଳ ବର୍ତ୍ତମାନକୁ ଭର୍ତ୍ସନା କରି ଆଗାମୀ କାଲି ଲାଗି ସେ କି ତ୍ରସ୍ତଭାବେ ଚାହିଁ ବସିଛି ।

 

ତା’ ଘରେ ଅସରନ୍ତି ଭଣ୍ତାର, ତଥାପି ସମସ୍ତଙ୍କ ଆଗରେ ହାତ ପତେଇବାକୁ ତା’ର କେତେବେଳେ ହେଲେ ମଠ ନାହିଁ । ତାକୁ ଟଙ୍କାଏ ମସାଏ ଦାନ କରନ୍ତୁ, ସେ ନାଗରା ପିଟି ଆଶୀର୍ବାଦ ବୃଷ୍ଟି କରିଦେବ । କିନ୍ତୁ ଦାନ କରିବାକୁ ମନାକରି ଦିଅନ୍ତୁ, ସେ ଗୋପନରେ ଆପଣଙ୍କୁ ଅଭିଶାପ ଦେଉଥିବ ।

 

ଦୁଃଖୀ ରଙ୍କୀର ସହାୟ ହେବାଲାଗି ଗୀର୍ଜା ଭିତରେ ସେ ଖୁବ୍ ପାଟି କରୁଥାଏ, କିନ୍ତୁ ତା’ରି ଘରର ଚାରିପାଖରେ କେତେ ରଙ୍କୀ ଭିକାରୀ ବୁଲୁଥାନ୍ତି, ଅଥଚ ସେଆଡ଼କୁ ସେ ଅନ୍ଧ ଓ କାଲ ହୋଇ ବସିଥାଏ ।

 

ସେ ପଇସା ଲାଞ୍ଚ ନେଇ ଭଗବାନଙ୍କୁ ପ୍ରାର୍ଥନା କରେ । ଯିଏ ପଇସା ନ ଦିଏ, ତାକୁ ସେ ଧର୍ମଦ୍ରୋହୀ ବୋଲି କହେ, ସତେ ଯେପରି ସ୍ୱର୍ଗରେ ତା’ ପାଇଁ ସ୍ଥାନ ନାହିଁ ! ଏହାରି ଭୟରେ ଆପଣମାନେ ଆଜି ଥରହର ହେଉଛନ୍ତି । ଏହି ସନ୍ନ୍ୟାସୀ ଜାତି ଗୋଟାକର ରକ୍ତ ଶୋଷି ନେଉଛି । ଏହି ଧର୍ମଯାଜକ ଗୋଟାଏ ହାତରେ ଭଗବାନଙ୍କର ବାନା ଧରି ଆର ହାତରେ ଲୋକଙ୍କର ତଣ୍ଟି ଚିପିବାରେ ଲାଗିଛି ।

 

ସେବକଭାବେ ତାକୁ ସମାଜରେ ରଖାଯାଇଛି, କିନ୍ତୁ ଓଲଟି ମାଲିକ ବୋଲାଇ ସେ ବାହାଦୁରି ନେବାରେ ଲାଗିଛି । ଜନ୍ମରୁ ମରଣ ଅବଧି ଏଇ ଛାଇ ଆପଣମାନଙ୍କ ପଛେ ପଛେ ଗୋଡ଼ାଇଛି ।

 

ଭଗବାନ ଯୀଶୁଖ୍ରୀଷ୍ଟ ଜଗତକୁ ଆପଣା ପରି ଭଲ ପାଇ ସମସ୍ତଙ୍କୁ ଭାଇ ବୋଲି ଡାକୁଥିଲେ, ଶେଷରେ ସମସ୍ତଙ୍କ ଲାଗି ଜୀବନ ଦେଲେ । ସେଇ ଯୀଶୁଙ୍କର ଶତ୍ରୁମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିବାରୁ ଏଇ ପାପୀ ଆଜି ରାତିରେ ମୋର ବିଚାର କରିବାକୁ ଆସିଛି ।

 

ତା’ର ପ୍ରାଣସ୍ପର୍ଶୀ କଥା ଯେ ଲୋକମାନଙ୍କ ଅନ୍ତରରେ ଠିକ୍ ବାଜୁଛି, ଏକଥା ଅନୁଭବ କରି ଖଲିଲ୍‍ ପୁଣି କହି ଚାଲିଲା, “ଭାଇମାନେ, ଏ ପ୍ରଦେଶର ଶାସକ ଓ ସୁଲତାନଙ୍କର ପ୍ରତିନିଧି ଅମିର୍ ସାହେବ ସେଖ ଆବାସଙ୍କୁ ଗ୍ରାମମୁଖିଆ କରି ବାଛିଛନ୍ତି, ଏକଥା ଆପଣମାନେ ସମସ୍ତେ ଜାଣନ୍ତି । କିନ୍ତୁ ତା ବୋଲି ସେଖ ଆବାସ ଯେ ଆମ ଉପରେ ହର୍ତ୍ତାକର୍ତ୍ତା ଭଗବାନ ହୋଇ ବସିବେ ଏକଥା କେହି କହିବେ କି ? ଅସଲ ହର୍ତ୍ତାକର୍ତ୍ତାଙ୍କୁ ଆମେ ଆଖିରେ ଦେଖିପାରିବା ନାହିଁ, କାନରେ ଶୁଣିପାରିବା ନାହିଁ, ଅନ୍ତର ଭିତରେ କେବଳ ତାଙ୍କର ଅସ୍ତିତ୍ୱ ଅନୁଭବ କରିପାରିବା । ସବୁଦିନର ପ୍ରାର୍ଥନାରେ ସେହି ବିଶ୍ୱବିଭୁଙ୍କୁ ଆପଣମାନେ ସ୍ୱର୍ଗର ପିତା ବୋଲି ସମ୍ବୋଧନ କରନ୍ତି । ବେଶ୍, ସେହି ସ୍ୱର୍ଗର ପିତା ହିଁ ଏ ସଂସାରରେ ରାଜାରାଜୁଡ଼ାମାନଙ୍କୁ ତିଆରି କରିଛନ୍ତି । କିନ୍ତୁ ନିଜକୁ ଥରେ ପଚାରି ଦେଖନ୍ତୁ, ଜଗତକୁ ସୁମାର୍ଗ ଦେଖାଇବା ପାଇଁ ଯେଉଁ ପିତା ବାର ବାର ମହାତ୍ମାମାନଙ୍କୁ ପଠାଇଛନ୍ତି, ସେ କେବେହେଲେ ଆପଣମାନଙ୍କୁ ଅତ୍ୟାଚାରିତ ହୋଇ ବଞ୍ଚିବାକୁ ଚାହାନ୍ତି କି ? ସେଇ ପିତା ସ୍ୱର୍ଗରୁ ଜଳବୃଷ୍ଟି କରନ୍ତି, ସେହି ପିତା ମାଟିତଳୁ ଅଙ୍କୁର ଜନ୍ମାଇ ଶସ୍ୟ ଫଳାନ୍ତି, ସେହି ପିତା କଣ କେବେହେଲେ ଜଣେ ଲୋକକୁ ଲକ୍ଷ ସମ୍ପଦ ଦେଇ ବାରଶହ ଜଣଙ୍କୁ ଭୋକ ଉପାସରେ ମାରିବାକୁ ଚାହାନ୍ତି ? ସେହି ପିତାଙ୍କର କୃପାରେ ଏ ସଂସାରରେ ପତ୍ନୀର ପ୍ରେମ, ଶିଶୁର ସରଳତା ଓ ପ୍ରତିବେଶୀର କରୁଣା ନିତ୍ୟ ପ୍ରକାଶିତ ହୁଏ, ସେହି ପିତା କି କେବେ ଜୀବନସାରା ଆପଣମାନଙ୍କୁ ଜାଳି ମାରିବା ଲାଗି ଜଣେ ଅତ୍ୟାଚାରୀର ସୃଷ୍ଟି କରିଅଛନ୍ତି ? ଯାହାର ଶାଶ୍ୱତ ବିଧାନରେ ଧରଣୀ ସୁନ୍ଦର ହୋଇଛି, ସେ କି କେବେ ଯାବତୀୟ ସୁଖଶାନ୍ତିର ବାରଣ ଦେଇ ଆପଣମାନଙ୍କୁ ମୃତ୍ୟୁଯନ୍ତ୍ରଣାର କଳା କୂପ ଭିତରେ ପକାଇ ରଖିବ ? ଭଗବାନ୍ ଆମ ଶରୀରରେ ଯେଉଁ ବଳ ଦେଇଛନ୍ତି, ସେ ବଳ କଣ ଖାଲି ଧନୀ ବଡ଼ଲୋକର ଖଟଣି ଖଟିବା ପାଇଁ ?

 

ଏହା ଭ୍ରାନ୍ତ କଥାରେ ବିଶ୍ୱାସ କଲେ ଆପଣମାନେ ଭଗବାନଙ୍କ ପାଖରେ ଅବିଶ୍ୱାସୀ ହୋଇ ରହିବେ । ସେ ଆମ ସମସ୍ତଙ୍କୁ ଏକାପରି ତିଆରି କରିଛନ୍ତି, ତାଙ୍କ ସତ୍ୟର ଆଲୋକ ସଂସାର ବ୍ୟାପି ସମସ୍ତଙ୍କୁ ଉଦ୍ଭାସିତ କରି ରଖିଛି । କେତେଦିନ ଆଉ ଆପଣମାନେ ଅନ୍ତର ବିରୁଦ୍ଧରେ ଏ ଜବରଦସ୍ତି ସଂଗ୍ରାମ ଚଳାଇଥିବେ ? ଭଗବାନ୍ ସମସ୍ତଙ୍କୁ ସ୍ୱାଧୀନ କରି ଜନ୍ମ ଦେଇଥିବା ସତ୍ତ୍ୱେ କେତେଦିନଯାଏ ଆପଣମାନେ ଶିକାରୀର ଫାଶ ଶକ୍ତ କରୁଥିବେ ?

 

ଭଗବାନଙ୍କୁ ଆପଣାର ପିତା ବୋଲି ଡାକି ଏଣେ ଜଣେ ମଣିଷର ଚରଣ ତଳେ ମୁଣ୍ତ ନୁଆଁଇ ତାକୁ ମାଲିକ ବୋଲି କହି ଆପଣମାନେ ଭଗବାନଙ୍କ ପାଖରେ ଅନ୍ୟାୟ କରୁନାହାନ୍ତି କି ?

 

ମଣିଷର କ୍ରୀତଦାସ ହୋଇ, ହେ ଅମୃତର ସନ୍ତାନଗଣ, ଆପଣମାନେ କଣ ପ୍ରକୃତରେ ଶାନ୍ତିରେ ଅଛନ୍ତି ? ଯୀଶୁଖ୍ରୀଷ୍ଟ ପରା ସମସ୍ତଙ୍କୁ ଭାଇ ବୋଲି ସମ୍ବୋଧନ କରିଥିଲେ । ତେବେ ବି ସେଖ ଆବାସ ଆପଣମାନଙ୍କୁ ଚାକର ବୋଲି ଡାକୁଛନ୍ତି । ସତ୍ୟପଥର ଆତ୍ମସାଧନା ଲାଗି ଯୀଶୁ ପରା ସମସ୍ତଙ୍କୁ ସ୍ୱାଧୀନ କରି ଦେଇଥିଲେ । ତଥାପି ଅମୀର ଆପଣମାନଙ୍କୁ ଲଜ୍ଜା ଓ ଦୁରାଚାରର ଦାସ କରି ରଖିଛନ୍ତି । ଯୀଶୁ ପରା ସମସ୍ତଙ୍କୁ ସ୍ୱର୍ଗର ଅଧିକାରୀ କରିଥିଲେ । ତେବେ ଆପଣମାନେ ଆଜି ନରକକୁ ମୁହାଁଇଛନ୍ତି କାହିଁକି ? ସେ ପରା ଆପଣମାନଙ୍କର ଅନ୍ତରର ବତୀ ଜାଳିଦେଇଥିଲେ-। ତେବେ ଆଜି ଅନ୍ଧାର ଭିତରେ ଆପଣମାନେ ଆପଣାର ଆତ୍ମାକୁ ଆଚ୍ଛନ୍ନ କରି ରଖିଛନ୍ତି କାହିଁକି-? ଜ୍ଞାନ ଓ ସୌନ୍ଦର୍ଯ୍ୟର ପ୍ରକାଶରେ ସେହି ଭଗବାନଙ୍କର ଜ୍ୟୋତି ହିଁ ପ୍ରକାଶିତ ହୁଏ, ସେହି ଜ୍ୟୋତି ଦିବସ ଓ ରଜନୀ ଭିତରୁ ଗୂଢ଼ ସମ୍ପଦ ଖୋଜି ବୁଲେ । ଏହି ଜ୍ୟୋତିକୁ ନିଭାଇଦେଇ ପାଉଁଶରେ ପୋତି ପକାଇବା ପାପ ନୁହେଁ କି ? ପ୍ରୀତି ଓ ମୁକ୍ତିର ମୁକ୍ତ ଅନ୍ତରୀକ୍ଷରେ ଉଡ଼ି ବୁଲିବାକୁ ଭଗବାନ ସମସ୍ତଙ୍କର ଆତ୍ମାରେ ଡେଣା ଲଗାଇ ଦେଇଛନ୍ତି । କି ଶୋଚନୀୟ ଦୁଃଖର ବିଷୟ, ଆପଣମାନେ ଆପଣା ହାତରେ ସେହି ଡେଣା କାଟି କାଟି ପତଙ୍ଗ ପରି ଧୂଳି ଉପରେ ଘୋଷାରି ହେଉଛନ୍ତି ।’’

 

-୫-

 

ସେଖ ଆବାସ ଦେଖିଲେ ଲୋକେ ଏକମନରେ ସବୁ କଥା ଶୁଣି ଯାଉଛନ୍ତି । ଅଧିକ କଥା ବନ୍ଦ କରାଇବାକୁ ସେ ବିଚାରୁଛନ୍ତି, ଖଲିଲ୍‍ ପୁଣି ଆରମ୍ଭ କଲା, “ଭଗବାନ ସଭିଙ୍କ ହୃଦୟରେ ସୁଖର ବୀଜ ବୁଣିଛନ୍ତି, ସେଇ ବୀଜକୁ ଖୋଳି ତାଡ଼ି ନେଇ ଟାଙ୍ଗରା ପଥର ଉପରେ ଫଙ୍ଗି ପବନର ଶିକାର ଓ ପକ୍ଷୀର ଆହାର କରିବାକୁ ଦେଇ ଆପଣମାନେ ଅପରାଧ କରୁ ନାହାନ୍ତି କି ? ଭଗବାନ ଆପଣମାନଙ୍କ କୋଳରେ ଶିଶୁ ଆଣି ଦେଇଛନ୍ତି, ଆପଣମାନେ ସେମାନଙ୍କୁ ମଣିଷ କରିବେ, ସେମାନଙ୍କୁ ସତ୍ୟ ଶିକ୍ଷା ଦେଇ ଜୀବନର ମୂଲ୍ୟବାନ୍ ସମ୍ପଦଗୁଡ଼ିକ ସହିତ ପରିଚୟ କରାଇଦେବେ-। ଭଗବାନଙ୍କର ଇଚ୍ଛା, ଆପଣମାନେ ସେମାନଙ୍କର ଜୀବନକୁ ଆନନ୍ଦ ଓ କଲ୍ୟାଣରେ ପୂର୍ଣ୍ଣ କରିଦେବେ । ତେବେ ସେମାନେ କାହିଁକି ନିଜ ଦେଶରେ ଅବହେଳିତ ଅରକ୍ଷିତ ହୋଇ ବୁଲୁଛନ୍ତି– କାହିଁକି ସେମାନେ ସୂର୍ଯ୍ୟ ସମକ୍ଷରେ ଶୀତଳ ଜଡ଼ ଜନ୍ତୁ ପରି ପଡ଼ି ରହିଛନ୍ତି ? ନିଜର ସନ୍ତାନକୁ କ୍ରୀତଦାସ କରି ରଖିବା ଅର୍ଥ ତାହାର ଆହାର ମୁଖରେ ଗୋଡ଼ି ପଥର ଆଣି ବାଢ଼ିଦେବା-। ଦେଖିଛନ୍ତି, ଆକାଶରେ ପକ୍ଷୀ କିପରି ଆପଣା ସନ୍ତାନଗୁଡ଼ିକୁ ଉଡ଼ିବା ଶିଖାଇଦିଏ ? ତେବେ ଆପଣମାନେ କାହିଁକି ନିଜର ସନ୍ତାନମାନଙ୍କୁ ଦାସତ୍ୱର ବେଡ଼ି ଟାଣିବାକୁ ଶିଖାଉଛନ୍ତି-? ଗ୍ରୀଷ୍ମର ତପ୍ତ ପୃଥିବୀ ଗର୍ଭରେ ପାହାଡ଼ ଭୂଇଁର ଫୁଲ ଆପଣା ମଞ୍ଜିତକ ସାଇତି ରଖି ଦେଇଯାଏ-। ତେବେ ଆପଣମାନେ ନିଜର ପୁତ୍ରକନ୍ୟାମାନଙ୍କୁ ଘୋର ଅନ୍ଧାରକୁ ଠେଲି ଦେଉଛନ୍ତି କିପରି ?”

 

ଚାରିଆଡ଼େ ସମସ୍ତେ ଚୁପ୍‍ଚାପ୍, କେବଳ ଖଲିଲ୍‍ର ମସ୍ତିଷ୍କ ଭିତରୁ ଯେପରି ବେଦନାର କରୁଣ ଧ୍ୱନି ଶୁଣାଯାଉଛି । ଏଥରକ ସେ ଟିକିଏ ଧୀର ଅଥଚ ଜୋର କଲା ଭଳି ଭାଷାରେ କହିଲା “ଆଜି ଆପଣମାନଙ୍କୁ ମୁଁ ଯାହାସବୁ କହିଲି, ସେହି କଥା କହିଥିବା ଅପରାଧରେ ମୋତେ ମଠରୁ ବାହାର କରି ଦିଆଯାଇଛି । ଆପଣମାନଙ୍କର ଜମିର ମାଲିକ ଓ ମଠର ଧର୍ମାଧୀଶ ଯଦି ମୋ ଉପରେ ଆକ୍ରମଣ କରି ମୋତେ ମାରିପକାନ୍ତି, ତେବେ ମୁଁ ମନରେ ଯଥେଷ୍ଟ ଶାନ୍ତି ପାଇବି । ସେହି ଦୈତ୍ୟମାନେ ଯାହାକୁ ଅପରାଧ ବୋଲି କହୁଛନ୍ତି, ସେହି ସତ୍ୟକଥା ମୁଁ ସମସ୍ତଙ୍କ ଆଗରେ କହି ସାରିଛି; ମୋର କର୍ତ୍ତବ୍ୟ ମୁଁ ଶେଷ କରିଛି । ଭଗବାନଙ୍କର ସମସ୍ତ ଉଦ୍ଦିଷ୍ଟ ଇଚ୍ଛା ମୁଁ ପୂର୍ଣ୍ଣ କରି ଦେଇଛି ।’’

 

ଖଲିଲ୍‍ର କଣ୍ଠର କୁହୁକ ଯେପରି ସମସ୍ତଙ୍କୁ ମନ୍ତ୍ରମୁଗ୍‍ଧ କରି ରଖିଥିଲା । ତାର ମଧୁର କଥାରେ ସ୍ତ୍ରୀ ଲୋକମାନଙ୍କର ହୃଦୟ ତରଳିଗଲା, ସେମାନଙ୍କର ଆଖିରୁ ଝର ଝର ଲୁହ ଝରିପଡ଼ିଲା । ସମସ୍ତେ ଭାବିଲେ ଯେପରି ଶାନ୍ତିର ଦୂତ କେହି ସେମାନଙ୍କ ଆଗରେ କଥା କହୁଛି ।

 

ସେଖ ଆବାସ ଓ ଗୁରୁ ଇଲିଆସ୍ ସେତେବେଳକୁ ରାଗରେ ଫଣ ଫଣ ହେଉଛନ୍ତି । ଖଲିଲ୍ ତା’ର କଥା ଶେଷ କରି ପଛକୁ ହଟିଗଲା ଓ ରାଚେଲ୍ ଓ ମିରିଅମ୍‍ଙ୍କ ପାଖରେ ଯାଇ ଠିଆ ହେଲା । ଦରବାରଟା ଗୋଟାକଯାକ ସମସ୍ତେ ନୀରବ ହୋଇଗଲେ,ସତେ ଯେମିତି ସେହି ବିରାଟ କକ୍ଷରେ ଖଲିଲର ଆତ୍ମା ଖେଳିବୁଲୁଥିଲା ଏବଂ ଆପଣା କ୍ରୋଧ ଓ ଅପରାଧରେ ଥରୁଥିବା ସେଖ ଆବାସ ଓ ଗୁରୁ ଇଲିଆସ୍‍ଙ୍କ ସମ୍ମୁଖରେ ଜନତାକୁ ଅଭୟ ଦାନ କରୁଥିଲା ।

 

ସେଖ ଆସନରୁ ଉଠି ଠିଆହେଲେ, ତାଙ୍କର ମୁହଁ ଗୋଟାସୁଦ୍ଧା ଶେତା ପଡ଼ି ଯାଇଥାଏ-। ସମ୍ମୁଖର ଜନତାକୁ ଅନାଇ କହିଲେ, “କୁକ୍‍କୁରଗୁଡ଼ାକ, ତୁମର ସବୁ ଆଜି କଣ ହୋଇଛି-? ତୁମମାନଙ୍କର ହୃଦୟରେ କିଏ ବିଷ ଅଜାଡ଼ି ଦେଲା ? ତୁମର ରକ୍ତଧାରା କଣ ଶିଥିଳ ହୋଇଯାଇଛି-? ତୁମେମାନେ ଏଡ଼େ ଦୁର୍ବଳ ? ତୁମମାନଙ୍କ ଭିତରୁ ଜଣେ କେହି ଡେଇଁ ପଡ଼ି ଏ ଦୋଷୀ ପାପୀଟାକୁ ଟିକି ଟିକି କରି କାଟି ଦେଇ ପାରୁନାହଁ ? ସେ ତୁମର କି ସର୍ବନାଶ ନ କରିଛି-?” ଏହିପରି ଗାଳିଦେଇ ସାରିବା ପରେ ସେ ତରବାରୀ ହାତରେ ଖଲିଲ୍ ଆଡ଼କୁ ଛୁଟି ଆସିଲେ-। ଖଲିଲ୍‍ର ହାତ ବେଡ଼ିରେ ବନ୍ଧା ହୋଇଥାଏ । ତତ୍‍କ୍ଷଣାତ୍ ଜଣେ ଗ୍ରାମବାସୀ ତାଙ୍କୁ ଅଟକାଇ ଦେଇ ତାଙ୍କ ହାତ ଜାବୁଡ଼ି ଧରି କହିଲା, “ମଣିମା, ଆଗ ଖଣ୍ତାକୁ ଭୂଇଁରେ ପକାଇ ଦିଅନ୍ତୁ-। ଯଦି ଆଉ ଜଣକୁ ମାରିବାକୁ ଖଡ଼୍‍ଗ ଉଠାଇବେ, ତେବେ ଆପଣାର ଜୀବନ ଯିବ ।’’

 

ସମସ୍ତେ ଚକିତ ହୋଇ ଦେଖୁଥାନ୍ତି । ସେଖଙ୍କ ହାତରୁ ତରବାରୀ ତଳେ ଖସି ପଡ଼ିଲା, ଭୟରେ ଗୋଟାସୁଦ୍ଧା ଠକ୍ ଠକ୍ ହୋଇ ସେ କହିଲେ, “ମୁନିବକୁ ଏପରି ବାଧା ଦେବାପାଇଁ ଅକିଞ୍ଚନ ଭୃତ୍ୟର କି ଅଧିକାର ଅଛି ?” ଲୋକଟି କହିଲା ‘‘ମୁନିବର ପାପ ଓ ଅପରାଧରେ ଭାଗୀ ହେବା କଣ ଅନୁଗତ ଭୃତ୍ୟର କର୍ତ୍ତବ୍ୟ ? ଏହି ଯୁବକଟି ତ ଖାଣ୍ଟି କଥା କହିଛି, ତା’ର କି ଅପରାଧ-?” ହଠାତ୍ ଆଉ ଜଣେ ବାହାରିପଡ଼ି କହିଲା, “ତାର କୌଣସି ଦୋଷ ନାହିଁ, ସେ ଭକ୍ତିର ପାତ୍ର-।’’ ଅନତିଦୂରରୁ ସ୍ତ୍ରୀ କଣ୍ଠ ଶୁଣାଗଲା, “ସିଏ ତ ଭଗବାନଙ୍କ ନାମରେ କିଛି କହିନାହିଁ, କୌଣସି ସାଧୁ ସନ୍ନ୍ୟାସୀଙ୍କୁ ଲକ୍ଷ୍ୟ କରି ସେ ତ ଗାଳି ଗୁଲଜ ଦେଇ ନାହିଁ । ସେ କାହିଁକି ଧର୍ମଦ୍ରୋହୀ ହେବ-?” ରାଚେଲ ମଧ୍ୟ ପଚାରିଲା, “କହନ୍ତୁ, ସେ କି ଦୋଷ କରିଛି ?” ସେଖ ଚିତ୍କାର କରି ଉଠିଲେ, “ତୁ ମଧ୍ୟ ଆଇନ୍‍କୁ ଅମାନ୍ୟ କରିଛୁ । ଛଅ ବର୍ଷ ତଳେ ତୋର ସ୍ୱାମୀ ପରା ବିଦ୍ରୋହ କରିଥିଲା ? ତା’ର ଦଶା ଯାହା ହେଲା ମନେ ଅଛି ଟି ?” ଏହି ବାଧିଲା କଥାଗୁଡ଼ାକ ଶୁଣି ରାଚେଲର ହାଡ଼ ଜଳି ଉଠିଲା, ତା’ର ସ୍ୱାମୀର ହନ୍ତାକୁ ସେ ଏତେଦିନକେ ଜାଣିଲା । ସେ ଲୁହ ଚାପି ରଖି ଜନତାକୁ କହି ଉଠିଲା, “ଛଅ ବର୍ଷ ହେଲା ଯେଉଁ ଖୁଣୀ ଆସାମୀକୁ ଖୋଜା ପଡ଼ିଥିଲା, ସେ ଆଜି ଧରା ପଡ଼ିଛି-। ଛଅ ବର୍ଷ ପରେ ଆପଣମାନେ ଶୁଣିଲେ, ସେ ନିଜ ମୁହଁରେ କିପରି ତାର ଦୋଷ ସ୍ୱୀକାର କଲା-। ତା’ ମୁହଁକୁ ଚାହିଁ ଦେଖନ୍ତୁ, ସେ ଭୟରେ କିପରି ଥରହର ହେଉଛି; ଶୀତ ଦିନର ଝରା ପତର ପରି କିପରି ଠକ୍‍ଠକ୍ ବାଜୁଛି । ଯାହାକୁ ଆପଣମାନେ ମାଲିକ ବୋଲି ମାନି ଆସୁଥିଲେ, ସେ ଯେ ଗୋଟାଏ ମଣିଷମରା ଆସାମୀ, ଭଗବାନ ଆଜି ତାହା ଦେଖାଇଦେଲେ ! ଆପଣା ହାତରେ ସେଇ ମତେ ବିଧବା କରିଛି, ମୋ’ର ଝୁଅକୁ ଅରକ୍ଷିତ କରି ଦେଇଛି ।’’ ରାଚେଲର କଥାଗୁଡ଼ାକ ଯେପରି ସେଖଙ୍କର ମୁଣ୍ତରେ ବଜ୍ରସମାନ ପଡ଼ୁଥାଏ । ସମବେତ ଜନସମୁଦ୍ରର ଗର୍ଜନରେ ସତେ ଅବା ତାଙ୍କ ଉପରେ ନିଆଁ ଛିଣ୍ତି ପଡ଼ୁଥାଏ ।

 

ଧର୍ମାଧୀଶ ଧରାଧରି କରି ସେଖଙ୍କୁ ଉପବିଷ୍ଟ କରାଇଲେ । ତା’ପରେ ଅନୁଚରମାନଙ୍କୁ ଡାକି ଆଦେଶ ଦେଲେ, “ଏ ସ୍ତ୍ରୀ ଲୋକ ମାଲିକଙ୍କ ନାମରେ ବୃଥା ଅପବାଦ ଯୋଡ଼ିଛି, ତାକୁ ଗିରଫ କର । ତା’ ସହିତ ଏଇ ଯୁବକକୁ କଳା କୋଠରୀକୁ ନେଇଯାଅ । ଏଥିରେ ଯେ କୌଣସି ପ୍ରକାରେ ବାଧା ଦେବ, ସେ ମଧ୍ୟ ଅପରାଧୀ ହେବ ଓ ଧର୍ମଗୋଷ୍ଠୀରୁ ତାକୁ ବାହାର କରି ଦିଆଯିବ-।’’ ଅନୁଚରମାନେ ସେ ଆଦେଶକୁ ଭ୍ରୂକ୍ଷେପ ନ କରି ଖଲିଲ୍‍ ଆଡ଼କୁ ଚାହିଁ ରହିଥାନ୍ତି । ଖଲିଲ୍‍ ଦଉଡ଼ିରେ ବନ୍ଧା ହୋଇ ସ୍ଥିରଭାବେ ଠିଆ ହୋଇ ରହିଥାଏ । ତା’ର ବାମ ଡାହାଣରେ ମିରିଅମ୍ ଓ ରାଚେଲ ଦୁଇ ଡେଣା ପରି ରହି ତାକୁ ଯେପରି ମୁକ୍ତିର ଆକାଶକୁ ଉଡ଼ାଇ ନେଇ ଯାଉଥାନ୍ତି-

 

ରାଗରେ ଦାଢ଼ି କମ୍ପାଇ ଗୁରୁ ଇଲିଆସ୍ ଗର୍ଜନ କରି କହିଲେ, “ଗୋଟାଏ ଧର୍ମଦ୍ରୋହୀ ଦୋଷୀ ଓ ଆଉ ଗୋଟାଏ ନିର୍ଲଜ୍ଜା କୁଳଟା ସକାଶେ କଣ ତୁମେ ସବୁ ମାଲିକର ଆଦେଶ ଅବଜ୍ଞା କରିବ ?” ସବୁଠାରୁ ପୁରୁଖା ଅନୁଚର ଜଣେ ଜବାବ ଦେଲା, “ଦାନା ଗଣ୍ତାକ ଲାଗି ଆମେ ଅନେକ ଦିନରୁ ସେଖଙ୍କର ଗୋଲାମୀ ଖଟି ଆସିଛୁ, କିନ୍ତୁ କେବେହେଲେ ନିଜର ବିବେକକୁ ତାଙ୍କ ପାଖରେ ବିକ୍ରି କରି ଦେଇନାହୁଁ ।” ଏତକ କହି ସେ ଆପଣାର ପାଗ ପଗଡ଼ି ଫିଟାଇ ସେଖଙ୍କ ଆଗକୁ ପକାଇ ଦେଇ କହିଲା, “ଆଉ ମୋର ଏ ପୋଷାକ ଲୋଡ଼ା ନାହିଁ, ଗୋଟାଏ ଅପରାଧୀର ଗୁହା ଭିତରେ ପଶି ମୁଁ ନିଜର ଆତ୍ମାକୁ କ୍ଷୁନ୍ନ କରି ପାରିବି ନାହିଁ ।’’ ଗୋଟିକ ପରେ ଗୋଟିଏ ସବୁ ଅନୁଚର ସେହିପରି କରି ଜନତା ସହିତ ଯୋଗଦେଲେ; ଜନତାର ମୁହଁ ସେତେବେଳେ ମୁକ୍ତି ଓ ସତ୍ୟ ଜନିତ ଆନନ୍ଦରେ ଦୀପ୍ତ ହୋଇ ଉଠୁଥାଏ । ଗୁରୁ ଇଲିଆସ୍ ପରିଷ୍କାର ବୁଝିପାରିଲେ ଯେ, ତାଙ୍କର ହୁକୁମ ଆଉ ଚଳିବ ନାହିଁ । କି ଦୁର୍ଯୋଗରେ ଖଲିଲ୍ ଗାଆଁ ମାଟି ଛୁଇଁଥିଲା, ବିରକ୍ତ ହୋଇ ଏହି କଥା ଭାବୁ ଭାବୁ ସେ ଆସନ ଛାଡ଼ି ଖସିଲେ । ଜଣେ ବଳିଷ୍ଠ ଯୁବକ ଖଲିଲ୍‍ର ବେଡ଼ି ଫିଟାଇ ଦେଲା । ସେଖ ଆବାସ ସେତେବେଳକୁ ମଲା ମେଦଟିଏ ହୋଇ ସାରିଲେଣି । ଯୁବକଟି ତାଙ୍କୁ ଚାହିଁ କହିଲା, “ଯାହାକୁ ଆପଣ ଦୋଷୀ ବୋଲି ଏଠାକୁ ବାନ୍ଧି ଆଣିଥିଲେ, ସେଇ ଆଜି ଆମର ପତିତ ଆତ୍ମାକୁ ଜାଗ୍ରତ କରି ଆମକୁ ସତ୍ୟ ଓ ଜ୍ଞାନର ପ୍ରେରଣାରେ ଉଦ୍ଦୀପ୍ତ କରିପାରିଛି । ଯେଉଁ ଦରିଦ୍ର ବିଧବାକୁ ଗୁରୁ ଇଲିଆସ୍ ମିଥ୍ୟା ଅପବାଦରେ ଦୋଷୀ କରାଉଥିଲେ, ସେଇ ଆଜି ଆପଣ ଛଅ ବର୍ଷ ତଳେ କରିଥିବା ଅପରାଧର ଗୂଢ଼କଥା ପ୍ରକାଶ କରି ଦେଇଛି । ଜଣେ ନିର୍ଦ୍ଦୋଷ ମହତ୍‍ ହୃଦୟ ଯୁବକର ବିଚାର ଦେଖିବାକୁ ଆମେ ଏଠାକୁ ଦଉଡ଼ି ଆସିଥିଲୁ । ଈଶ୍ୱରଙ୍କର କୃପାରୁ ଆମର ଆଖି ଫିଟି ଯାଇଛି, ତାଙ୍କରି ଆଲୋକରେ ଆପଣଙ୍କର ସବୁ ସଙ୍କଟ କଳଙ୍କ କୂଟ ପଦାରେ ପଡ଼ିଯାଇଛି । ଆଉ ଆମେ ଆପଣଙ୍କ ପାଖରେ ଅନୁସରି ପଡ଼ି ରହିବୁ ନାହିଁ । ଏ ରାଜ୍ୟରେ ଏଣିକି କେବଳ ଭଗବାନଙ୍କର ଇଚ୍ଛା ପୂରଣ ହେବ ।’’

 

ଜନତା ମଧ୍ୟରେ ଚାରିଆଡ଼େ ନାନା ଗୋଳମାଳ ଶୁଣା ଯାଇଥାଏ । ଜଣେ କହୁଥାଏ, “ଚାଲ, ଏ ଅପବିତ୍ର ପାପ ଥାନ ଛାଡ଼ି ଯେଝା ଘରକୁ ଚାଲିଯିବା ।’’ କିଏ କହୁଥାଏ, “ଚାଲ, ଏହି ଯୁବକ ପଛେ ପଛେ ରାଚେଲର ଘରକୁ ଯିବା, ସେଇଠି ତାର ଉପଦେଶମାନ ଶୁଣିବା । “ତୃତୀୟ ଜଣକର ପାଟି ଶୁଭୁଥାଏ, “ସେଇ ଆମର ସବୁ କଥା ବୁଝିଛି, ସିଏ ଯାହା କହିବ, ଆମେ ସମସ୍ତେ ତାହା ହିଁ କରିବା ।’’ ଆଉ ଜଣେ କହୁଥାଏ, “ନ୍ୟାୟବିଚାର ପାଇବାକୁ ହେଲେ ସେଖ ଆବାସଙ୍କ ବିରୁଦ୍ଧରେ ଅମୀର୍‍ଙ୍କୁ ନାଲିସ୍ କରିବାକୁ ହେବ ।’’ କିଏ କିଏ ପାଟି କରୁଥାନ୍ତି, “ଅମୀର୍‍ଙ୍କ ପାଖକୁ ଦରଖାସ୍ତ ଦିଆଯାଉ, ସେ ଖଲିଲ୍‍କୁ ଗ୍ରାମର ମୁଖିଆ କରି ଦିଅନ୍ତୁ । ଗୁରୁ ଇଲିଆସ୍ ଯେ ସବୁ ପାପରେ ଭାଗୀ ହୋଇଛନ୍ତି, ଏହି କଥା ବିଶପ୍‍ଙ୍କ ପାଖକୁ ପଠାଇ ଦିଆଯାଉ ।’’ ସେଖଙ୍କର କାନରେ ଏ ସବୁ କଥା ଶର ପରି ଗଳି ଯାଉଥାଏ । ଖଲିଲ୍ ହାତ ଟେକିବାକୁ ସମସ୍ତେ ଚୁପ୍‍ଚାପ୍ ହୋଇଗଲେ । ସେ କହିଲା, “ଭାଇମାନେ, ଏତେ ଅସ୍ଥିର ହୋଇ ପଡ଼ନ୍ତୁ ନାହିଁ, ସବୁ କଥା ଶୁଣି ନିଜେ ଚିନ୍ତା କରି ଦେଖନ୍ତୁ । ଆପଣମାନଙ୍କୁ ମୁଁ ଭଲପାଏ, ଭାଇ ବୋଲି ଶ୍ରଦ୍ଧା କରେ; ମୁଁ ଆପଣମାନଙ୍କୁ ଅମୀର୍‍ଙ୍କ ପାଖରେ ଯାଇ ନାଲିସ୍ କରିବାର ପରାମର୍ଶ ଦେଇ ପାରୁନାହିଁ । ସେଠି କଦାପି ନ୍ୟାୟବିଚାର ମିଳିବ ନାହିଁ । ବାଘ କେବେ ହେଲେ ବାଘ ଶୀକାର କରେ ନାହିଁ । ବିଶପ୍‍ଙ୍କ ପାଖକୁ ଯାଇ ମଧ୍ୟ ଆପଣମାନେ କୌଣସି ଲାଭ ପାଇବେ ନାହିଁ, କାରଣ ସେ ଭଲ କରି ଜାଣନ୍ତି ଯେ, ଯେଉଁ ଘରେ ପରସ୍ପରରେ ବିବାଦ ଅଛି, ସେ ଘର ନିଶ୍ଚୟ ଭାଙ୍ଗି ପଡ଼ିବ । ମୋତେ ଗ୍ରାମର ମୁଖିଆ କରିବାର କୌଣସି ଦରକାର ନାହିଁ; ପାପୀ ମୁନିବର ହୁକୁମ ଚଳାଇବାରେ ଦେଶର କୌଣସି ସେବକ କେବେ ଖୁସୀ ହୋଇ ପାରିବ ନାହିଁ । ଯଦି ଆପଣମାନେ ମୋତେ ପ୍ରକୃତରେ ଭଲପା’ନ୍ତି, ତେବେ ମୋତେ ଆପଣମାନଙ୍କ ଭିତରେ ରହି ସମସ୍ତଙ୍କର ସୁଖଦୁଃଖରେ ସମଭାଗୀ ହେବାର ଅନୁମତି ଦିଅନ୍ତୁ । ସଭିଙ୍କ ସାଥୀରେ ମିଶି ମୁଁ ଦାଣ୍ଡରେ ଓ ବିଲବାଡ଼ିରେ କାମ କରିବି । ଆପଣମାନଙ୍କ ପରି ଜଣେ ନ ହୋଇ ପାରିଲେ ମୁଁ ଆପଣାର କଥା ଅମାନ୍ୟ କରୁଥିବା ଗୋଟାଏ ଭଣ୍ତ ହିଁ ବୋଲାଇବି । ଗଛର ନହକା ଚେରରେ ଯେତେବେଳେ ଆଜି କୁରହାଢ଼ୀ ଚୋଟ ଯାଇ ବାଜିଛି, ଚାଲନ୍ତୁ ସମସ୍ତେ ସେଖ ଆବାସଙ୍କୁ ତାଙ୍କ ନିଜ ବିବେକର ବିଚାରାଳୟରେ ଛାଡ଼ି ଚାଲିଯିବା-। ଭଗବାନଙ୍କର ସୂର୍ଯ୍ୟ ପାପୀ ନିଷ୍ପାପ ସମସ୍ତଙ୍କୁ କିରଣ ଦିଏ, ସେହି ଭଗବାନଙ୍କର ଉଚ୍ଚତମ ଦରବାରରେ ସେ ଆପଣାର ଜବାବ ଦେବାର ସୁଯୋଗ ପାଆନ୍ତୁ ।’’

 

କଥା ଶେଷ କରି ଖଲିଲ୍ ସେଠୁ ଚାଲିଗଲା । ତା’ଭିତରେ ଯେପରି କୌଣସି ଦେବଶକ୍ତି ଜନସମୁଦ୍ରକୁ ପଛେ ପଛେ ଟାଣି ନେଇ ଯାଉଥାଏ । ଭୟାବହ ଏକାକୀ ଦରବାରରେ କେବଳ ରହିଲେ ସେଖ ଆବାସ; ନିଜର ପରାଜୟରେ ନିଜେ ଦଗ୍‍ଧ ହୋଇ ସେ ବିଜିତ ସେନାପତି ପରି ବସି ରହିଥାନ୍ତି । ଜନତା ଗୀର୍ଜା ପାଖରେ ପହଞ୍ଚିଲା ବେଳକୁ ମେଘ ଉହାଡ଼ରୁ ଜହ୍ନ ଉଇଁ ଆସୁଥାଏ-। ରଖୁଆଳ ନିଜର ଗୋଧନଦଳକୁ ଅନାଇଲା ପରି ଖଲିଲ୍‍ ସ୍ନେହଭରା ଦୃଷ୍ଟିରେ ଜନତା ଆଡ଼କୁ ଅନାଇ ଦେଖିଲା । ପୀଡ଼ିତ ଜାତିର ଏହି ପ୍ରତୀକ ଜନତାକୁ ଦେଖି ତାର ଅନ୍ତର ସହାନୁଭୂତିରେ ଛଳଛଳ ହୋଇଉଠିଲା । ଶୁଷ୍କ ଆତ୍ମା ଓ ଭାରଗ୍ରସ୍ତ ହୃଦୟ ନେଇ ଘୋଷାରି ହେଉଥିବା ସମସ୍ତ ପ୍ରାଚ୍ୟର ଜାତିସମୂହ ସମ୍ମୁଖରେ ସେ ମୁକ୍ତିଦାତା ମହାତ୍ମା ପରି ଦଣ୍ତାୟମାନ ହୋଇ ରହିଥାଏ-

 

ଉପରକୁ ଦୁଇ ହାତ ଲମ୍ବାଇ ସେ କହିଲା, “ହେ ମୁକ୍ତି ଦେବତା, ଆଜି ଏହି ଗର୍ତ୍ତର ଗହ୍ୱର ଭିତରୁ ଆମେ ଡାକ ପଠାଉଛୁ, ଆମର ଘୋଷଣା କାନ ଦେଇ ଶୁଣ । ତିମିର ତଳୁ ଆମେ ହସ୍ତ ପ୍ରସାରି ଦେଉଛୁ, ଥରେ ତୁମେ ଆମ ଆଡ଼କୁ ଚାହିଁ ଦେଖ । ବରଫ ଭୂଇଁରୁ ଆମେ ତୁମ ଲାଗି ପୂଜା ସଜାଡ଼ି ଦେଇଛୁ, ଆମକୁ କରୁଣା କର । ଆଜି ଆମେ ସମସ୍ତେ ତୁମର ସିଂହାସନ ମୂଳରେ ସମବେତ ହୋଇଛୁ, ପିତୃପୁରୁଷଙ୍କର ରକ୍ତସିକ୍ତ ପରିଚ୍ଛଦ ପିନ୍ଧି, ସେମାନଙ୍କର ସମାଧିର ଭସ୍ମଧୂଳି ଚିତା କରି ଲାଗାଇ, ସେହିମାନଙ୍କର ବକ୍ଷରେ ବିଦ୍ଧ ହୋଇଥିବା ତରବାରୀ ହାତରେ ଧରି, ସେମାନଙ୍କ ପଦ ଶିଥିଳ କରି ରଖିବାର ଲୁହାର ଜଞ୍ଜିରମାଳ ଟାଣି ଆଣି, ସେହିମାନଙ୍କର କଣ୍ଠରେ କ୍ଷତ କରି ଦେଇଥିବା ବାକ୍ୟଉଚ୍ଚାରଣ କରି, କାରାଗାରରେ ଚତୁର୍ଦ୍ଦିଗକୁ କମ୍ପାଇ ଦେଇଥିବା ଦୁଃଖବିଳାପର କରୁଣ ଗାନଗୁଡ଼ିକ ଗାଇ, କାଳ କାଳର ଅନ୍ତରର ପ୍ରାର୍ଥନା ପୁଣି ଚରଣତଳେ ଜଣାଇ ଆମେ ତୁମକୁ ଡାକୁଛୁ । ହେ ମୁକ୍ତିର ଦେବତା, ଆମର ଡାକ ଶୁଣ । ନୀଳ ନଦୀରୁ ଇଉଫ୍ରେଟିସ ଯାଏ ଆଜି କେବଳ ପୀଡ଼ିତ ମନୁଷ୍ୟର ଆର୍ତ୍ତନାଦ ପରିପୂର୍ଣ୍ଣ ହୋଇ ରହିଛି । ନରକର ବିଳାପଠାରୁ ସେ ଆହୁରି ଭୟାବହ । ପୂର୍ବସୀମାଠୁଁ ଲେବାନନ୍‍ର ପାର୍ବତ୍ୟଭୂମି ପର୍ଯ୍ୟନ୍ତ କୋଟି କୋଟି ହାତ ଆଜି କମ୍ପିତ ମିନତିରେ ତୁମ ଲାଗି ପ୍ରସାରିତ ହୋଇରହିଛି । ସାଗର ତୀରରୁ ମରୁ ସୀମାଯାଏ ଲକ୍ଷ ଲକ୍ଷ ଅଶ୍ରୁ ଛଳ ଛଳ ଆଖି ତୁମ ଆଡ଼କୁ ଅନାଇ ରହିଛି । ହେ ମୁକ୍ତିର ଦେବତା, ତୁମେ ଓହ୍ଲାଇ ଆସ ଜଗତର ପରିତ୍ରାଣ କର ।

 

“ଦାରିଦ୍ର୍ୟ ଓ ଉତ୍ପୀଡ଼ନର ଘନ ତମିସ୍ରା ଭିରରେ ସଢ଼ୁଥିବା ଏହି କୁଟୀରବାସୀମାନେ ଆକୁଳ କରାଘାତ କରି ତୁମର କରୁଣା ପ୍ରାର୍ଥନା କରୁଅଛନ୍ତି, ହେ ମୁକ୍ତିର ଦେବତା, ଆମ ଆଡ଼କୁ ଦୃଷ୍ଟି ଫେରାଅ, ଦୟା କର । ରାସ୍ତାଧାରରେ ଅନ୍ଧାର ଘରେ ମ୍ରିୟମାଣ ଯୁବକ ଆତୁର ନିବେଦନ ଜଣାଉଛି, ମନ୍ଦିର ମସ୍‍ଜିଦରେ ତୁମରି ଲାଗି ଧର୍ମଶାସ୍ତ୍ରର ପାରାୟଣ ହେଉଛି, ଦରବାର ଓ ରାଜପ୍ରାସାଦର ଅବହେଳିତ ଲୋକବିଧାନ ତୁମକୁ ଆହ୍ୱାନ କରୁଛି । ହେ ମୁକ୍ତିର ଦେବତା, ଦୟାକର, ଉଦ୍ଧାର କର । ପାଶ୍ଚାତ୍ୟର ଚୋର ବଣିଜଖୋରମାନଙ୍କର ଘର ପୂର୍ଣ୍ଣ କରିବାକୁ ଏ ଦେଶର ଲୋକ ରାସ୍ତାଏ ରାସ୍ତାଏ ଦିନରାତି ନିଜକୁ ବିକି ମରୁଛି, ତାକୁ ବାଟ ଦେଖାଇ ନେବାକୁ କେହି ନାହିଁ । ଦେଶର ଦରିଦ୍ର ଚାଷୀ ବନ୍ଧ୍ୟା ମାଟି ତାଡ଼ି କେତେ ଆଶାର ବୀଜ ବପନ କରୁଛି, ଆଖିରୁ କେତେ ଲୁହ ଦେଇ ତାକୁ ସେ ବଞ୍ଚାଇ ରଖୁଛି, କିନ୍ତୁ ଅମଳ କଲାବେଳକୁ କଣ୍ଟା ଛଡ଼ା ତା’ କପାଳରେ ଆଉ କିଛି ଜୁଟୁ ନାହିଁ । ତାକୁ ଅସଲ ବାଟ ବତେଇଦେବ କିଏ ? ଏ ଦେଶର ବେଦୁଇନ ଖାଲିପାଦରେ ତପ୍ତ ପ୍ରାନ୍ତରରେ ଭୋକରେ ବୁଲି ବୁଲି ଥକି ଯାଉଛି, କିନ୍ତୁ ଆହା ବୋଲି କହିବାକୁ କେହି ନାହିଁ । ହେ ମୁକ୍ତିର ଦେବତା, କଥା କହ, ବାଟ ଦେଖାଅ । ଆମର ପୀଡ଼ିତ ମେଣ୍ଢାପଲ ଲଣ୍ତା ପଡ଼ିଆରେ ଘାସ ଟୁଙ୍କି ବୁଲୁଛନ୍ତି, ଆମର ଗୋରୁ ଗାଈ ଗଛ ଚେର ଚୋବାଇ ବୁଲୁଛନ୍ତି, ଆମର ଘୋଡ଼ାମାନେ ଶୁଖିଲା ପତର ଖାଇ ବଞ୍ଚିଛନ୍ତି । ହେ ମୁକ୍ତିର ଦେବତା, ଥରେ ଏ ଦେଶକୁ ଓହ୍ଲାଇ ଆସ । ଚିର ଜୀବନ ଖାଲି ଅନ୍ଧାରରେ ପଚି ପଚି ଗଲାଣି, କଏଦୀ ପରି ସେମାନେ ଆମକୁ ଗୋଟାଏ କାରାଗାରରୁ ଆଉ ଗୋଟାଏ କାରାଗାରରେ ନେଇ ଭର୍ତ୍ତି କରୁଛନ୍ତି, ତଥାପି ମହାକାଳ ଖାଲି ଉପହାସ କରି ଚାଲିଛି । ରାତି କଣ ପାହିବ ନାହିଁ ? କେତେଦିନ ଯାଏ ଆମେ ଯୁଗ ଯୁଗର ଅଭିଶାପ ନେଇ ପଡ଼ିଥିବୁ ? ଜୀବନଯାକ କେତେ ପଥର ଟାଣିଲୁଣି, କେତେ ଥର କେତେ ଜୁଆଳୀରେ ମଣ ହେଲୁଣି । ମଣିଷର ଏ ଅତ୍ୟାଚାର କେତେଦିନ ଯାଏ ଚାଲିଥିବ ? ମିଶର ଆମକୁ ଦାସ କରି ରଖିଛି, ବେବୀଲୋନ ନିର୍ବାସିତ କରି ଦେଇଛି, ପାରସ୍ୟର ପ୍ରତାପ ଏ ପର୍ଯ୍ୟନ୍ତ ମନରୁ ନିଭିନାହିଁ, ୟୁରୋପର ଲୋକ ଜଳ ଜଳ ହୋଇ ଦେଖା ଯାଉଛି, ଆମେ ସବୁ ସହି ସାରିଲୁଣି । କେଉଁ ଦିନ ଆଉ ଏ ବନ୍ଧୁର ବାଟରେ ଯାତ୍ରା ଶେଷ ହେବ ? ଗୋଟାଏ ରାଜାର କବଳରୁ ଖସି ଆଉ ଗୋଟାଏ ମାଲିକର କବଳକୁ ଆସିବା ଛଡ଼ା ଆମର କଣ ଆଉ ଅନ୍ୟ ଗତି ନାହିଁ ? ତେବେ କେଉଁ ଦିନ ଏ ଜାତିର ମୃତ୍ୟୁ ହେବ, କେଉଁ ଦିନ ମରି ସେ ଚିରଶାନ୍ତି ଲାଭ କରିବ-?

 

“ଏଇ ବାହୁର ଶକ୍ତି ଦେଇ ଆମେ ମନ୍ଦିର ଗଢ଼ିଲୁ, ରାଜାର ଗୌରବ ଲାଗି ଉଚ୍ଚ ପ୍ରାଚୀର ଓ ଅଭେଦ୍ୟ ସମାଧି ମନ୍ଦିର ତୋଳିବାକୁ ଆମେ ଏଇ ପିଠିରେ କେତେ ମାଟି ବୋଝ ବୋହିଲୁ ।’’

 

କେତେଦିନଯାଏ ଏ କୋଠା ତିଆରି ଚାଲିଥିବ, କେତେଦିନଯାଏ ଆମେ ଖଣ୍ତିଆ କୁଡ଼ିଆରେ ଗଡ଼ି ମରୁଥିବୁ ? ଧନୀର ଧାନଅମାର ଭର୍ତ୍ତି କରି କେତେଦିନଯାଏ ଆମେ କଞ୍ଚା ଚାଉଳ ଚୋବାଉଥିବୁ ? ମାଲିକମାନଙ୍କ ପାଇଁ ରେଶମ ପଶମର ପୋଷାକ ତିଆରି କରି କେତେଦିନଯାଏ ଆମେ ଛିଣ୍ତା ମହଳ ପିନ୍ଧି ବୁଲୁଥିବୁ ?

 

“ସେହିମାନଙ୍କ ଦୁଷ୍ଟବୁଦ୍ଧି ଆଜିଯାଏ ଆମକୁ ଫାଙ୍କା ଫାଙ୍କା କରି ରଖିଥିଲା । ସେମାନଙ୍କର ସିଂହାସନ ଓ ଆରାମ ଭୋଗ ସୁରୁଖୁରୁରେ ଚାଲିବ ବୋଲି ସେମାନେ ଆମ ଭିତରେ ଯୁଦ୍ଧ ଲଗାଇ ଦେଇ ମଜା ଦେଖୁଥିଲେ । କେତେଦିନଯାଏ ଜନ୍ମମାଟି ଉପରେ ଭାଇ ଭାଇକୁ ହତ୍ୟା କରୁଥିବ ? କେତେଦିନଯାଏ ଧର୍ମ ଧର୍ମ ଭିତରେ ବିବାଦ ଲାଗି ରହିଥିବ ? ହେ ମୁକ୍ତିର ଦେବତା, ଆମର ଡାକ ଶୁଣ, ଅନ୍ତତଃ ଏ ଜାତିର ଜଣକ ଭିତରେ ତୁମେ ଅବତାର ଗ୍ରହଣ କର, ସେହି ଗୋଟିଏ ଶିଖା ଦେଶସାରା ଅଗ୍ନି ଜଳାଇଦେଉ । ହେ ମୁକ୍ତିର ଦେବତା, ଆପଣା ଡେଣାର ଆଘାତ ଦ୍ଵାରା ଅନ୍ତତଃ ଜଣକୁ ଜାଗ୍ରତ କରି ଦେଇଯାଅ, ସେହି ଗୋଟିଏ ମେଘଖଣ୍ତରୁ ବିଜୁଳି ନିଃସୃତ ହୋଇ ସମସ୍ତ ଗହ୍ୱର ଓ ଶିଖରକୁ ଉଦ୍ଭାସିତ କରିଦେଉ । ଆପଣାର ଶେଳ ହାଣି ଆଜିର ଏ ମେଘଜମାଟକୁ ଛିନ୍ନ ବିଛିନ୍ନ କରି ପକାଅ; ବଜ୍ରରୂପେ ଓହ୍ଲାଇ ଆସି ଆମ ପିତୃପୁରୁଷଙ୍କର ହାଡ଼ଖପୁରିରେ ଗଢ଼ା ସିଂହାସନକୁ ଭାଙ୍ଗି ଚୂରମାର କରିଦେଇ ଯାଅ ।’’

 

ଖଲିଲ୍‍ ଭଗବାନଙ୍କ ଉଦ୍ଦେଶ୍ୟରେ ଏହିସବୁ କଥା ଅତି ଆବେଗରେ କହିଯାଉଥାଏ, ସମବେତ ସମସ୍ତେ ତା’ ଆଡ଼କୁ ପରମ ଭକ୍ତିରେ ଚାହିଁ ରହିଥାନ୍ତି । ଖଲିଲ୍‍ର ମୁଖର ଭାଷା ସଙ୍ଗେ ସଙ୍ଗେ ସମସ୍ତଙ୍କର ଶ୍ରଦ୍ଧା ଓ ସୋହାଗ ମିଶି ସତେ ଅବା ଉଛୁଳି ପଡ଼ୁଥାଏ, ସତେ ଯେପରି ଖଲିଲ୍‍ ସେମାନଙ୍କର ଅନ୍ତର ଭିତରୁ କଥା କହି ଚାଲିଥାଏ । କିଛିକ୍ଷଣ ଚୁପ୍ ରହି ଖଲିଲ୍‍ ଜନତା ଆଡ଼କୁ ଦୃଷ୍ଟି ଫେରାଇ ଦେଖିଲା ଓ ଧୀରେ ଧୀରେ କହିଲା, “ଆଜିର ରାତ୍ରି ଆମ ସମସ୍ତଙ୍କୁ ସେଖ ଆବାସଙ୍କ ଘରେ ସମବେତ କରାଇ ସକାଳ ଆଲୋକର ପରିଚୟ ଦେଇଛି, ଶୀତଳ ପ୍ରାଣହୀନ ଧରଣୀ ଉପରେ ଉତ୍ପୀଡ଼ନ ହିଁ ଆମର ଆଖି ଫିଟାଇ ଦେଇଛି । ଆଜିର ଶିକ୍ଷା ନେଇ ଆମେ ସମସ୍ତେ ଆଜି ପରମେଶ୍ୱରଙ୍କର ଅଭୟ ପକ୍ଷର ଆଶ୍ରୟ ତଳେ ଏକତ୍ର ହେବା । କାଲି ସକାଳ ହେବା ପର୍ଯ୍ୟନ୍ତ ବର୍ତ୍ତମାନ ସମସ୍ତେ ଆପଣା ଆପଣା ଘରକୁ ଯାଇ ବିଶ୍ରାମ ଗ୍ରହଣ କରିବା ।’’

 

ଏତକ କହି ସାରି ରାଚେଲ ଓ ମିରିଅମ୍ ସଙ୍ଗରେ ଖଲିଲ ତାଙ୍କ ଘରକୁ ଚାଲିଗଲା । ଜନତା ଭାଙ୍ଗି ଯିଏ ଯେଝା ଘରକୁ ଗଲେ, ସମସ୍ତେ ନିବିଷ୍ଟ ମନରେ କେବଳ ସେହି ରାତିର ବାକ୍ୟପ୍ରକାଶ କଥା ଭାବୁଥିଲେ । କୌଣସି ନୂତନ ଚେତନାର ଦୀପ୍ତ ଆଲୋକ ଶିଖା ସତେ ଯେପରି ସେମାନଙ୍କର ଅନ୍ତର ଭିତରେ ପ୍ରବେଶ କରି ସେମାନଙ୍କୁ ଆଦର୍ଶ ବାଟରେ ଚାଳିତ କରି ନେଉଥିଲା ! ଘଡ଼ିକ ଭିତରେ ଚାରିଆଡ଼ୁ ସମସ୍ତ ଦୀପ ଲିଭିଗଲା । ଗ୍ରାମଟିକୁ ଆବୋରି କେବଳ ନୀରବତା ହିଁ ମର୍ମରିବାକୁ ଲାଗିଲା । ନିଦ୍ରାଦେବୀ ଦରିଦ୍ର କୃଷକର ଆତ୍ମାକୁ ନିବିଡ଼ ସ୍ୱପ୍ନର ରଙ୍ଗଜଗତକୁ ଉଡ଼ାଇ ନେଇ ଚାଲିଗଲେ । କିନ୍ତୁ ସେଖ ଆବାସଙ୍କର ଆଖି କଷା ପଡ଼ିଲା ନାହିଁ । ଅନ୍ଧାରରେ ଭୂତର ରୂପ ଦେଖି ଦେଖି ନିଜ ପାପର ସମୂର୍ତ୍ତ ଶୋଭାଯାତ୍ରାକୁ ଅନାଇ ଅନାଇ ତାଙ୍କର ସାରାରାତି କଟିଗଲା ।

 

ଦୁଇ ମାସ ପରର କଥା । ଖଲିଲ୍‍ର ପ୍ରଚାର ତେବେ ସୁଦ୍ଧା ବନ୍ଦ ହୋଇ ନଥାଏ । ଲୋକଙ୍କଠାରୁ ଛଡ଼ାଇ ନିଆ ହୋଇଥିବା ଅଧିକାରମାନ ମନେ ପକାଇ ଦେଇ, ରାଜା ଓ ଧର୍ମ ପଣ୍ଡାମାନଙ୍କର ଲୋଭ ଓ ଉତ୍ପୀଡ଼ନର ନାନା ଦୃଷ୍ଟାନ୍ତ ଦେଇ ସେ ଆପଣାର ସମସ୍ତ ଆବେଗ ଢାଳି ଦେବାରେ ଲାଗିଥାଏ । ଅତି ଶ୍ରଦ୍ଧା ଓ ମନୋଯୋଗ ସହକାରେ ସମସ୍ତେ ତା’ କଥା ଶୁଣୁଥାନ୍ତି । ଫଟା ଭୂଇଁର ତୃଷ୍ଣାର୍ତ୍ତ ମଜ୍ଜାରେ ବୃଷ୍ଟିଜଳ ପଡ଼ିଲା ପରି ଖଲିଲ୍‍ର କଥା ସେମାନଙ୍କ ପ୍ରାଣରେ ନବଜୀବନ ସଞ୍ଚାର କରି ଦେଉଥିଲା । ଦୈନନ୍ଦିନ ପ୍ରାର୍ଥନାରେ ସେମାନେ ତାହାରି କଥାମାନ ଆବୃତ୍ତି କରିବାକୁ ଲାଗିଲେ । ଗୁରୁ ଇଲିଆସ୍ ପୁଣି ଲୋକଙ୍କର ମନ ନେବାକୁ ସମସ୍ତଙ୍କୁ ବେଶ୍ ପାକଳେଇବାକୁ ଚେଷ୍ଟା କରୁଥାନ୍ତି । କିନ୍ତୁ ସମସ୍ତେ ତାଙ୍କର ଅସଲ ରୂପ ଚିହ୍ନିଯିବା ପରେ ତାଙ୍କୁ ଅଗତ୍ୟା ସକଳ ଚେଷ୍ଟାରୁ ନିରସ୍ତ ହେବାକୁ ପଡ଼ିଲା । ସେଖଙ୍କର ପାପ କୀର୍ତ୍ତିରେ ସେ ମଧ୍ୟ ପାଳିଧରି ଆସିଥିଲେ, ଏହିକଥା ଭାବି କୃଷକମାନେ ଆଉ ତାଙ୍କର କୌଣସି କଥା ଶୁଣିଲେ ନାହିଁ ।

 

ସେଖ ଆବାସ କ୍ଷୁନ୍ନ କାତର ମନରେ ଯନ୍ତା ଭିତରର ବାଘ ପରି ଖାଲି ପ୍ରାସାଦର ଏକଣରୁ ସେକଣ ହେଉଥାନ୍ତି । ବଡ଼ ପାଟିରେ ସେ ଚାକରମାନଙ୍କୁ କେତେ ଆଦେଶ ଦେଉଥାନ୍ତି, କିନ୍ତୁ ମର୍ମର ପ୍ରାଚୀରର ପ୍ରତିଧ୍ୱନି ବ୍ୟତୀତ ଆଉ କେହି ତାଙ୍କ କଥାର ଜବାବ ଦେବାକୁ ନଥାନ୍ତି । ପାଖ ଲୋକମାନଙ୍କ ଉପରେ ସେ କେତେ ରଡ଼ି ହେଉଥାନ୍ତି, କିନ୍ତୁ ତାଙ୍କର ସ୍ତ୍ରୀଙ୍କ ଛଡ଼ା ସାହାଯ୍ୟ କରିବାକୁ ଆଉ କେହି ନଥାନ୍ତି । ଦରିଦ୍ର କୃଷକମାନଙ୍କ ପରି ମଧ୍ୟ ସେଖ ଆପଣା ସ୍ତ୍ରୀଙ୍କ ଉପରେ ନାନା ନୃଶଂସ ବ୍ୟବହାର କରି ଆସିଥିଲେ । ଜଗତରେ ବସନ୍ତ ଆସିଲା, କିନ୍ତୁ ଶୀତର ଜର୍ଜର ଦିନଗୁଡ଼ିକ ସେଖଙ୍କ ଜୀବନକୁ ସେମିତି କାମୁଡ଼ି ଧରିଥାଏ । ଦାରୁଣ ଯନ୍ତ୍ରଣାରେ ଦଗ୍‍ଧ ହୋଇ ହୋଇ ଶେଷରେ ତାଙ୍କର ମୃତ୍ୟୁ ହୋଇଗଲା । ଆପଣା ଅପକୀର୍ତ୍ତିର ଆସନ ଉପରେ ତାଙ୍କର ଆତ୍ମାକୁ ବିଶ୍ୱନିୟନ୍ତାଙ୍କର ଦରବାରକୁ କିଏ ଉଡ଼ାଇ ନେଇ ଚାଲିଗଲା, ସେଠାରେ ବିଚାର ଅପେକ୍ଷା କରି ତାଙ୍କୁ ବିବସ୍ତ୍ର କମ୍ପିତ ଦେହରେ ଠିଆ ହେବାକୁ ପଡ଼ିଲା । ସେଖ ଆବାସଙ୍କର ମୃତ୍ୟୁ ବିଷୟରେ ଲୋକମୁଖରେ ନାନାପ୍ରକାର ଗଳ୍ପଗୁଜବ ଶୁଣାଗଲା । କିଏ କହିଲା, ସେ ପାଗଳ ହୋଇ ମରିଗଲେ; ପୁଣି କିଏ କହିଲା ଆପଣା ବିପର୍ଯ୍ୟୟରେ ହତାଶ ହୋଇ ସେ ଆତ୍ମହତ୍ୟା କଲେ । କିନ୍ତୁ ତାଙ୍କର ବିଧବା ସ୍ତ୍ରୀଙ୍କୁ ସାନ୍ତ୍ୱନା ଦେବାକୁ ଯାଇଥିବା ସ୍ତ୍ରୀ ଲୋକମାନେ କହିଲେ ଯେ ସ’ମାନ୍ ରମୀର ପ୍ରେତ ତାଙ୍କୁ କୁଆଡ଼େ ନିତି ନିତି ରାତିରେ ମାଡ଼ି ବସୁଥିଲା ଓ ଛଅ ବର୍ଷ ପରେ ଯେଉଁଠି ରାଚେଲର ସ୍ୱାମୀର ମୃତ ଦେହ ପଡ଼ିଥିଲା, ସେଇଠାକୁ ତାଙ୍କୁ ଧକ୍‍କା ମାରି ମାରି ନେଉଥିଲା । ସେହି ଭୟରେ ସେଖଙ୍କର ମୃତ୍ୟୁ ହେଲା ।

 

ନିସା’ନ ମାସରେ ଖଲିଲ୍‍ ଓ ମିରିଅମ୍‍ଙ୍କର ପ୍ରୀତିସମ୍ବନ୍ଧ କଥା ସମସ୍ତେ ଜାଣିପାରିଲେ । ଖବରଟି ଶୁଣି, ଏହାଦ୍ୱାରା ଖଲିଲ୍‍କୁ ଗାଆଁରେ ରହିବାକୁ ପଡ଼ିବ ବୋଲି ସମସ୍ତେ ଅତି ଖୁସି ହୋଇଗଲେ । ଖଲିଲ୍‍କୁ ପ୍ରତିବେଶୀ ରୂପେ ପାଇ ସମସ୍ତେ କୃତଜ୍ଞତା ଜଣାଇବାକୁ ଆସିଲେ ।

 

ଫସଲ କାଟିବାର ଋତୁ ଆସିଲା । ଚାଷୀମାନେ ଗହମ କାଟି ହଳାକୁ ହଳା ଖଳାକୁ ନେଇ ଆସିଲେ । କୌଣସି ସେଖ ଆବାସ ସେମାନଙ୍କୁ ବାଧା ଦେଇ ଫସଲତକ ଆପଣା ଖମାରକୁ ନେଇଗଲେ ନାହିଁ । ଯେଝାର ଯିଏ ଫସଲ ଅମଳ କରି ଆପଣା ଆପଣା କୁଡ଼ିଆ ଭରିଦେଲେ । ସେମାନଙ୍କର ଶୁଖିଲା କୁମ୍ଫା ପୁଣି ମଦ ଓ ତେଲରେ ଭରିଗଲା । ଖଲିଲ୍ ଗାଁର ସମସ୍ତ କାମରେ ସମାନ ଭାବେ ଭାଗ ନେଲା । ଫସଲ କଟା, ଫଳ ତୋଳା ଓ ପେଷାରେ ସବୁଠି ସେ ଆନନ୍ଦରେ ଯାଇ କାମ କଲା । କେବଳ ନିଜର ପ୍ରାଣଭରା ଶ୍ରଦ୍ଧା ଓ ସ୍ନେହ ଛଡ଼ା ତାକୁ ଦଶ ଜଣରୁ ଅଲଗା କରି ଚିହ୍ନିବା ସମ୍ଭବ ନ ଥିଲା । ସେହି ବର୍ଷଠାରୁ ଆଜିପର୍ଯ୍ୟନ୍ତ ପ୍ରତ୍ୟେକ କୃଷକ ଆପଣାର ଅର୍ଜିଲା ଫସଲକୁ ମନ ଆନନ୍ଦରେ ଅମଳ କରି ଆଣିଲେ । ବିଲ ବାଡି, ପଡ଼ିଆ, ବଗିଚା ସମସ୍ତ କୃଷକର ହିଁ ସମ୍ପତ୍ତି ହୋଇ ରହିଲା ।

 

ସେ ଆଜିକୁ ପଚାଶ ବର୍ଷ ତଳର କଥା । ଆଜି ଲେବାନନ୍‍ର ସମସ୍ତ ଜନତା ଭିତରେ ଅଦ୍ଭୁତ ଜାଗରଣ ଆସିଛି ।

 

ଲେବାନନ୍‍ର ଧର୍ମତୀର୍ଥକୁ ଯିବାବେଳେ ସେହି ଗ୍ରାମଟିର ସୁନ୍ଦର ଦୃଶ୍ୟ ପ୍ରତ୍ୟେକ ତୀର୍ଥଯାତ୍ରୀର ନଜରରେ ପଡ଼େ । ଉପତ୍ୟକାର ଗୋଟିଏ ପାଖରେ ଗ୍ରାମଟି ନବବଧୂ ପରି ମଣ୍ତିତ ହୋଇ ରହିଛି । ସେଦିନର ସେ ଜୀର୍ଣ୍ଣ କୁଡ଼ିଆରେ ଆଜି ସୁଖଶାନ୍ତି ବିରାଜମାନ କରୁଛି । ଚାରିଆଡ଼େ ଉର୍ବର ଚାଷଜମି ଓ ବଢ଼ିଆଳ ଫଳ ବଗିଚା । ସେଠାକାର କୌଣସି ଲୋକକୁ ସେଖ ଆବାସଙ୍କର କାହାଣୀ ପଚାରିଲେ, ସେ ଗୋଟିଏ ଭଙ୍ଗା ପଥରଗଦା ଓ ଭୁଷୁଡ଼ା ପାଚେରୀ ଆଡ଼କୁ ହାତ ଦେଖାଇ କହିବ, “ଏହି ହେଉଛି ତାଙ୍କର ପ୍ରାସାଦ; ଏହି ହେଉଛି ତାଙ୍କ ଜୀବନର କାହାଣୀ ।’’ ଆଉ ଖଲିଲ୍ ସମ୍ବନ୍ଧରେ କିଛି ପ୍ରଶ୍ନ କଲେ ସ୍ୱର୍ଗକୁ ହାତ ବଢ଼ାଇ ସେ କହିବ, “ସେଇ ଉପରେ ସେ ସ୍ୱର୍ଗପୁରେ ଅଛି । ଭଗବାନ୍ ନିଜ ହାତର ସୁନା ଅକ୍ଷରରେ ଆମ ହୃଦୟର ପ୍ରତ୍ୟେକ ପୃଷ୍ଠାରେ ତା’ର ଜୀବନର କାହାଣୀ ଲେଖି ଦେଇଛନ୍ତି, କାଳେ କାଳେ ବି ତାକୁ କେହି ନିଭାଇ ପାରିବ ନାହିଁ ।’’

 

“ଯେଉଁ ଶିକ୍ଷା ଓ ଯେଉଁ ବିଶ୍ୱାସ ମଣିଷକୁ ଜୀବନସାରା ଖାଲି କଷଣ ଭୋଗାଏ ସେହି ଶିକ୍ଷା ଓ ସେହି ବିଶ୍ୱାସକୁ ଶତ ଧିକ୍; ଯେଉଁ ଉତ୍ତମ ଜୀବନ ମଣିଷକୁ କେବଳ ଦୁଃଖୀ ଓ ହତାଶ କରି ରଖେ, ସେ ଜୀବନ ମିଥ୍ୟା; କାରଣ ନିଜର ଜୀବନକୁ ସୁଖମୟ କରିବା ହିଁ ଏ ସଂସାରରେ ମନୁଷ୍ୟର ପ୍ରଥମ କର୍ତ୍ତବ୍ୟ । ଏଇ ସୁଖର ସନ୍ଦେଶ ସବୁଆଡ଼େ ବହିନେବା ହିଁ ତା’ର ପ୍ରଥମ ଧର୍ମ । ଏହି ଜୀବନକୁ ଯେ ବୈକୁଣ୍ଠ ସମାନ କରି ନ ପାରିଲା, ତାର ବୈକୁଣ୍ଠର ଆଶା ବୃଥା । ମଣିଷ ନିର୍ବାସନ ଦଣ୍ତ ପାଇଁ ଏ ସଂସାରକୁ ଆସିନାହିଁ । ପବିତ୍ର ଓ ଶାଶ୍ୱତ ଆତ୍ମାର ପୂଜା କରି ଜୀବନର ସୌନ୍ଦର୍ଯ୍ୟ ମଧ୍ୟ ଦେଇ ଆପଣା ଭିତରର ଗୁପ୍ତ ଶକ୍ତିମାନଙ୍କର ବିକାଶ କରି ଶିଖିବାକୁ ଭଗବାନଙ୍କ ରାଜ୍ୟର ନିର୍ଦ୍ଦୋଷ ସୃଷ୍ଟିରୂପେ ମଣିଷ ଏ ଜଗତରେ ଜନ୍ମଲାଭ କରିଛି । ମହାପୁରୁଷ ଖ୍ରୀଷ୍ଟଭଗବାନଙ୍କଠାରୁ ମୁଁ ଏହି ଶିକ୍ଷା ପାଇଛି ।

 

–ଖଲିଲ୍ ଜିବ୍ରାଁ

Image